Unknown

 

 

 

 

 

 

 

 

 

 

 

ଅନ୍ୟ ଅରଣ୍ୟ

ଶ୍ରୀମତୀ ବୀଣାପାଣି ମହାନ୍ତି

 

ଉତ୍ସର୍ଗ

 

ଶତ ବଇଶାଖ ଝଞ୍ଜା ଆଘାତେ

ଦେହ ସିନା ମରେ ଥରେ

ଅନ୍ତର ମୋର ପ୍ରତିଦିନ ସଖୀ

ମରିଯାଏ ବାରେ, ବାରେ ।

 

ବସନ୍ତ କୁମାରୀ ପଟ୍ଟନାୟକ

 

କବି, ଗାଳ୍ପିଳା ଓ ପ୍ରଖ୍ୟାତ ଔପନ୍ୟାସିକା

ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକ (ବାସୁ ଅପା)

କରକମଳେଷୁ

 

ବାଣୀ

 

ଆତ୍ମଲିପି

 

ସାଂପ୍ରତିକ ଭାରତୀୟ ସାହିତ୍ୟର ଆତ୍ମା ମଧ୍ୟରେ ରହିଥିବା ସମନ୍ୱୟ ଓ ସଂହତିରୁ ସହଜରେ ଉପଲବ୍ଧି କରିହେବ–ଭାରତ ଭଳି ଏକ ବିଶିଷ୍ଟ, ବିଶାଳ ତଥା ବୈଚିତ୍ର୍ୟପୂର୍ଣ୍ଣ ଦେଶରେ ମାନବିକ ମୂଲ୍ୟବୋଧ ଅତ୍ୟନ୍ତ ଗଠନମୂଳକ ଓ ସୃଷ୍ଟିଧର୍ମୀ ଭୂମିକା ସମ୍ପାଦନ କରିଚାଲିଛି । ଭାଷା, ଜାତି, ବର୍ଣ୍ଣ ଓ ଖାଦ୍ୟ-ପେୟରେ ବହୁ ପାର୍ଥକ୍ୟ ସତ୍ତ୍ୱେ ଆମେ ସମସ୍ତେ ନିଜକୁ ଭାରତୀୟ ବା ଭାରତବାସୀ ବୋଲାଇବା ପଛରେ ରହିଛି–ଆମ ସମସ୍ତଙ୍କୁ ଗୋଟିଏ ସୂତାରେ ଗୁନ୍ଥି ରଖିଥିବା ସାଂସ୍କୃତିକ ମୂଲ୍ୟବୋଧର ଚରମ ପରାକାଷ୍ଠା । ତେଣୁ ଆମକୁ ଯେମିତି ହେଲେବି ଏଇ ସାଂସ୍କୃତିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବାକୁ ପଡ଼ିବ...ରକ୍ଷା କରିବାକୁ ହେବ ଏବଂ ଏହାର ଉତ୍ତରଦାୟିତ୍ୱ ବୈଜ୍ଞାନିକ ବା ନେତାମାନଙ୍କଠାରୁ ବେଶୀ ସାହିତ୍ୟିକମାନଙ୍କ ଉପରେ ନ୍ୟସ୍ତ ।

 

ଆମ ଦେଶରେ ସଭ୍ୟତା ନାମରେ ସହର ସ୍ଥାପନପାଇଁ ଅରଣ୍ୟରହିଁ ଅନ୍ଧମୁଖୀ ନିପାତ ଚାଲିଛି । କିନ୍ତୁ ଆମ ମନରେ, ଚିନ୍ତା ଓ ବିଚାରରେ ଯେଉଁ ଘଞ୍ଚ, ଗହନ ଓ ଭୟଙ୍କର ଅରଣ୍ୟ ସୃଷ୍ଟି ହୋଇ ଚାଲିଛି, ସେ ଦିଗରେ କାହାରି ଦୃଷ୍ଟି ନାହିଁ । କେହିବି ଦେଖି ପାରୁ ନାହାନ୍ତି–ଆମ ମାନସରେ ମରୁଭୂମି ସୃଷ୍ଟି ହୋଇ ସାରିଛି । ଜୀବନରେ କ୍ରମଶଃ ପ୍ରଶମିତ ହୋଇ ଚାଲିଛି ସ୍ଥାଣୁତ୍ୱ, ସ୍ଥବିରତା । ସମାଜରେ ଦେଖା ଦେଇଛି ଗତାନୁଗତିକତା, ଗଡ଼୍ଡଳିକା ପ୍ରବାହ । ନିଜ ପ୍ରତି ତୀବ୍ର ବିଶ୍ୱାସଶୂନ୍ୟତା, ନିଜ ପରିବାର ପ୍ରତି ଉତ୍କଟ ଉଦାସୀନତା ତଥା ସାଂପ୍ରତିକ ସମାଜ ପ୍ରତି ଅତ୍ୟନ୍ତ ଆସ୍ଥାହୀନତାହିଁ ମଣିଷକୁ ଅସଂଲଗ୍ନ, ଅସମାହିତ, ଅସମ୍ପୂର୍ଣ୍ଣ ଓ ଅବୋଧ୍ୟ କରି ଗଢ଼ି ତୋଳିଛି ।

 

ଏଇ ନିରୁକ୍ତ ଶୂନ୍ୟତା ଏବଂ ଅବ୍ୟକ୍ତ ଅସହାୟ ଚେତନାର ଊର୍ଦ୍ଧ୍ୱରେ ଏକ ନୂତନ ମୂଲ୍ୟେବୋଧର ଆସ୍ଥାନ ଏବଂ ଏକ ଅପ୍ରତିରୋଧ ଭିନ୍ନ ପ୍ରକ୍ରିୟାର ଉଦ୍‌ବର୍ତ୍ତନହିଁ ସାଂପ୍ରତିକ ସାହିତ୍ୟର ଧର୍ମ ହୋଇଥିଲାବେଳେ କ୍ଷୁଦ୍ରଗଳ୍ପ ସେ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ବିଚିତ୍ର ନୁହେଁ ।

 

ଏଇ ପରିପ୍ରେକ୍ଷୀରେ ‘ଅନ୍ୟ ଅରଣ୍ୟ’ ଏକ ସୁନିର୍ବାଚିତ କ୍ଷୁଦ୍ର ଗଳ୍ପ ସଂକଳନ ।

 

ସଂକଳିତ ଅଧିକାଂଶ ଗଳ୍ପ ଝଙ୍କାର, ସହକାର, ସମାବେଶ, ଇସ୍ତାହାର, ଗଳ୍ପଝର, ଆସନ୍ତାକାଲି, ସୁଚରିତା ଓ ଜୀବନରଙ୍ଗ ଇତ୍ୟାଦି ପତ୍ରିକାରେ ପୂର୍ବରୁ ପ୍ରକାଶିତ ହୋଇଥିଲା । ସେସବୁ ପତ୍ରିକାର ସମ୍ପାଦକମାନଙ୍କୁ ଏହି ପ୍ରକାଶନର ଶୁଭମୁହୂର୍ତ୍ତରେ କୃତଜ୍ଞତା ଜଣାଉଛି ।

 

ପାଣ୍ଡୁଲିପିଟିକୁ ସଂକଳନ ଉପଯୋଗୀ କରିଛନ୍ତି ମୋର ଛାତ୍ରୀ ସଂଯୁକ୍ତା, ଏଲିଜା, ସଂଘମିତ୍ରା, ଜୟନ୍ତୀ ଓ କୃଷ୍ଣା ପ୍ରଭୃତି । ସାଦରେ ପ୍ରକାଶନର ସମସ୍ତ ଦାୟିତ୍ୱ ବହନ କରିଛନ୍ତି ‘ଫ୍ରେଣ୍ଡ୍‍ସ୍‌ ପବ୍ଲିଶର୍‍’ର ସ୍ୱତ୍ତ୍ୱାଧିକାରୀ ବନ୍ଧୁ ଶ୍ରୀ ସହଦେବ ପ୍ରଧାନ । ମୁଦ୍ରଣ ଦାୟିତ୍ୱ ସମ୍ପାଦନ କରିଛନ୍ତି ମୋର ଅନୁଜପ୍ରତିମ ଶ୍ରୀ ରାଜକିଶୋର ସିଂହ । ବହୁ ଭାବରେ ସାହାଯ୍ୟ ସହଯୋଗ କରିଛନ୍ତି ସଂକଳନଟିକୁ ପ୍ରକାଶ ଉପଯୋଗୀ କରିବାପାଇଁ ଶ୍ରଦ୍ଧେୟ ନାଟ୍ୟକାର ଅଧ୍ୟାପକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ରଥ ଏବଂ ଲେଖକ, ସମାଲୋଚକ ଶ୍ରୀ ଅରୁଣ ପଟ୍ଟନାୟକ । ପ୍ରଚ୍ଛଦପଟ ଅଙ୍କନ କରିଛନ୍ତି କଳାକାର ବନ୍ଧୁ ଶ୍ରୀ ଉଦୟ ନାରାୟଣ ଜେନା । ଏ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶ୍ରଦ୍ଧା ଜଣାଉଛି ଆଜିର ଏ ମାଙ୍ଗଳିକ ମୁହୂର୍ତ୍ତରେ ।

 

ବୀଣାପାଣି ମହାନ୍ତି

 

ସୂଚିପତ୍ର

 

୧.

ସମ୍ପର୍କ

୨.

ଉର୍ଣ୍ଣନାଭ

୩.

ଅରଣ୍ୟ

୪.

ସ୍ଥିର ତରଙ୍ଗ

୫.

ଥୁଣ୍ଟା ଗଛ

୬.

କଲ୍ଲୋଳିନୀ

୭.

କିଏ କାହାର

୮.

ବୃତ୍ତ

୯.

ଜଉ

୧୦.

ମନ୍ଥନ

୧୧.

ଅନାଗତ

୧୨.

ଖେଳଘର

୧୩.

କଳାପାହାଡ଼

✽✽✽

 

ସମ୍ପର୍କ

 

ଘର ପାଖେଇ ଆସୁଛି । ରଞ୍ଜନ ଏଥର ସିଗାରେଟଟା ତଳେ ପକେଇ ଦେଇ ମସଲାଦିଆ ପାନ ଖଣ୍ଡିକ ଖୁବ୍‌ ଜୋରରେ ଚୋବାଇବା ଆରମ୍ଭ କରି ଦେଇ ବିଜୟକୁ କହିଲା–

 

‘‘ଯାହା କହ ତୁ ବିଜୟ, ସେ ମାଇକିନିଆଟାର ବୟସ ମୋ’ ମାଆଠାରୁ କିଛି କମ୍‌ ନୁହେଁ-। କଥା ନାହିଁ, ବାର୍ତ୍ତା ନାହିଁ, ଧାଇଁ ଆସି ମୋ’ ବେକ ଧରି ଝୁଲି ପଡ଼ିଲା ଆଉ... ।’’

 

–‘‘ଚୁପ୍‌ ଚୁପ୍‌ । ରିକ୍ସାବାଲାଟା କ’ଣ ଭାବିବ । ସେଠି ସମସ୍ତେ ସେମିତି । ମା’, ବାପ, ପୁଅ, ଝିଅ କିଛିର ହିସାବ ନାହିଁ । ତୁ ନୂଆ ଯାଉଛୁ କିନା ।’’

 

....‘‘ରିଲାକ୍‌ସ, ରିଲାକ୍‌ସ ଇଓର୍‌ସେଲ୍‌ଫ ଓନ୍‌ଲି । ମ୍ୟାନ୍‌ ଇଜ୍‌ ମ୍ୟାନ୍‌ । ଓମ୍ୟାନ ଇଜ୍‌ ଓମ୍ୟାନ । ନୋ ଅଦର ରିଲେସନ୍‌ସ ।’’

 

‘‘ମୁଁ ତା’କୁ ଚିହ୍ନିଛିରେ, ମାନେ ଏକଦମ୍‌ ଭଲ କରି ଜାଣିଛି । ଜାଣିଛୁ ସେ କିଏ...ମାନେ.... ।’’

 

ବିଜୟ କଥା ଛଡ଼ାଇ କହିଲା–

 

‘‘ବାସ୍‌ ହେଇଗଲା–ଯା’, ବକ୍‌ ବକ୍‌ ନ କରି ଘରେ ଶୋଇ ପଡ଼ିବୁ । ଦେଖ ତୁ ଆଜି ଟିକେ ମାତ୍ରା ଟପି ଯାଇଛୁ । ହୁସିଆର ।’’

 

ରଞ୍ଜନ ରିକ୍ସାରୁ ଓହ୍ଲାଇ ଚାଲିବା ଅବସ୍ଥାରେ ନଥିଲା । ବାସ୍ତବିକ ଅନିଚ୍ଛାସତ୍ତ୍ୱେ ସେ ଗୁଡ଼ାଏ ପିଇ ପକାଇଛି । ଯେତେ ନ ଆସିବାକୁ ଚାହିଁଲେବି ହଉନି । ଅଥଚ ବୋଉ ଜାଣେନା, ବାପା ଦାଦା ଜାଣନ୍ତିନି । ଜାଣିଲା ଭିତରେ ସେଇ ଚାକର ଟୋକାଟା ଜାଣିଥିଲେ ଜାଣିଥିବ...ଏତେ ରାତି ପର୍ଯ୍ୟନ୍ତ କିଏ ବା ତା’ ରାସ୍ତା ଚାହିଁ ବସିଥିବ କାହିଁକି ? ବିଶେଷକରି ସେ ଯେତେବେଳେ ଉପାର୍ଜନକ୍ଷମ, ଅବିବାହିତ ଏବଂ ଏକ ବହୁକୁଟୁମ୍ବୀ ଧନୀ ବ୍ୟବସାୟୀ ପରିବାରର ସାଧାରଣ ବେତନଧାରୀ ସରକାରୀ କର୍ମଚାରୀ । ସମସ୍ତଙ୍କ ଆଖିରେ ସେଇ ଗୋଟିଏ ଚାହାଣି, ସେଇ କରୁଣା... ।

 

ଆହା, ଆହା...ପିଲାଟା ଦେଇ ପାଠ ହେଲାନି କି ଶାଠ ହେଲାନି । ପିଲାଦିନୁ ବାର ରୋଗରେ ଘାଣ୍ଟି ହେଉଚି । ବହି ଦେଖିଲେ ମୁଣ୍ଡ ବୁଲୋଉଛି । ଦୋକାନ ବଜାରରେ କିଣାବିକା କଲେ ମୂର୍ଚ୍ଛା ରୋଗ ମାଡ଼ି ବସୁଛି, ବେପାର ବଣିଜ, ହିସାବକିତାବ, ଦୌଡ଼ାଦୌଡ଼ି କାମ ତା’ ଦେଇ ହେବ ନାହିଁ । ଭଗବାନ ତ ପାଞ୍ଚ ଆଙ୍ଗୁଠି ସମାନ କରି ନାହାନ୍ତି । ଯାହା ଭାଗ୍ୟରେ ଯାହା ବିଧାତା ଲେଖିଛନ୍ତି !

 

...ସତକୁସତ ରଞ୍ଜନକୁ କିରାଣି କାମଟିଏ ଜୁଟିଗଲା । ବାପା, ଭାଇ, ଦାଦାଙ୍କୁ କିଛି ପରିଶ୍ରମ କରିବାକୁ ହୋଇ ନାଇଁ... । ତଥାପି ବାପା, ଦାଦା ବେଳେବେଳେ ପ୍ୟାଣ୍ଟ୍‌ ସାର୍ଟ୍‍ପାଇଁ ଟଙ୍କା ଦିଅନ୍ତି । ଅଫିସ୍‍କୁ କାର୍‌ରେ ନେଇ ଛାଡ଼ି ଦେଇ ଆସନ୍ତି, ଭଲମନ୍ଦରେ ଆକଟିଥା’ନ୍ତି, ହେଲେ...ଦରମା ଟଙ୍କାର ହିସାବ ମାଗି ନାହାନ୍ତି କି ରଞ୍ଜନ ଖାତାର ଫର୍ଦ୍ଦ ଲେଉଟାଇ ନାହାନ୍ତି । ସେଥିରେ ଯେପରି କିଛି ପ୍ରୟୋଜନ ନାହିଁ । କେଡ଼େ ଅଦରକାରୀ ବେକାର ତା’ର ସ୍ଥିତି ଏଇ ପରିବାରରେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଛାଡ଼ି ହେଉଛି କେଉଁଠୁ ? ସେ ନିଜେ ପରିବାରକୁ ଛାଡ଼ୁଛି ନା ପରିବାର ତା’କୁ ଛାଡ଼ି ଦଉଛି ? ସୂତା ଖିଏ ପରି କିଏ ଯେମିତି କେଉଁଠୁ କ’ଣ ଟାଣି ଧରିଛି ।

 

ଫାଟକ ଟପି ଧୀରେ ଧୀରେ ଯାଉ ଯାଉ ଚମକି ପଡ଼ିଲା । ପଛଆଡ଼ୁ ବୋଧହୁଏ ବାପାଙ୍କ ଗାଡ଼ିର ଲାଇଟ୍‌ ପଡ଼ୁଛି ଆସି । ଗୋଟାଏ କଡ଼କୁ ଘୁଞ୍ଚିଗଲା ସେ । ବାପା ଗ୍ୟାରେଜ୍‌କୁ ନ ଯାଇ ଗାଡ଼ି ବନ୍ଦ କରି ପଚାରିଲେ–‘‘କିଏ ? କିଏ ସେଠି ?’’

 

‘‘ମୁଁ...ରଞ୍ଜୁ !’’ ଭୟରେ ଛାତି କମ୍ପି ଯାଉଛି ।

 

–‘‘ଓଃ ରଞ୍ଜୁ ! କୁଆଡ଼େ ଯାଇଥିଲୁ କି ? କ୍ଳବ୍‌ ନା ସିନେମା ?’’

 

ଉତ୍ତର ଦେଲାନି ରଞ୍ଜୁ । ବାପା ମଧ୍ୟ ଉତ୍ତରକୁ ଅପେକ୍ଷା ନ କରି ଗ୍ୟାରେଜ୍‌ ଭିତରକୁ ଗାଡ଼ି ମୁହାଁଇଲେ ଏବଂ ଏଇ ଅବସରରେ ରଞ୍ଜନ ଦଉଡ଼ି ଘର ଭିତରକୁ ପଶିଗଲା । ରୁମ୍‌ରେ ଲାଇଟ୍‌ ନ ଜଳାଇ ସେମିତି ଝାଳ ଗମ୍‌ ଗମ୍‌ ହେଇ ମଶାରି ଭିତରେ ଆଶ୍ରୟ ନେଇଗଲା ।

 

ବାପା ସିଡ଼ି ଦେଇ ଉପରକୁ ଉଠିଯିବାର ଶବ୍ଦ ସେ ଶୁଣି ପାରୁଥିଲା । ଆଉ ତା’ ପଛେ ପଛେ ବୋଉର କବାଟ ଖୋଲିବାର ଶବ୍ଦବି । ରଞ୍ଜନ ଜାଣେ ତା’ର ଡାହାଣ ପଟେ କାନ୍ଥକୁ ଲାଗି ପଡ଼ିଥିବା ଟେବୁଲ୍ ଉପରେ ତା’ର ରାତି ଖାଇବାର ଭାତ ତରକାରୀ ଘୋଡ଼ା ହେଇ ରଖା ହେଇଥିବ-। ଏମିତିକି ପାନ ଦୁଇଖଣ୍ଡ ମଧ୍ୟ ରହିଥିବ । ଯଥାସ୍ଥାନରେ ପାଣି ଓ ଗାମୁଛାବି ଥିବ ଏବଂ ଅନେକ ସକାଳ ପରି କାଲି ସକାଳୁ ମଧ୍ୟ ସେ ସବୁ ସେହିପରି ଅବସ୍ଥାରେ ଯାଇ ନର୍ଦ୍ଦମାରେ ଫିଙ୍ଗା ହେବ-। କାହିଁକି ଖାଇଲାନି, ଦେହ ଭଲ ଥିଲା କି ନାହିଁ କିମ୍ବା ଅନ୍ୟ କିଛି ପ୍ରୟୋଜନ କି ? –ଏ ସମ୍ବନ୍ଧରେ ଜଣେ ହେଲେ କେହି ପ୍ରଶ୍ନ କରନ୍ତି ନାହିଁ କେବେ । ତଥାପି ବେଶି ରାତିରେ ନ ଖାଇଲେ କି ଠିକ୍‌ ସମୟରେ ଅଫିସ୍ ନ ବାହାରିଲେ ଡର ଲାଗେ ରଞ୍ଜନକୁ । ଅଥଚ ସେ କିଛି ନୁହେଁ–ହଜାର ଥର ମନକୁ ବୁଝାଇଛି ସେ ନିଜ ମନର ବିକାର ବୋଲି । ତା’ ସତ୍ତ୍ୱେବି...ତା’ ସତ୍ତ୍ୱେବି... ।

 

କିଏ ଜଣେ କବାଟରେ ଖଟ୍‌ଖଟ୍‌ ଆଓ୍ୱାଜ୍‌ କରୁଛି । କିଏ ଚେଇଁ ରହିଛି ଏତେ ରାତି ପର୍ଯ୍ୟନ୍ତ ଏ ଘରେ ? ନା ବାହାରର କେହି ? ଚାପା କଣ୍ଠରେ ପଚାରିଲା–

 

‘‘କିଏ ? କାହିଁକି ଡାକୁଛ ?’’

 

ଉତ୍ତର ନାହିଁ ? ଯେପରି କେହି ନାହିଁ କୋଉଠି । ହଠାତ୍‌ ଖସ୍‌ଖସ୍‌ ପାଦ ଶବ୍ଦ ମିଳାଇଗଲା ପବନରେ । ନିଶ୍ଚୟ କେହି କିଛି ଉଦ୍ଦେଶ୍ୟରେ ଭୁଲ୍‌ ଜାଗାରେ ପହଞ୍ଚି ଯାଇଥିଲା । ଆଉ ତା’ର ସ୍ୱର ବାରି ପାରି ଯଦି କେହି...!

 

ରଞ୍ଜନ ଧୀରେ ଉଠି ନିଃଶବ୍ଦରେ କବାଟ ଖୋଲି ବାରଣ୍ଡାକୁ ଆସିଲା । ବାରଣ୍ଡା କଡ଼ର କାନ୍ଥକୁ କିଏ ଯେପରି ନେସି ହେଇ ଛିଡ଼ା ହେଇଚି । ଯେତେ ଚେଷ୍ଟା କଲେ ଶାଢ଼ିର ପଣତଟା ଉଡ଼ି ଯାଉଛି ପବନରେ । କିଏ ? ଭୂତ କି ? ଅଶରୀରୀ ନୁହେଁ ତ–ଧେତ୍‌ତେରି । ରଞ୍ଜନ ସାହାସ ସଞ୍ଚୟ କରି ଆଗେଇ ଗଲା । ଫିକା ଜହ୍ନର ଆଲୁଅରେ ମୁହଁଟା ଧରି ହେଉନି । ଅଥଚ ଯେମିତି ତା’କୁ ଜାଣେ ସେ–‘‘କିଏ ? କହ କିଏ ତୁ ?’’

 

କାନ୍ଦ କାନ୍ଦ କଣ୍ଠରେ କାନ୍ଥରେ ନେସି ହୋଇଯାଇ ଉତ୍ତର ଦେଲା–‘‘ମୁଁ ରମା, ବାବୁ ! ବଡ଼ ଭାଇ କହିଥିଲେ–ଗୋଡ଼ ବିନ୍ଧୁଚି । ଟିକେ ମୋଡ଼ି ଦେବାକୁ–ମା’ର ହାତ ବିନ୍ଧୁଛି । ମତେ ସେଇଥିପାଇଁ ପଠେଇଥିଲା ।’’

 

ରଞ୍ଜନ ଜାଣିଲା–ଅନ୍ଧାର ହେତୁ ଭୁଲ୍‌ ଜାଗାରେ ପହଞ୍ଚି ଯାଇଥିଲା ବିଚାରୀ ରମା...ଉମାର ଝିଅ ରମା ! ଉମା ଏ ଘରର କୋଉ ଯୁଗର ପୁରୁଣା ଚାକରାଣୀ । ବାରିପଟ ବଗିଚାକୁ ଲାଗିଥିବା ବଖରାକ ଚାଳ ଘରେ ସେ ଶୁଏ କେବଳ, ଆଉ ସାରା ଦିନ ତା’ର କଟିଯାଏ ବାହାରେ ଏପଟର ଘର କାମରେ । ରଞ୍ଚନ କ’ଣ କହିବ ବୁଝି ପାରିଲାନି । ସତର ଅଠରବର୍ଷର ଝିଅ ରମାକୁ କୋଉ ବୁଦ୍ଧିରେ ରାତିଅଧରେ ପଠାଇଛି ଉମା ଏକ ବୟସ୍କ ଅବିବାହିତ ପୁରୁଷ ପାଖକୁ !

 

ରଞ୍ଜନ ପଛକୁ ବୁଲି ଅନେଇଲା । ଭାଇଙ୍କ ରୁମ୍‌ରେ ଲାଇଟ୍‌ ଜଳୁଛି । ସେ ବୋଧେ...ବୋଧେ... !

 

ରମା କହିଲା–

 

‘‘ସାନବାବୁ । ମୋର କିଛି ଦୋଷ ନାଇଁ । ମୁଁ ଜାଣି ପାରିଲିନି । ଭୁଲ୍‌ରେ ଡାକିଦେଲି–ସବୁଦିନେ ମା’ କାହାକୁ ହେଲେ ସାଇପଡ଼ିଶାରୁ ଡାକି ଆଣି ପଠାଏ । ବଡ଼ବାବୁଙ୍କ ଗୋଡ଼ ତ ରୋଜ୍‌ ବିନ୍ଧିବ । ଆଜି ସଞ୍ଜବେଳେ ବଡ଼ବାବୁ ଜିଗର୍‌ କଲେ ମା’ ପାଖରେ ମତେ ପଠାଇବାକୁ !’’

 

ବିରକ୍ତରେ ରଞ୍ଜନ କହିଲା–

 

‘‘ହଉ, ତୁ ଯା’ ଶୋଇବୁ । ମୁଁ ସେ କଥା ବୁଝିବି ସକାଳେ । ରାତିରେ ଏଠିକୁ ଆସିଥିଲୁ ବୋଲି ଯେମିତି କେହି ନ ଜାଣନ୍ତି–କହିବୁ ଯଦି ନା ଦେଖିବୁ,...ତୋ’ ମୁଣ୍ଡ ଛେଚି ଦେବି ।’’

 

ରମା ହସି ପକାଇଲା ।

 

–‘‘ବାଇଆ ହେଲେ ବାବୁ । କିଏ ନ ଜାଣେ ଏ ଘରେ ? ତମେ ତ ଅଧେ ଦିନ ରାତିରେ ଘରକୁ ଆସନା । ଖାଇବା ପିଇବା ତମର ସେମିତି ସେମିତି । ମୁଁ କାମକୁ ନ ଆସିଲେ କ’ଣ ହେଲା-। ମା’ ମତେ ପରା କହିଚି । ହେଲେ ବଡ଼ବାବୁଙ୍କର ଏ ନାଟ ସମସ୍ତେ ଜାଣନ୍ତି । ଏମିତିକି ବିଲେଇ ଛୁଆ ଆଉ ସେ ଶାରିବି ଜାଣେ । ଖାଲି ତମେ ଯାହା ଜାଣି ନଥିଲ... !’’

 

ରଞ୍ଜନ ବୋକାଙ୍କ ପରି ପଚାରିଲା–

 

‘‘ନା, ନା–ବାପା, ଦାଦା, କି ବୋଉ ଜାଣିଲେ ଆଉ ରହିବଟି କଥା । ଆଉ ଯିଏ ଜାଣନ୍ତୁ ପଛେ– !’’

 

ରମା ହସି ଦେଇ କହିଲା–

 

‘‘ତମର ସତରେ ସାନବାବୁ କିଛି ବୁଦ୍ଧିଶୁଦ୍ଧି ନାଇଁ । ବଡ଼ବାବୁଙ୍କ ଏ ବେପାର ସଭିଏଁ ଜାଣନ୍ତି । ହେଲେ ତମ ଘରେ କାହାର ସାହସ ଅଛି ଭଲା ପାଟି ଫିଟେଇବ ତାଙ୍କୁ । ବିଜିନେସ୍‌ କରି ତାଙ୍କ ଭଳି ଏତେ ଟଙ୍କା କିଏ ରୋଜଗାର କରୁଚି ? ପୁଣି ଜାହାଜ କାମ । ତମେ ଦେଖୁନ କି, ତମେ ଖାଇଲେ କି ନ ଖାଇଲେ କିଏ ପଚାରେ ? ତାଙ୍କପାଇଁ ପରା ତିନି ତିନିଟା ବବୁର୍‍ଚି ଖଞ୍ଜା । ଆଉ ତମ ବାପ ଦାଦି ସମସ୍ତେ ତ ସେମିତି । ମୋ ମା’ ପରା କହିଚି ସବୁ... ।’’

 

ଶୁଖିଲା ପତର ସବୁ କୋଉ କାଳରୁ ଜମି ରହିଚି–ଖାଲି ନିଆଁ ଟିକେ ଧରାଇବା କଥା । ରଞ୍ଜନର ଦେହରେ ଚିର୍‌ ଚିର୍‌ କରି ନିଆଁ ଲାଗି ଯାଉଚି ଯେମିତି ! ଗର୍ଜି ଉଠି ସେ କହିଲା–

 

‘‘ବଦମାସ ଯାଉଚୁନା ଦେଖିବୁ–ତୋ’ ତଣ୍ଟି ଚିପି ମାରିଦେବି !’’

 

କହୁ କହୁ ଉହୁଁକି ଗଲା ରଞ୍ଜନ । ଚିତ୍କାର କରି ରମା ଦଉଡ଼ିଗଲା ବାରଣ୍ଡା ଡେଇଁ ବଗିଚା ଆଡ଼କୁ । ସେଇ ଶବ୍ଦରେ ଉପରମହଲାର ପଶ୍ଚିମ ପଟରୁ ବାପାଙ୍କର କବାଟ ଯେମିତି ଧଡ଼୍‌ଧାଡ଼୍‌ ଖୋଲିଗଲା । ଚୁରୁଟ ହାତରେ ଧରି ବାପା ପଚାରିଲେ–

 

‘‘କିଏ ? କିଏ ସେଠି ?’’

 

ଅଗଣାକୁ ଯାଇ ରଞ୍ଜୁ କହିଲା–

 

‘‘ମୁଁ...ରଞ୍ଜୁ !’’

 

‘‘କିଏ ଆସିଥିଲା ? କାହା ସଙ୍ଗେ କଥାବାର୍ତ୍ତା କରୁଥିଲ ଏତେ ରାତିରେ ?’’ ରଞ୍ଜନ ଉତ୍ତର ଦେଲାନି ।

 

‘‘ଯାଅ, ଶୋଇବ ଯାଅ । ତୁମ ଦେଇ ତ ପାଠ ହେଲାନି କି ବ୍ୟବସାୟବି ହେଲାନି, ରାତିଅଧ ଯାଏଁ ଆଉ ତାମସା କରିବନି ତ କରିବ କ’ଣ ? ନିଜର ଦରମାକୁ ଚାହିଁ... !’’

 

‘‘ଆପଣ ଏମିତି କ’ଣ କହୁଚନ୍ତି ବାପା ? ମୁଁ କିଛି ତାମସା କରୁ ନଥିଲି । ବରଂ, ବରଂ...-।’’

 

ବାପାଙ୍କ ହାତରୁ ଜଳନ୍ତା ଚୁରୁଟଟା ତଳକୁ ଖସି ପଡ଼ିଲା କି ସେ ପକାଇଦେଲେ କିଛି ବୁଝି ହେଲା ନାହିଁ । ନିଃଶବ୍ଦ ଅନ୍ଧକାରରେ କେବଳ ବଜ୍ରଗମ୍ଭୀର କଣ୍ଠ ଶୁଣାଗଲା–

 

‘‘ଯାଅ, ଶୋଇବ ଯାଅ । ସକାଳୁ ଅଫିସ୍‌–ଅନ୍ତତଃ ଚାକିରିଟା ଥିଲେ କିଛି ନ ହେଉ, ବଞ୍ଚିଛ ବୋଲି ତ ଗୋଟାଏ ପ୍ରମାଣ ରହିଛି ।’’

 

ଉତ୍ତରକୁ ଅପେକ୍ଷା ନ କରି ବାପା କବାଟ ବନ୍ଦ କରିଦେଲେ । ହଠାତ୍‌ ଗୋଟାଏ ତୀବ୍ର ଘୃଣାରେ ରଞ୍ଜନର ଭିତର ବାହାର କମ୍ପି ଉଠିଲା । ଇସ୍‌...! ଜନ୍ମ କାଳରୁ କି ବିତୃଷ୍ଣା ନେଇ ସେ ଏଇ ଘୃଣ୍ୟ ପୃଥିବୀରେ ବଞ୍ଚି ରହିଚି ? ବିନା ଇଚ୍ଛାରେ ସେ ଜନ୍ମ, ବିନା ତାଗିଦାରେ ସେ ମଣିଷ । ବଞ୍ଚିଛି ବୋଲି ବଞ୍ଚିଛି । ମରିବାର ହେଇଥିଲେବି ମରିଥା’ନ୍ତି । ବିନା ପ୍ରତିବାଦରେ ବାପ, ମାଆ, ଭାଇ, ଭଉଣୀ, ସମାଜ, ବନ୍ଧୁ ସହିତ ସମ୍ପର୍କ ଯେତିକି ଅଛି, ତା’ଠୁ ବେଶୀ ନାହିଁ ।

 

ସମ୍ପର୍କ ତ ସୀମିତ ହୋଇଛି ଗୋଟିଏ ନିଶାରେ । ସେ ନିଶା ତା’କୁ ଘାରି ନାହିଁ । ଘାରିବାପାଇଁ ଯେତିକି ଯୋଗ୍ୟତା, ସେତିକି ତା’ର ଅର୍ଜନ ମଧ୍ୟ ନାହିଁ ।

 

ଯାହାପାଇଁ ଯେତିକି ଅର୍ଜନ କରିବାକୁ ହୋଇଥାଏ, ସେତିକି ସମ୍ପର୍କ ରଖିବାକୁ ହୋଇଥାଏ–ସେତିକି କ’ଣ ରଞ୍ଜନର ଅଛି ?

 

କ’ଣ ପାଇଁ ସେଇ ମଧ୍ୟବୟସୀ ସ୍ତ୍ରୀଲୋକଟି ତା’କୁ ଆଜି ଚୁମ୍ବନ ଦେଇଥିଲା ? କ’ଣ ପାଇଁ ଉମା ପଠାଇଥିଲା ତା’ ଝିଅ ରମାକୁ ? ଆଉ କାହିଁକି ତା’ ବାପାଙ୍କ ସହ ତା’ର ମଧ୍ୟରାତ୍ରିରେ ବାକ୍ୟ ବିନିମୟ ହେଲା ? ଏ ସମସ୍ତ କଥା ଓ କାମ ଭିତରେ ଦୂର୍‍ଦୂର୍‌ କରି ତା’ ଛାତି କମ୍ପୁଥିଲା କାହିଁକି ? ଭୟରେ ? ନା କୋଉ ଆଶଙ୍କାରେ ?

 

–ସବୁର ଉତ୍ତର ତ ଗୋଟିଏ ବୋଲି କଥା । ଗୋଟିଏ ବୋଲି ସମ୍ପର୍କ । ସେ ସମ୍ପର୍କ ଛିନ୍ନ କରିବାକୁ କେତେ ମୁହୂର୍ତ୍ତ, କେତେ ଦଣ୍ଡ ଲାଗେ ? ଯୁଗ ତ ଅପେକ୍ଷା କରେ ମୁହୂର୍ତ୍ତକୁ । ଆଉ ଏଇ ମୁହୂର୍ତ୍ତକ ପାଇଁହିଁ ଯୁଗର ସାର୍ଥକତା ।

 

ଘୃଣାରେ ନିଜର ତଣ୍ଟିକୁ, ଉଦ୍‌ଗତ ଶବ୍ଦକୁ ଚାପି ଧରି ରଞ୍ଜନ ଅଣନିଃଶ୍ୱାସୀ ହେଇ ଦଉଡ଼ିଗଲା ରାସ୍ତାକୁ । ଏକଦମ୍‌ ଘର ବାହାର ରାସ୍ତାକୁ ।

✽✽✽

 

ଉର୍ଣ୍ଣନାଭ

 

ଅଭିଶାପ ! ଅଭିଶାପ !

 

ଅଭିରାମ ଉଠି ପଡ଼ିଲେ ନିଦରୁ । ଚତୁର୍ଦ୍ଦିଗରେ ବିରାଟ ନିସ୍ତବ୍ଧତା ରାଜତ୍ୱ ବିସ୍ତାର କରୁଛି-। ଶୋଇବାର କିଛି ସମୟ ପୂର୍ବରୁ ସେ ଦେଖିଥିଲେ ଆକାଶରୁ ଅବିରାମ ବୃଷ୍ଟିପାତ ଚାଲିଥିଲା-। ନିଅନ ଆଲୋକରେ ଝରଝର ବର୍ଷାର ଦୃଶ୍ୟ ବେଶ୍‌ ମନୋରମ ମନେ ହେଉଥିଲା । ଘର ଭିତରେ ଦିନସାରା କ୍ଳାନ୍ତିକର ପରିସ୍ଥିତି ସହ ଅସହ୍ୟ ଉତ୍ତାପରେ ପୂର୍ଣ୍ଣଚ୍ଛେଦ ପକାଇ ଅଚାନକ ବର୍ଷାର ରୁଣୁଝୁଣୁ ନୂପୁର ଶବ୍ଦରେ ଆରାମ ଚେୟାର ଉପରେ କେତେ ସମୟ ଯେ ଶୋଇ ପଡ଼ିଥିଲେ ତା’ର ଠିକ୍‌ ନାହିଁ । ଏବେ ଚତୁର୍ଦ୍ଦିଗରେ ଅନ୍ଧକାର । କରେଣ୍ଟ୍‌ ନାହିଁ । ବର୍ଷା ମଧ୍ୟ ବନ୍ଦ ହୋଇଛି-

 

କିପରି ଗୋଟାଏ ଅସ୍ଥିରତା ଭରି ଆସୁଛି ମନରେ । ଅସ୍ଥିରତା ! ନା ଠିକ୍‌ ତା’ ନୁହେଁ । ନିଃସଙ୍ଗତା, ଅସହାୟତା ବୋଧହୁଏ । ଏଇତ, ଏହାକୁହିଁ ସାରା ଜୀବନ ଏଡ଼ାଇ ଆସିଛନ୍ତି ଅଭିରାମ ଏବଂ ଏହାକୁ ଦୂରରେ ରଖିବାପାଇଁ ଯାବତ୍‌ କଦର୍ଯ୍ୟ କାମରେ ହାତ ଦେଇଛନ୍ତି ଓ ପରିସ୍ଥିତିରେ ପଡ଼ି ଛଟପଟ ହୋଇଛନ୍ତି, କିନ୍ତୁ ଗ୍ରହଣ କରିପାରି ନାହାନ୍ତି କିଛି ।

 

ଏହିକ୍ଷଣି ମନେ ହେଉଛି ଯେମିତି ସେ ଜଳିଯିବେ । କିଏ ତାଙ୍କ ଅଶୀତିପର ବୟସର ସୁବିଧା ନେଇ ଦିଆସିଲି କାଠଟିଏ ଫୁର୍‌ କରି ଜାଳି ଦେଉଛି । ନିରୋଳାରେ ଗୋଟିଏ ମୁହୂର୍ତ୍ତ ପାଇଲେବି ତାଙ୍କ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଆକ୍ରାନ୍ତ କରି ଦେଉଛି କେଉଁ ଏକ ବିଷମୟ ଯନ୍ତ୍ରଣା । ଅନେକ ଚେଷ୍ଟା କରି ମଧ୍ୟ ସେ ସେଥିରୁ ମୁକ୍ତି ପାଇପାରୁ ନାହାନ୍ତି । କିନ୍ତୁ ସେ ତ ପାରୁଥିଲେ । ଠିକ୍‌ ପାରୁଥିଲେ ଏଇ ଅଳ୍ପ କେତେ ଦିନ ତଳେ । ବେପରୁଆ ହସ ହସି ଉଡ଼ାଇ ଦେଇ ପାରୁଥିଲେ ସେଇ ନିବୁଜ ଘରେ ବନ୍ଦ ଥିବା ଦୈତ୍ୟଟାକୁ । ଅସହାୟ ! ସତରେ ସେ ଅସହାୟ ! ଏତେ ବୁଦ୍ଧିମାନ୍‌ ହୋଇ ସେ କେମିତି ଯେ ପ୍ରଥମରୁ ହୁସିଆର ନହେଲେ, ଅଥଚ ଏମିତି ଗୋଟାଏ ଅଦ୍ଭୁତ ଜୀବକୁ ସେ ଦୀର୍ଘ ଦିନ ପୋଷି ଆସିଛନ୍ତି ବୋଲି ନିଜେ ତ କେବେ ଜାଣିବି ନାହାନ୍ତି । ଠିକ୍‌...ଠିକ୍‌ ଏହାକୁହିଁ କୁହାଯାଏ ଅଭିଶାପ । ସେ କୁଆଡ଼େ ମଣିଷକୁ ଅନ୍ଧ କରିଦିଏ । ସମସ୍ତ ଜ୍ଞାନ ଐଶ୍ୱର୍ଯ୍ୟର ଅଧିକାରୀ ହୋଇ ମଧ୍ୟ ସେ ସାମାନ୍ୟ କଥାଟିଏ ବୁଝି ପାରେନା ।

 

ଆକାଶ ଥରାଇ ବଜ୍ରପାତଟିଏ ହେଲା । ବିଜୁଳିର ଝଲକରେ ଅଭିରାମ ଦେଖିଲେ ଟିପୟ ଉପରେ ଉନ୍ମୁକ୍ତ ହୋଇ ରହିଛି ଗ୍ଲାସ୍‌ରେ କିଛିଟା ପାନୀୟ । ହଁ, ସେ ଆଜି ପିଉଥିଲେ ଅନେକ ଦିନ ପରେ । ମଦ୍ୟପାନଟା ଉପରେ ସେ କେବେହେଁ ସହଜ ହେବାପାଇଁ ଜୀବନ କାଳରେ ନିର୍ଭର କରି ନାହାନ୍ତି କିମ୍ବା ଘୃଣା କରି ଦୂରେଇ ଯାଇ ନାହାନ୍ତି ।

 

ହାତ ବଢ଼ାଇ ଗ୍ଲାସ୍‍ଟା ମୁହଁ ପାଖକୁ ଉଠେଇ ନେଲାବେଳେ କେଜାଣି କାହିଁକି ସେଇ ପୁରୁଣା କଥାଟିଏ ମନେ ପଡ଼ିଯାଏ ତାଙ୍କର । ସୁକୁମାରୀ ! ଅଭିରାମଙ୍କର ପ୍ରଥମା ସ୍ତ୍ରୀ ସୁକୁମାରୀ । ଧନୀ ପିତାର ଏକମାତ୍ର କନ୍ୟା । ଚମ୍ପାଫୁଲ ପରି ଦେହର ରଙ୍ଗ । କଳା ଭଉଁରୀ ଆଖି ସାଙ୍ଗକୁ ପଦ୍ମପାଦ । ଅଥଚ ନିଜ ନାମଟି ମଧ୍ୟ ଲେଖି ଜାଣେ ନାହିଁ । କି ବୋକି ଝିଅଟା ଥିଲା ସୁକୁମାରୀ କେଜାଣି ? ଦେବତା ଭଳି ଭକ୍ତି କରୁଥିଲା ଅଭିରାମଙ୍କୁ । ପ୍ରଥମ ସନ୍ତାନ ଜନ୍ମର ଦଶ ଦିନ ପରେ ସୁକୁମାରୀ ମୃତ୍ୟୁ ବରଣ କରିଥିଲା ଏବଂ ପ୍ରାଗ୍‍ଐତିହାସିକ ନାରୀ ପରି ସେ ଅଭିରାମଙ୍କ ନାମରେ ସମସ୍ତ ସମ୍ପତ୍ତି ଲେଖି ଦେବାକୁ ବାପାଙ୍କୁ ଅନୁରୋଧ କରିଥିଲା । କନ୍ୟା ବତ୍ସଳା ପିତା ମର୍ମନ୍ତୁଦ ବେଦନାରେହିଁ ସମ୍ମତ ହୋଇ ହସ୍ତାନ୍ତରିତ କରିଥିଲେ ସମ୍ପତ୍ତି, ମାତ୍ର ଅନୁରୋଧ କରିଥିଲେ ଅଭିରାମଙ୍କୁ ସମ୍ପତ୍ତିର କିଛି ଅଂଶ ରାଧାମାଧବଙ୍କ ସେବାରେ ନିୟୋଜିତ କରିବାକୁ । ମାତ୍ର ସୁକୁମାରୀଙ୍କର ମୃତ୍ୟୁର କିଛିଦିନ ପରେ ମନ୍ଦିରର ରକ୍ଷଣାବେକ୍ଷଣ ତତ୍ତ୍ୱ ନେବାକୁ ଯାଇ ଅଭିରାମ ଜାଣିଲେ ଯେ ବହୁ ପରିମାଣର ସୁନା ଅଳଙ୍କାର ରତ୍ନାଦିରେ ମନ୍ଦିରର ଗନ୍ତାଘର ଭରପୂର ରହିଛି । ଏତେ ଧନ ଥାଉଁଥାଉଁ ସେ ଗୋଟିଏ ଶିଳ୍ପପତି ନ ହେବେ କାହିଁକି ? ବୃଥାରେ ଏକ ସେଣ୍ଟିମେଣ୍ଟ୍‍ର ଦ୍ୱାହି ଦେଇ ଅଭିରାମ ଜୀବନର ପ୍ରଗତି ପଥକୁ ଯେ ଅବରୁଦ୍ଧ କରି ଦେବେ, ଏହା ଠିକ୍‌ ନୁହେଁ । ଏହି ସିଦ୍ଧାନ୍ତ ନେବାର କେତେ ଦିନ ପରେ ମନ୍ଦିରର ଗନ୍ତାଘର ଶୂନ୍ୟ ହୋଇ ଯାଇଥିଲା ଏବଂ ତା’ର ଅଳ୍ପ କେତେ ଦିନ ପରେ ମନ୍ଦିରର ପଦ୍ମପୋଖରୀରେ ସୁକୁମାରୀ ବାପାଙ୍କର ମୃତ ଦେହଟା ଭାସୁଥିବାର ଦେଖାଗଲା । କାରଣ ଯାହା ହେଉନା କାହିଁକି ମୃତ୍ୟୁ ଆକସ୍ମିକ ଆସି ଗୋଡ଼ ଅତଳ ଜଳରେ ଖସାଇ ଦେବାର ପ୍ରମାଣ ପୋଲିସ୍‌ ପାଖରେ ଯେତେବେଳେ ଅଭିରାମ ନିଜେହିଁ ସାକ୍ଷୀ ହୋଇ ପ୍ରମାଣ କରିଥିଲେ, ସେତେବେଳେ କାହାର କିଛି କହିବାର ନଥିଲା ।

 

ସେ ଦିନ ପ୍ରଥମ କରି ନିଶାର୍ଦ୍ଧରେ ଗୋଟିଏ ହୋଟେଲରେ ବସି ବିଜିନେସ୍‌ ପାର୍ଟ୍‍ନର ରମଣୀ ରଞ୍ଜନ ସହ ଅଭିରାମ ମଦ୍ୟପାନ ଆରମ୍ଭ କରିଥିଲେ । ଘରକୁ ଫେରି ସୁକୁମାରୀର ବଡ଼ ଅଏଲ୍‌ ପେଣ୍ଟିଂ ଚିତ୍ରପଟଟାକୁ ଚାହିଁ ସେ ଚମକି ପଡ଼ିଥିଲେ । ମୂର୍ତ୍ତିଟା ଛଳଛଳ ଆଖିରେ ତାଙ୍କୁ ଚାହିଁ କହୁଥିଲା–‘ଏ ତୁମେ କ’ଣ କଲ ?’ ସୁକୁମାରୀର ସ୍ୱର ଯେମିତି ତାଙ୍କୁ ସ୍ପଷ୍ଟ ଶୁଣାଯାଇଥିଲା । ଭୟରେ ଜଡ଼ସଡ଼ ହୋଇ ସେ ପେଣ୍ଟିଂଟା କାନ୍ଥରୁ କାଢ଼ୁ କାଢ଼ୁ ହାତରୁ ଖସି ଚୂରମାର ହୋଇଗଲା । ରାଗରେ ଅଭିରାମ ଛବିଟାକୁ ଟୁକୁରା ଟୁକୁରା କରି ଛିଣ୍ଡାଇ ଫିଙ୍ଗି ଦେଲେ ରାସ୍ତାର ଡଷ୍ଟ୍‍ବିନ୍‌ରେ । ମାତ୍ର ସେଇ ଲୁହଭରା ସୁକୁମାରୀର କରୁଣା ମୂର୍ତ୍ତିଟା, ଆଜିଯାଏଁ ତାଙ୍କ ପଥର ଛାତିରେ ଯେମିତି ଖୋଦେଇ ହୋଇ ରହିଯାଇଛି । କ’ଣ ଅଭିଶାପ !

 

ଅଭିରାମ କୁଣ୍ଠିତ କଣ୍ଠରେ ଗ୍ଲାସ୍‌ଟି ପାଖକୁ ଟେକିଲେ । ନା, ଭଲ ଲାଗୁନି । ଦେହ ଓ ମନରେ ଭୀଷଣ ଜଡ଼ତା । ସେ ଉଠି ଠିଆ ହେଲେ । ଟଳମଳ ଲାଗୁଛି ତାଙ୍କୁ । ଅଥଚ ତାହା ଯେ ନିଶା ଜଡ଼ିତ ନୁହେଁ, ଏ କଥା ସେ ସ୍ପଷ୍ଟ ବୁଝି ପାରୁଥିଲେ । ଘର ଭିତରଟା ଏତେ ନିସ୍ତବ୍ଧ ଲାଗୁଛି କାହିଁକି ? ସରସ୍ୱତୀ ଶୋଇଗଲାଣି ନିଶ୍ଚୟ । ଚେଇଁଥିଲେ ଅନ୍ତତଃ ରୁମ୍‌ରେ ସେ ସୁରାକ ଦେଇ ତା’ର ଅସ୍ତିତ୍ୱ ଜାହିର୍‌ କରି ସାରନ୍ତାଣି । ତଳ ମହଲା ସମ୍ପୂର୍ଣ୍ଣ ନୀରବ । ସ୍ୱାଭାବିକ । ଝଡ଼ତୋଫାନରେ ଭାଙ୍ଗି ପଡ଼ିଥିବା ଘର ଏତେ ଶୀଘ୍ର ମୁଣ୍ଡ ଟେକି ଅସ୍ତିତ୍ୱ ଜାହିର୍‌ କରିବ ନାହିଁ ।

 

ମନେ ପଡ଼ୁଛି ସନ୍ଧ୍ୟାବେଳେ ତାରିଣୀ ଆସିଥିଲା । କୋଉ ପିଲାଦିନର ବନ୍ଧୁ ସେ । କିଛି ତା’ର ନିଜସ୍ୱ ନାହିଁ । ପାଞ୍ଚ ପାଞ୍ଚଟା ପିଲା ଦୂରରେ । ଗୋଟିଏ ପଇସା କେହି ଦିଅନ୍ତିନି । ସାମାନ୍ୟ ପେନ୍‌ସନ୍‌ ଟଙ୍କାରେ ଦୀର୍ଘ ବର୍ଷର ପକ୍ଷାଘାତ ସ୍ତ୍ରୀଙ୍କୁ ନେଇ କେମିତି ଯେ ସେ ହସି ପାରୁଛି, କେବଳ ସେହି ଏକା ଜାଣେ । ଭଲ କରି ଦିନେ ଗଣ୍ଡେ ଖାଇନି, ପିନ୍ଧିନି । ସଉକରେ ଦିନେ ବାହାରକୁ ବୁଲି ଯାଇନି ।...ପଶୁ ପରି ଜୀବନ କଟାଇ ମଧ୍ୟ କେବେହେଁ ଅବଶୋଷ କରିନି । କାହିଁକି ? କାହିଁକି ? ତା’ ଉପରେ କ’ଣ ଅଭିଶାପ ପଡ଼ିନି ? ନା, ରାସ୍‌କେଲ୍‌ଟା ତା’କୁ ଦେଖାଇ ହେବାକୁ ଆସିଥିଲା ?

 

ଅଭିରାମ ଆର୍ମଚେୟାର ଉପରୁ ଉଠି ବସି ପଡ଼ିଲେ । ଘରେ କାହାରି ବୁଦ୍ଧି ନାହିଁ ଯେ ଅଭିରାମ ବୃଦ୍ଧ ଲୋକ, ତାଙ୍କ ପାଖରେ କ୍ୟାଣ୍ଡେଲ୍‌ଟିଏ ଜାଳି ରଖି ଦେଇ ଆସିବା ଉଚିତ ।

 

ଦୀପ୍ତିର କଥା ମନେ ପଡ଼ିଯାଏ ତାଙ୍କର ଏହି କ୍ୟାଣ୍ଡେଲ୍‌ ସହିତ । ଦୀପ୍ତି ଏମିତି କିଛି ସୁନ୍ଦରୀ ନଥିଲା । ଅଥଚ ଆପଣାର କରି ରଖିବାର ଏକ ଶକ୍ତି ଥିଲା ତା’ ଭିତରେ । ଅନେକ ଦିନ ବନ୍ଦୀ କରି ରଖିଥିଲା ଅଭିରାମଙ୍କୁ ! ସେତେବେଳେ ତା’ ଦେହରେ ଥିଲା ଯୌବନ । ପ୍ରଜାପତିର ରଙ୍ଗ ଉଡ଼େଇ ଯେଉଁ ବୟସରେ ସେ ଉଡ଼ି ବୁଲିବାର କଥା, ସେତେବେଳେ କି ମାୟାଜାଲରେ ଯେ ସେ ଅଭିରାମଙ୍କ ପ୍ରେମରେ ପଡ଼ି ପକ୍ଷହୀନ ହୋଇ ଯାଇଥିଲା, ତାହା ନିଜେ ମଧ୍ୟ ମାୟାବୀ ଅଭିରାମ ବୁଝନ୍ତି ନାହିଁ । ବାରମ୍ବାର ଦୀପ୍ତି ତାଙ୍କ କୋଳରେ ମୁଣ୍ଡ ରଖି କହୁଥିଲା, ‘‘ତୁମକୁ ଛାଡ଼ି ମୁଁ ରହି ପାରିବିନି ! ଜାଣେ, ତୁମେ ସଂସାର କରିଛ, ସେଥିରୁ ମୁକ୍ତ ହୋଇ ମୋ ପାଖରେ ରହିଲେ ମୁଁ ଖୁସି ହେବିନି । ମୋର କିଛି ଲୋଡ଼ା ନାହିଁ... ।’’ ସଂସାରର ଲୋଭ ମାୟାରେ ବହୁଧା ବିଭକ୍ତ ଅଭିରାମ କିନ୍ତୁ ମୁହଁ ଖୋଲି ଦୀପ୍ତିଙ୍କୁ କିଛି କହି ପାରି ନଥିଲେ । ପ୍ରେମ କରି ସବୁ ନାରୀ ବୋକୀ ପାଲଟି ଯାଆନ୍ତି, ସତ ତା’ ବୋଲି କ’ଣ ଅଭିରାମ ଗୋଟାଏ ମୌଖିକ ପ୍ରତିଶ୍ରୁତି ଦେବେ ନା କ’ଣ ସମଗ୍ର ଜୀବନପାଇଁ । ହଠାତ୍‌ ନିମଜ୍ଜମାନ ଅନ୍ଧକାର ଭିତରୁ କ୍ୟାଣ୍ଡେଲ୍‌ ଆଣିବାକୁ ଯିବା ଭିତରେହିଁ ଅଭିରାମ ଦୀପ୍ତିର ଘରୁ ନିଃଶବ୍ଦରେ ବାହାରି ଯାଇଥିଲେ । ପ୍ରେମ କରି ପ୍ରତିଶ୍ରୁତି ଦେବାର ଲୋକ ଅନ୍ତତଃ ସିଏ ନୁହଁନ୍ତି । ଘରେ ଯେ ତାଙ୍କର ସ୍ତ୍ରୀ, ଚାରି ପୁତ୍ର, ଦୁଇ ଝିଅ ଓ ଅଚଳାଚଳ ସମ୍ପତ୍ତି ଓ ପ୍ରତିପତ୍ତି ।

 

ଦୁର୍ଭାଗ୍ୟ ! ଯେଉଁମାନଙ୍କ ପାଇଁ ସେ ସମସ୍ତ ଲୋଭ ମାୟା ତ୍ୟାଗ କରି ଅହରହ କାର୍ଯ୍ୟରତ, ସେମାନେ ଆଜି ତାଙ୍କୁ ଖାତିର ମଧ୍ୟ କରନ୍ତି ନାହିଁ ।

 

ଗ୍ଲାସ୍‌ରେ ଥିବା ଅବଶିଷ୍ଟ ପାନୀୟକୁ ଉପରସ୍ଥ କରି ଅଭିରାମ ଉଠି ପଡ଼ିଲେ । ଅସହ୍ୟ ଏ ଅବସ୍ଥା । ଖାଲି ତ ଅନ୍ଧାର ନୁହେଁ, ତାଙ୍କୁ ଯେ ବଡ଼ ଏକାକୀ ଲାଗୁଛି । ଅଥଚ ତାଙ୍କର ସବୁ ଅଛି । ଅଭାବ କ’ଣ ?–ଆଶୀର୍ବାଦ ? ଜେଜେବାପାହିଁ ଏହି କଥାଟା ଅଭିରାମଙ୍କ ମୁଣ୍ଡରେ ବୋଧେ ଢୁକେଇ ଥିଲେ ପିଲାଦିନେ । ଶ୍ୱାସରୋଗରେ ପୀଡ଼ିତ ହୋଇ ଦୀର୍ଘ ଦିନ ବିଛଣାରେ ପଡ଼ି ରହୁଥିଲେ ସେ, ଆଉ ବଡ଼ପାଟିରେ ଯାହାକୁ ଦେଖିଲେ କହୁଥିଲେ, ‘‘ଆରେ ମୋରି ପରି ତୁମର ଦଶା ହେବରେ । କେହି ଦେଖିବେନି । ଏକାଏକା ବନ୍ଦ ଘରେ ପଡ଼ି ପ୍ରାଣ ଯିବରେ ଯିବ... । ପାଣି ଟୋପାଏବି ମିଳିବନି ।’’

 

ଅଭିରାମ ନିଜ ବୋଉ ଉପରେ ବିରକ୍ତ ହୋଇଥିଲେ, କାହିଁକି ଏତେ ବୁଢ଼ାଟାର ସେବା କରୁଛ ବୋଲି ଧିକ୍‌କାରବି କରୁଥିଲେ । ଏମିତିକି ବୁଢ଼ା ମରିବା ଦିନ ସମସ୍ତେ ଦୁଃଖିତ ହୋଇଥିଲେବି ଅଭିରାମ ମନେମନେ ଖୁସି ହୋଇ ଯାଇଥିଲେ । ତେବେ କ’ଣ ସେହି ଅଭିଶାପର ଫଳ ନିର୍ଜନତା । ନା, କଦାପି ନୁହେଁ । ସେ ତ ସମଗ୍ର ଜୀବନ ନିରାଶ୍ରୟ ଲୋକଙ୍କର ଥଇଥାନ ପାଇଁ କାମ କରିଛନ୍ତି । ଅନାଥାଶ୍ରମ, ଦସ୍ଥ-ନିରାଶ୍ରୟ ଅନୁଷ୍ଠାନକୁ ନିଜ ଆୟର ଏକ ନିର୍ଦ୍ଦିଷ୍ଟ ଅଂଶ ଦାନ କରିଛନ୍ତି । ସେ କ’ଣ ଜାଣନ୍ତି ନାହିଁ ଯେ ଏ ସବୁ କଥାର କୌଣସି ଲାଭ ନାହିଁ । ତେବେ ? ତେବେ କାହିଁକି ଏ ଅସହାୟତା ? ବିରାଟ ପ୍ରାସାଦ ଭିତରେ ଅଜସ୍ର ସମ୍ପତ୍ତିର ମାଲିକ ହୋଇ ମଧ୍ୟ ସମୟ ଓ ବୟସକୁ ସେ ଅତିକ୍ରମ ନ କରି ପାରିଲେ କାହିଁକି ? ଅପରିଣାମଦର୍ଶିତା ? ନା ଅଭିଶାପ ?

 

କିଏ ତାଙ୍କୁ ଅଭିଶାପ ଦେବ ? ସେ ତ କାହାର କିଛି କ୍ଷତି କରି ନାହାନ୍ତି ? ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି । ଧାର କରଜ ବାପାଙ୍କର ଯେତେକ ଥିଲା ଶୁଝିଛନ୍ତି...ମାତ୍ର...ସ୍ମୃତିର ଭଉଁରୀ ଭିତରେ ଏ ପୁଣି କିଏ ? ଏଡ଼େ ଏଡ଼େ ବାହା ଉଞ୍ଚେଇ ଧପାଲି ଆସୁଛି ତାଙ୍କ ଆଡ଼କୁ ? ଅଭିରାମ ଚଶମା ଖୋଲି କାଚ ପରିଷ୍କାର କରିଦେଲେ । ନା ଭ୍ରମ, ସବୁ ଭ୍ରମ । ଚନ୍ଦ୍ରମଣିର ଘରଡ଼ିହ ସେ ଅନ୍ୟାୟରେ ତ ଦଖଲ କରି ନାହାନ୍ତି । ସେଥିପାଇଁ ସେ ପାଞ୍ଚଶହ ଟଙ୍କା ପଠାଇଥିଲେ । ଶୁଣିଲା ନାହିଁ... । ଏକୁଟିଆ ମଣିଷ । ପୁଅ ଝିଅ କେହି ନାହାନ୍ତି । ଜମିଟା ଯଦି ସେ ଛାଡ଼ି ନ ଦିଏ ସ୍କୁଲ୍ ଘରପାଇଁ, ଆଉ ତେବେ କିଏ ଛାଡ଼ିବ ? ତଥାପି ତ ରାଧା-ମାଧବ ମନ୍ଦିର ପାଖକୁ ଲାଗି ପଡ଼ିଥିବା ଅପନ୍ତରା ଚାଳଘରକୁ ମରାମତି କରି ଅଭିରାମ ଚନ୍ଦ୍ରମଣି ଓ ତା’ର ସ୍ତ୍ରୀକୁ ରହିବାକୁ କହିଥିଲେ । ସେ ଶୁଣିଲା ନାହିଁ ? ଅଗତ୍ୟା...ଅଗତ୍ୟାହିଁ ବହୁଜନ ହିତାୟ ଅଭିରାମଙ୍କୁ... । ନା, ଠିକ୍ ହୋଇନି । ସେହି କାର୍ଯ୍ୟ କଲାବେଳେ ମଧ୍ୟ କଥାଟା ତାଙ୍କୁ ଭଲ ଲାଗି ନଥିଲା । ତଥାପି ଏମିତି ଗୋଟାଏ ସମୟ ଆସେ, ଯେତେବେଳେ କାର୍ଯ୍ୟଟାକୁ ଆଉ ବନ୍ଦ ରଖି ହୁଏ ନାହିଁ । ଚନ୍ଦ୍ରମଣି ଶୋଇଥିବା ଅବସ୍ଥାରେହିଁ ତା’ର ଚାରି ବଖରା ଚାଳଘରେ ନିଆଁ ଲାଗି ଯାଇଥିଲା । ସକାଳୁ ଗାଁବାଲା ପାଉଁଶ ସାଙ୍ଗରେ ଚନ୍ଦ୍ରମଣି ଓ ତା’ର ସ୍ତ୍ରୀର ହାଡ଼ କେତେ ଖଣ୍ଡ ଗୋଟେଇ ନେଇ ମଶାଣିରେ ପକାଇ ଦେଇଥିଲେ ।

 

ଚନ୍ଦ୍ରମଣିର ସୁନ୍ଦର ସେହି ଖପୁରୀଟା । ଇସ୍‌ କି ବୀଭତ୍ସ ! ସତେ ଯେମିତି ନିରୋଳାରେ ସେହି ପୋକଡ଼ା ଦାନ୍ତ ଥିବା ଖପୁରୀଟା ଅଭିରାମଙ୍କ ମୁଣ୍ଡଟାକୁ ଚୋବେଇ ଖାଇଯିବ ।

 

କିପରି ଗୋଟାଏ ଭୟ ଆସିଗଲା ଅଭିରାମଙ୍କ ମନରେ । ଆପଣାଛାଏଁ ଆଖିଟା ବୁଜି ହୋଇଗଲା । ଶରୀରରୁ ବଳ ହଟି ଯାଉଛି ବୋଲି ସେ ଜାଣୁଥିଲେ, ମନରୁ ମଧ୍ୟ ସାହସ ସରି ଆସିଲାଣି । ଆଉ କିଛି ନାହିଁ–ଯାହାକୁ ନେଇ ସେ ପୁଣି ସାହସ ସଞ୍ଚୟ କରି ସମ୍ମୁଖ ଯୁଦ୍ଧପାଇଁ ପ୍ରସ୍ତୁତ ହେବେ ।

 

ଝଣ୍‌ କରି ଗୋଟାଏ ଶବ୍ଦ ହେଲା । ଓଃ...ଗ୍ଲାସ୍‌ଟା ଭାଙ୍ଗିଗଲା ତଳେ ପଡ଼ି । ବିଲେଇଟାଏ ଝର୍କା ଡେଇଁ ଚାଲିଯାଉଛି ଯେମିତି । ଚମକି ଉଠିଲେ ଅଭିରାମ । ଛିଃ...ଛିଃ...ଯେତେ ସବୁ ବାଜେ ଚିନ୍ତା ଏଇ ଅନ୍ଧାର ଯୋଗୁଁ । କି ଯେ ଘର ତାଙ୍କର କେଜାଣି ? ଏତେ ଲୋକ, ଚାକର, ପୂଜାରୀ ଥାଉଁଥାଉଁ କାହାର ଟିକେ ଖେୟାଲ୍‌ ହେଉନି କାହିଁକି ? ନା ଏତେ ଅନ୍ୟାୟ ସେ ବରଦାସ୍ତ କରିପାରିବେ ନାହିଁ । ସମସ୍ତେ କ’ଣ ଚାହାନ୍ତି ସେ ଅନ୍ଧାର ଘରେ ଏକୁଟିଆ ବନ୍ଦ ରହି ଏମିତି ହାର୍ଟଫେଲ୍‌ କରି ମରିଯା’ନ୍ତୁ ? ନା, ତା’ ହେବନି କଦାପି । ସେ ଚାହାଁନ୍ତି ହଇହଲା ଘନଘଟା ଓ କିଛିଟା ଚାଞ୍ଚଲ୍ୟ, ଏପରି କି ମୃତ୍ୟୁରେବି–ତ ଯାହାର ତାହାର ମୃତ୍ୟୁ ନୁହେଁ । ଏ ଯେ ଅଭିରାମଙ୍କ ମୃତ୍ୟୁ !

 

ଅଭିରାମ ଡାହାଣ ହାତ ଆଙ୍ଗୁଳିରେ ବାମ ହାତର ନାଡ଼ି ଦେଖିଲେ । ଅବଶ୍ୟ ସତ ଏ ଘଟଣା–ନାଡ଼ିର ଗତି ଟିକେ ଦ୍ରୁତ ଚାଲିଛି । ନା ! ତାଙ୍କର ବିଶ୍ରାମ ଦରକାର । ମାତ୍ର ତା’ ପୂର୍ବରୁ ଲାଇଟ୍‌ ଆସିଯିବା ଉଚିତ ।

 

ଅଭିରାମ କୌଣସି ମତେ ଦରାଣ୍ଡି ଦରାଣ୍ଡି ବାହାରକୁ ଗଲେ । ପାରା ଯୋଡ଼ାଏ କେଉଁଠି ବସି ଗୁମ୍‌ ଗୁମ୍‌ ଶବ୍ଦ କରୁଛନ୍ତି । ତଳ, ମଝି ଓ ଉପରମହଲା ସବୁ ଅନ୍ଧାର । ଅଗଣା ଭିତର ତାରରେ ଶୁଖୁଥିବା ଲୁଗାପଟା ସବୁ କଳା କଳା ହୋଇ ଝୁଲୁଛନ୍ତି । ଅନ୍ୟ ଦିନେ ଅନ୍ଧାର ହେଲେ ଦୁଇଟା ପେଟ୍ରୋମାକ୍‌ସ ଲାଇଟ୍‌ ରଖନ୍ତି ସେ । ଆଜି କହି ନାହାନ୍ତି ବୋଲି କେହି ଶୁଣିବାକୁ କି କରିବାକୁ ନାରାଜ ।

 

କାହିଁକି ? ତାଙ୍କ ପାଖରେ କ’ଣ ନାହିଁ ? ନା କ୍ଷମତା ନାହିଁ ? ନା ତାଙ୍କଠାରୁ ସମସ୍ତ ପ୍ରୟୋଜନ ସରି ଯାଇଛି ? ଚେୟାରରୁ ଉଠି ପଡ଼ି ଛିଡ଼ା ହେଲେ ଅଭିରାମ । ମୁଣ୍ଡଟା ଭାରି ଭାରି ଲାଗୁଛି । ଦେହରେ ଅବିଶତା । ପୁଣି ଜନ୍ମ ତାରିଖରୁ ଆଜିକୁ ମିଶାଇ ହାତ ଆଙ୍ଗୁଠିରେ ଗଣତି କରି ଜାଣିଲେ ଅଶୀବର୍ଷ ଟପି ଗଲାଣି । କାଲି ପରି ଲାଗୁଛି ସବୁ । କୈଶୋର, ଯୌବନ ଓ ଜରାରେ ଉଠିଥିବା ତାଙ୍କ ଛବିଗୁଡ଼ିକ ଆଖି ଆଗରେ ନାଚି ଯାଉଛି । ଏବେ ଏ ବୟସରେ ଫଟୋ ଉଠାଇ କେବେ ନିରେଖି ଦେଖି ନାହାନ୍ତି ସେ ନିଜକୁ । ବୟସର ଭାରରେ ସେ କ’ଣ ଭାରାକ୍ରାନ୍ତ ହୋଇ ଗଲେଣି ? ସବୁ କଥାପାଇଁ ଯୋଜନା କରିଛନ୍ତି, ମାତ୍ର ଏଇ ସମୟକୁ ଧରି ରଖିବା କଥା ତ ସେ କେବେ ଭାବି ନାହାନ୍ତି । ତଥାପି ମନେ ହୁଏ ଦେହରେ ମନରେ ରହିଛି–ଅମିତ ବଳ । କିନ୍ତୁ ଏ ତତ୍ତ୍ୱଟା ଯେମିତି କେହି ସ୍ୱୀକାର କରିବାକୁ ନାରାଜ । କଥା କଥାକେ ସରସ୍ୱତୀ କହିବ, ‘‘ଆଉ କ’ଣ ବୟସ ଅଛି ତମର ? ଏଣିକି କିଛି ଗୋଟାଏ ବନ୍ଦୋବସ୍ତ କର ।’’ କେଉଁଠିକି ଟିକେ ଯିବାକୁ ଇଚ୍ଛା କଲେ ଚାକର, ପୂଝାରୀ, ଦରୁଆନ, ଡ୍ରାଇଭର ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । କାରଖାନାରୁ ଶୀଘ୍ର କାମ ତୁଟାଇ ମ୍ୟାନେଜର୍‌ ଧାଇଁ ଆସନ୍ତି ଓ ଇମ୍ପାଲା ଗାଡ଼ିଟା ଛିଡ଼ା ହୁଏ ଆସି । ସମସ୍ତେ ସାବଧାନ ଆଉ ହୁସିଆର ତାଙ୍କପାଇଁ । ଡ୍ରାଇଭର ସିଟ୍‌ରେ ନିଜକୁ ବସାଇ ଦେବା ଆଉ ସମ୍ଭବପର ହୁଏନି ଅଭିରାମଙ୍କ ପକ୍ଷରେ । ମଠା ଶାଢ଼ିଟା ଯେନତେନ ପ୍ରକାରେଣ କ୍ଷୀଣ ଦେହରେ ଗୁଡ଼ାଇ ହୋଇ ସରସ୍ୱତୀ ବାହାରି ଆସନ୍ତି ସାଙ୍ଗରେ ଯିବାପାଇଁ । ବିନା ଆମନ୍ତ୍ରଣରେ ନାତିନାତୁଣୀ ଯାଇ ଗାଡ଼ି ଭିତରେ ବସିଯା’ନ୍ତି । ଉପରୁ ଏ ଦୃଶ ଦେଖିଲାମାତ୍ରେ ଅଭିରାମ ବିରକ୍ତ ହୋଇ ମନା କରି ଦିଅନ୍ତି । ସେଥିରେ କେହି ମର୍ମାହତ ହୁଅନ୍ତି ନାହିଁ । ସ୍ୱସ୍ତିରେ ନିଃଶ୍ୱାସ ମାରନ୍ତି । କାହିଁକି ? ଧନ ରତ୍ନର ଚାବିକାଠି ଧରିଛନ୍ତି ବୋଲି, ନା ରକ୍ତରୁ ଜନ୍ମ ଦେଇ ସୃଷ୍ଟି କରିଛନ୍ତି ଏ ପୃଥିବୀ ବୋଲି ।

 

ଅନ୍‌ଗ୍ରେଟ୍‌ଫୁଲ୍‌ । ସ୍ୱାଇନ୍‌ । ଚିତ୍କାର କରି ଉଠିଲେ ଅଭିରାମ । ଅସ୍ଥିରତା ଓ ନିଃସଙ୍ଗତାକୁ ଅତିକ୍ରମ କରି ଏବେ କ୍ରୋଧରେ ଭରିଗଲା ହୃଦୟ । ବିଚିତ୍ର ଏଇ ପୃଥିବୀ । ଇନ୍ଦ୍ରଧନୁର ସପ୍ତ ରଙ୍ଗରେ ତା’କୁ ବିଭୂଷିତ କଲା ପରେବି ତାଙ୍କୁ ସାମାନ୍ୟ ଟିକିଏ ଆଲୋକ ଦେବାପାଇଁ କେହି ପ୍ରସ୍ତୁତ ନୁହଁନ୍ତି ।

 

କିଏ ଜଣେ ଆସି ପାଖରେ ଛିଡ଼ା ହୋଇଛି, ପର ମୁହୂର୍ତ୍ତରେ କାହାର ଗୋଟାଏ ହାତ ପାପୁଲି ତାଙ୍କ ମୁଣ୍ଡ ଉପରେ ଘୂରିଗଲା । ନିଜ ହାତ ଦେଇ ସେ ହାତଟା ଘୋଷାରି ଆଣିବାକୁ ବ୍ୟର୍ଥ ଚେଷ୍ଟା କଲେ ଅଭିରାମ । ସରସ୍ୱତୀ ତାଙ୍କ ଚନ୍ଦା ମୁଣ୍ଡଟାରେ କ’ଣ ଗୁଡ଼ାଏ ଥଣ୍ଡାଥଣ୍ଡା ଜିନିଷ ଦଳି ପକାଉଛି । ଏଣେ ଦୁଇ ଜଣ କିଏ ତାଙ୍କ ହାତ ଦୁଇଟାକୁ କବ୍‌ଜା କରି ନେଲେଣି । ସେ ସମ୍ପୂର୍ଣ୍ଣରୂପେ ବନ୍ଦୀ । ବେଶୀ ରାଗିଗଲେ, ଅଭିରାମ କଥା କହି ପାରନ୍ତି ନାହିଁ । ଆଜି ମନେ ହେଲା ସେ ଯେପରି ବନ୍ଦୀ !

 

କ୍ରୋଧ ବଦଳରେ ତାଙ୍କ ଆଖିରୁ ଦୁଇ ଧାର ଲୁହ ଝରି ପଡ଼ିଲା ।

 

ଚାରିଆଡ଼େ ଚାପା ଗୁଞ୍ଜନ, ବ୍ୟସ୍ତତା । ପୁଅ ଝିଅଙ୍କର ଉତ୍କଣ୍ଠା । ସରସ୍ୱତୀଙ୍କର ପରିଚିତ ପାଦ ଶବ୍ଦ ଏବଂ ତା’ ଭିତରେ ଝାଡ଼ୁରେ ଓଳେଇ ହେଉଥିବା କାଚଖଣ୍ଡର ରୁଣୁଝୁଣୁ ଶବ୍ଦ । ଅସହ୍ୟ । ଏ କୋଳାହଳ ସେ ସହି ପାରିବେନି । ତା’ ଠାରୁ ନୀରବତାହିଁ ଭଲ । ତାଙ୍କୁ ନେଇ ଏତେ ମନ୍ତ୍ରଣା–ସତର୍କତା–ସେ ବଞ୍ଚି ଥାଉଁଥାଉଁ ଗ୍ରହଣ କରି ପାରିବେନି !

 

ଅଭିରାମ ପାଟି ଖୋଲିବାକୁ ଚେଷ୍ଟା କଲେ ଏବଂ କ’ଣ ଗୋଟାଏ କହିଲା ଭଳି ଆଓ୍ୱାଜ୍‌ କଲେ । ମାତ୍ର ଶବ୍ଦଟିଏ ହେଲେ ନିଜେ ବୁଝି ପାରିଲେନି । ନିଜ କାନଟା ଗଲା କୁଆଡ଼େ ? ଏହି ସମୟରେ ଦୁଇ ଚାରିଟା ଶକ୍ତ ହାତ ତାଙ୍କର ବେକଠାରୁ ଗୋଡ଼ ପର୍ଯ୍ୟନ୍ତ ଉଠେଇ ନେଲା ଏବଂ ବିଛଣାରେ ଗଡ଼ାଇ ଦେଲା । ଧଇଁସଇଁ ହେଲା ପରି ବଡ଼ପୁଅର ପାଟି ଶୁଭିଲା, ‘‘ଖୁବ୍‌ ଧୀରେ...ଯାଅ-! ସମସ୍ତେ ଶୋଇବ ଯାଅ ! ଲାଇଟ୍‌ଗୁଡ଼ାକ ଅଫ୍‌ କରିଦିଅ । ଆଉ ଗୋଳମାଳ ବଢ଼େଇ ଲାଭ ନାହିଁ-। ଏବେ ତାଙ୍କୁ ନିଦ ହୋଇଯିବ ।’’

 

କହୁ କହୁ ଅଭିରାମ ଦେହରେ ଛୁଞ୍ଚି ପରି କ’ଣ ଗୋଟାଏ ଜିନିଷ ଫୋଡ଼ି ହେଇଗଲା । ଜାଣନ୍ତି ସେ ବନ୍ଦୀ ! ଯିଏ ଯାହା କରିବ କର । କିଛି ସେ କହିବେ ନାହିଁ ।

 

ମୁହୂର୍ତ୍ତେ ନିସ୍ତବ୍ଧତା । ଖଟ୍‌ କରି ଗୋଟାଏ ଶବ୍ଦ ହେଲା । ଅଭିରାମ ଚମକି ପଡ଼ିଲେ । କ’ଣ କହିଲା ପୁଅ ! ଲାଇଟ୍‌ଗୁଡ଼ାକ ଲିଭାଇ ଦେବାକୁ କହିଲା...ଲାଇଟ୍...ଲାଇଟ୍‌ ଜଳୁଥିଲା !...କିନ୍ତୁ ସେ ତ ଅନ୍ଧକାରରେ ସନ୍ଧ୍ୟାରୁ ବସିଛନ୍ତି ନିଜ ପ୍ରାସାଦରେ, ନିଜ ପ୍ରକୋଷ୍ଠରେ । ଅନ୍ଧକାରର ନିଃସଙ୍ଗତାରେ ଅସହାୟ ହୋଇ...ବନ୍ଦୀ ହୋଇ...ଅନ୍ଧ ହୋଇ ବସିଛନ୍ତି !

 

ତେବେ ତେବେ ସେ କ’ଣ...ସେ କ’ଣ ଅନ୍ଧ ହୋଇଗଲେ ? ଏକ ଶିତୁଆ ଥଣ୍ଡାଥଣ୍ଡା କାଲୁଆ ପବନ ଯେମିତି ପାଟି ଚିରି ତାଙ୍କ ଛାତି ଭିତରେ ପଶି ଯାଇ ତାଙ୍କ କଣ୍ଠରୋଧ କରିଦେବ ! ନା, ନା, ସେ ପରାସ୍ତ ! ଅସହାୟ ! କୁଆଡ଼େ ଗଲା ପୁଅ ତାଙ୍କର ! ବାମ ପାଖରୁ ଡାହାଣ ପାଖକୁ କଡ଼ ଲେଉଟାଇ ଡାହାଣ ହାତରେ ପୁଅ ହାତକୁ ମୁଠାଇ ଧରି ବକ୍‌ ବକ୍‌ କରି କ’ଣ ଗୁଡ଼ାଏ କହିଗଲେ ସେ । କିନ୍ତୁ ଏ କ’ଣ ? ଏ ତ ପୁଅର ହାତ ନୁହେଁ । ଚେୟାରଟାର ହାତ । କାଠରେ ଗଢ଼ା ହାତ ।

 

ଅନୁଭବର ଏହି ପ୍ରସ୍ଥ ଭିତରୁ ନିଜକୁ ଆଉ ମୁକ୍ତ କରିବା ସମ୍ଭବ ନଥିଲା ଅଭିରାମଙ୍କ ପକ୍ଷରେ । ସେ ଜେଜେବାପା ନହେଲେବି ତ ସା’ଜାହାନ୍‌ । କିନ୍ତୁ ଦୁଇଜଣଙ୍କ ମଧ୍ୟରେ ତଫାତ୍‌ କ’ଣ-? ଗୋଟାଏ କରୁଣ ଆର୍ତ୍ତନାଦ କରି ତଳକୁ ଖସି ପଡ଼ିଲେ ଅଭିରାମ । ଅଚାନକ ଏକ ବଜ୍ରପାତରେ ହଜିଗଲା ତାଙ୍କର ଆର୍ତ୍ତନାଦ !

✽✽✽

 

ଅରଣ୍ୟ

[ଏକ]

 

ଛୋଟ ନୌକାଟିଏ ନଦୀର ଅସ୍ଥିର ଗତିକୁ ରୋକି ଦେବାପାଇଁ ଯଥେଷ୍ଟ ନୁହେଁ । ତଥାପି ଅନ୍ୟମନସ୍କ ଭାବରେ ଟେକା ଉପରେ ଟେକା ପକେଇ ଚାଲିଥିଲା ଆଲୋକ । ନଦୀ କିନ୍ତୁ ସେମିତି ପ୍ରଖର ଗତିରେ ଧାଇଁ ଚାଲିଥିଲା ।

 

ଅସ୍ତ ସୂର୍ଯ୍ୟର ରକ୍ତରାଗରେ ପଶ୍ଚିମ ଦିଗନ୍ତ ବେଶ୍‌ ରଞ୍ଜିତ ହୋଇ ଉଠିଥିଲା । ଏହି ସମୟଟି ଆଲୋକକୁ ଅନ୍ୟ ଦିନ ଆନନ୍ଦ ଦେଇଥିଲେବି ଆଜି ଯେପରି ବିଷାଦରେ ଅନ୍ତର ଭରି ଦେଉଛି ।

 

କିଛି ଭଲ ଲାଗୁ ନାହିଁ । ଅନ୍ୟ ଦିନମାନଙ୍କରେ ଚେଷ୍ଟା କରି ଭଲ ଲଗାଇବା କାମଟା ସେ ହାସଲ କରି ପାରୁଥିଲା । ଅନ୍ତତଃ ଅଭିରାମ କରିବାପାଇଁ ସ୍ପୃହାଥିଲା ତା’ର । ତାହା କମି ଆସିବାର ଜାଣିଥିଲେବି କୌଣସି ଦିନ ଏମିତି ଠକି ଯାଇ ନଥିଲା ଆଲୋକ । ଆଜି ଠକି ନାହିଁ ଖାଲି–ଠକିବାରେ ଥକି ମଧ୍ୟ ଯାଇଛି ।

 

ଆଲୋକର ଇଚ୍ଛା ହେଉଥିଲା ନଦୀର ଅତଳ ଗର୍ଭକୁ ଝାମ୍ପ ଦେଇ ଅନ୍ତତଃ ନିଜର ବାହ୍ୟ ଶରୀରଟିକୁ ଶୀତଳ କରି ଦେବା ଏକାନ୍ତ ଆବଶ୍ୟକ । କିନ୍ତୁ ଅନେକ ନ ପାରିଥିବା କଥା ଭିତରୁ ଏହା ଯେ ଅନ୍ୟତମ, ଏଥିରେ ତା’ର ସନ୍ଦେହବି ନଥିଲା । ଆଚ୍ଛା, ଦୀର୍ଘ ଦିନ ଧରି ଏମିତି ଅବାନ୍ତର କଥା ସେ କାହିଁକି ଭାବୁଛି ? ଯେଉଁଥିରେ କୌଣସି ଆନନ୍ଦ ନାଇଁ ସେପରି କାମଗୁଡ଼ିଏ ନିର୍ବିକାର ଭାବରେ କରୁଛି । ନଦୀକୂଳରେ ଏମିତି ଦିନ ଦିନ ବସିବାରେ ତ ଆଦୌ ଯୁକ୍ତି ନାହିଁ, ତଥାପି ସେ ବସୁଛି । କେହି ଯଦି ପଚାରି ଦିଏ କ’ଣ କହିବ ଆଲୋକ ? କହିବ ସେ ବେକାର, ତୃତୀୟ ଶ୍ରେଣୀରେ ଘୋର ଅନିଚ୍ଛାରେ ଏମ୍‌.ଏ. ପାସ୍‌ କରିଛି । ଘରେ ବାପା, ମା’ ଓ ଅନ୍ୟାନ୍ୟ ଭାଇ ବନ୍ଧୁବାନ୍ଧବ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ହେତୁ ଏପର୍ଯ୍ୟନ୍ତ ତା’ର ଅନ୍ନର ଅଭାବ ଘଟି ନାହିଁ । କୌଣସି ମତେ ଚଳିଯାଇଛି, ଏବେ ଆଉ ଚଳି ହେବ ନାହିଁ ମାନେ ସେ ଚଳିପାରିବ ନାହିଁ...!

 

ଏଇ କେତେ ଦିନ ହେଲା ଟିଉସନ୍‌ଟିଏ କରୁଥିଲା ଯେ ଆଲୋକ, ତାହା ମଧ୍ୟ ଗତ ମାସରୁ ବନ୍ଦ ହୋଇ ଯାଇଛି । ଛାତ୍ରଟି ପରୀକ୍ଷାରେ ଫେଲ୍‌ ହୋଇଗଲା । ବାସ୍ତବିକ ଏଥିପାଇଁ ଛାତ୍ରଟି ଦାୟୀ କି ଆଲୋକ ଦାୟୀ, କିଛି ଠିକ୍ କରିପାରେନା ସେ । ଇଚ୍ଛା ହୁଏ ଆଣିଥିବା ଟଙ୍କାଗୁଡ଼ାକ ଯଦି ସେ ଛାତ୍ରର ବାପକୁ ଫେରେଇ ଦେଇ ପାରନ୍ତା । କେମିତି ବା ହେବ ? ସେଥିରୁ ଗୋଟାଏ ଟଙ୍କା ଯଦି ଥାଆନ୍ତା, ତାହାହେଲେ ଏତେ ସମୟ ବିନା ସିଗାରେଟରେ ସେ ଅପେକ୍ଷା କରି ବସି ନ ଥାନ୍ତା । ସେଇପରି ସୂତ୍ରରେ ତା’ର ଲକ୍ଷପତି ପିତାଙ୍କୁ ମଧ୍ୟ ଟଙ୍କା ଫେରେଇ ଦେଇ ସନ୍ତାନର ଋଣ ପରିଶୋଧ କରିବାର କଥା । ମାତ୍ର ସେ ସବୁ ଆଲୋକ ପକ୍ଷରେ ସମ୍ଭବ ନୁହେଁ ।

 

ଚାରିଆଡ଼େ ଅନ୍ଧକାର ଖୁନ୍ଦି ହୋଇ ଆସୁଛି । ନଦୀରେ ବଢ଼ିପାଣିର ସୁଅ ଛୁଟିଛି । ଆଉ ତାକୁହିଁ ଦେଖିବାପାଇଁ ଆଜିକାଲି ନଦୀକୂଳରେ ନିର୍ଜନତା ହ୍ରାସ ହୋଇଯାଇଛି ।

 

ଆଲୋକ ଉଠିପଡ଼ିଲା । ଆଜି ଗୀତା ଆସିବ ନାହିଁ । ଅଫିସ୍‍ରେ ଓଭର୍‍ଟାଇମ୍‌ ଶେଷ କରି ଘରକୁ ଫେରି ତା’କୁ ପୁଣି ଟିଉସନ୍ ଯିବାକୁ ହେବ । ସେଠାରୁ ଫେରି ଘରର ଯାବତୀୟ ଦାୟିତ୍ୱ ବୁଝି ସେ ଆଗାମୀ କାଲିର ପ୍ରୋଗ୍ରାମ୍‌ କରିବ ଏବଂ ତା’ପରେ ତା’ର ପତଳା ହାଡ଼ୁଆ ଲମ୍ବା ଦେହଟିକୁ ଯାକିଯୁକି ତେଲୁଣି ପୋକ ପରି ମୋଡ଼ି ହୋଇ ସେ ବିଛଣାରେ ଗଡ଼ିପଡ଼ିବ । ଆହା ! ବିଚାରୀ ! ଭାବିଲେ କଷ୍ଟ ହୁଏ ଆଲୋକର, ଇଚ୍ଛା ହୁଏ ଗୀତା ଲାଗି ସେ କିଛି କରିଦେଇ ପାରିଲେ ଖୁସି ହୋଇପାରନ୍ତା । ଟିକିଏ ତ କଷ୍ଟ ଲାଘବ ହୁଅନ୍ତା । ମାତ୍ର ତାହା ମଧ୍ୟ ସେଇ କେତୋଟି ନ ପାଇବା କଥା ଓ କାମ ଭିତରୁ ଗୋଟିଏ । ଗୀତା ମନେମନେ ଭାବୁଥିବ ଆଲୋକ କେତେ ଅପଦାର୍ଥ ଆଉ ନିଷ୍ଠୁର ! କେବଳ ତା’ ସଙ୍ଗରେ କଥା କହି ଆମୋଦ କରୁଛି, କିନ୍ତୁ କର୍ତ୍ତବ୍ୟ କରୁ ନାହିଁ ।

 

କର୍ତ୍ତବ୍ୟ କାହା ପ୍ରତି ଯେ ଆଲୋକ କରି ନାହିଁ ଏ କଥା ହୁଏତ ଗୀତା ଜାଣି ନାହିଁ ଏମିତିକି ବାପାଙ୍କ ସଙ୍ଗରେ ତା’ର ଦେଖା ହୁଏ ନାହିଁ । ଭାଇ ଭଉଣୀ ସେ ବିରାଟ ଘରଟାରେ ଯେ କିଏ କେଉଁଠି ଥାଆନ୍ତି, ତାହା ଆଲୋକ ଜାଣିବାକୁ ଇଚ୍ଛା କରେ ନାହିଁ । କେବଳ ବାପାଙ୍କର ସେଇ ବୋଉ ଅର୍ଥାତ୍‌ ଆଲୋକର ଜେଜେମା ବ୍ୟତୀତ କାହା ସଙ୍ଗେ ପଦେ କଥା ହେବାର ସୁଯୋଗ ଘଟେ ନାହିଁ । ବୋଉ ତ ଦୀର୍ଘ ଦିନ ଧରି ସାନେଟୋରିୟମ୍‌ରେ । କ’ଣ ହୋଇଛି କେଜାଣି, କିଛି କଥା କୁହେ ନାହିଁ କେବଳ ଜଳଜଳ କରି ଚାହିଁ ରହେ । ଏଇପରି ଅବସ୍ଥାରେ ଗୀତା ବ୍ୟତୀତ ଅନ୍ୟ କାହାକୁ ନିଜର ବୋଲି ମନେ କରାଯାଇ ନ ପାରେ । ମାତ୍ର ଗୀତାକୁ ମଧ୍ୟ ନିଜର କଥା କୁହା ଯାଇ ପାରୁନି କି ନିଜର କରି ହେଉନି ।

 

ଆଲୋକ ପାନଦୋକାନ ପାଖରେ ଛିଡ଼ା ହେଲା । ଦର୍ପଣରେ ନିଜର ଚେହେରା ଦେଖି ଆଦୌ ବିସ୍ମିତ ହେଲା ନାହିଁ । କିଛି ହେଇନି ତା’ର ଦୀର୍ଘ ପାଞ୍ଚବର୍ଷ ଧରି, କିନ୍ତୁ ତା’ର ବଳିଷ୍ଠ ଚେହେରାଟି ସୂକ୍ଷ୍ମରୁ ସୂକ୍ଷ୍ମତର ହେବାକୁ ବସିଛି ଏବଂ ମୁଣ୍ଡର ବାଳ କେତୋଟି ଧଳା ହୋଇ ଆସୁଛି-। ଡାଇଂ କରିଦେଲେ କେମିତି ହୁଅନ୍ତା ? ଗୀତା ଅନେକ ଥର କହିଥିବ ତାକୁ । ବିଚାରୀ ଜାଣେ ନାହିଁ ଯେ ନିଜର କୁଞ୍ଚିତ କେଶରାଶି ଅନେକ ଦିନୁ ଧଳା ହୋଇଗଲାଣି ଏବଂ ତାଳୁ ଉପରଟା ପ୍ରାୟ କେଶମୁକ୍ତ । ଆଲୋକ ତାକୁ ଅନେଇ ହସିଦିଏ । ସ୍ତ୍ରୀଲୋକମାନଙ୍କର ସାଧାରଣଜ୍ଞାନ ଯେ କମ୍‌ ଏକଥା ଆଲୋକକୁ ବେଶ୍‌ ଜଣା, ଯଦିଓ ଗୀତା ଏମ୍‌.ଏ.ରେ ସେକେଣ୍ଡ କ୍ଲାସ୍‌ ପାଇଥିଲା । ଡିଗ୍ରୀଟା ତ ବୁଦ୍ଧିର ମାପକାଠି ନୁହେଁ । ଦୋକାନୀ ଅଭ୍ୟାସ ମୁତାବକ ଦୁଇ ଖଣ୍ଡ ସିଗାରେଟ ବଢ଼ାଇଦେଲା ଏବଂ ଖାତାଟାଏ ବାହାର କରି ଲେଖିଦେଲା । ସେ ଭଲକରି ଜାଣେ ଆଲୋକକୁ । ବଡ଼ଲୋକର ପୁଅ–ପଇସା କେବେ ବୁଡ଼ିଯିବ ନାହିଁ । ଏମିତି କି ଗୀତା ଥିଲେ ତାକୁ ସେ ପାନ ଦୁଇ ଖଣ୍ଡ ଦିଏ । ପଇସା ଦେଲେ ନିଏ ନାହିଁ, କହେ ବାବୁ ଦେବେ ! ଆଲୋକ ଲାଜେଇ ଯାଇ ଗୀତାର ହାତଟାଣି ନେଇ ପଳାଏ । ଅନ୍ତତଃ ପାନ ଦୋକାନୀଟି ତାକୁ ଖାତିର କରୁଥିବା କଥାଟିକୁ ସେ ମୂଲ୍ୟହୀନ କରି ଦେବାକୁ ଚାହେଁ ନାହିଁ । କିନ୍ତୁ କେବେ ଯଦି ପାନଦୋକାନୀ ପଚାରିଦିଏ କାହିଁକି ପ୍ରତିଦିନ ଛତରା ବଗୁଲିଆ ଟୋକାଟି ପରି ସେ ନଦୀ କୂଳକୁ ଆସୁଛି ତେବେ ଆଲୋକ କି ଉତ୍ତର ଦେବ ? ଏ ମଧ୍ୟ ତା’ ନ ପାରିଲା କଥା ଭିତରୁ ଅନ୍ୟତମ ।

 

ଆଲୋକ ବେଞ୍ଚ୍‍ଟା ଉପରେ ବସି ପଡ଼ିଲା । ଗୀତାକୁ ଅପେକ୍ଷା କରି ବଡ଼ କ୍ଳାନ୍ତ ବୋଧହେଲାଣି । କେଉଁ ପ୍ରହରରେ ସେ ଖାଇଥିଲା ମନେ ନାହିଁ । ଭୋକରେ ପେଟଟା ଜଳୁଛି । ଆଜିକାଲି କ’ଣ ହୋଇଛି କେଜାଣି ଆଲୋକକୁ ଭୀଷଣ ଭୋକ ହେଉଛି ମାତ୍ର ଘରକୁ ନ ଗଲେ କେଉଁଠି ଯେ ଗଣ୍ଡେ ଖାଇବାକୁ ମିଳିବନି ଏବଂ ମିଳିଲେବି ସେ ଖାଇ ପାରିବନି ଏ କଥା ଯେମିତି ଆଲୋକର ଭାଗ୍ୟଲିପିରେ କଳା କାଳିରେ ଲିପିବଦ୍ଧ ।

 

ଆଲୋକ ସିଗାରେଟରେ ନିଆଁ ଧରେଇ ରାସ୍ତା ଉପରକୁ ଉଠିଲା । ସନ୍ଧ୍ୟା ସାତଟା ବାଜିଗଲାଣି । ଗୀତା ଆସିବ ନାହିଁ । ଏପରି ଅନେକ ଥର ଆସିବ କହି ସେ ଆସି ପାରେନା । ମାତ୍ର ଆଲୋକ ଆସି ଅପେକ୍ଷା କରିବାରେ ବ୍ୟତିକ୍ରମ ନାହିଁ । ସନ୍ଧ୍ୟାରେ ତା’ର କାମ କ’ଣ ? ଏମିତିକି ସକାଳେ ଓ ଦ୍ୱିପ୍ରହରରେବି ସେ ଫାଙ୍କା । ଏକାଏକା ସବୁ କଥାରେ ଓ କାମରେ ବେକାର ଥିବା ଲୋକଟିପାଇଁ ନିର୍ଦ୍ଦିଷ୍ଟ ସମୟ କିଛି ନାହିଁ । ଏକଥା ସିଏ ଜାଣେ ଓ ଜାଣେବି ଗୀତା ।

 

କିନ୍ତୁ ଆଜିଦିନ ଏକ ବ୍ୟତିକ୍ରମ । ଗତ କାଲି ଆଜିପାଇଁ ଏକ ଜରୁରୀ ପ୍ରୋଗ୍ରାମ୍‌ ଥିଲା । ସବୁ ବାଧାବନ୍ଧନ ଏଡ଼ାଇ ଆଲୋକ ଆଜି ତାକୁ କହିଥା’ନ୍ତା–‘‘ଗୀତା ! ମୁଁ ତୁମକୁ ଭଲପାଏ । ଅନ୍ତତଃ, ଏଇ ପୃଥିବୀରେ କିଛିଟା ଦିନ ବଞ୍ଚିଯିବା ପାଇଁ ତୁମର ଉପସ୍ଥିତି ମୋ ପାଖରେ ଏକାନ୍ତ ବାଞ୍ଛନୀୟ । ଭାବ ନାହିଁ, ମୁଁ ସବୁଦିନେ ବେକାର ଥିବି । ଦିନେ ନା ଦିନେ ମୁଁ ନିଜ ଗୋଡ଼ରେ ଛିଡ଼ାହେବି ଏବଂ ତୁମର ସବୁ ଦାୟିତ୍ୱ ତୁଲାଇ ପାରିବି । ମୋ ଉପରେ ଭରସା ରଖ । କାରଣ ମୁଁ ତୁମକୁ ଭଲ ପାଏ ।’’

 

ମାତ୍ର ଏ କଥାଟି ସେ ଅନେକ ଥର ଭାବି କହି ପାରି ନାହିଁ । ଆଲୋକ ଅନେକ ଥର ଚେଷ୍ଟା କରି ମଧ୍ୟ ଗୀତାର ହାତଟିକୁବି ସ୍ପର୍ଶ କରି ପାରି ନାହିଁ । କ’ଣ ନିଜ ଭିତରେ ସେହି ମୁହୂର୍ତ୍ତରେ ଘଟିଯାଏ ବୁଝିପାରେ ନାହିଁ !! ଆଜି ଅନେକ ମୁଖସ୍ଥ କରି ଆସିଥିଲା ଏବଂ ଅନେକ ଅପେକ୍ଷା କରି କହିବାର ସୁଯୋଗ ପାଇପାରିଲାନି ବୋଲି କିପରି ଏକ ଅସହାୟଭାବ ତା’ର ନରମ ଛାତିଟାକୁ ଦୋହଲାଇ ଦେଉଥିଲା ।

 

ହଠାତ୍‌ ରାସ୍ତାମୋଡ଼ରେ ଲୋକଗହଳି ଭିତରେ ଆଲୋକ ଗୀତାକୁ ଦେଖିପାରି ଚିଲେଇ କରି ଉଠିଲା–‘‘ଗୀତା ! ଗୀତା ! ଆରେ ଏପଟ ରାସ୍ତାକୁ ଆସ । ସିଆଡ଼େ କୁଆଡ଼େ ଯାଉଛ ?’’

 

ମାତ୍ର ଗୀତା ସେତେବେଳକୁ ଲୋକଗହଳି ଭିତରେ କେଉଁଠି ରହିଲା କେଜାଣି ରାସ୍ତାର ଲାଇଟ୍‌ ଦପ୍‌ କରି ଚାଲିଯାଇଥିଲା ଏବଂ ତା’ ସହିତ ଆଲୋକର ଗତି ମନ୍ଥର ହୋଇଯାଇଥିଲା ।

 

କିଏ ଗୋଟାଏ ପଛରୁ ଧକ୍କା ମାରିଲା । ପୂଜାର ଲୋକ ଗହଳି । ଆଲୋକ ପଡ଼ି ଯାଉ ଯାଉ ନିଜକୁ କୌଣସିମତେ ସମ୍ଭାଳି ନେଇ ଗୀତା ଯାଉଥିବା ରାସ୍ତାରେ ଅନ୍ଧକାରରେ ବାଙ୍କ ବୁଲିଗଲା ।

 

ଗୀତାର ନାଁ ଧରି ସେ ଆଉଥରେ ଡାକିବ କି ? ଧେତ୍‌ ।

 

[ଦୁଇ]

 

ଅମରାହ୍‌ଣର ସୂର୍ଯ୍ୟ କ୍ରମଶଃ ଦିଗ୍‌ବଳୟକୁ ସ୍ପର୍ଶ କଲେଣି । ଝର୍କା ପାଖରେ ଗୀତାର କାଉଣ୍ଟର୍‌ । ସେଇଠି ବସି ଭିତର ଓ ବାହାରର ଦୃଶ୍ୟ ଓ ପରିସ୍ଥିତିକୁ ଏକ ସମୟରେ ସେ ଅନୁଭବ କରିଥାଏ ।

 

ଅଣ୍ଟାପିଠି ଧରିଗଲାଣି । କାମ ଯେପରି ଆଜି ମୋଟେ ସରୁ ନାହିଁ । କେଉଁଆଡ଼େ କୌଣସି କାର୍ଯ୍ୟ ଠିକ୍‌ ସମୟରେ ହେଉନି । ଅଭାବ, ଅଭାବରେ ତା’ର ଅକାଳ ବାର୍ଦ୍ଧକ୍ୟ ଆସିଗଲାଣି । ତଥାପି ସମାଧାନରେ ପହଞ୍ଚିପାରୁ ନାହିଁ ଗୀତା ! ସକାଳର ସିଦ୍ଧାନ୍ତ ସନ୍ଧ୍ୟାକୁ ବଦଳି ଯାଉଛି । ନିଜେହିଁ ତ ସେ ସବୁର ହର୍ତ୍ତାକର୍ତ୍ତା ।

 

ଦୀର୍ଘଶ୍ୱାସଟିଏ ଛାଡ଼ି ଗୀତା ଚେୟାରରେ ସଳଖି ବସିଲା ! କେଜାଣି କାହିଁକି ବାପାଙ୍କର କଥା ମନେପଡ଼ିଗଲା ତା’ର । ଭାଇ ଯେଉଁଦିନ ଆତ୍ମହତ୍ୟା କରି ମରିଗଲା, ସେଦିନ ବାପା କେବଳ ତାକୁହିଁ ଧରି କାନ୍ଦିଥିଲେ । ଭାଇ ସହିତ ବାପାଙ୍କର ପଡ଼ୁ ନଥିଲା; କିନ୍ତୁ ଭାଇ କୌଣସିମତେ ବାପାଙ୍କର ପାଞ୍ଚଟି ସନ୍ତାନଙ୍କର ଖାଦ୍ୟପେୟର ବନ୍ଦୋବସ୍ତ କରିପାରୁଥିଲା । ତେଣୁ ବାପା ଭାଇର ଗତିପଥର ଅନ୍ତରାୟ ହୋଇ ପାରୁ ନଥିଲେ । ଭାଇ, ସମସ୍ତେ ଶୋଇଥିଲାବେଳେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲା । ଗୀତା ତା’ର ଅପରିପକ୍ୱ ବୟସରେ ଘଟଣାଟା ଜାଣିବାପାଇଁ ଯେତେ ଚେଷ୍ଟା କରିଥିଲେବି ପାରି ନଥିଲା । ବାପା ଗୀତାକୁ ଧରି କାନ୍ଦିଥିଲେ; କାରଣ ଭାଇର ଅବର୍ତ୍ତମାନରେ ଗୀତା ଉପରେହିଁ ତାଙ୍କ ପରିବାର ନିର୍ଭର କରୁଥିଲା । କୌଣସିମତେ ମାଟ୍ରିକ୍‌ ପାସ୍‌ କରି ସେ ଚାକିରିଟି କରିନେଲା । ପ୍ରାଇଭେଟ୍‌ରେ ଏମ୍‌.ଏ. ପର୍ଯ୍ୟନ୍ତ କୃତିତ୍ୱ ହାସଲ ମଧ୍ୟ କଲା । କିନ୍ତୁ ପରିବାର ଓ ସମାଜର ଦାୟିତ୍ୱରୁ ସେ ମୁକୁଳି ପାରିଲା ନାହିଁ । ସାନ ଭାଇ ଚାରିଟା ଆଜିଯାଏଁ ମଣିଷ ହେଲେନି ! ବାପା ଯଥାରୀତି ରୋଗ ଓ ମାନସିକ ଯନ୍ତ୍ରଣା ଭୋଗ କରି ବିଦାୟ ନେଲେ । ବୋଉ କେବଳ ଅନ୍ଧ ହୋଇ ଘରେ ବସି ରହିଛି ମୃତ୍ୟୁକୁ ଅପେକ୍ଷା କରି । ସାନ ଭଉଣୀ ରୀତାର ବିଭାଘର ସରିଗଲେ ଗୀତା ଅନ୍ୟ କିଛି କଥାକୁ ଭ୍ରୂକ୍ଷେପ ନ କରି ଚାଲିଯିବ...କୁଆଡ଼େ ଯିବ ଏବଂ କ’ଣ କରିବ ସେଥିପାଇଁ ତା’ର କୌଣସି ସୁଚିନ୍ତିତ ଯୋଜନା ନାହିଁ; କିନ୍ତୁ ସେ ଚାଲିଯିବ । ଭାଇମାନେ ସକ୍ଷମ ହୁଅନ୍ତୁ ବା ନ ହୁଅନ୍ତୁ ପଢ଼ି ଛାଡ଼ି ଦେଇ ବାହାରେ ସମୟ କାଟିବା, ଫାଲତୁ ସମାଜସେବା ଓ ରାଜନୀତିର ଧୂଆଁବାଣରେ ଉତ୍‌ଫୁଲ୍ଲ ହେବା ସେମାନଙ୍କର ଏକାନ୍ତ କାମ୍ୟ । ଘରେ ଗୀତା ଅଛି ବୋଲି ସେମାନଙ୍କର ଏତେ ଫୂର୍ତ୍ତି ! କିନ୍ତୁ ସେ ଚାଲିଗଲେ ରୀତା କ’ଣ କରିବ ? ବୋଉର ଅବସ୍ଥା... ? ଗୀତା ହସି ପକାଇଲା ! କେଉଁ ଶାସ୍ତ୍ରରେ ଅଛି ସେ ସମସ୍ତ ଦାୟିତ୍ୱ ନିର୍ବିକାରରେ ବହନ କରି ଚାଲିଥିବ ଆଜୀବନ ? ଗୋଟାଏ ସେଣ୍ଟିମେଣ୍ଟ୍ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ପ୍ରତିଦିନ ଗୀତା ବିରକ୍ତ ହୋଇ ଆସିଛି । ଶହ ଶହ ଟଙ୍କା ରୋଜଗାର କରି ଘରେ ଦେଇଛି, ଓଭର୍‍ଟାଇମ୍ କରିଛି, ଟିଉସନ୍‌ କରିଛି; ତଥାପି ଘରର ଗୁଜୁରାଣ ମେଣ୍ଟି ନାହିଁ କି ଘରେ କେହି ସନ୍ତୁଷ୍ଟ ହୋଇ ତାକୁ ହସହସ ମୁହଁରେ ଅପେକ୍ଷା କରି ନାହିଁ । ସତେ ଯେପରି ସେ ଗୋଟାଏ ମେସିନ୍‌, କାମ ତା’ର ନିର୍ଦ୍ଦିଶ୍ଟ । ତା’ପାଇଁ କୌଣସି ପ୍ରତିକ୍ରିୟା ନାହିଁ ।

 

ସବୁଠୁ ମୁସ୍କିଲ୍‍ରେ ପକେଇଛି ତାକୁ ରୀତା । କ’ଣ ହୋଇଛି ତା’ର କେଜାଣି, ଆଜିକାଲି ଗୁମ୍‌ ହୋଇ ବସୁଛି, ପଚାରିଲେ ଦଶ ଥରରେ ପ୍ରଶ୍ନର ଉତ୍ତର ଦେଉଛି । ଘରେ ଦୁଇ ଓଳି ସାଧାରଣ ଭାତ, ଡାଲି ରାନ୍ଧିବା ବ୍ୟତୀତ ତା’ର ଅନ୍ୟ କିଛି କାମ ନାହିଁ । ଆଜିକାଲି ସେତିକି ମଧ୍ୟ ସେ କରୁନାହିଁ । ମୁଣ୍ଡ କ’ଣ ହେଉଛି କହି ବିଛଣାରେ ଶୋଇରହୁଛି । ବୋଉ ତ ଅନ୍ଧ, ସେ ଜାଣିବ କ’ଣ-? ଟାଣ କରି କିଛି କହିଲେ କେବଳ ତା’ର ମୁଦ୍ରିତ ଆକ୍ଷିରୁ ଦୁଇ ଟୋପା ଲୁହ ଝରିପଡ଼ିବ ।

 

ଏଥିରେ ଗୀତା କ’ଣ କରିପାରେ ? କିଛି ତା’ର ଆଉ ଅଧିକ କରିବାର ଅଛି କି ? ବହୁଦିନ ଧରି ଏ ପ୍ରଶ୍ନ ନିଜକୁ ପଚାରେ ସେ ଥକିଗଲାଣି ।

 

ଠକ୍‌ ଠକ୍‌ ଶବ୍ଦ ହେଲା । କିଏ ଜଣେ ଆସୁଛି । ଅଯଥାରେ ଏଇ ଅଫିସ୍‍ରେ ଲୋକଗୁଡ଼ାକ ଯେ କାହିଁକି ତାକୁ ବିରକ୍ତ କରନ୍ତି ?

 

ଅସଲ ପାଜି ଯାହାକୁ କହନ୍ତି ପ୍ରକୃତରେ ସଇତାନ ସେଇ କୁଳମଣି । ଦାନ୍ତ ନେଫେଡ଼ି ଆସି ଛିଡ଼ା ହୋଇଛି । ଗୀତା ମୁଣ୍ଡଟେକି ପ୍ରଶ୍ନବାଚକ ଆଖିରେ ଚାହିଁଲା ।

 

‘‘କ’ଣ କାମ ସରି ନାହିଁ ? ସବୁଦିନେ ତ ତୁମେ ଫାଷ୍ଟ୍‌ ହୁଅ–ଆଜି ଲେଟ୍‌ କାହିଁକି ? କୁଳମଣି ପ୍ରଶ୍ନ କଲା ।

 

‘‘ଆପଣଙ୍କୁ ଫାଷ୍ଟ୍‌ ପୋଜିସନ୍‌ ଦେବାପାଇଁ । ଗୀତା ଝର୍କା ବାହାରକୁ ଚାହିଁ ଉତ୍ତର ଦେଲା-

 

‘‘ଆଚ୍ଛା ! କ’ଣ କାମ ଅଛି ଦିଅ, ମୁଁ ହେଲ୍‌ପ କରିଦେବି ।’’

 

‘‘ନା, ନା ସରିଗଲାଣି ତ । ଆପଣ ଯାଆନ୍ତୁ ମୁଁ ଆଉ ମାତ୍ର ପନ୍ଦର ମିନିଟ୍‌ ନେବି । ମୁଣ୍ଡଟା ଭାରି ବିନ୍ଧୁଥିଲା ନା, ସେଇଥିପାଇଁ... ।’’

 

‘‘ମୁଁ ତ କହୁଛି ସେଇଥିପାଇଁ ମୁଁ ଆସିଲି । ମୁଁ ବୁଝିପାରେ ନାହିଁ, କୌଣସି କଥା କହିଲେ ତୁମେ ଏମିତି ଅବାନ୍ତର ମନେକର କାହିଁକି ? ଅନ୍ୟ ସମସ୍ତଙ୍କ ସଙ୍ଗରେ ତ ବେଶ୍‌ ହସଖୁସିରେ କଥାବାର୍ତ୍ତା କର, ମୋର ଅପରାଧଟା ବାସ୍ତବିକ କେଉଁଠି ମୁଁ ବୁଝିପାରୁ ନାହିଁ ।’’ ‘‘ମୁସ୍କିଲ୍ ! ମୁଁ ତ ଆପଣଙ୍କ ସାହାଯ୍ୟ ଦରକାର କରୁନି; କିନ୍ତୁ ମୋପାଇଁ ଆପଣ ଏତେ ବ୍ୟସ୍ତ କାହିଁକି ହଉଛନ୍ତି ?’’

 

‘‘କାହିଁକି ହୁଏ ତା’ ତୁମେ ବୁଝିପାରିବନି ଗୀତା । ତୁମ ଭିତରେ ମୋପାଇଁ ଯେ ସାମାନ୍ୟ କରୁଣା ନାହିଁ–ଏ କଥା ମୁଁ କ’ଣ ବୁଝିପାରୁ ନାହିଁ ? ତଥାପି ମନଟା ବ୍ୟସ୍ତ ହୁଏ ।’’

 

ଗୀତା ବଲବଲ କରି କୁଳମଣିର ମୁହଁକୁ ଚାହିଁଲା । ଲୋକଟା ଉପରେପଡ଼ି ସୁଆଗ ଦେଖାଏ । ଫାଜିଲାମି କରି କଥା କହେ ବୋଲି ଗୀତା ଚିଡ଼ିଯାଏ । ଅନ୍ତତଃ ଜଣେ ବିବାହିତା ପୁରୁଷଠାରୁ ଏପରି ଚାଟୁବାକ୍ୟ ଶୁଣିବାକୁ ସେ ଚାହେଁ ନାହିଁ । ଘୃଣାରେ କୁଳମଣି ପ୍ରତି ଗୀତାର ମନଟା ବିଷାକ୍ତ ହୋଇଉଠେ !

 

‘‘ଗୀତା !’’

 

ଗୀତା ଜାଣିଲା କୁଳମଣି ସୁବିଧା ପାଇ ତା’ର ହାଡ଼ୁଆ ହାତଟି ଚେୟାର ଉପରେ ଲଦି ଦେଇଛି ଏବଂ ସମୟ ଓ ନିର୍ଜନତାର ଏକ ସୁବିଧା ଉଠେଇ ନେବାକୁ ସେ ଡେରିକରିବ ନାହିଁ । କଠୋର କଣ୍ଠରେ ଗୀତା କହିଲା–

‘‘ଆପଣଙ୍କ ମୁଣ୍ଡ ଖରାପ ନା କ’ଣ ? ଏମିତି ଫାର୍ସ୍ କରିବାକୁ ଆପଣଙ୍କୁ ଲଜ୍ଜା ହେଉ ନାହିଁ ? କୁଳମଣି ହଠାତ୍‌ କହି ପକେଇଲା–‘‘ତୁମର ଏଇଟା ଭୁଲ୍‌ ଧାରଣା । ମୁଁ ତୁମ ଦୁଃଖରେ ଦୁଃଖୀ ଗୀତା ! ମୁଁ ବିବାହ ନ କରିଥିଲେ ଏ କଥାର ପ୍ରମାଣ ଦେଇଥାନ୍ତି । କିନ୍ତୁ ମ୍ୟାନେଜର ସହିତ ତୁମେ ଅବାଧରେ ମିଳାମିଶା କରୁଛ, ସେ ଟୁର୍‌ରେ ଗଲାବେଳେ ସଙ୍ଗରେ ଯାଉଛି, ହସି କରି କଥା କହୁଛ, ଆଉ ମୋ ବେଳକୁ ପୁରାଣ ଅଶୁଦ୍ଧ ହେବ କାହିଁକି ? ବାପ ଆଉ ପୁଅ ଦୁଇ ଜଣଙ୍କୁ ସନ୍ତୁଷ୍ଟ କଲାବେଳେ ତୁମକୁ ଲାଜମାଡ଼ୁ ନାହିଁ ?’’ ରାଗରେ ଗୀତା ବୁଲିକରି ଅନେଇଲାକ୍ଷଣି କୁଳମଣି ନଇଁପଡ଼ି ଗୀତାର ଗାଲରେ ଏକ ଉଷ୍ମ ଚୁମ୍ବନ ଆଙ୍କି ଦେଇ ଦୁଇ ବାହୁ ମେଲେଇ ତାକୁ ଗଭୀର ଆଲିଙ୍ଗନରେ ଜଡ଼ାଇ ଧରିଲା ।

ଗୀତା ଅଣନିଃଶ୍ୱାସୀ ହୋଇ କ’ଣ କହିବାକୁ ଯାଉଥିବା ସମୟରେ କୁଳମଣି ତାକୁ ପେଲିଦେଇ ଦ୍ୱାରମୁହଁକୁ ଯାଉ ଯାଉ କହିଲା–‘‘ବୃଥାରେ ପାଟିତୁଣ୍ଡ କରନା ଗୀତା ! ଅପବାଦଟା ତୁମକୁହିଁ ଲାଗିବ...? ମ୍ୟାନେଜର ତୁମକୁହିଁ ଦୋଷ ଦେବେ ।’’

କୁଳମଣି ଚାଲିଗଲା ଜୋତା ଠକ୍‌ ଠକ୍‌ କରି । ଆଖି ପିଛୁଳାକେ ଘଟଣାଟି ଘଟିଗଲା । ନିଜେ କିଛି ବୁଝିବା ପୂର୍ବରୁ କାମ ସାରି ବାହାରିଗଲା କୁଳମଣି । ଅପମାନ ଲଜ୍ଜାରେ ଝାଉଁଳି ପଡ଼ି ଗୀତା ଟେବୁଲ୍‌ ଉପରେ ମୁହଁମାଡ଼ି ଶୋଇରହିଲା । ସତେ ଯେପରି ବହୁଦିନ ଧରି ସେ ରୋଗାକ୍ରାନ୍ତ, ତା’ର ଆଉ ଚାଲିବାପାଇଁ ଟିକିଏ ହେଲେ ଶକ୍ତି ନାହିଁ ।

ସମଗ୍ର ଦେହରେ ବିଷର ପ୍ରକ୍ରିୟା ନେଇ ଗୀତା ପଦାକୁ ଆସିଲା । ଅଫିସ୍‍ରେ କାଁଭାଁ ଲୋକ ଅଛନ୍ତି । ସୂର୍ଯ୍ୟ ଅସ୍ତ ହୋଇଗଲେଣି ଅନେକ ବେଳୁ । ଆସନ୍ନ ସନ୍ଧ୍ୟାରେ ପୃଥିବୀ ତା’ପାଇଁ ହୋଇ ଉଠିଛି ବିଷାକ୍ତ ।

ଗେଟ୍‌ ଖୋଲି ନ ଯାଉଣୁ ଦରୁଆନ ସଲାମ ଦେଇ କହିଲା–‘‘ଆଜ୍ଞା ! ସାହେବ ଡାକୁଛନ୍ତି ।’’

ଗୀତା ଯନ୍ତ୍ର ପରି ମ୍ୟାନେଜରଙ୍କ ରୁମ୍‌ ଆଡ଼କୁ ଆଗେଇଗଲା । ମ୍ୟାନେଜର ଆଉ କେହି ନୁହନ୍ତି, ଆଲୋକର ବାପା । ମ୍ୟାନେଜର ବାହାରି ଆସି ଛିଡ଼ା ହୋଇଛନ୍ତି ବାରଣ୍ଡାରେ ! ଗୀତାକୁ ଦେଖିଦେଇ କହିଲେ–

‘ଦେଖ ଗୀତା ! ମୁଁ ତୁମର ଭଲପାଇଁ କହୁଛି ! ତୁମ ଘରର ଅବସ୍ଥା ମୁଁ ଜାଣେ, ଆଲୋକ ମତେ କହିଛି ! ତୁମର ଯଦି ଆପତ୍ତି ନ ଥାଏ ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି । ତୁମ ଘରର ଦାୟିତ୍ୱ ଏଣିକି ସମ୍ପୂର୍ଣ୍ଣ ଭାବରେ ମୋର !’’

ଗୀତା ଚମକିଲା ପରି ମ୍ୟାନେଜରଙ୍କ ମୁହଁକୁ ଚାହିଁଲା । ଷାଠିଏବର୍ଷ ବୟସ ଅତି କମ୍‌ରେ ହେବ ଏବଂ ସେ ପୁଣି ଆଲୋକର ବାପା । ସ୍ୱପ୍ନ କି ସତ୍ୟ ସେ ବୁଝି ପାରିଲା ନାହିଁ ।

‘‘ମୁଁ ଆଜି ତୁମ ଘରକୁ ଯାଇ ମା’ଙ୍କ ସଙ୍ଗରେ କଥାବାର୍ତ୍ତା କରି ଆସିଛି । ମୋର ଆଜି ଗୋଟାଏ ଜରୁରୀ ମିଟିଙ୍ଗ୍ ଅଛି । ମୁଁ କାମ ସାରି ରାତି ଆଠଟାବେଳେ ତୁମକୁ ତୁମ ଘରେ ଦେଖାକରି ଡେଟ୍‌ ଫାଇନାଲ୍ କରିବି ।’’

ଗୀତା କ’ଣ କହିବ ବୁଝିପାରୁ ନଥିଲା । ମୁହଁପୋତି ସେ ଧୀରେ ଧୀରେ ଗେଟ୍‌ଆଡ଼କୁ ଆଗେଇଗଲା । ମ୍ୟାନେଜରଙ୍କ ନୀଳରଙ୍ଗର ଫିଆଟ୍‌ ଗାଡ଼ିଟି ଧୂଳି ଉଡ଼େଇ ଚାଲିଗଲା ତା’ ଆଖି ସାମ୍ନାରେ ।

 

ଏବେ ଗୀତା କ’ଣ କରିବ ? ଘଣ୍ଟାକୁ ଚାହିଁ ସେ ଜାଣିଲା ସାତଟା ବାଜିବାକୁ ଅଳ୍ପ ସମୟ ବାକି । ଆଲୋକ ନଦୀକୂଳରେ ବସି ବସି ଅନେକ ଥର ପରି କ୍ଳାନ୍ତି ନେଇ ଫେରିଯିବଣି ! କାହାକୁ କହିବ ସେ ତା’ର ଦୁଃଖ ? ଅନ୍ତତଃ ଆଲୋକକୁ ତ ଏ କଥା କୁହାଯାଇ ପାରିବନି । ଶୁଣିଲେ ହୁଏତ ସେ ସନ୍ଦେହ କରିପାରେ ।

 

ଗୀତା ରାସ୍ତା ଉପରେ ଛିଡ଼ାହୋଇ, ଗାଡ଼ି ମଟରକୁ ଚାହିଁ ଯେପରି ଜୀବନରେ ପ୍ରଥମ ଥରପାଇଁ କାବା ହୋଇଗଲା । ଆଖି ତା’ର ଜଳକା ମନହେଲା, କାନ କୌଣସି ଶବ୍ଦ ଗ୍ରହଣ କରି ପାରିଲାନି ।

 

ଆଲୋକ, ତା’ର ବାପା ! କିଏ ? ଏକ ବିଷାକ୍ତ ସର୍ପ ଦଂଶନରେ ଯେମିତି ଗୀତାର ଦେହ କମ୍ପୁଥିଲା । ନା ନା, ଏଥିରୁ ମୁକ୍ତିପାଇବାକୁ ହେଲେ ନଦୀର ଶୀତଳ ବକ୍ଷହିଁ ଏକମାତ୍ର ଭରସା-। ଆଲୋକ ସେଠି ନ ଥିବ । ନିର୍ବିକାରରେ ।

 

ଗୀତା ଦଉଡ଼ିଲା ପରି ଚାଲିଲା । ସତେବା ଆଲୋକପାଇଁ ପ୍ରତୀକ୍ଷିତ ମୁହୂର୍ତ୍ତକୁ ସେ ଉଦ୍‌ବିଗ୍ନ ହୋଇ ଭେଟିବାକୁ ଧାଉଁଥାଏ ।

 

ହଠାତ୍‌ ଲୋକଗହଳି ଭିତରୁ କିଏ ତା’ର ନାଁ ଧରି ଡାକ ପକାଇଲା । ଜୀବନରେ କୌଣସି କାମ ସ୍ୱଇଚ୍ଛାରେ, ନିର୍ବିଘ୍ନରେ ସେ କେବେହେଲେ କରିପାରିନି ।

 

କିଏ ? ଏ ଯେ ଆଲୋକ ! ରାସ୍ତା ସେପଟରେ ତାକୁ ଅଟକିବା ପାଇଁ ପାଟି କରି କହୁଛି-। ଓଃ... ! ହେ ଭଗବାନ ! ଭଗବାନ ବୋଧେ ତା’ ଡାକ ଶୁଣିଲେ କି କ’ଣ ନିମିଷକରେ ଚତୁର୍ଦ୍ଦିଗ ଅନ୍ଧକାର ହୋଇଗଲା ଏବଂ ଚଟ୍‌କରି ଡାହାଣ ପଟକୁ ବୁଲିପଡ଼ି ଗୀତା ଲୋକଗହଳିରେ ମିଶିଗଲା-। ଆଲୋକ କ’ଣ ଡାକୁଛି କି ? ତା’ର କଣ୍ଠ ଭଳି ଶୁଭୁଛି, ଧୁତ୍‌ !!

 

[ତିନି]

 

ଦଉଡ଼ିଲା ପରି ପ୍ରାୟାନ୍ଧକାରରେ ଗୀତା ଚାଲୁଥିଲା । ଅଭ୍ୟାସବଶତଃ ନିର୍ଜନ ରାସ୍ତାରେ ମୁଣ୍ଡରେ ଲୁଗାଟା ଦେଇଥିଲା ସେ । ବାରମ୍ବାର ଆସି ପଡ଼ୁଥିଲା ପଣତଟି ଏବଂ ତାହାହିଁ ଥିଲା ଆଲୋକପାଇଁ ଭିଡ଼ ଭିତରେ ଗୀତାକୁ ଅନୁସରଣ କରି ଚାଲିବାର ଏକମାତ୍ର ମାଧ୍ୟମ ।

 

ଗୀତାକୁ ଲାଗୁଥିଲା ଶହ ଶହ ମ୍ୟାନେଜର, କୁଳମଣି ତା’ର ପିଛାଧରି ଦୌଡ଼ୁଛନ୍ତି ଏବଂ କେଉଁ ଜନ୍ମକାଳରୁ ସମସ୍ତଙ୍କଠାରୁ ଏପରିକି ନିଜଠାରୁ ଦଉଡ଼ି ଦଉଡ଼ି ଭୀତତ୍ରସ୍ତ ହରିଣୀ ପରି ସେ ଘନ ଅରଣ୍ୟରେ ବ୍ୟାଧ ଭୟରେ ଧାଇଁଛି । କିନ୍ତୁ ଧାଉଁଛି କୁଆଡ଼େ ? କାହିଁକି ? କାହା ପାଖକୁ ? ଆଲୋକ ପାଖକୁ ? ତା’ କଥା ଭାବିଲେ ଗୀତା ଖୁସି ହୁଏ ନାହିଁ କି କାନ୍ଦିପାରେ ନାହିଁ । ଆଲୋକକୁ ଆଜିଯାଏଁ ସେ ବୁଝିନାହିଁ, ବୁଝେଇ ଦେବାକୁ ଆଲୋକ ମଧ୍ୟ କେଉଁଦିନ ଆଗେଇ ଆସିନି । ଯଦିଓ ପ୍ରତିଦିନ ପ୍ରାୟ ତା’ ସହିତ ଦେଖାହେଉଛି ଗୀତାର । ନା, ନା, ବେକାର; ଆଲୋକ ପାଖକୁ ଧାଇଁଯାଇ ହାସ୍ୟାସ୍ପଦ ହେବାର କ’ଣ ଆଉ ପ୍ରୟୋଜନ ? ଆଲୋକ ତ ବିଚ୍ଛୁରିତ ହୋଇ କେବେ ତାକୁ ସ୍ପର୍ଶ କରିନାହିଁ... ।

 

ଆଲୋକ ଗୀତା ପଛରେ ଧାଇଁ ଧାଇଁ କ୍ଳାନ୍ତ ହୋଇପଡ଼ିଲା । ଗୀତା ବୋଧହୁଏ ପ୍ରକୃତରେ ଆଗରେ ଚାଲୁଥିବା ମହିଳାଟି ନୁହେଁ...ଏତେ ଦିନ ପରେବି ଆଲୋକର ଗୀତାକୁ ନେଇ ଭ୍ରମ ହୋଇପାରେ ?

 

ରାସ୍ତା ନିର୍ଜନ ଦେଖି ଆଉଥରେ ଚିଲର କଲା–

 

‘‘ଗୀତା ! ଗୀତା !’’

 

ଗୀତାର ଗତି ମନ୍ଥର ହେଲା । ଦେହରୁ ଝାଳ ସରସର ବୋହିଯାଉଛି । ଆଉ ପାରିବନି–ଦମ୍‌ ଚାଲିଯାଉଛି...ଟଳି ଟଳି ରାସ୍ତାକଡ଼ରେ ବସିପଡ଼ିଲା ଗୀତା ଦୁଇ ଆଣ୍ଠୁ ମଝିରେ ମୁହଁ ଚାପି ।

 

ଏଇ ଅବସରରେ ଆଲୋକ ଧାଇଁଯାଇ ଗୀତାକୁ ଉଠେଇ ନେଇ ପଚାରିଲା–

 

‘‘କ’ଣ ହେଲା ? ମୁଁ ଏତେ ଡାକୁଛି, ତୁମେ ଶୁଣିପାରୁନ ଗୀତା ?’’

 

‘‘କାହିଁ କେତେବେଳେ, ମୁଁ ତ ଶୁଣିନି !’’ ଗୀତା କୋହ ଚାପି କହିଲା ।

 

ଆଲୋକ ଗୀତାର ହାତ ଧରି ଉଠେଇ ଦେଲା ଓ ଆଶ୍ଚର୍ଯ୍ୟ ହୋଇ ତା’ର ମୁହଁକୁ ଚାହିଁ ପଚାରିଲା–

 

‘‘ତମର କ’ଣ ହେଲା ଗୀତା ? ତୁମେ ଏତେ କ୍ଳାନ୍ତ...ଘରେ କିଛି... ।’’

 

‘‘ଓଃ । ମତେ ଏଠି ଏକା ଛାଡ଼ି ଦେଇ ତମେ ଚାଲିଯାଅ...ତୁମକୁ ଭଲ ପାଇଥିଲି ବୋଲି ତୁମର ମଙ୍ଗଳପାଇଁ ଏତିକି କହୁଛି ଆଲୋକ । ତୁମେ ମୋର ଯନ୍ତ୍ରଣା ନେଇ ପାରିବନି...କେବଳ, କେବଳ... ।’’

 

‘‘ଗୀତା !’’

 

ନୀରବତା ଚତୁର୍ଦ୍ଦିଗରେ । ରାସ୍ତାରେ କେହି ନାହିଁ, ଆଲୋକ ଦୁଇ ହତ ଧରି ଗୀତାକୁ ପୁଣି ଆଉଥରେ ଉଠେଇ ଦେଲା ତଳୁ । ଗୀତାର ମୁଦ୍ରିତ ଆଖିରୁ ଅଶ୍ରୁର ସ୍ରୋତ ଛୁଟିଥିଲା । ତା’ର ଈଷତ୍‌ ଉଚ୍ଚ କପାଳ ଉପରେ ବିନ୍ଦୁ ବିନ୍ଦୁ ଝାଳ ଜଡ଼େଇ ଧରିଥିଲା କେତୋଟି ଚୂର୍ଣ୍ଣକୁନ୍ତଳ । ଓଠ ଦୁଇଟି ଯେପରି କ’ଣ କହିବେ କହିବେ ହୋଇ କିଛି କହିପାରୁ ନଥିଲେ ।

 

ଆଲୋକ ଶକ୍ତ ଭାବରେ ଗୀତାର ହାତଧରି ନିର୍ଦ୍ଦେଶଦେଲା ଭଙ୍ଗୀରେ କହିଲା–

 

‘‘ଗୀତା ! ଆଖି ଖୋଲି ଏବଂ ସାମ୍ନାକୁ ଘୂରି ଚାହଁ ।’’

 

‘‘ନା, ମୁଁ ପାରିବିନି । ତୁମେ ଚାଲିଯା ଆଲୋକ...ଚାଲିଯା !’’

 

‘‘ମୁଁ ଆଜି ଚାଲିଯିବାକୁ ଆସିନି । ମୁଁ ଆଜି ତୁମକୁ ନେଇଯିବାକୁ ଆସିଛି !’’

 

‘‘କୁଆଡ଼େ ? ପାଗଳଙ୍କ ଭଳି କଥା କୁହନା ଆଲୋକ ।’’

 

‘‘ମୁଁ ପାଗଳ ନୁହେଁ ଗୀତା ! ମୁଁ ଚାହେଁ ଆମେ ଏଇ ଏ ସହର ଛାଡ଼ି ଚାଲିଯିବା । ଅନ୍ତତଃ ପ୍ରଭାତ ହେଲାବେଳକୁ ଆମେ ଅନ୍ୟ ଏକ ସହରରେ ଥିବା... । ତୁମେ ମୋଠାରେ ବିଶ୍ୱାସ ରଖ ଗୀତା ।

 

ଗୀତା ଆଖିଖୋଲି ଚାହିଁଲା ଆଲୋକକୁ ଏବଂ ବିସ୍ମିତ କଣ୍ଠରେ ପଚାରିଲା–

 

ସତ କହୁଛ ? ଚାଲ ଆଲୋକ, ଆମେ ଏଇ ମୁହୂର୍ତ୍ତରେ ଚାଲିଯିବା...

 

‘‘କିନ୍ତୁ, କିନ୍ତୁ... ।’’

 

‘‘ଘରେ ଖବର ନେବା କଥା ଭାବୁଛ ? ବଳେ ଜାଣିଯିବେ । କିଏ ତୁମକୁ ଘରେ ଅପେକ୍ଷା କରିଛି ?’’

 

ଗୀତା କହିଲା–

 

‘‘ତୁମ ଘରେ ? ବାପା, ତୁମର...!’’

 

‘‘କେହି ନାହିଁ ! ଚାଲ, ଆମେ ଏଇ ମୁହୂର୍ତ୍ତରେ ଚାଲିଯିବା ! ଭୀଷଣ ବୋର୍‌ ଲାଗୁଛି ଏଠାରେ ମତେ !’’

 

ଦୁହେଁ ଚାଲୁଥିଲେ ଦୌଡ଼ିଲା ପରି ସାମ୍ନାକୁ ! ଆଲୋକ ଆଉ ଗୀତା–ଗୀତା ଆଉ ଆଲୋକ ! ଚତୁର୍ଦ୍ଦିଗରେ ଅଗ୍ନାଅଗ୍ନି ବନସ୍ତ ! ଧନୁଶରଟି କାନ୍ଧରେ ପକାଇ ବ୍ୟାଧଟି ସନ୍ତର୍ପଣରେ ଶୁଖିଲା ପତ୍ର ଉପରେ ଅନୁସରଣ କରୁଥିଲା ସେମାନଙ୍କୁ । କିନ୍ତୁ ସେମାନେ ଅଟକି ଯାଉ ନଥିଲେ ଅନ୍ୟଦିନ ପରି–ଯାଉଥିଲେ ଆଗକୁ ଆଗକୁ ! ଗୀତା ଆଉ ଆଲୋକ–ଆଲୋକ ଆଉ ଗୀତା !!!

✽✽✽

 

ସ୍ଥିର ତରଙ୍ଗ

 

ସିନେମା ହଲଠାରୁ କିଛି ଅଳ୍ପ ଦୂରରେ ଥିବା ଷ୍ଟେସନାରି ଦୋକାନରେ କୌଣସି ନିର୍ଦ୍ଦିଷ୍ଟ ଜିନିଷ କଣିବାର ନ ଥାଇ ମଧ୍ୟ କେବଳ କିଣିବାର ଛଳନାରେ ଅଧଘଣ୍ଟାଏରୁ ଅଧିକ ଊର୍ଦ୍ଧ୍ୱ ସମୟ ଅତିବାହିତ କରିସାରିଲା ପରେ ସରିତା ବିରକ୍ତ ହୋଇଉଠିଲା । ବାସ୍ତବିକ ଆଲୋକର ମୋଟେ ସମୟ ଜ୍ଞାନ ନାହିଁ । କୌଣସି ଦିନ ସେ ଠିକ୍‌ ସମୟରେ ଆସିବନି, ବିଳମ୍ବରେ ପହଞ୍ଚି ଆଜେବାଜେ ଗୁଡ଼ାଏ କଥା କହିବ । କେତେଥର ଭାବିଲାଣି ସରିତା ଆଲୋକ ସହିତ କିଛି ସମ୍ପର୍କ ରଖିବନି । ଏମିତି ହୀରାଟାଏ ଯେ ତା’ ପଛରେ ସେ ପଢ଼ାପଢ଼ି ଛାଡ଼ି, ସାଙ୍ଗସୁଖ ସବୁ ଏଡ଼ାଇଦେଇ ଗପ କରିବାକୁ ଧାଇଁ ଆସିବ । ମାତ୍ର ହେଲା ନାହିଁ । କ’ଣ ହୁଏ କେଜାଣି, ଆଲୋକ ମୁହଁ ଶୁଖାଇ ଠିଆହୋଇଗଲେ ସବୁ ପ୍ରତିଜ୍ଞା ତା’ର ଫସର ଫାଟିଯାଏ ।

 

ହାତଘଣ୍ଟାକୁ ଚାହିଁ ଚମକି ପଡ଼ିଲା ସରିତା । ଆଉ ମାତ୍ର ପନ୍ଦର ମିନିଟ୍‌ ରହିଲା ପ୍ଲେ ଆରମ୍ଭ ହେବାକୁ । ସକାଳେ ତାକୁ ଗୋଟାଏ ପିଲା ହାତରେ ଚିଠି ପଠାଇ ଖୋସାମତ କରିଥିଲା ଯେପରି ଦୁଇଟା ଟିକଟ କାଟି ସିନେମା ହଲ ଷ୍ଟେସନାରି ଦୋକାନରେ ଅପେକ୍ଷା କରିଥାଏ । କମ୍‌ ଏଥିପାଇଁ ସରିତାକୁ ପରିଶ୍ରମ କରିବାକୁ ପଡ଼ିଛି ! ଖାଲି ଘରର କିଏ ସିନେମା ହଲକୁ ଯାଉଛି କି ନାହିଁ ବୁଝିଲେ ତ ଚଳିବନି, ତା’ ସାଙ୍ଗ କିଏ ଯାଉଛନ୍ତି କି ନାହିଁ, ଏମିତିକି ଚିହ୍ନାପରିଚୟ କିଏ ଯିବେ କି ନାହିଁ, ତା’ ମଧ୍ୟ ବୁଝିବାକୁ ହେବ । ସିନେମାଟା ବେଶ୍‌ ରୋମାଣ୍ଟିକ୍‌, ଏତେ ରୋମାଣ୍ଟିକ୍‌ ହୋଇ ହିଟ୍‌ କରିଛି ଯେ, ସାରା ସହରରେ ଲୋକଭିଡ଼ ମାସେହେଲା ଲାଗି ରହିଛି । ବ୍ଲାକ୍‌ରେ ମଧ୍ୟ ଟିକଟ ମିଳିବା ସମ୍ଭବ ନୁହେଁ । କେତେ କଷ୍ଟରେ ଯୋଗାଡ଼ କରିଛି, କେତେ ମିଛ କଥା କହି ଘରୁ ଆସିଛି ତା’ର ଠିକଣା ନାହିଁ, ଅଥଚ ବାବୁଙ୍କର ଦେଖା ନାହିଁ ।

 

ସରିତା ରାସ୍ତା ଉପରକୁ ଉଠିଲା, ଛାତି ଧଡ଼ଧଡ଼ ହେଉଛି । ଝାଳରେ ଦେହ ଅଠା ଲାଗୁଛି । ଦାନ୍ତରେ ଓଠକୁ କାମୁଡ଼ି ରାଗରେ ଲିପ୍‌ଷ୍ଟିକ୍‌ ସବୁ ଲିଭିଗଲାଣି । ଯାଉ, ଭଲ ହୋଇଛି । କାହିଁକି ସେ ସାଜିସୁଜି ଆସିବ ? ଆଲୋକର ଯେଉଁ ଟେଷ୍ଟ ନା, ସେଥିରେ ଯାହା ପିନ୍ଧିଲେବି ଚଳିବ-। କେଉଁଠିକାର ଜଙ୍ଗଲୀଟାଏ । କେବେ କେମିତି ଗେହ୍ଲେଇ ହେଇ ସେ ଯଦି ପଚାରେ ଶାଢ଼ି ତାକୁ କେମିତି ମାନୁଛି କି ହାରଟା କେମିତି ହେଇଛି, ତେବେ ଆକାଶରୁ ପୃଥିବୀକୁ ପ୍ରଥମେ ପାଦଦେଲାପରେ ଆଶ୍ଚର୍ଯ୍ୟ ହୋଇ ଆଲୋକ ହସିଦେଇ କହେ, ‘‘ଯାହା ପିନ୍ଧ, ସବୁଥିରେ ତୁମେ ସୁନ୍ଦର ଦେଖାଯାଅ ।’’

 

ଏମିତିଆ କଥା ଭଲା କିଏ କହେ ? ଇଡ଼ିଏଟ୍‌ ତାରିଫ କରି କେମିତି ପଦେ କହିବାକୁ ହୁଏ ନିଜ ବିଲଭଡ଼୍‌କୁ ଜାଣିନି । ଇଂରାଜୀରେ ଏମ.ଏ. ପଢ଼ୁଛି ନା ହଳ କରୁଛି କେଜାଣି ? ସତରେ, ଆଲୋକକୁ ବିଶ୍ୱାସ କରିବା କଷ୍ଟକର ବ୍ୟାପାର । କୋଉ ଗୁଣ ଦେଖି କେଜାଣି ତା’ ପ୍ରେମରେ ପଡ଼ିଗଲା ? ସବୁଠୁ ପୁରୁଷ ପିଲାର ଯେଉଁ ସମୟ ଜ୍ଞାନ ସେଇଟା ତ ତା’ର ନାହିଁ । ଆଉ କ’ଣ ଥିବ ଯେ ?

 

ନିଜର କୃତକର୍ମ ପାଇଁ ନିଜକୁ ଅପରାଧୀ କରିବା ଛଡ଼ା ଆଉ ସରିତାର କିଛି ଉପାୟ ନାହିଁ । ଗଲା ବର୍ଷ ଭାଇ ସରିତା ସାଙ୍ଗରେ ପଢ଼ୁଥିବା ଝିଅଟିକୁ ରେଜିଷ୍ଟ୍ରି ମ୍ୟାରେଜ୍‌ କରି ପଳାଇଲା-। ବାପା ବୋଉ ବାଡ଼େଇପିଟି ହେଲେ; ମାତ୍ର ନୂଆବୋଉ ଯେମିତି ଘରକୁ ଆସିଲା ସମସ୍ତେ ସାଲିସ୍‌ କରିନେଲେ । ସରିତା ସମସ୍ତଙ୍କୁ ବୁଝେଇ ଦେଇଥିଲା ଭାଇର ବାହାଘର, ତାଙ୍କର ଖୁସିରେ ସମସ୍ତେ ଖୁସିହେବା କଥା । ନୂଆବୋଉଟାବି ଭାରି ଭଲ ! ହେବନି ? ଭାଇ ତାକୁ କ’ଣ କମ୍ ଭଲପାଏ-? ବାହାଘର ପୂର୍ବରୁ ସରିତା ହାତରେ ଲୁଚେଇ ଲୁଚେଇ ଚିଠିଦିଏ । ଏକାନ୍ତ ଅନୁଗତ ପରି ମୁହଁପୋତି ଚିଠି ଦେଇଯାଏ ଏବଂ ବାଟରେ ଚିଠିଟି ପଢ଼ିନେଲେବି ସରିତା ନେଇ ସ୍ୱପ୍ନା ହାତରେ ଦେଇ ଆସେ-। ଇସ୍‌ ! ଭାଇଟା ତ ଡାକ୍ତର–ରୋଗୀ, ମଳ, ମୂତ୍ରରେ ତା’ର ଦିନରାତି କଟେ, ଅଥଚ ସ୍ୱପ୍ନାକୁ କି ସୁନ୍ଦର ଚିଠି ଲେଖେ–‘‘ପ୍ରାଣର ସ୍ୱପ୍ନା’’, ‘‘ଆଦରର ସ୍ୱପ୍ନା’’, ‘‘ଡିଅରେଷ୍ଟ ଡାର୍ଲିଂ’’ ଏମିତି କେତେ ଆଦର କେତେ ସମ୍ବର୍ଦ୍ଧନା । ଏବେବି ତ ଗଲା କାଲି ନୂଆବୋଉକୁ କହୁଥିଲା ‘‘ନାଲି ଶାଢ଼ିଟା ଭାରି ଭଲ ଲାଗୁଛି’’ ମୁଣ୍ଡରେ ଟିପାଟା ଆଉ ଟିକେ ବଡ଼କରି ପିନ୍ଧ’’ ଇତ୍ୟାଦି । ହେଲେ ଆଲୋକ ଦେଇ କିଛି ହେବନି ! ଲିଟରେଚର ପଢ଼ିଲେ ମଣିଷ ରିଫାଇନ୍‌ଡ଼୍‌ ହୁଏ କି ? ସଂସ୍କୃତି ନାହିଁ । କେତେ ବା ସରିତା ତାକୁ ବୁଝାଇବ ?

 

ସିନେମା ହଲ୍‌ର ଉପର ଲାଉଞ୍ଚ୍‍ରେ ଅପେକ୍ଷା କରି ଯେତେବେଳେ ସେ ଦେଖିଲା ପିକ୍‌ଚର୍ ଆରମ୍ଭ ହୋଇଗଲାଣି, ଦୁମ୍‌ଦୁମ୍‌ ହୋଇ ତଳକୁ ସିଡ଼ିଦେଇ ଓହ୍ଲାଇ ଆସିଲା ସରିତା । ଦୁଇହାତ ପାପୁଲିରେ ଟିକଟଟାକୁ ମକଚିନେଇ ସେ ତଳକୁ ଫିଙ୍ଗି ଦେଲାବେଳେ ଦେଖିଲା ଝାଳ ସରସର ହୋଇ ଆଲୋକ ତଳୁ ସିଡ଼ି ଉପରକୁ ଉଠିଆସୁଛି । ତାକୁ ଦେଖି ଫିକ୍ କରି ହସିଦେଇ ପଚାରିଲା, ‘‘କ’ଣ ଟିକଟ ମିଳିଲାନି ?’’ ‘‘ଓହ୍ଲେଇ ଆସୁଛ ଯେ ?’’ ‘‘ନାହିଁ, ଅନେଇ ବସିଥାଆନ୍ତି । ହେଇ ସେ ଟିକଟ ତଳେ ପଡ଼ିଛି, ମନ ଯଦି ସିନେମା ଦେଖିବାକୁ ତେବେ ଗୋଟେଇ ନେଇ ଚାଲିଯାଅ ।’’ ‘‘ମୋର ବେଳ ନାହିଁ, ମନ ନାହିଁ, ତମ ସଙ୍ଗେ ଦେଖିବାକୁ ମୋର ଇଚ୍ଛା ନାହିଁ । ଏହା ତ୍ରିବାର ସତ୍ୟ ।’’

 

ତା’ର ଗତିପଥକୁ ରୋଧ କରିଦେଇ ଆଲୋକ କହିଲା–

 

‘‘କୋପ ଶାନ୍ତକର ଦେବୀ । ତୁମେ ଯାହା କହିବ କହ, ମାରିବ ଯଦି ମାର, ହେଲେ କାନ୍ଦ ନାହିଁ । ଚାରିପଟେ ଲୋକ ଚାହିଁ ରହିଛନ୍ତି ଯେ !’’

 

ରୁମାଲଟା ଆଖିରେ ଚାପିଧର, ସରିତା ଆଲୋକର ହାତକୁ ଠେଲିଦେଇ କହିଲା–

 

‘‘ଛାଡ଼, ବାଟ ଛାଡ଼ ଭଲରେ । ମୋତେ ତୁମେ କ’ଣ କରି ପାଇଛ କି ? ତୁମେ ଭାବିଛ ମୁଁ ତୁମକୁ ଛାଡ଼ିଦେଲେ ସତେ ଯେପରି ମୋର କେହି ନାହିଁ ?’’ ହସି ହସି ଆଲୋକ କହିଲା–

 

‘‘କହୁନ କିଏ ସବୁ ଅଛନ୍ତି ତୁମର ? ଅନ୍ତତଃ ତା’ର ଗୋଟିଏ ଲିଷ୍ଟ ମୋ ପାଖରେ ଥିଲେ ଭାରି ଭଲହୁଅନ୍ତା ।’’ ରାଗରେ ଲାଲପଡ଼ିଯାଇ ସରିତା କହିଲା–

 

‘‘ତୁମେ ମୋତେ କ’ଣ ବୋଲି ପାଇଛ କି ? ଭାବିଛ ତୁମେ ଯେତେବେଳେ ଡାକି ଦେଉଥିବ ମୁଁ ଚାଲିଆସିବି, ଯାହା କହିବ, ତା’ କରିବି...ଅନ୍ତତଃ ତୁମେ ଯେଉଁ ଇତର ସ୍ତରର ଝିଅମାନଙ୍କ ସହ ମୋତେ ତୁଳନା କରି ରଖିଛ, ମୁଁ ସେମାନଙ୍କ ଗ୍ରୁପ୍‌ରେ ନୁହେଁ । ତୁମେ ଯେମିତି ନିଜକୁ ଭି.ଆଇ.ପି. ମନେକର... । କ’ଣ ତୁମର ଯୋଗ୍ୟତା ଅଛି ଶୁଣେ ?’’

 

ସରିତା ଆଲୋକର ହାତଟାକୁ ପେଲିଦେଇ ଖପ୍‌ଖପ୍‌ କରି ପାହାଚ ଡେଇଁ ଚାଲିଗଲା । ଏଇପରି ଗୋଟାଏ କାଣ୍ଡଜ୍ଞାନଶୂନ୍ୟ ଯୁବକକୁ ପ୍ରେମ କରି ସେ ତା’ର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ନିଜକୁ ଧିକ୍‌କାର କରିବାଛଡ଼ା ତା’ର ଯେ ଆଉ ଅନ୍ୟ ଉପାୟ ନାହିଁ, ସେ କଥା ତା’ ବ୍ୟତୀତ ଅନ୍ୟ କେହି ବୁଝେ ? ହାୟ, ଜୀବନର ପ୍ରଥମ ସ୍ୱପ୍ନ ତା’ର ସବୁଦିନ ପାଇଁ ଧୂଳିସାତ୍‌ ହୋଇଗଲା ।

 

ଏକମୁହାଁ ରିକ୍ସାରେ ବସିପଡ଼ି କାନ୍ଦ ବନ୍ଦକରିବାକୁ ଚେଷ୍ଟାକଲା । ଏତେ ଲୁହ ଆଖିରେ କେଉଁଠି ଥାଏ କେଜାଣି ତା’ର ! ରାସ୍ତାରେ ଲୋକ ଦେଖିଲେ ସେ କହିବ କ’ଣ ? ଘରେ ଫେରିଯାଇ ଚୁପ୍‌ଚାପ୍‌ ଶୋଇପଡ଼ିବାର ବାଟବି ନାହିଁ । ବାପା ପଚାରିବେ, ତୋର ଦେହ କ’ଣ ହେଲା ବୋଲି । ଆଉଁଶିବାରେ ଲାଗିବ, ନୂଆବୋଉ ସନ୍ଦେହ ଆଖିରେ ପ୍ରଶ୍ନକରି ଚାହିଁରହିବ । ଏହାଠାରୁ ଭଲ ତା’ର ମରିଯିବା...ସବୁ ସମସ୍ୟାର ସମାଧାନ, ଅପମାନ ତୁଟିଯିବ । ଆଲୋକର ମନ ମଧ୍ୟ ଶାନ୍ତ ହୋଇଯିବ । ତା’ର ମଣିଷପଣିଆ ନାହିଁ । ଥିଲେ ସିନା ତାକୁ କଷ୍ଟ କି ଯନ୍ତ୍ରଣା ହେବ । ସେତିକିରୁ ଯେତେବେଳେ ମୁକ୍ତ ସରିତା, ମରିଯିବାକୁ ତା’ର କାହିଁକି ବା କଷ୍ଟ ହେବ ? ଏ ଜୀବନରେ ସେ କିଛି ପାଇନି, ଖାଲି ଦେଇ ଦେଇ ନିଃସ୍ୱ ହେଇଯାଇଛି ।

 

କିଏ ଜଣେ ଡାକ ଛାଡ଼ୁଛି ପଛରୁ–‘‘ଏ ରିକ୍ସାବାଲା ରହ...ଏ ରିକ୍ସାବାଲା । ସରିତା ଜାଣିଲା ଆଲୋକର କଣ୍ଠ । ଟିକିଏବି ଶାନ୍ତିରେ ରଖେଇ ଦେବନି । ବାଟ ମଝିର ଆସି ହଲ୍ଲା କରୁଛି-

 

ଏଥର ଆଲୋକ ରିକ୍ସାର ଗୋଟିଏ ସାଇଡ଼୍‌ରୁ ଧରି ପକାଇ ପାଟିକରି ଉଠିଲା–

 

‘‘ଆଚ୍ଛା ରିକ୍ସାବାଲା ତ ! କହିଲେବି କଥାଶୁଣୁନି ।’’ ରିକ୍ସାବାଲା ଆଲୋକ ମୁହଁକୁ ଥରେ ଏବଂ ସରିତା ମୁହଁକୁ ଥରେ ଅନାଇ କ’ଣ ବୁଝିଲା କେଜାଣି ରିକ୍ସା ଅଟକାଇ ଦେଲା ।

 

ଆଲୋକ କହିଲା–

 

‘‘କାହିଁକି ଜଣକର ବିଳମ୍ବ ହେଲା–ସେ ବିଷୟରେ କୌଣସି ପ୍ରଶ୍ନ ନ କରି, ଏମିତି ପବ୍ଲିକ୍‌ରେ ଟିକଟ ଚିରିଦେଇ ପଳାଇ ଆସି କ’ଣ ଭାବିଛ ଭଲ କାମ କଲ ?’’

 

ସରିତା ଉତ୍ତର ଦେବା ଅବସ୍ଥାରେ ନଥିଲା । ନିଜର ରାଗ ଓ କୋହ ସମ୍ବରଣ କରିବା ଥିଲା ତା’ ପକ୍ଷରେ ଏକ ସମସ୍ୟା ।

 

ଖୁବ୍‌ ଗମ୍ଭୀର କଣ୍ଠରେ ଆଲୋକ କହିଲା–‘‘ଭାବ ନାହିଁ, ତୁମେ ଯାହା କରିଯାଉଛ କି କହିଯାଉଛ ମୁଁ ତାକୁ ବରଦାସ୍ତ କରିନେବି । ଏମିତି ଭାବରେ ଚାଲିଗଲେ ତୁମେ ଯଦି ନିଶ୍ଚିନ୍ତରେ ରହିପାରିବ, ତେବେ ଅବଶ୍ୟ ମୋର କିଛି କହିବାର ନାହିଁ । କାରଣ ଜୋର୍‍ ଜବରଦସ୍ତ କରିବା ମୋର ଅଭ୍ୟାସ ନୁହେଁ । ସରିତା ଆହୁରି ବେଶୀ ବେଶୀ କାନ୍ଦିବା ଆରମ୍ଭ କରିଦେଲା । ବାଟ ମଝିରେ ରିକ୍ସା ଅଟକାଇ କୋଉ ଦୁଃସାହସ ନେଇ ଆଲୋକ ତାକୁ ତିରସ୍କାର କରୁଛି ସେ ବୁଝିପାରୁ ନଥିଲା । ନା, ଏଇତ ତାକୁ ପଦେ ନ କହିଲେ ନ ଚଳେ । କୌଣସି ପ୍ରକାରେ କୋହ ଚାପିଦେଇ ସେ କହିଲା–

 

‘‘କାହିଁକି ରିକ୍ସା ଅଟକାଇ ତୁମେ ପ୍ରହସନ କରୁଛ ? ଏସବୁ ମନଭୁଲା କଥା କହି କେତେଦିନ ତୁମେ ଚାଲିବ, ଆଉ ମୋତେ ଚଳେଇ ରଖିବ ।’’

 

‘‘ଅନ୍ତତଃ ପରୀକ୍ଷାଟା ଦେବା ପର୍ଯ୍ୟନ୍ତ । ତା’ପରେ ବିନା ଖୋସାମତରେ ବାଟରୁ ଟେକିନେଇ ଚାଲିଯିବି ।’’ ଅବଶ୍ୟ ଏଇ କେତୋଟି କଥା ସେ ଆକାଶକୁ ଚାହିଁ ନିର୍ଲିପ୍ତ କଣ୍ଠରେ ଇଂରାଜୀ ଭାଷାରେ କହିଲା । ବର୍ତ୍ତମାନ ମଧ୍ୟ ସରିତା ରିକ୍ସାରୁ ଓହ୍ଲାଇ ତା’ ସହିତ ନ ଆସିଲେ ଯେ, ରିକ୍ସାକୁ ଯିବାକୁ ଅନୁମତି ଦେବ ନାହିଁ ଏ କଥା ମଧ୍ୟ ସ୍ପଷ୍ଟ ସୂଚେଇ ଦେଲା । ରାଗ, ଅପମାନରେ ସରିତାର ଦାନ୍ତ ଓଠ ଉପରେ ଚାପିହୋଇଯାଉଥିଲା । କି ଆସ୍ପର୍ଦ୍ଧା ଆଲୋକର । ରାସ୍ତାରେ ରିକ୍ସା ଅଟକାଇ କୌଣସି ସଂସ୍କୃତିସମ୍ପନ୍ନ ବ୍ୟକ୍ତି କେବେହେଲେ କଥାପଦେବି କହିବାକୁ ଚାହିଁବନି ।

 

ଇତିମଧ୍ୟରେ ଆଲୋକ ପକେଟରୁ ଟଙ୍କାଟିଏ ବଢ଼ାଇ ଦେଇ ରିକ୍ସାବାଲାକୁ କହିଲା–

 

‘‘ତୁ ଯା ରିକ୍ସା ! ଆଉ ଯିବା ଦରକାର ନାହିଁ । ମୁଁ ସାଇକଲ୍‍ଟା ଏଇ ହୋଟେଲରେ ରଖିଦେଇ ଆସୁଛି । ଜଷ୍ଟ ଏ ମିନିଟ୍‌ ।’’

 

ଆଲୋକ ଚାଲିଗଲା । ଉପାୟହୀନ ହୋଇ ରିକ୍ସାରୁ ଓହ୍ଲାଇପଡ଼ି ପଛପଟକୁ ବୁଲି ଚାଲିବା ଆରମ୍ଭ କରିଦେଲା । ଟିକକ ପରେ ଆଲୋକ ଆସି ପହଞ୍ଚି କହିଲା–

 

‘‘ପଛକୁ ଫେରିଲ କାହିଁକି ? ଆଉ ଭାବିଚି ସେ ଟିକଟ ସେଠାରେ ପଡ଼ିଥିବ, ଆମେ ଯାଇଁ ସିନେମା ଦେଖିବା ?’’

 

ଉତ୍ତର ଦେଲାନି ସରିତା । ଏପରି ଲୋକକୁ ସେ କ’ଣ କହିବ ? କିଛି ନ କହିବା ବରଂ ଭଲ ।

 

‘‘ଆରେ କିଛି କହୁନ କାହିଁକି ? ହଠାତ୍‌ ପ୍ରଫେସର୍ ଡକେଇ ପଠେଇଲେ ଯେ... ।’’

 

ଫଁ ଫଁ ଫଣା ତୋଳି ନାଗିନୀପରି ସରିତା କହିଲା–ସେଉଠୁ ? ତୁମେ ଚାଲିଗଲ ତେଲ ମାଲିସ କରିବାକୁ, ଏଇଆ ତ ? ଆଉଥରେ ସେଇଭଳି ଏକଜିବିସନ୍‌ରେ ଦୁଇ ଘଣ୍ଟା ଅପେକ୍ଷା କରି ଆସିଲା ବେଳକୁ କ’ଣନା ବାବୁଙ୍କୁ ନିଦ ଲାଗିଯାଇଥିଲା । ସେଥର ସେମିତି ଖାଇବାକୁ ଯିବାକୁ କହି ହୋଟେଲ ସାମନାରେ ଛିଡ଼ାକରାଇ କରାଇ ଚାଲିଗଲ କ’ଣନା ପିଇସା ଖାଉଥିଲେ...ଏପରି ହେବା ଦୃଷ୍ଟାନ୍ତ ଉପରେ ଦୃଷ୍ଟାନ୍ତ ଜମାହୋଇ ରହିଛି । ତୁମେ ତ ଭାବୁଛ ସରିତାକୁ ଡାକି ଦେଲେ ଚାଲିଆସିବ, ଅପେକ୍ଷା କରିବ, ନହେଲେ ଫେରିଯିବ । କ’ଣ ବା କ୍ଷତି ଅଛି ? ତା’ର କାମ ତ ଏଇଆ... ।’’

 

ସିଗାରେଟ ଖଣ୍ଡେ ବାହାରକରି ଅନଭ୍ୟସ୍ତ ଓଠରେ ଧୂଆଁ ଚମଞ୍ଚାଏ ଛାଡ଼ିକହିଲା–

 

‘‘ବାସ୍‌, ବାସ୍‌ ହେଇଗଲା । ଏତିକିରେ ମୁଁ ଡୁବିଗଲିଣି; ଆଉ ଚରିତ୍ରସଂହାର କାହିଁକି କରୁଛ ?’’

 

‘‘କରିବିନି ? ତୁମେ ମୋତେ କ’ଣ କରି ପାଇଛ କି ?’’

 

‘‘ବିବାହ କରିବାକୁ ବାକିଥିବା ମାତ୍ର ଛ’ମାସର ଭବିଷ୍ୟତ ସ୍ୱାମୀ । ତେଣୁ ଧୈର୍ଯ୍ୟ ହରାଉ ନାହିଁ’’ ଆଲୋକ ଉତ୍ତର ଦେଲା ।

 

ସରିତା ଏଥର ବ୍ୟସ୍ତ ହେଇପଡ଼ିଲା । ଏ ମା’ ! ଏତେ ବଡ଼ପାଟିରେ କି କି ଅଭଦ୍ର କଥା କହିଯାଉଛି ଆଲୋକ । କିଏ ଯଦି ଶୁଣେ ତାହାହେଲେ କ’ଣ କହିବ ? ବିରକ୍ତରେ ନିମ୍ନ କଣ୍ଠରେ ସେ କହିଲା–

 

‘‘ମୁଁ ତୁମକୁ ସ୍ପଷ୍ଟ କରିଦେଉଛି ଏ ବିବାହ ସମ୍ଭବ ନୁହେଁ । ତୁମେ ଅନ୍ୟ ବ୍ୟବସ୍ଥା କର ।’’

 

‘‘ତୁମ ବ୍ୟବସ୍ଥାଟା କ’ଣ କୁହ ଆଗେ, ପଛରେ ମୋଠାରୁ ଶୁଣିବ ? କୋଉ ଲୋକର ସାହସ ଅଛି ତୁମଭଳି ବୀରା ରମଣୀର ହାତ ଧରିବାକୁ ? ବେଦି ଉପରେ ତା’ର ପ୍ରାଣ ଯିବ । ନହେଲେ ପଙ୍ଗୁହୋଇ ହସ୍‌ପିଟାଲରେ ଜୀବନ କାଟିବ ।’’

 

‘‘ହେଉ । ସେଥିରେ ତୁମର କ’ଣ ଅଛି ? ସରିତାର ସ୍ୱାମୀ ଯା’ ହେଉ, ତୁମର ମୁଣ୍ଡ ଖେଳେଇ ଲାଭ ନାହିଁ ।’’

 

‘‘କି ଆଶ୍ଚର୍ଯ୍ୟ । ଲାଭ ନାହିଁ କାହାର ? ମୋର ଏସବୁଥିରେ ତ ପ୍ରଚୁର ଲାଭ ଅଛି ।’’

 

ସରିତା ଦେଖିଲା ଏଭଳି ନିର୍ଲଜ୍ଜ ଲୋକ ସହିତ କଥା କହି ଲାଭ ନାହିଁ । ତେଣୁ ରୁମାଲରେ ଆଖି ପୋଛି କିଛି ନ କହି ସେ ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲା । ଆଲୋକ ଆସ୍ତେ ପଚାରିଲା...

 

‘‘ସରିତା ! ସତେ କ’ଣ ତୁମେ ମୋ ଉପରେ ଏତେ ରାଗିଛ ଯେ, ମୋ ସାଙ୍ଗେ ପଦେ କଥା ନ କହି ଚାଲିଯିବ ? ତାହାହେଲେ ମୁଁ ବଞ୍ଚିବି କିପରି ? ତୁମ ଉପରେ ମୋର ବିଶ୍ୱାସ ଅଛି ବୋଲି ସିନା ମୁଁ ବେପରୁଆ ହୋଇଯାଇଛି.....ବିଶ୍ୱାସ କର, ତୁମକୁ କଷ୍ଟଦେବାକୁ ମୁଁ କେବେହେଁ ଚାହେଁନା କିନ୍ତୁ ସବୁବେଳେ ପରିସ୍ଥିତି ଏଭଳି ପ୍ରତିକୂଳ ହୋଇଯାଉଛି ଯେ, ମୁଁ ତୁମକୁ ଠିକ୍‌ ନିଜକୁ ବୁଝାଇ ପାରୁନି ।’’

 

ଆଲୋକର କଣ୍ଠରେ ଥିଲା ଗୋଟିଏ ଅଜଣା ବିଷାଦୃର ସ୍ୱର । ଟିକିଏ ଇତଃସ୍ତତଃ କରି ଉଠିଲା ତା’ର ମନ । ନା ! ସବୁ ଦିନେ ଏମିତି ଅଭିନୟ କରି ନିଜର ମନଛଡ଼ା ଅନ୍ୟ କାହାର ରୁଚି, ଇଚ୍ଛାପ୍ରତି ଭ୍ରୂକ୍ଷେପ କରିନି ଆଲୋକ । ସରିତା ବିଚଳିତ ହେବନି । ସେ ସେଇପରି ଚାଲିବାକୁ ଲାଗିଲା । ଆଲୋକ ତା’ ସଙ୍ଗେ ସଙ୍ଗେ ଚାଲୁଛି । ଟିକକ ପରେ ସେ କହିଲା...

 

‘‘ଠିକ୍‌ ଅଛି ସରିତା । ମୁଁ ଏଇଠାରୁ ଫେରିଯାଉଛି । ତୁମକୁ ଅନେକ କଷ୍ଟ ଦେଲି... ।’’

 

ପୁନଶ୍ଚ ଅଭିନୟ । ସରିତା ଅଟକିଲା ନାହିଁ । ପୁଣି ଆଲୋକ କାନ୍ଦ କାନ୍ଦ କଣ୍ଠରେ କହିଲା–

 

‘‘ମୁଁ ଜାଣିଛି, ମୁଁ ଆଇ.ଏ.ଏସ୍‌. ନ ପାଇଲେ ତୁମ ବାପାଭାଇ କେହି ରାଜି ହେବେ ନାହିଁ-। ଆଉ ତୁମକୁ ନ ପାଇଲେ ମୋର ସମଗ୍ର ଜୀବନର ତପସ୍ୟା ଯେ ବ୍ୟର୍ଥ ହୋଇଯିବ, ଅଥଚ ସମସ୍ତ ପ୍ରଚେଷ୍ଟାକୁ ବ୍ୟର୍ଥକରି... ।’’

 

ଆଲୋକର କଣ୍ଠ ଓ ଆଖି ଏକ ଅଜଣା ଆଶଙ୍କା ଓ ଭୟରେ କମ୍ପି କମ୍ପି ଉଠୁଥିଲା । ନାହିଁ, ହେବନି, ତାକୁ ଏପରି ଅବସ୍ଥାରେ ମଧ୍ୟ ଛାଡ଼ିଦେଇ ଯାଇହବନି । ଭୀଷଣ ଇମୋସନାଲ । କେତେବେଳେ କ’ଣ କରି ବସିବ କିଏ ଜାଣେ ? ଆଉଥରେ ଏପରି ଉଦାସୀନା ବ୍ୟବହାର ଯୋଗୁଁ ଆଲୋକ ପଢ଼ା ଛାଡ଼ିଦେଇ ଚାଲିଯାଇଥିଲା ଘରକୁ । ସରିତା ଆଗପଛ ଭାବି ଗତି ମନ୍ଥର କଲା, ମାତ୍ର ଅଟକିଲା ନାହିଁ...କାରଣ ତା’ର ସମ୍ପୂର୍ଣ୍ଣ ଧାରଣା ଯେ ଆଲୋକ ତାକୁ ମିଛ କହି ଭୁଲାଉଛି ।

 

ରାସ୍ତାର ଆକାଶରେ ଜମି ଆସୁଥିଲା ସେତେବେଳେ ଅପର୍ଯାପ୍ତ ମେଘ । ସୂର୍ଯ୍ୟ ଅସ୍ତ ହେବାକୁ ବହୁ ସମୟ ବାକି ଥିଲେହେଁ ମୁହଁକୁ ଦେଖିବା ପ୍ରାୟ ସମ୍ଭବ ନଥିଲା ।

 

ହଠାତ୍‌ ଆଲୋକ ସରିତା କାନ୍ଧ ଉପରେ ହାତ ପକାଇ କହିଲା–

 

‘‘ରହ ! ମୋ ଦେହ ଭଲ ନାହିଁ, ଜ୍ୱର । ମୁଁ ଏତେ ବାଟ ଚାଲି ଏମିତି ଥଣ୍ଡା ପାଗରେ ଯାଇପାରିବିନି । ତୁମର ଶେଷକଥାଟା ମୋତେ କହିଦେଇଯାଅ... ।’’

 

ଆଲୋକର ସ୍ପର୍ଶରେ କ’ଣ ଥାଏ କେଜାଣି ସରିତାର ଦେହ ଅଚଳ ହୋଇଯାଏ । ତା’ ଆଖିରେବି ସମ୍ମୋହନ କରିବାର ଗୋଟିଏ ପ୍ରଚଣ୍ଡ ଶକ୍ତି ରହିଛି, ତାକୁ ଚାହିଁ ଦେଲେ ମନେହୁଏ, ସରିତା ଏଇ ଲୋକଟିକୁ ବାଦ୍‍ଦେଇ ମୁହୂର୍ତ୍ତେବି ବଞ୍ଚିପାରିବନି ।

 

ଆଲୋକର ହାତଟା ଗରମ ଲାଗୁଛି । ଆଖି ରକ୍ତବର୍ଣ୍ଣ ଦିଶୁଛି । ଜ୍ୱର ବୋଧେ ହୋଇଛି-। ଆହା ବିଚରା ! ସରିତାର ପଥର ହୃଦୟ ତରଳିଗଲା ନିମିଷକରେ । ସେ ଆଖିରେ ରୁମାଲୁ ଚାପି କହିଲା–

 

‘‘ମୋ ଉପରେ ତୁମେ ଏମିତି ସବୁ କଥାରେ ପ୍ରତିଶୋଧ ନେବାକୁ କାହିଁକି ଚେଷ୍ଟା କରୁଚ ? ତୁମେ କହିଲ, ମୁଁ ଟିକଟ କାଟି ତୁମକୁ ଅପେକ୍ଷା କଲି । ଏତେ ଦେହ ଖରାପରେ ତୁମେ ଆସୁଥିଲ କାହିଁକି ?’’ ‘‘ତୁମକୁ ମୁଁ ଆଦୌ କଷ୍ଟଦେବାକୁ ଚାହେଁନା; ଅଥଚ ମୋର ଭାଗ୍ୟ ଏତେ ଖରାପ କିଛିନା କିଛି ଅବ୍ୟବସ୍ଥା ହୋଇ ସବୁ ଯୋଜନା ଭଣ୍ଡୁର ହେଇଯାଉଛି ।’’ ଆଲୋକ ଉତ୍ତରଦେଲା ।

 

ଆଲୋକର କଣ୍ଠ ଓ ଆଖିରେ କ’ଣ ଥିଲା କେଜାଣି ସରିତା କାନ୍ଦି ପକାଇ କହିଲା–

 

‘‘ଦେଖ, ମୁଁ ମୁହୂର୍ତ୍ତେ ଛାଡ଼ି ତୁମକୁ ରହିପାରିବିନି । କିନ୍ତୁ ତୁମେ ଏମିତି... ।’’

 

ସରିତା କାନ୍ଦି ଉଠୁଥିଲା । ପ୍ରାୟ ଅନ୍ଧାରଥିବା ରାସ୍ତା ଏବଂ ଆସନ୍ନ ମେଘର ଆଶଙ୍କାରେ ଗହଳିଥିଲା ଖୁବ୍‌ କମ୍‌ । ବିନା ବାକ୍ୟବ୍ୟୟରେ ରିକ୍ସାଟାଏ ଅଟକାଇ ଆଲୋକ ସରିତାର ହାତ ଧରି ଉଠାଇଦେଲା ଏବଂ ନିଜେ ଯାଇ ତା’ ପାଖରେ ବସି ପଡ଼ିଲା । ଆଲୋକର କାନ୍ଧ ଉପରେ ନିଜର ମୁଣ୍ଡଟିକୁ ଆଉଜାଇଦେଇ ସରିତା ଅବଶିଷ୍ଟ ଅଶ୍ରୁଗୁଡ଼ିକୁ ଝାଡ଼ିଦେବାକୁ ଆରମ୍ଭ କଲାକ୍ଷଣି ଆଲୋକ ତା’ର ଡାହାଣ ହାତ ଘୂରାଇ ସମ୍ପୂର୍ଣ୍ଣ ଭାବରେ ସରିତାକୁ ଆୟତ୍ତ କରି ନେଇଥିଲା ।

 

ସେଇପରି ଅବସ୍ଥାରେ ସେମାନେ ସହରର କେତୋଟି ଜନଗହଳି ରାସ୍ତା ଅତିକ୍ରମ କଲା ପରେ ଆଲୋକ କହିଲା–‘‘କାନ୍ଦିବାକୁ ବହୁତ ସମୟ ଅଛି, ଏବେ କିଛି କଥା କୁହ, ନଚେତ୍‌ ରାତିରେ ମୋତେ ମେସ୍‌ରେ ନିଦ ହେବନି–ତୁମେ ଚାହଁ ତ ମୁଁ ସକାଳକୁ ବିଛଣାରେ ମରି ଶୋଇଥିବି ।’’

 

ଶେଷ କଥା ବେଳକୁ ସରିତା ଆଲୋକର ପାଟିରେ ହାତ ଦେଇ କହିଲା–

 

‘‘କ’ଣ ହେଲେ ତୁମର ରାଗ ଯିବ ? ଆଉ କି ଶାସ୍ତି ଦେବାକୁ ଚାହଁ ?’’

 

ମୁରୁକି ହସି ଆଲୋକ କହିଲା–

 

‘‘କିଛି ନାହିଁ, ଛୋଟ ଚୁମାଟିଏ ଦେଇଦିଅ । ସରିତା ତା’ ଜଙ୍ଘରୁ ମେଞ୍ଚାଏ ଚୁମୁଟି ଦେଇ କହିଲା–‘‘ଏ ମା’, ଏଡ଼େ ପାଟି କରୁଛ, କିଏ ଯଦି ଶୁଣେ ? ଛି, କି ବଜାରୀ ତୁମେ ?’’

 

ଜନଗହଳି ସେତେବେଳକୁ ଆଦୌ ନଥିଲା । ରାସ୍ତାର ସବୁ ଲାଇଟ୍‌ ଲିଭି ଯାଇଥିବାର ସୁଯୋଗ ନେଇ ଆଲୋକ ସରିତାର ଗାଲରେ ଗୋଟିଏ ଚୁମ୍ବନ ବସାଇ ଦେଇଥିଲା ।

 

ନୀରବ ହୋଇ ଯାଇଥିଲେ ତା’ପରେ ଦୁଇ ଜଣଯାକ । ଭୟରେ ସରିତାର ଦେହ କେବଳ କମ୍ପି ଉଠୁଥିଲା... !!

 

ଦୁଇବର୍ଷ ପରେ ।

 

ଏକ ପ୍ରାୟ ଅସ୍ତସୂର୍ଯ୍ୟ ସମୟରେ ପୁରୀର ସମୁଦ୍ରକୂଳରେ ଦେଖା ହେଲା ସରିତା ସହିତ ଆଲୋକର ।

 

ମୁହୂର୍ତ୍ତକ ପାଇଁ ସମଗ୍ର ପୃଥିବୀ ଫେରିଗଲା ଦୁଇବର୍ଷ ତଳକୁ...ଗୋଟିଏ ପଲକରେ ମାତ୍ର । କେଉଁଠି ଆଉ ଭୂମିକମ୍ପ ହେଲା କି ?

 

କ’ଣ ଗୋଟାଏ କାମୁଡ଼ି ଦେଲା କହି ତଳକୁ ନଇଁପଡ଼ି ନିଜର ଭାବାବେଗକୁ ରୋକିଦେବାକୁ ଚେଷ୍ଟାକଲା ସରିତା । ମାତ୍ର ହେଲା ନାହିଁ । ଆଲୋକ ଖୁବ୍‌ ସ୍ୱାଭାବିକ କଣ୍ଠରେ କହିଲା–

 

‘‘ସରିତା ହଠାତ୍‌ ତୁମ ସାଙ୍ଗରେ ଦେଖାହେବ ବୋଲି ଭାବି ନଥିଲି...ଗୁଡ଼୍‌ ଲକ୍‌ । ମିଟ୍‌ ମାଇଁ ଓ୍ୱାଇଫ୍‌ ଶର୍ମିଷ୍ଠା ! ଶର୍ମିଷ୍ଠା ! ଇଏ ହେଉଛନ୍ତି ମୋର କ୍ଲୋଜ୍‌ ପ୍ରେଣ୍ଡ ସରିତା... ।’’

 

ଦୃପ୍ତ ଭଙ୍ଗୀରେ ମୁହଁ ଉପରକୁ ଉଠାଇ ନେଇ ସଲଜ୍ଜ ଭଙ୍ଗୀରେ ସରିତା ଉତ୍ତର ଦେଲା–

 

‘‘ହଁ ସରିତା । ସରିତା ରାୟ ଚୌଧୁରୀ ।’’

 

ଆଲୋକ କହିଲା–

 

‘‘ଇଜ୍‌ ଇଟ୍‌ ସରିତା । କେବେ ତୁମର ବିଭାଘର ହେଲା ? କାହିଁ ମୋତେ କାର୍ଡ଼ ଦେଇନ ଯେ !’’

 

ସରିତା ଶର୍ମିଷ୍ଠାକୁ ଅନେଇ କହିଲା–

 

‘‘ସରି ଆଲୋକ । ତୁମର ବିଭାଘରର ତ ମାତ୍ର ଚାରି ଦିନ ପରେ ମୋ ବିଭାଘର ହେଲା । ଏତେ ବ୍ୟସ୍ତ ଥିଲି ଯେ ନା ତୁମ ବିଭାଘର ଫିଷ୍ଟ୍‌ ଖାଇପାରିଲି ନା ମୋର ବିଭାଘର ଦିନ କାହାକୁ ଖୁଆଇପାରିଲି ? ରିଏଲି ଆଲୋକ, ଶର୍ମିଷ୍ଠା ଭୀଷଣ ଭାବରେ ସୁନ୍ଦରୀ । ଇଉ ଆର୍‌ ଭେରୀ ଲକି ।’’

 

ଆଲୋକ ସିଗାରେଟ ଧୂଆଁ ଛାଡ଼ି କହିଲା–

 

‘‘କାହାନ୍ତି ମି. ରାୟ ଚୌଧୁରୀ ? ତାଙ୍କ ପରିଚୟ ପାଇବାର ସୌଭାଗ୍ୟ ଆମକୁ ମିଳୁ ।’’

 

‘‘ଏତେ ତରତର ହେଲେ ଚଳିବ ! ସେ ଆସିନାହାନ୍ତି ଏଠିକି । ବିଜିନେସ୍‌ ନେଇ ସେ ଏତେ ବ୍ୟସ୍ତ ଯେ ସୂର୍ଯ୍ୟାସ୍ତ ଦେଖିବା ଏକ ଲକ୍‌ଜୁରୀ ତାଙ୍କ ପାଖରେ । ଆଇ.ଏ.ଏସ୍‌ ହେଲେ କିଛିଟା ଛୁଟି ଅଛି...ମାତ୍ର ଇଣ୍ଡିପେଣ୍ଡେଣ୍ଟ ସର୍ଭିସ୍‌, ପୁଣି ଟଙ୍କାର ଖେଳ ଯେଉଁଠି ସେଠି ଏ ସବୁ ଚଳେନା ।’’

 

ଆଲୋକ ମୁହଁଟା କେମିତି କଳାପଡ଼ି ଶିଝି ଗଲାପରି ଦିଶୁଥିଲା । ମାତ୍ର ସେ କିଛି କହିଲାନି । ଶର୍ମିଷ୍ଠା ନୀରବତା ଭାଙ୍ଗି କହିଲା–

 

‘‘ଆପଣ ସୁବିଧା ହେଲେ ଆମ ଘରକୁ ଆସିବେ । ଆମେ ଟିକେ ବ୍ୟସ୍ତ ଅଛୁ...ମନ୍ଦିରରେ ଟିକେ ପୂଜା ଦେବାର ଅଛି । ବାପା, ମା’ ସବୁ ଅପେକ୍ଷା କରିଥିବେ ।’’

 

ସରିତା ବ୍ୟସ୍ତହୋଇ ଘଡ଼ିକୁ ଚାହିଁ କହିଲା–

 

‘‘ନା, ନା ଆପଣମାନେ ଯାଆନ୍ତୁ । ମୁଁ ତ ଆଉ ଅଧଘଣ୍ଟା ପରେ ଏ ସ୍ଥାନ ଛାଡ଼ି ଚାଲିଯିବି । କାଲି ମୋର ବମ୍ବେ ଯିବାର କଥା...ଆଚ୍ଛା...ବାଏ–ପୁଣି କେବେ ଦେଖାହେବ । ଗୁଡ଼୍‌ ଲକ୍‌ ।’’

 

ସେମାନେ ସରିତାଠାରୁ ବିଦାୟ ନେବା ପୂର୍ବରୁ ସରିତା ସେମାନଙ୍କୁ ପଛରେ ପକାଇ ଆଗକୁ ଚାଲିଗଲା ।

ଅନତିଦୂରରେ ସମୁଦ୍ରକୁ ଏକଲୟରେ ଚାହିଁ ତା’ର ସ୍ୱାମୀ ବସିଛନ୍ତି । ସେ କିଛି ଦେଖି ନାହାନ୍ତି–ଜାଣି ନାହାନ୍ତି । ଆଲୋକ ସହିତ ସରିତାର ଘନିଷ୍ଠ ସମ୍ପର୍କ ସେ ଶୁଣିଥିଲେବି କେବେ ପଚାରି ନାହାନ୍ତି ।

 

ଦୁଇ ପାଦ ଚାଲିଗଲା ପରେ କିପରି ଯେମିତି ଅବଶ ମନେହେଲା ସରିତାକୁ ଏଇ ଆଲୋକ, ମୁହୂର୍ତ୍ତେ ତାକୁ ଛାଡ଼ି ବଞ୍ଚିପାରିବିନି ବୋଲି କେତେ କାକୁତିମିନତି କରୁଥିଲା; ଅଥଚ ଚାକିରି କରି ଗୋଟାଏ ମାସ କୋରାପୁଟ ଯିବା ପରେ ବିବାହ ନିମନ୍ତ୍ରଣ କାର୍ଡ଼ଟିଏ ତା’ ପାଖକୁ ପଠାଇଥିଲା । ଆଉ ତା’ ସହିତ ଦୁଇ ଧାଡ଼ିର ଚିଠି...ଯାହାର ସାରମର୍ମ ଥିଲା–‘‘ତା’ର ଉପାୟ ନାହିଁ-। ବାପା ମା’, ଗୁରୁଜନ ଓ ଭାଇ, ଭଉଣୀଙ୍କ ବିରୁଦ୍ଧରେ ଯିବା ତା’ ପକ୍ଷରେ ଆତ୍ମ-ହତ୍ୟାସ୍ୱରୂପ-। ତା’ର ଏ ଭୁଲ୍‌ପାଇଁ ତାକୁ କ୍ଷମା କରିଦେବାକୁ ମଧ୍ୟ ଅନୁରୋଧ କରିଥିଲା ।’’ ବାକି ଆଉ କ’ଣ ଲେଖାଥିଲା ସରିତାର ପଢ଼ିବାକୁ ଧୈର୍ଯ୍ୟ ନଥିଲା... ।

 

ଆଲୋକ ବିବାହର ଚାରି ଦିନ ପରେ ସେ ସ୍ଥିର କରି ନେଇଥିଲା ତା’ ବାପା ମା’ ଯେଉଁଠି ସ୍ଥିର କରିଛନ୍ତି ସେ ସେଇଠି ବିବାହ କରିବ ଏବଂ ଆଲୋକକୁ ଦେଖାଇଦେବ ଇଚ୍ଛଟା କେବଳ ତା’ର ଏକଚାଟିଆ ବ୍ୟବସାୟ ନୁହେଁ...ସେଥିପାଇଁ ଆଲୋକ ପାଖକୁ ସେ ନିମନ୍ତ୍ରଣ କାର୍ଡ଼ ମଧ୍ୟ ପଠାଇ ନଥିଲା । ହଠାତ୍‌ ତା’ର ଅନ୍ୟମନସ୍କତା ଭାଙ୍ଗି କିଏ ଜଣେ ପ୍ରଶ୍ନ କଲା–

 

‘‘ତୁମେ ଏମିତି ଚିନ୍ତିତ ହୋଇ ଛିଡ଼ାହୋଇଛ କାହିଁକି ? ଦେହ ଭଲ ଲାଗୁନି ? ଚାଲ, ଅନ୍ଧାର ହୋଇ ଆସିଲାଣି ।’’

 

ସରିତା ତା’ ସ୍ୱାମୀଙ୍କ ମୁହଁକୁ ଚାହିଁଲା । ମୁହଁରେ ତାଙ୍କର ସାମାନ୍ୟ ଭାବାନ୍ତର । ବିବାହ ପରଠାରୁ ସରିତାର ଦେହ ଭଲ ରହୁନି ବୋଲି ଯେତେବେଳେ ସେ ଅବସର ପାଆନ୍ତି ତାକୁ ନେଇ ଚେଞ୍ଜ୍‍ରେ ଯାଆନ୍ତି । ଅଥଚ, ଦିନେ ମଧ୍ୟ ସରିତା କିଛି ଉପଭୋଗ କରିପାରିନି । ସରିତାର ଆଖି ଦୁଇଟିରେ ଲୁହ ଟଳମଳ କରି ଉଠିଲା । ମାତ୍ର ସେ ଅଟକିଲା ନାହିଁ, ସେମିତି ଲୁହଭରା ଆଖିରେ ହସି ହସି କହିଲା–

 

‘‘ଆଜିଠୁ ମୋ ଦେହ ପୂରା ଭଲ ହେଇଯିବ । ତୁମେ ମୋପାଇଁ ଆଉ ଚିନ୍ତା କରନା । ଦେଖ ତ, ବାଲିକଙ୍କଡ଼ା କାମୁଡ଼ିଦେଲା କି କ’ଣ ଗୋଇଠିଟା ପୋଡ଼ୁଛି...ସେଥିପାଇଁ ମୋ ଆଖିରେ ଲୁହ ଆସିଯାଉଛି । ଚାଲ...ଆମେ ଆଜି ରାତିରେ ଘରକୁ ଚାଲିଯିବା । ମୋ ଦେହ ତ ସମ୍ପୂର୍ଣ୍ଣ ଭଲ ହୋଇଗଲାଣି । ଆଉ ରହିବା କାହିଁକି ?’’

 

‘‘ସତ ସରିତା ! ତୁମକୁ ଭଲ ଲାଗୁଛି ?’’

 

‘‘ଏକଦମ୍‌ ଭଲ । ଦେଖିବନି ମୋର କେବେହେଲେ ଆଉ ଦେହ ଖରାପ ହେବନି କି ତୁମେ ହଇରାଣ ହେବନି । ମାତ୍ର ଗଲା ପୂର୍ବରୁ ଚାଲ ଆଉ ଟିକିଏ ସମୁଦ୍ରକୂଳରେ ବସିବା ।’’

 

ସେମାନେ ଦୁଇ ଜଣ ହାତ ଧରାଧରି ହୋଇ ସେଇଠି ତଳେ ବସିପଡ଼ିଲେ । ସମୁଦ୍ର ସେତେବେଳକୁ ବେଶ୍ ଶାନ୍ତ ଲାଗୁଥିଲା !!!

✽✽✽

 

ଥୁଣ୍ଠା ଗଛ

 

ବିଜୟିନୀ ହାତରେ ବ୍ୟାଗ୍‍ଟିଧରି ତଳକୁ ଓହ୍ଲାଇବା ସମୟରେ ତାଙ୍କ କାନରେ ବାଜିଲା ତଳ ମହଲାରେ ଭୀଷଣ କୋଳାହଳ । ବିରକ୍ତିରେ ତାଙ୍କର ଭ୍ରୂ ଉପରକୁ ଉଠିଗଲା ଏବଂ ପାଦର ଶବ୍ଦ ଇଚ୍ଛାକୃତଭାବରେ ପ୍ରଖର ହୋଇଗଲା । ସବୁବେଳେ ଘରେ ଏତେ ଗଣ୍ଡଗୋଳ ହଇହଲ୍ଲା ହେଲେ ଯେ ମଣିଷର ସୂକ୍ଷ୍ମ ଚିନ୍ତାରେ ବ୍ୟାଘାତ ଘଟେ ଏକଥା ସେମାନଙ୍କୁ କେତେ ବୁଝାଇବେ ? ଖାଇପିଇ ଥୋଡ଼ାଏ ଲୋକ ବେକାର ଭାବରେ ଯଦି ବସି ରହନ୍ତି, ତେବେ ତ ନିଶ୍ଚୟ ସମସ୍ୟା ଉପୁଜିବହିଁ ଉପୁଜିବ !

 

କ୍ଷିପ୍ର ଗତିରେ ଓହ୍ଲାଇ ଆସି ବିଜୟିନୀ ଡ୍ରଇଂରୁମ୍‌ ଭିତରକୁ ପଶିଯାଇ ପାଟି କରି ଉଠିଲେ ‘‘କି ତାମସା ଚାଲିଛି ଏଠାରେ ? ତୁମମାନଙ୍କର କ’ଣ କୌଣସି କାମ ନାହିଁ ? ଅନ୍ତତଃ ମୋ ଲାଇବ୍ରେରିର ମୂଲ୍ୟବାନ ବହିଗୁଡ଼ିକର ସଦ୍‌ବ୍ୟବହାର କରିପାରନ୍ତ ! ଆଇଡ଼ିଲ ବ୍ରେନ୍‌ ଡେଭିଲସ୍‌ ଓ୍ୱାର୍କସପ୍‌ ! ଏ କଥାଟା କ’ଣ ମିଛରେ କୁହାଯାଇଛି ? ତୁମମାନଙ୍କୁ ଦେଖିଲେ ମୋର ତ ଅନ୍ତତଃ ସେଇଆ ମନେହୁଏ !’’

 

ସେଇ ରୁମ୍‌ର ଗୋଟିଏ କୋଣରେ ସୋଫା ଦେହରେ ଆଉଜି ମୁହଁରୁ ଚୁରୁଟ ଧୂଆଁ ବାହାର କରୁ କରୁ ଅନ୍ୟମନସ୍କ ଭାବରେ ବିଜୟିନୀଙ୍କ ସ୍ୱାମୀ ପ୍ରଶ୍ନ କଲେ–

 

‘‘ତୁମେ ପୁଣି ଏଠାରେ କାହିଁକି ଜୟା ? କ’ଣ ତୁମର ହେଲା ?’’ କିନ୍ତୁ ତାଙ୍କର ଆଖି ଦୁଇଟି ନିବଦ୍ଧ ଥିଲା ମୁକ୍ତ ବହି ଉପରେ !

 

‘‘ମୁଁ ଏଠି କାଇଁକି ବୋଲି ତୁମେ ପଚାରିଲେ ମୁଁ ଉତ୍ତର ଦେବି କ’ଣ ? ବରଂ ତୁମର ପ୍ରଶ୍ନରେ ହସିଦେବା ଛଡ଼ା ଅନ୍ୟ ପନ୍ଥା କିଛି ଦେଖୁ ନାହିଁ ।’’

 

ଖୁଁ, ଖୁଁ କାଶ ଭିତରେ ମଦନବାବୁ କ’ଣ କହିଲେ କେଜାଣି ବିଜୟିନୀ ବୁଝିପାରିଲେ ନାହିଁ । ପରିସ୍ଥିତି ଉପରେ ବିରକ୍ତ ହୋଇ ସେ ସାନ ଝିଅ ମାଳାର କାନଟାକୁ ମୋଡ଼ିଦେଇ କହିଲେ–

 

‘‘ତୁ ଏଠି କ’ଣ କରୁଛୁ ? ତୋର ପଢ଼ାପଢ଼ି ନାହିଁ ? ଲାଷ୍ଟ୍‌ ଇଅର ଫେଲ୍‌ ହେଲୁ, ତଥାପି ତୋର କିଛି ଚେଞ୍ଜ୍‌ ହୋଇନି । ଯା, ଉଠିଯା !

 

ମାଟ୍ରିକ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଝିଅ ମାଳା ଅନୁନୟ କଣ୍ଠରେ କହିଲା...

 

‘‘ଛାଡ଼, ଛାଡ଼ ମମି ! କାନଟା ଯେ କାଟୁଛି ! ଆଃ ! ଆଜି ଯେ ଛୁଟି ! ତୁମର ସିନା କାମ, ତା’ ବୋଲି ଆମେ କ’ଣ ଟିକେ ଖେଳିବୁନି, ବସିବୁନି ?’’

 

‘‘ରାଇଟ୍‌ ମାଇଁ ଚାଇଲଡ଼୍ ! ରାଇଟ୍‌ !’’ ସୋଫା ଉପରୁ ମୁହଁ ନ ଉଠାଇ ମଦନବାବୁ କହିଲେ । ବିଜୟିନୀ ଶାଢ଼ିର କୁଞ୍ଚଗୁଡ଼ାକୁ ସଜାଡ଼ି ନେଉ ନେଉ କହିଲେ–‘‘ଆଇ ଓ୍ୱାଣର୍‌ । କୌଣସି କଣ୍ଟେଲେକ୍‌ଚୁଆଲ୍‌ ଫେମିଲିରେ ମୁଁ ଏପରି କାରବାର ଦେଖିନି ।’’

 

ବଡ଼ବଡ଼ ଷ୍ଟେପ୍‌ ନେଇ ବଡ଼ପୁଅ ଶୋଭନ ଓ ତା’ର ବୋହୂ ସୁସ୍ମିତା ଉଠି ଚାଲିଗଲେ । ସତେ ଯେପରି ଏସବୁ ଘଟଣା ସହିତ ସେମାନେ ସଂପୃକ୍ତ ନୁହଁନ୍ତି । ଘରେ ଅଛନ୍ତି ବୋଲି କାହାରି ମର୍ଜି ଜଗି ଚଳିବେ ଏମିତି ତ କିଛି କଥା ନାହିଁ । କିନ୍ତୁ ପ୍ରତ୍ୟୁତ୍ତରଠାରୁ ନୀରବତାହିଁ ଯେ ମା’ଙ୍କୁ ବେଶୀ ଆଘାତ ଦିଏ ସେକଥା ଜାଣେ ଶୋଭନ, ମାତ୍ର ସୁସ୍ମିତା ! ଅନ୍ତତଃ, ସେ ତ ମାର୍ଜିତ ରୁଚିବୋଧର ଅଧିକାରିଣୀ ବୋଲି ସୂଚନା ଦେଇ ପାରନ୍ତା ! ଅନ୍‌କଲ୍‌ଚରର୍ଡ଼ !

 

ବିଜୟିନୀ ଦାନ୍ତ ଉପରେ ଦାନ୍ତ ଚିପି ନିଜକୁ ସଞ୍ଜତ କରିବାକୁ ଚେଷ୍ଟା କରୁଥିଲେ । ବଡ଼ ଗୋଟାଏ ଦୁର୍ବଳତା ତାଙ୍କର ରାଗିଗଲେ ତାଙ୍କ ଆଖିରୁ ଟପ୍‌ଟପ୍‌ ଲୁହ ଝରିପଡ଼େ । ଆଜି ଅନ୍ତତଃ ସେ ଅବସ୍ଥାର ସମ୍ମୁଖୀନହେବା ପୂର୍ବରୁ ନିଜକୁ ବଞ୍ଚାଇ ଦେଇ ସେ ଚାଲିଗଲେ ।

 

ଘରଟା ବିଷ ପରି ଲାଗୁଛି ବିଜୟିନୀଙ୍କୁ । ଦିନକୁଦିନ ବିଶୃଙ୍ଖଳା ଓ ବିଭ୍ରାଟ ବଢ଼ିଚାଲିଛି । କିନ୍ତୁ ଏ ସବୁ ସଂଶୋଧନର ଉପାୟ କ’ଣ ସେ ଆଜି ପାଉ ନାହାଁନ୍ତି । ବିବାହର କେତୋଟି ବର୍ଷ ମଦନବାବୁ ବିଜୟିନୀ ଯାହା କହୁଥିଲେ, ବିନା ଦ୍ୱିରୁକ୍ତିରେ ଶୁଣୁଥିଲେ, ଅକ୍ଷରେ ଅକ୍ଷରେ ପାଳନବି କରୁଥିଲେ । ଦଶ-ବାରବର୍ଷ ପରେ ସେ କଥା ଶୁଣୁ ଶୁଣୁ ଅନ୍ୟମନସ୍କ ହେଲେ । ପରେ ପରେ କିଛି ଯୁକ୍ତି କଲେ; ମାତ୍ର ପିଞ୍ଜରାବଦ୍ଧ ବ୍ୟାଘ୍ର ପରି ହୁଁଙ୍କାର ଦେଲାକ୍ଷଣି ବିଜୟିନୀ ତାଙ୍କୁ କଲେକ୍‌ଟ୍ରିକ୍‌ ରଡ଼୍‌ ଛୁଆଇଁ ବଶକରି ନେଉଥିଲେ । ବାପଘରୁ ଏକମାତ୍ର କନ୍ୟା ଭାବରେ ବହୁ ସମ୍ପତ୍ତିର ଉତ୍ତରାଧିକାରିଣୀ ହୋଇ ମଦନବାବୁ ଓ ତାଙ୍କ ବର୍ଦ୍ଧିତ ସଂସାରକୁ ନାନା ଐଶ୍ୱର୍ଯ୍ୟ ଓ ବିଳାସରେ ସ୍ୱୟଂସମ୍ପୂର୍ଣ୍ଣ କରି ରଖୁଛନ୍ତି ଯେ ! ସବୁ ବ୍ୟବହାରର ଗୋଟିଏ ଅଭ୍ୟାସ ଥାଏ, ସେଥିରୁ ସହଜରେ ମୁକ୍ତ ହେବା ଆଦୌ ସମ୍ଭବ ନୁହେଁ । ଏଇ କେତେଦିନ ହେଲା, ମଦନବାବୁ ବିଶେଷତଃ ନିଜର ସନ୍ତାନମାନେ ଉପସ୍ଥିତ ଥିଲାବେଳେ ବିଜୟିନୀଙ୍କୁ ବ୍ୟଙ୍ଗୋକ୍ତି କରିବାକୁ ଭୁଲୁ ନାହାଁନ୍ତି । କାହିଁକି ? ସେ ତ ଏଣୁତେଣୁ ଜଣେ ସାଧାରଣ ସ୍ତ୍ରୀଲୋକ ନୁହଁନ୍ତି । ସମାଜରେ ତାଙ୍କର ପ୍ରତିଷ୍ଠା ଅଛି, ଧନପାଇଁ ନୁହେଁ, ନିଜର ସମାଜ ଓ ଦେଶପ୍ରତି ବହୁ ଅବଦାନ ରହିଛି ତାଙ୍କର । ବାହାରେ କୌଣସି ଲୋକ ତାଙ୍କ ମୁହଁ ଉପରେ କଥା କହୁନାହାନ୍ତି, ଅଥଚ ଯେଉଁମାନଙ୍କ ପାଇଁ ସେ ସର୍ବସ୍ୱ ଦେଇ ଖଟୁଛନ୍ତି ସେହିମାନେହିଁ ତାଙ୍କ ପ୍ରଗତିର ଅନ୍ତରାୟ !

 

ଜୀବନର ଏହି ଆଇରନି ପାଇଁ ଦାୟୀ କିଏ ? ଭାଗ୍ୟ ! ବିଜୟିନୀ ଯାହାହେଉ ପଛେ ଅଦୃଷ୍ଟକୁ ମୋଟେହିଁ ସ୍ୱୀକାର କରିବାକୁ ନାରାଜ । କିନ୍ତୁ ଆଜି ଯେମିତି ମନେ ହେଉଛି ଭାଗ୍ୟର କରାଳ କବଳରେ ସେ ପଡ଼ି ଛଟପଟ ହେଉଛନ୍ତି । ନିଜର ସମ୍ପତ୍ତି, ସ୍ୱାମୀ, ପୁଅ, ଝିଅ କେହି ତାଙ୍କର ନୁହଁନ୍ତି ।

 

ଡ୍ରାଇଭରକୁ ଗାଡ଼ି ଅଟକାଇବାକୁ କହିଲେ ସେ । ଆଗରେ ସୁନନ୍ଦାର ଛୋଟ ଘର, ନିର୍ଜନ, ଚୁପ୍‌ଚାପ୍‌ । ଗୋଟିଏ ବୋଲି ପୁଅ ଚାକିରି କରେ ଶ୍ରୀନଗରରେ । ସ୍ୱାମୀ ପକ୍ଷାଘାତ ରୋଗୀ-। ସମୟ ସୁବିଧା ମିଳିଲେ ବିଜୟିନୀ ସୁନନ୍ଦା ସହିତ...ଗପ କରିବାକୁ ଯାଆନ୍ତି ।

 

ସୁନନ୍ଦାର ଡ୍ରଇଂରୁମ୍‌ରେ ଭୀଷଣ ଭିଡ଼ । ପ୍ରଚୁର ପାଟିତୁଣ୍ଡ ଶୁଭୁଛି । ବୋଧେ ତାସ ଖେଳୁଛନ୍ତି କି କୌଣସି ସରଗରମ ଆଲୋଚନା ଚାଲିଛି । କିଏ କିଏ ଅଛନ୍ତି ସ୍ୱର ଶୁଣି ଜାଣି ନେଇ ହେବ । ଭିତରକୁ ଯିବେ କି ନାହିଁ ଭାବି ଅଟକିଗଲେ ବିଜୟିନୀ !

 

‘‘ଯାହା କହ ସୁନି ନାନୀ । ତୁମର ଧୈର୍ଯ୍ୟକୁ ବଧେଇ ନ ଜଣେଇ ରହି ପାରୁନି । ବିଜୟାଦି, ତୁମକୁ ଏତେ କଥା କହନ୍ତି, ହେଲେ ତୁମେ ନିର୍ବିକାରରେ ସେଗୁଡ଼ିକ କିପରି ଯେ ହଜମ କରିଦିଅ, ତୁମେହିଁ ଜାଣ । ମୋର ତ ଭାବିଲେ କେମିତି ମୁଣ୍ଡ କ’ଣ ହୋଇଯାଏ ।’’

 

ଧରିତ୍ରୀ ଅତି ଗରବିଣୀ । ନୂଆ କରି ଜଜ୍‌ ହୋଇଥିବା ଶ୍ୟାମସୁନ୍ଦର ଗନ୍ତାଏତ୍‌ଙ୍କ ସ୍ତ୍ରୀ ଏତକ ବିଷ ଉଦ୍‌ଗାରଣ କରି ଚୁପ୍‌ ହେଲେ ।

 

ସୁନନ୍ଦା ଚାପା କଣ୍ଠରେ କହିଲା–

 

‘‘କ’ଣ କରିବି ଆଉ କହ ! ଗରିବ ମାଇପ ସବୁରି ଶାଳୀ ! ବିଜୟିନୀ ଭାବେ ସେ ଯାହା କହୁଛି କି ଯାହା କରୁଛି କେହି ବୁଝିପାରୁ ନାହାଁନ୍ତି । କିଏ ବା ଏ ସହରରେ ତା’ର ଗର୍ବ ଅସହିଷ୍ଣୁତା ନ ଜାଣେ କ’ଣ ? ଯେଉଁଠିକି ଗଲା ସେଇଠି ତାକୁ ଭୟରେ କେହି କିଛି କହିପାରିଲେନି । ତୁ ତ ଜାଣୁ, ଅଭାବ ଅସୁବିଧାରେ ମୁଣ୍ଡପାତି ମତେ ସେଇଠି ଛିଡ଼ାହବାକୁ ହୁଏ !’’

 

ଧରିତ୍ରୀ ଖପ୍‌ କରି ଉତ୍ତର ଦେଲା–

 

‘‘ତା’ ବୋଲି କ’ଣ, ତୁମକୁ, ତୁମ ସ୍ୱାମୀ, ପିଲାଙ୍କୁ ଯାହା ସେ କହିଯିବ ସହିଯିବ ? ଟଙ୍କା, ପ୍ରତିପତ୍ତି ଅଛି ବୋଲି ମଣିଷକୁ ମଣିଷ ମାଟିଗୋଡ଼ିରେ ମିଶାଇଦେବ ? ଅଥଚ ସବୁ କାମରେ ଆମେ ଅଛେ ବୋଲି ସିନା ତାଙ୍କର ଏତେ କାଟତି ।’’

 

ଝର୍କା ସେପଟରେ ବିଜୟିନୀ ଦାନ୍ତ ଉପରେ ଓଠ ଚାପି କ୍ରୋଧ ସମ୍ବରଣ କରିବାକୁ ଚେଷ୍ଟା କରୁଥିଲେ । ଧରିତ୍ରୀର ସାହସ ତ କମ୍ ନୁହେଁ । ସ୍ୱାମୀର ଉନ୍ନତିପାଇଁ ପୁଅ, ଝିଅର ସ୍କୁଲ୍ କଲେଜ ସିଟ୍‌ପାଇଁ ସୁଦ୍ଧା ବିଜୟିନୀଙ୍କ ଗୋଡ଼ ଧରି ପଡ଼ିଥାଏ । ତା’ର ସାମାନ୍ୟ କୃପା ପାଇବାପାଇଁ କେତେ ଲୋକ ଯେ ଏକରକମ ଭାବରେ ବ୍ୟସ୍ତ ତାହା କେବଳ ନିଜେହିଁ ଜାଣେ ସେ; ଅଥଚ ପାଇସାରିଲା ପରେ ସମସ୍ତେ ତା’ରି ଉପରେ ଆଲୋଚନା କରି ଅବସର ବିନୋଦନ କରୁଛନ୍ତି ।

 

ଉମା କହିଲା–

 

‘‘ଛାଡ଼ । କ’ଣ ମିଳିବ ଆମକୁ ସେଥିରୁ ? ‘ଅଧର୍ମ ଧନ ବଢ଼େ ବହୁତ, ଗଲାବେଳେ ଯାଏଁ ମୂଳ ସହିତ । ଦେଶ ସେବା, ସମାଜ ସେବା ପରୋପକାର ବିଜୟାର ଗୋଟାଏ ମୁଖା । ସେ ମୁଖା ପିନ୍ଧି କାମ କରିବ, ପୁଣି ମୁଖା କାଢ଼ି ଦେଇ ଡାହାଣୀ ପରି ରକ୍ତ ଶୋଷିବ । ବିଲେଇ ପରି ସେ ଆଖି ବୁଜି ବୁଜି ଦୁଧ ପିଉଛି... ।’’

 

ହାଆଣୀ ! ବିଜୟିନୀ ଗୋଡ଼ଠାରୁ ମୁଣ୍ଡଯାଏଁ କମ୍ପି ଉଠିଲା । କି ବୋକା ସେ । ଗୁଡ଼ାଏ ସାପଙ୍କୁ ଦୁଧ ପିଆଇ ଏଯାଏଁ ପୋଷିଛି !

 

ସୁନନ୍ଦା କହିବାର ଶୁଣାଗଲା–

 

‘‘ଆଲୋ ମୁଁ କ’ଣ ଜାଣିନି ? ଜାଣିଛି । ମୋ ସାଙ୍ଗରେ ପଢ଼ୁଥିଲା ସେ ପାଠ । ତାଙ୍କର ତ ପୁରୋହିତ ଘର; ଜମିବାଡ଼ି ଥିଲା ବାପର କିଛି । କୋଉ ଠାକୁରଙ୍କ ସୁନା ରୁପା ଚୋରାଇ ଆଣି ବୁଢ଼ା କୋଠା ବାଡ଼େଇ ନେଲା । ଦୁଇ ଦୁଇଟା ମିଲ୍‌ ବସେଇଲା...ହେଲେ ଶେଷକୁ ନାଗ ସାପ ଚୋଟରେ ପ୍ରାଣ ଗଲା । ଉପରେ ଭଗବାନ ଅଛନ୍ତି । ଅତି ଗର୍ବ କାହାର ସହନ୍ତି ନାହିଁ ।’’

 

ଧରିତ୍ରୀ ଖୁବ୍‌ ଗମ୍ଭୀର କଣ୍ଠରେ ଭାଷଣ ଦେଲା ପରି କହିଲା–

 

‘‘ପୃଥିବୀର ଇତିହାସ ତ କେହି ବଦଳାଇ ପାରିବନି । ନିଜେ ଯେମିତି ଅର୍ଜିଛନ୍ତି, ଫଳ ପାଉଛନ୍ତି ସେମିତି ଆମେ ସିନା ତାଙ୍କ ପ୍ରତିପତ୍ତିକୁ ଡରିବୁ, କିନ୍ତୁ ସର୍ବସାଧାରଣ କାହିଁକି ଡରିବେ ? ନିଜ ପିଲାବି ଖାତିର କରିବେନି ।’’

 

ଉମା ଠୋଠୋ କରି ହସିଉଠିଲା–

 

–ଭାରି ନୂଆ କଥାଟାଏ କହିଲୁ ? କୋଉଦିନୁ ପରା...ହୁଁ ବୁଝିଲୁ ? ଦାଣ୍ଡକୁ ଲଜ୍ଜା ରଖି ଗୋଟାଏ ଘରେ ରହିବା କଥା । ଛିଆଲୋ ମୋର । ଧନର ବଡ଼େଇ କେତେ ଦେଖେଇବ ବା ଆମକୁ । ଭିତରେ ତ ପୋଡ଼ା ଅଙ୍ଗାର ।’’ ହଠାତ୍ କ’ଣ ହେଲା କେଜାଣି ବିଜୟିନୀଙ୍କ ମୁଣ୍ଡ ଘୂରାଇ ଦେଲା । ଏ ସବୁ କଥାର ମୁକାବିଲା କେମିତି କରିବାକୁ ହୁଏ ସେ ଜାଣନ୍ତି । ଆଜି ସେଇଟା ବଡ଼ ସମସ୍ୟା ନୁହେଁ । କିନ୍ତୁ ଏପରି ଦୀନ-ହୀନ ଭାବରେ ସେମାନଙ୍କ କଥାର ଉତ୍ତର ଦେବା ତାଙ୍କ ସମ୍ମାନରେ ଯେ ଆଞ୍ଚ ଆଣିବ ।

 

ସୁନନ୍ଦାର ଡ୍ରଇଂରୁମ୍ ବାରଣ୍ଡାରୁ କୌଣସିମତେ ନିଜକୁ ସମ୍ଭାଳି ନେଇ ସେ ପାଦଚିପି ଚାଲିଗଲେ । ବର୍ଚ୍ଛା ପରି ସେମାନଙ୍କର ହସର ମିଳିତ ଝଙ୍କାର ତାଙ୍କୁ ବିଦ୍ଧ କରୁଥିଲା ଗାଢ଼ ରଙ୍ଗର ପର୍ଦ୍ଦା ପଛରୁ ।

 

ଡ୍ରାଇଭରକୁ ମିଲ୍ ପାଖକୁ ଯିବାକୁ ନିର୍ଦ୍ଦେଶ ଦେଲେ ବିଜୟିନୀ । ମିଲ୍‍କୁ ଆସି ମାସ ଶେଷରେ ଦରମା ଦେବା ଓ ଲାଭ ଟଙ୍କା ବ୍ୟାଙ୍କ୍‍ରେ ଡିପୋଜିଟ୍ କରିବା ବ୍ୟତୀତ ଅନ୍ୟ କୌଣସି ଦାୟିତ୍ୱ ନିଅନ୍ତି ନାହିଁ ବିଜୟିନୀ । ବେଶୀ ଆପତ୍ତି ହେଲେ, କଡ଼ା କଡ଼ା ଦୁଇପଦ ଶୁଣାଇ ଦେଇଥାନ୍ତି-। କାମ ବୁଝାସୁଝା, ବିକ୍ରି ଓ ଯୋଗାଣ ଦାୟିତ୍ୱପାଇଁ ମ୍ୟାନେଜର ଅଛି, ମଦନବାବୁ ଅଛନ୍ତି-। ବେକାର ମଣିଷଙ୍କ ପାଇଁ ଯଯେଷ୍ଟ କାମ ସେ ଛାଡ଼ିଦେଇଛନ୍ତି ।

 

ଗାଡ଼ି ରହୁରହୁ ମ୍ୟାନେଜରବାବୁ ଧାଇଁଆସିଲେ ଏବଂ ଉଚ୍ଚ ସ୍ୱରରେ କହିଲେ–‘‘ଆଜ୍ଞା । ବାବୁଜୀ ପାଞ୍ଚ ହଜାର ଟଙ୍କା ସକାଳେ ନେଇଛନ୍ତି; ଆଉ କ୍ୟାସ୍ କିଛି ହାତରେ ନାହିଁ । କାଲି ବରଂ...-।’’

 

‘‘ନନ୍‌ସେନ୍‌ସ ! ମୋର ବିନାନୁମତିରେ ତୁମକୁ ଟଙ୍କା ଦେବାକୁ କହିଲା କିଏ ?’’ ‘‘ନାହିଁ ଆଜ୍ଞା । ମାନେ ଛୋଟବାବୁ । ସେ ତ ସିଧା ସିଧା ଆସି ବାକ୍‌ସ ଖୋଲି ନେଇ ଯାଉଛନ୍ତି । ମୁଁ ବ୍ୟସ୍ତ ହେଲାରୁ ସେ ଖାଲି ଖାତାରେ ଲେଖି ଦେଇ ଯାଉଛନ୍ତି । ଆଜି ବାବୁଜୀଙ୍କି କହିଛି ଫୋନ୍‌ରେ ।’’

 

‘‘ମତେ କହିଲନି ?’’

 

‘‘ସରମ ଲାଗିଲା ଜୀ ! ଛୋଟବାବୁ ଫରେନ୍ ଯିବେ ପଢ଼ିବାପାଇଁ... ।’’

 

‘‘ତେବେ ତୁମକୁ ସରମ ଲାଗୁନି ସ୍ତ୍ରୀଲୋକଙ୍କ ଅଧୀନରେ କାମ କରିବାପାଇଁ ।’’

 

‘‘ଜୀ...ମା’ ସମାନ ।’’

 

ବିଜୟିନୀ ହିସାବ ଖାତାଟା ମ୍ୟାନେଜରଙ୍କ ଉପରକୁ ଫୋପାଡ଼ି ଦେଇ ଗାଡ଼ିର ଦରଜା ଖୁବ୍ ଜୋରରେ ବନ୍ଦ କରି ବସିପଡ଼ିଲେ । ଆହତ ଫଣିନୀ ପରି ସେ କମ୍ପୁଥିଲେ । ଚାରିଆଡ଼େ ବିଭ୍ରାଟ । କେହି କିଛି ମାନିବାକୁ, ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଘରଠୁ ବାହାର, ପରିବାରଠୁ ସମାଜ, ସମାଜଠାରୁ ଦେଶ ଏମିତିକି ତାଙ୍କର ପ୍ରିୟଜନମାନେ ଶତ୍ରୁତା ଆଚରଣ କରି ବସିଛନ୍ତି । କାହିଁକି ? ବିଜୟିନୀଙ୍କ ବଦାନ୍ୟତା ପାଇଁ ତ ? ବାସ୍ । ଏଣିକି ସେ କଠୋର ହେବେ, ପଡ଼ି କାଟିଦେବେ, ସ୍ୱଚ୍ଛନ୍ଦତା ଆଭିଜାତ୍ୟରେ ଆଞ୍ଚ ଆସିଲେ କେମିତି ସମସ୍ତଙ୍କର ବିଷଦନ୍ତ ଭାଙ୍ଗି ନ ପଡ଼ିବ ସେ ଦେଖିବେ ? ଏଣିକି ସେ କାହା ଘରକୁ ଯିବେ ନାହିଁ, କାହା ସଙ୍ଗରେ ବସିବେ ନାହିଁ, ଗପିବେ ନାହିଁ....ଏମିତିକି ନିଜର ପ୍ରିୟଜନମାନଙ୍କଠାରୁ ମଧ୍ୟ ସେ ଅଲଗା ରହିବେ । ତାଙ୍କର ବାସ୍ତବିକ କ’ଣ କାହାଠାରେ ପ୍ରୟୋଜନ ଅଛି ? ବରଂ ସମସ୍ତଙ୍କ ପ୍ରୟୋଜନରେହିଁ ସେ ଲାଗିଥାନ୍ତି, ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଯେମିତି ତାଙ୍କର କାମ ।

 

କୋହରେ, ରାଗରେ ଅପମାନରେ ବିଜୟିନୀଙ୍କ ଆଖିରେ ଲୁହ ଟଳମଳ କରି ଉଠିଲା । କ’ଣ ସେ ପାଇଛନ୍ତି ସାରା ଜୀବନ ? ଏକମାତ୍ର କନ୍ୟା ହିସାବରେ ଅଚଳାଚଳ ସମ୍ପତ୍ତିର ମାଲିକ ସେ । ଅଥଚ ନିଜପାଇଁ ସେ ଖର୍ଚ୍ଚ କିଛି କରନ୍ତି ନାହିଁ, ଗହଣାରେ ସଉକୀ ନାହିଁ, କି ଶାଢ଼ି କସ୍‌ମେଟିକସ୍‌ରେ ଅଯଥା ବ୍ୟୟ ନାହିଁ । ଦୁଇହାତ ତୋଳି ଟଙ୍କା ଫୋପାଡ଼ିଛନ୍ତି ଖାଲି କ’ଣ ନିନ୍ଦା ଅପମାନରେ ଜଳିପୋଡ଼ି ମରିବାପାଇଁ ? ଏମିତିକି ହାତଧରି ଯାହାକୁ ବିବାହ କରିଥିଲେ ସେ ମଧ୍ୟ ଦିନେ ଆଦର କରିବାକୁ ତାଙ୍କୁ ଇଚ୍ଛା କରିନି । ଆଶ୍ଚର୍ଯ୍ୟ ! ଜୀବନରେ ତାଙ୍କର ପ୍ରାପ୍ୟ କେଉଁଠାରେ କିଛି ନାହିଁ ? ତ୍ୟାଗପାଇଁ, ସେବାପାଇଁ ବିଜୟିନୀଙ୍କର ଖାଲି ଜନ୍ମ ?

 

ଫଁ କରି ଗୋଟାଏ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା ତାଙ୍କ ଛାତି ଫଟାଇ । ସୂର୍ଯ୍ୟାସ୍ତ ପରର ଦିଗନ୍ତ ଦିଶୁଛି ଧୂସର ବିବର୍ଣ୍ଣ । ଘରବାହୁଡ଼ା ପକ୍ଷୀର କାକଳିରେ ଯେପରି ଭରି ରହିଛି କରୁଣ ଆର୍ତ୍ତନାଦ !

 

ବିଜୟିନୀ ସହିପାରିବେନି । ଛାତି ଫାଟିଯାଉଛି । ନା ! ଆଜି ସନ୍ଧ୍ୟାରେ ଥିବା ଭଜନ ସଭାରେ ବସି ସେ ଭଜନ ଗାଇ ପାରିବେନି । କାରଣ ତାଙ୍କର ଆଉ ଈଶ୍ୱରଙ୍କ ଉପରେ ଆସ୍ଥା ନାହିଁ-। ଏତେ ଟଙ୍କା ଖର୍ଚ୍ଚ କରି ପୂଜା ଦେଇଥିଲେ ଏଇ ଫଳପାଇଁ ? ମିଛ, ସବୁ ମିଛ ।

 

ସେ ଫେରିଯିବେ ଆହତ ପକ୍ଷୀଟି ପରି ନିଜର ଘରକୁ । ନା । ତା’ ମଧ୍ୟ ସମ୍ଭବ ନୁହେଁ । ଘରେ ତାଙ୍କର କିଏ ଅଛି ? କେହି ତ ତାଙ୍କୁ ଅପେକ୍ଷା କରେ ନାହିଁ, ଦେଖିଲେ ହସିବି ଦିଏ ନାହିଁ । ବାହାର ପୃଥିବୀକୁ ସର୍ବସ୍ୱ କରି ସେ ଚଳୁଥିଲେ । ସେ ପୃଥିବୀର ମୁଖା ଆଜି ଖୋଲିଯାଇଛି ତାଙ୍କ ସାମ୍ନାରେ । କିଏ ଅଛି ? କେଉଁଠିକି ଯିବେ ସେ ସ୍ମୃତିର ଗନ୍ତାଘର କେଉଁଠିବି ହସହସ ମୁହଁଟିଏ ତାଙ୍କ ଦୃଷ୍ଟିପଥକୁ ଆସିଲା ନାହିଁ ।

 

ଘରକୁ ଫେରିବେ କି ନାହିଁ ଭାବୁଥିବା ଅବସ୍ଥାରେହିଁ ତାଙ୍କ ଗାଡ଼ି ଆସି ଅଟକିଗଲା ଗୋଟିଏ ଘର ସାମ୍ନାରେ । କାଚ ଦେଇ ସାଇନ୍‍ବୋର୍ଡ଼କୁ ପଢ଼ିଲେ ବିଜୟିନୀ । ଓଃ ନିଜର ଘର, ନିଜର ପରିଚିତ ସ୍ଥାନ କେତୋଟି ମୁହୂର୍ତ୍ତରେ କିପରି ଭାବରେ ଯେ ଅପରିଚିତ ହୋଇଯାଇଛି ଭାବିପାରୁ ନାହାନ୍ତି ସେ; ଅଥଚ ଏଇ ତାଙ୍କର ଘର, ପିତୃଦତ୍ତ ଅଧିକାର ।

 

ଘର ସାମ୍ନାରେ ବଗିଚା । ଲନ୍‌ରେ କେତେଜଣ ସବୁଦିନ ପରି ବସିଛନ୍ତି । ହଁ, ଆଜି ଶନିବାର । ଗହଳି ଟିକିଏ ବେଶୀ ହେବା କଥା, କେହି ହୁଏତ ତାଙ୍କପାଇଁବି ଅପେକ୍ଷା କରିଥାଇପାରନ୍ତି ।

 

ବିଜୟିନୀ ଅଳସ ପାଦ ଘୋଷାଡ଼ି ଖୁବ୍‌ ଧୀରେ ଧୀରେ ଲନ୍ଆଡ଼କୁ ନ ଅନାଇ ପାହାଚରେ ପାଦ ନ ଦେଉଣୁ କିଏ ଜଣେ ପାଟିକରି ଡାକ ପକାଇଲା–

 

‘‘ମିସେସ୍ ଦାସ । ଚଲେ ଯାଚ୍ଛେନ୍‌ କେନୋ ? ଏ ଦିଗେ ଆସୁନ୍‌ ନା । ଆମରାଯେ ସବାଇ ଆପନାର ଜନ୍ୟ ଅପେକ୍ଷା ରେଖେଛି ।’’

 

ମିସେସ୍‌ ସ୍ୱପ୍ନା ଚାଟାର୍ଜୀ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ସ୍ତ୍ରୀ । ପଚିଶବର୍ଷରୁ ଊର୍ଦ୍ଧ୍ୱ ଓଡ଼ିଶାରେ ରହିଲେବି ଓଡ଼ିଆ ତାଙ୍କ ପାଟିରେ ପଶୁନି । ଓଡ଼ିଆ ବୁଝୁ ନାହାନ୍ତି କହିଲେ ଚଳେ; ତଥାପି ଏମାନଙ୍କୁ ନେଇ ବ୍ୟବସାୟ ଚଳେଇବାକୁ ପଡ଼େ ବିଜୟିନୀ କ୍ଳାନ୍ତ ହସି ଉତ୍ତର ଦେଲେ–

 

‘‘ଏକ୍‌ଟୁ ପରେ ଆସ୍‌ବୋ ! ଭୀଷଣ ଟାୟାର୍ଡ଼ ଲାଗୁଛେ । ମିଃ ଦାସ ତ ଆଛେନ୍‌ ।’’

 

‘‘ସେ କି ଗୋ । ଆପନି ନା ଥାକ୍‌ଲେ ସଭାକି ଆର୍ ଜମ୍‌ବେ ? ଆପନାର ବିନା ତ ମିଃ ଦାସ ମୂକ୍ ଆର୍ ବଧିର ।’’

 

ମିସେସ୍‌ ଚାଟାର୍ଜୀଙ୍କର ଏକଥାରେ ସମ୍ମିଳିତ କଳରୋଳ ଉଠିଲା । ଏମିତିକି ମିଃ ଦାସ ମଧ୍ୟ ସେଥିରେ ଯୋଗଦେଇଥିଲେ ଉତ୍‌ଫୁଲ୍ଲିତ ଭଙ୍ଗୀରେ । ଟ୍ରାସ ! ଲୋକଟାର ବ୍ୟକ୍ତିତ୍ୱ ନାହିଁ । ଏଥିରେ ହସିବାର କ’ଣ ବା ଅଛି ? ଅନ୍ୟମାନେ ଭାବୁଥିବେ ତାଙ୍କର ସ୍ୱାମୀଟି ଗୋଟିଏ ମସ୍ତ ବୋକା । ତା’ ମଧ୍ୟ ମିଥ୍ୟା ନୁହେଁ ।

 

ବିଜୟିନୀ କୌଣସି ପ୍ରତ୍ୟୁତ୍ତର ନ କରି ଚାଲିଗଲେ ।

ଉପରମହଲାକୁ ଉଠିଯିବା ସିଡ଼ି ପାଖରେ ଥିବା ଷ୍ଟଡ଼ି ରୁମ୍‌ରେ ମାଳା ବସି କ’ଣ ଚିଠି ଲେଖୁଛି । ଆଜି ପ୍ରାଇଭେଟ ଟିଉଟର ଆସି ନାହାଁନ୍ତି କିମ୍ବା ଡେରିରେ ଆସିବେ । ଫରେନ୍‌ ଯିବାପାଇଁ ଗୋପନରେ ପ୍ରସ୍ତୁତ ହେଉଥିବା ପୁତ୍ରର ରୁମ୍‌ରେ ତାଲା ପଡ଼ିଛି । ବଡ଼ପୁଅ ଓ ବୋହୂ ସିନେମା କିମ୍ବା ରୁମ୍‌ରେ ବସି ଟେଲିଭିଜନ ଦେଖୁଥିବେ ।

ବିଜୟିନୀ ନୀରବରେ ନିଜର ବାଥ୍‌ରୁମ୍‌କୁ ଗଲେ । ମୁହଁ ହାତ ଧୋଇ ଆସି ବେଡ଼୍ ରୁମ୍‌ରେ ଲାଇଟ୍ ଲିଭାଇ ଦେଇ ବିଛଣାରେ ଗଡ଼ିପଡ଼ିଲେ । ଶାଢ଼ି ବଦଳାଇବା ପାଇଁ ଦେହରେ କି ମନରେ ଆଗ୍ରହ ନାହିଁ । ଦେହରେ, ମନରେ ଖାଲି ଅଜସ୍ର କ୍ଳାନ୍ତି । ଆଖିପତା ବନ୍ଦ ହୋଇ ଆସୁଛି ଗଭୀର ଆବେଗରେ ।

କେତେବେଳେ ବିତିଯାଇଛି କେଜାଣି, ଗୋଟାଏ ଭୟାନକ ସ୍ୱପ୍ନ ଦେଖି ବିଜୟିନୀ ଉଠିପଡ଼ିଲେ । କି ଅସହାୟ ସତେ ସେ । ସୁନ୍ଦର କରି ସ୍ୱପ୍ନଟିଏ ମଧ୍ୟ ଦେଖିବା ତାଙ୍କ ଭାଗ୍ୟରେ ନାହିଁ ।

ହଠାତ୍‌ ଖସ୍‍ଖସ୍ ଶବ୍ଦ ଶୁଭିଲା । ଅନ୍ଧାରରେ କିଏ ? ସେ ଆଖିମେଲି ଚାହିଁଲେ । ଚୁରୁଟ ଧୂଆଁରେ ଘର ଭିତରଟା ଭର୍ତ୍ତି ହୋଇଯାଇଛି । ଏ ମୁଣ୍ଡରୁ ସେ ମୁଣ୍ଡ ପାଇପ୍ ଧରି ବୁଲୁଛନ୍ତି ତାଙ୍କର ସ୍ୱାମୀ । କେତେ ରାତି ହେଲାଣି କେଜାଣି ?

ଏ ସମୟରେ କିଏ ଜଣେ ଘରଦ୍ୱାର ମୁହଁରେ ଆସି ଛିଡ଼ାହେଲା । ବିଜୟିନୀ ଆଖି ବନ୍ଦ କଲେ । ଫୁସ୍‍ଫୁସ୍ କରି କିଏ ଜଣେ କ’ଣ ପଚାରିଲା ଓ ସ୍ୱାମୀ କ’ଣ ଉତ୍ତର ଦେଲେ ବିଜୟିନୀଙ୍କୁ ଶୁଭିଲା ନାହିଁ । ଏତିକିବେଳେ ବଡ଼ପୁଅର ପାଟି ଶୁଣାଗଲା–

‘‘ଡାକ୍ତରଙ୍କୁ ଖବର ଦେବି ଡାଡ଼ି ।’’

‘‘ନା, ନା । ସବୁ ନର୍ମାଲ ଅଛି । ଜ୍ୱର, ଥଣ୍ଡା କିଛି ନାହିଁ । ପଲ୍‌ସବି ନର୍ମାଲ । ତୁମେ ଯାଇ ସବୁ ଶୋଇପଡ଼ । ବ୍ୟସ୍ତ ହବାର କିଛି ନାହିଁ ।’’

‘‘ମମିକୁ ନିଦରୁ ଉଠାଇଦେବା ଭଲ । ଆଇ ଫିଲ୍ ରାଦର୍‌ ରେଷ୍ଟଲେସ୍ ।’’ ପୁଅର କଣ୍ଠରେ କିଛିଟା ବ୍ୟସ୍ତତା । ସାରା ଶରୀର ବିଜୟିନୀଙ୍କର ରୋମାଞ୍ଚିତ ହୋଇ ଉଠିଲା ।

‘‘ନା । ତା’ର ରେଷ୍ଟ ଦରକାର । କେବେ ତାକୁ ସାଉଣ୍ଡସ୍ଲିପ୍‌ ହୁଏ ନାହିଁ । ଖୁବ୍‌ ରେଆର୍-। ଦିସ୍‌ ଇଜ୍‌ ଏ ଗୁଡ଼୍ ସାଇନ୍‌ ।’’

ପୁଅ କ୍ଷୁଣ୍ଣ କଣ୍ଠରେ ଉତ୍ତର ଦେଲା–‘‘ମାତ୍ର ସେ ତ କହେ... ।’’

‘‘ସେ ତ ଅନେକ କଥା କହେ । ସେଥିରୁ ତା’ର ଗୋଟିଏ କଥାବି ସତ ନୁହେଁ । ଆଉ ସେଇ କହିବା ରୋଗରେହିଁ ଜନ୍ମରୁ ସେ ଆକ୍ରାନ୍ତ ।’’

‘‘ରୋଗ । ନା, ନା ରୋଗ କିଛି ନାହିଁ । ଭୀଷଣ ଆକ୍ଟିଭ୍‌ ମମି । କେବେ ଟାୟାର୍ଡ଼ ହେବା ମୁଁ ଜାଣିନି ।’’

‘‘କେମିତି ହେବ ? ନିଜକୁ ଭଲ ପାଇଲେ ତ କେହି କେବେ କ୍ଳାନ୍ତ ହୁଏ ନାହିଁ । ହୁଏ କେବଳ ନିଜ ମୃତ୍ୟୁରେ । କାରଣ ସେ ବ୍ୟକ୍ତିତ୍ୱର ଚେତନା ସବୁକିଛିଠାରୁ ଊର୍ଦ୍ଧ୍ୱରେ ଯେ ।’’

 

‘‘ଆବ୍‌ସର୍ଡ଼ ।’’

 

ଖୁଁ, ଖୁଁ କରି ହସିଲେ ମଦନବାବୁ । ଚତୁର୍ଦ୍ଦିଗରେ ଘନ ନୀରବତା । ବାରଣ୍ଡାର ଲାଇଟ୍‌ଗୁଡ଼ାକ ଧପ୍‌ଧପ୍‌ କରି ଲିଭିଗଲା । ବର୍ତ୍ତମାନ ସମସ୍ତଙ୍କର ଶୋଇବାର ସମୟ ହୋଇଗଲାଣି-

 

ଝର୍କା ଦେହର ରେଲିଂ ଧରି ଅନ୍ଧକାରଭରା ପୃଥିବୀର ଯେପରି ସାମ୍ନା କରୁଛନ୍ତି ବିଜୟିନୀଙ୍କର ସ୍ୱାମୀ ।

 

ଆସ୍ତେ କଡ଼ ଲେଉଟାଇଲେ ବିଜୟିନୀ । ଝିରିଝିରି ପନବରେ ପତ୍ର ଝରି ପଡ଼ିଥିବା ଥୁଣ୍ଟା ଗଛଟିଏ କେବଳ ଝରକା ସେପଟରୁ ତାଙ୍କୁ ଉପହାସ କରି ଚାହିଁଛି । ବେକ ପାଖରେ ବ୍ଲାଉଜ୍ ଓ ତକିଆର ଦୁଇପଟ ଲୁହ ଲାଳରେ ଓଦା ହୋଇଗଲାଣି କେତେ ବେଳରୁ ।

 

ନିଜ ବାହାକୁ ଝୁଙ୍କିପଡ଼ି କାମୁଡ଼ି ଧରି ସେ ଆଶ୍ରୟ ଖୋଜିବା ଆରମ୍ଭ କରି ଦେଲେ ନିଜଠାରେ । ଅନ୍ତତଃ କୌଣସି ଅବସ୍ଥାରେ ନିଜକୁ ଅସହାୟ କରି ସେ ଛାଡ଼ିଦେଇ ନାହାଁନ୍ତି । ଆଜି ତ କଦାପି ନୁହେଁ ।

 

ଥୁଣ୍ଟା ଗଛଟିରେ ପକ୍ଷୀଟିଏ ବସି ଡେଣା ଝାଡ଼ୁଥିଲା କେବଳ ନୀରବରେ !!

✽✽✽

 

କଲ୍ଲୋଳିନୀ

 

ଓଠରେ ଲିପ୍‍ଷ୍ଟିକ୍‌ ଲଗାଉ ଲଗାଉ ଅନ୍ୟମନସ୍କ ହୋଇ ଉଠିଲା କଲ୍ଲୋଳିନୀ । ଆଜିକାଲି ନିଜର ତଥାକଥିତ ରକ୍ତାଭ ଓଠଟି ନିଷ୍ପ୍ରଭ ହୋଇଆସୁଛି ବୋଲି ଲିପ୍‌ଷ୍ଟିକ୍‍ର ବହରଟା ଟିକେ ବଢ଼େଇ ନେବା ଆବଶ୍ୟକ ହେଉଛି । ଓଠ ଦୁଇଟିକୁ ସଂକୁଚିତ କରି ସେ ଟିକେ ମୁରୁକି ହସିଲା । ଗାଲରେ ଆଉ ଏବେ ଭଉଁରୀ ସ୍ପଷ୍ଟ ଦେଖା ଯାଉ ନାହିଁ । ମେଦବୃଦ୍ଧି ହେଉଛି, ଆଖି ଦୁଇଟା ଛୋଟବି ଲାଗୁଛି; ଅଥଚ ଆଖି ଦୁଇଟି ବେଶ୍ ବଡ଼ବଡ଼ ଥିଲା ଗଲା ବର୍ଷ ଓ ସେହି ଆଖିରେ କଲ୍ଲୋଳିନୀ ସମ୍ମୋହିତ କରିଥିଲା କେତେ ଦୁର୍ଦ୍ଦାନ୍ତ ଯୁବକଙ୍କୁ, ତା’ର ହିସାବ ନାହିଁ । ଏବେ କ’ଣ ରଖି ନାହିଁ ? ମୁହଁରେ ଓଠରେ ତା’ର ହସର ଝଲକ ଫୁଟି ଉଠିଲା ନିଜ ଚିନ୍ତାର ନିଜ ଚିନ୍ତାର ପକ୍ୱତାରେ ।

 

କବାଟରେ ଠକ୍‌ ଠକ୍‌ ଆବାଜ ଶୁଭିଲା । ପଡ଼ିଶା ଘରର ପୀତାମ୍ବରବାବୁଙ୍କ ସ୍ତ୍ରୀ ସୁଲେଖାର ଏ ଆହ୍ୱାନ । ମୋଟେ ଭଲ ଲାଗେନା ତାକୁ ଏ ସୁଲେଖାର କଥାବାର୍ତ୍ତା କିନ୍ତୁ ଏହି ସମୟରେ ପ୍ରାୟ ତା’ର ସ୍ୱାମୀ ବଜାରକୁ କି ବୁଲିବାକୁ ବାହାରିବାକ୍ଷଣି ହାଡ଼ୁଆ ଛୁଆ ଦି’ଟାର ହାତ ଧରି ସେ କଲ୍ଲୋଳିନୀ ଘରକୁ ଆସେ ଏବଂ ଠିକ୍‌ ସେହି ସମୟରେ ଦର୍ପଣ ସାମ୍ନାରେ ଠିଆହୋଇ କଲ୍ଲୋଳିନୀ ନିଜ ପରିପାଟୀରେ ବ୍ୟସ୍ତ ଥାଏ । ସାୟା ଓ ବ୍ଲାଉଜ୍‌ ଉପରେ ଟାଓ୍ୱେଲଟା ଢଙ୍କେଇ ଦେଇ କଲ୍ଲୋଳିନୀ ଦ୍ୱାର ଖୋଲିଦେଲା ସୁଲେଖାକୁ । ସବୁଦିନ ପରି ଦେହରେ ଏକ ଝାଳୁଆ, ତେଲ ମସଲାର ଗନ୍ଧ ନେଇ ସୁଲେଖା ଘର ଭିତରକୁ ପଶିଆସିଲା । ଥ୍ୟାଙ୍କ୍ ଗଡ଼୍ ଆଜି ପିଲା ଆଣି ନାହିଁ ସାଙ୍ଗରେ ।

 

ସୁଲେଖା ପଶି ଆସୁ ଆସୁ କହିଲା–ତେମେ ତ ବାହାରିଲଣି ଅପା । ମୁଁ ଖାଲି ଆସୁଛି ସିନା ହେଲେ ତୁମ ସଙ୍ଗରେ କଥା କହିବାକୁ ବେଳ କାହିଁ ଯେ ? ରୋଜ୍ କାହିଁକି ବାହାରକୁ ଯାଉଛ ଏତେ ? ଦିନସାରା ଖଟଣି, ରାତିରେ ବୁଲି ନ ଗଲେ ଚଳିବନି ?’’

 

କଲ୍ଲୋଳିନୀ ମୁହଁରେ ପାଉଡ଼ର ଲଗାଉ ଲଗାଉ କହିଲା, କ’ଣ କହିବ କହୁନ ? ମୋର ଯିବା ଆସିବାଠେଇଁ ତୁମର କ’ଣ ଅଛି ଯେ ?

 

‘‘ରାଗିଲ କି ଅପା ? ଇଏ କହୁଥିଲେ ସାଇ ଲୋକେ ଭୁଟ୍‍ଭାଟ୍ ହେଉଛନ୍ତି, ତୁମେ ଏତେ ରାତିରେ କାହା ସାଙ୍ଗରେ ନାହିଁ କାହା ସାଙ୍ଗରେ ଫେରୁଛ । କ’ଣ ଲାଭ କହିଲ ?’’ ବିରକ୍ତ ହୋଇଉଠିଲା କଲ୍ଲୋଳିନୀ । ସାମାନ୍ୟ ଗୋଟିଏ କିରାଣି ସ୍ତ୍ରୀ, ରୋଷେଇଶାଳରେ ଯାର ଜୀବନର ଶ୍ରେଷ୍ଠତମ ସମୟ ବିତିଗଲାଣି, ସେ ପୁଣି ଯୌବନର ସୁରାପାନ କରି ମତୁଆଲା ହୋଇଥିବା କଲ୍ଲୋଳିନୀକୁ ଦିଗ୍‌ଦର୍ଶନ ଦେବ ? ପାଉଡ଼ର ପଫ୍‌ଟା ଫୋପାଡ଼ି ଦେଇ ସେ କହିଲା–

 

‘‘ତୁମେ ଫେରିଯାଅ ସୁଲେଖା । ମୁଁ ଆଜି ଟିକେ ବେଶି ବ୍ୟସ୍ତ ଅଛି । ପରେ ତୁମ ସାଙ୍ଗରେ କଥା କହିବି ।’’

 

ଉଦ୍ୟତ ରାଗକୁ ଚପାଇ ରଖି କଲ୍ଲୋଳିନୀ କହିଲା । ସେ ଗୋଟାଏ ଚାପୁଡ଼ା ଦେଇ ସୁଲେଖାକୁ ବିଦା କରି ଦେଇଥାନ୍ତା ମାତ୍ର ତାହା ସେ କଲା ନାହିଁ । କାରଣ ସୁବିଧା ଅସୁବିଧାରେ ସୁଲେଖା ବ୍ୟତୀତ ଏ ପଡ଼ାରେ କେହି ଯେ ତାକୁ ଆହା ପଦଟିଏ କହିବେ ନାହିଁ କି ତା’ ବାରଣ୍ଡାକୁ ପାଦ ପକାଇବେ ନାହିଁ । ଏ କଥା କଲ୍ଲୋଳିନୀ ଜାଣେ ।

 

ସୁଲେଖା ଉଠି ପଡ଼ୁ ପଡ଼ୁ କହିଲା–

 

‘‘ମଲା, ମୁଁ କ’ଣ ଜାଣିନି କି ତୁମେ ମୋତେ ସୁଖ ପାଅନି ବୋଲି । ହେଲେ ତୁମେ ଏମିତି ବେଶବାସ ହୋଇ ବୁଲିଗଲାବେଳେ ତୁମକୁ ଦେଖିବାକୁ ମୋର ଭାରି ଇଚ୍ଛା ହୁଏ ଅପା । ସେଥିପାଇଁ ତ ମୁଁ ସେ ବଜାର ଗଲାକ୍ଷଣି ଲୁଚି କରି ଚାଲିଆସେ । ସେ ଜାଣିଲେ ମୋ ମହତ ରଖିବେ ନାହିଁ । କାଲିଠୁ ମୁଁ ଆମ ଘରକୁ ଯାଉଛି । ମୋ ସାନଭାଇର ବାହାଘର । ମାସକ ପରେ ଆସିଲେ ଆଉ ଆସିବିନି ଏଠିକି । ଅଭ୍ୟାସ ବଦଳିଯାଇଥିବ ଯେ...ମୁଁ କ’ଣ ପୁରୁଷ ଲୋକ ହୋଇଛି କି ?’

 

କଲ୍ଲୋଳିନୀ ନିଜ ଭିତରେ ଚମକିପଡ଼ିଲା ଟିକିଏ । ତା’ର ରୂପମାଧୁରୀ ଦେଖିବାପାଇଁ ସୁଲେଖା ଆସୁଛି । ପୁରୁଷ ପରି ନାରୀକୁ କରାୟତ୍ତ କରୁଛି ତା’ର ରକ୍ତମାଂସ ଦେହ । ଏକ ରୋମାଞ୍ଚ ଖେଳିଗଲା ତା’ର ଦେହରେ; ସ୍ମିତ ହସି ସେ କହିଲା–

 

‘ମୁଁ ସେମିତି କହିଲି ନା । ତୁମଛଡ଼ା ଏ ପଡ଼ାରେ ମୋର କିଏ ଆଉ ଆପଣାର ଅଛି ? ତୁମେ ସତରେ ମତେ ଦେଖିବାକୁ ଆସ, ଏକଥା ମୁଁ ଜାଣି ନଥିଲି ।’

 

ବଙ୍କେଇ କରି ଚାହିଁଲା କଲ୍ଲୋଳିନୀ । ସୁଲେଖାର ମୁହଁ ରକ୍ତିମ ହୋଇଉଠିଲା ଲଜ୍ଜାରେ-

 

ସୁଲେଖା ଦ୍ୱାର ଆଡ଼କୁ ଯାଉ ଯାଉ କହିଲା–

 

‘‘ଦେହକୁ ନେଇ ମୋରବି ଦିନେ ଭାରି ଗର୍ବ ଥିଲା ଅପା, ଦର୍ପଣରେ ସକାଳୁ ସଞ୍ଜ ନିଜ ଦେହକୁ ଦେଖିବା ଗୋଟେ ସଉକୀ ମୋର ଥିଲା । ହେଲେ ସେ ରହିଲା ନାହିଁ ।’’

‘‘କାହିଁକି ? ଯତ୍ନ ବୋଧହୁଏ ନେଇ ନାହିଁ ।’’

ପୌଷ ପରେ ବସନ୍ତ ଆସେ, କିନ୍ତୁ ବସନ୍ତ ପୁଣି ଘୂରିଯାଇ ପୌଷକୁ କେତେବେଳେ ଆଲିଙ୍ଗନ କରେ କେହି ତ ତାହା ବୁଝିପାରେ ନାହିଁ । ତୁମ କ୍ଷେତ୍ରରେ ପୌଷ ଯେମିତି ନମସ୍କାର କରି ଦୂରେଇ ରହିଛି... ।’’

‘‘ସତେ । ଏ ତ ଗଭୀର ସାହିତ୍ୟ, ମୁଁ ବୁଝେ ନାହିଁ ଏ ସବୁ ।’’

‘‘ହଉ, ମୁଁ ଯାଉଛି ଅପା, ତୁମପାଇଁ ତରକାରୀ ଟିକେ ଆଣିଥିଲି, ରଖି ଦେଇଛି ରୋଷେଇଘରେ । ଆସିଲେ ପୁଣି ଦେଖା... ।’’

ସୁଲେଖା ଚାଲିଗଲା । କଲ୍ଲୋଳିନୀ ଶାଢ଼ିର କୁଞ୍ଚଟି ଧରି ଦର୍ପଣରେ ନିଜର ଛବିକୁ ଚାହିଁରହିଲା । ଦେହ ତା’ର ବାସ୍ନା କରୁଛି । ଅତରର ମନମୁଗ୍‌ଧକର ଗନ୍ଧ । ବସନ୍ତର ମଳୟ ଲହଡ଼ି ଭାଙ୍ଗୁଛି ଉତ୍ତର-ପଚିଶ ପରେବି କାହିଁକି ? ସେ ଗୂଢ଼ତତ୍ତ୍ୱ ସେହି ଜାଣେ କ’ଣ ଏକା ? ଜାଣେବି ସୁଲେଖା, କାହାର ମର୍ଜି ପାଖରେ ଦେହ ତା’ର ବନ୍ଧା ପଡ଼ିନି । କେଉଁ ପୁରୁଷର ଅବାଞ୍ଛିତ ସନ୍ତାନ ଗର୍ଭରେ ଧରି ଶିରାପ୍ରଶିରା ଗଣି ହୋଇନି । ସେ ରହିଯାଇଛି ସମୟ ସ୍ରୋତରେ ଅପରାଜିତା, ଅଥଚ ବହୁଜନବାଞ୍ଛିତ ।

ସ୍ୱାଧୀନ ।

ନା ! ସୁଲେଖାଟା ନିହାତି ବୋକୀ ବା ଅଇସିକା ନୁହେଁ, ସୌନ୍ଦର୍ଯ୍ୟପିପାସା ତା’ ଭିତରେବି ଅତୁଟ ଅକ୍ଷୁଣ୍ଣ ।

ଦର୍ପଣରେ କାନିଟିକୁ ସଜାଡ଼ି ରଖି ପିନ୍‌ ମାରୁ ମାରୁ ମୁଗ୍ଧ ହୋଇ ଉଠିଲା କଲ୍ଲୋଳିନୀ । କି ସୁନ୍ଦର ସତେ ସେ ? ନିଜପରି କାହାକୁ ଦେଖିଛି ବୋଲି ମନେ ହେଉନି । ଦର୍ପଣର କାଚ ଦେହରେ ନିଜ ଛବିରେ ଏକ ଗଭୀର ଚୁମ୍ବନ ଆଙ୍କି ଦେଇ କଲ୍ଲୋଳିନୀ ନିଜର ବ୍ୟାଗ୍‌ଟା କାନ୍ଧରେ ଝୁଲାଇ ଗୁଣୁଗୁଣୁ ଗୀତ ଗାଇ ଦ୍ୱାର ବନ୍ଦ କରି ପଦାକୁ ଚାଲିଗଲା ।

ସୁମନା ଘରେ ଆଜି ଆସରାଗ ବିବାହର ପାଞ୍ଚବର୍ଷ ପୂରିଯାଉଛି । ସେହି ଉପଲକ୍ଷେ ସମାରୋହ । କାହିଁକି ଯେ ଫୁଲେଇ ହେଉଛି ସୁମନା ? ସ୍ୱାମୀ ପଛେ ଯାଇ ଗଳିକନ୍ଦି ବୁଲି ସ୍ତ୍ରୀ ଖୋଜୁ ଥାଉ, ଟାଙ୍କି ଟାଙ୍କ ମଦ ପିଇ ରାସ୍ତାରେ ପଡ଼ୁ ଥାଉ, ସ୍ତ୍ରୀର ପତିଭକ୍ତି କହିଲେ ନସରେ । ହୁଁ...-। ଗାଡ଼ିଟାଏ ହର୍ଣ୍ଣଦେଇ ଅଟକି ଗଲା ତା’ ଉପରେ ମେଞ୍ଚାଏ ଆଲୁଅ ଛିଞ୍ଚାଡ଼ି ଦେଇ । କିଏ-? ଓଃ...ଭସମାନ ! ସାଙ୍ଗରେ ତା’ର ସ୍ତ୍ରୀ ଜଇବୁନ ! ଭସମାନ ଇଙ୍ଗିତ କରିଛି ତାକୁ ଗାଡ଼ିରେ ଉଠି ଯିବାପାଇଁ ଟିକିଏ ନିରାପଦରେ ଚାଲିଚାଲି କେଉଁଠିକି ଯିବ । ସେତିକି ଗୋଟାଏ ଫର୍‌ଲଙ୍ଗ ରାସ୍ତା, ତାହା ମଧ୍ୟ ସମ୍ଭବ ନୁହେଁ । ଯେମିତି ରାସ୍ତାରେ ବାହାରିବା ସମୟରେ ସବୁଲୋକ ବାହାରି ଆସନ୍ତି କି କ’ଣ ? ବାଧ୍ୟହୋଇ ହସିଦେଲା କଲ୍ଲୋଳିନୀ ।

‘‘ଏଇ ଟିକିଏ ରାସ୍ତା ତ ଚାଲିଯାଉଥିଲି ।’’ ଜଇବୁନ ଠୋଠୋ ହସି କହିଲା–‘‘ତୁମେ ରାସ୍ତାରେ ଚାଲିବ ନାହିଁ କଲ୍ଲୋଳିନୀ ! ତୁମର ପାଦକୁ କାଟିଲେ ଏ ସହରର ଲୋକେ ଶାନ୍ତିରେ ରହି ପାରିବେନି ।’’

 

କଥାରେ ହୁଏତ କିଛିଟା ଶ୍ଳେଷ ଓ ବ୍ୟଙ୍ଗୋକ୍ତି ଅଛି; ମାତ୍ର କଲ୍ଲୋଳିନୀ ବୁଝିଲେ ନାହିଁ । ଚିରାଚରିତ ଭଙ୍ଗାରେ ଠୋଠୋ ହସିଦେଲା ସେ । ଉସମାନ ଗାଡ଼ିରେ ଷ୍ଟାର୍ଟ୍ ଦେଉ, ଦେଉ, କହିଲା–

 

‘‘ଜଇବୁନି ଯାହା ଯାହା କହିଛି ମିଛ ନୁହେଁ । ଅନ୍ତତଃ ମତେ ତ ନିଦ ହେବନି...ହୋ, ହୋ, ହୋ ।’’

 

ସୁମନା ଘରେ ବହୁଲୋକରେ ଗହଳି । ବହୁ ଦମ୍ପତି ଓ ବହୁ ଅବିବାହିତ ତରୁଣତରୁଣୀଙ୍କର ସମାରୋହ ।

 

କଲ୍ଲୋଳିନୀ ନିଜର ଉପଯୁକ୍ତ ସ୍ଥାନ କେଉଁଠି ବୁଝିପାରି ନାହିଁ । କାରଣ ବହୁ ଲୋକଙ୍କର ନିମନ୍ତ୍ରଣ ତା’ ପ୍ରତି । ମାତ୍ର ସେ ଖୋଜୁଛି ହେଇତ ତପନ ଯାଇ ବସିଛି ଚିତ୍ରା ପାଖରେ । ଏବେ ଆଇ.ଏ.ଏସ୍. ପାଇଛନ୍ତି ଏବଂ ସୁନ୍ଦରୀ ନାରୀମାନଙ୍କ ପ୍ରତି ତା’ର ଅସୀମ ଦୁର୍ବଳତା ଶୁଣିଛ କଲ୍ଲୋଳିନୀ । ଏ ସୁବିଧା ତା’ର ଛାଡ଼ିବାର ଉଚିତ ନୁହେଁ ବୋଲି ସୁମନା ତାକୁ କାନେକାନେ କହିଛି-। କେବଳ ବୟସ ଦୃଷ୍ଟିରୁ ସେ କୁଣ୍ଠାବୋଧ କରିଥିଲା, କିନ୍ତୁ ସେଥିରେ କ’ଣ ଅଛି ? ସବୁବେଳେ ଯେ ନାରୀମାନେ ପୁରୁଷଠାରୁ ଛୋଟ ହେବେ, ଏହାର ତ କିଛି ମାନେ ନାହିଁ । ସୌନ୍ଦର୍ଯ୍ୟ ଓ ଯୌବନର ଫୁଆରାକୁ ଖୋଲି ଦେଇ ସେ କ’ଣ ତାରତମ୍ୟକୁ ପୋଛି ଦେଇପାରିବନି-? ପାରିବ । ତପନକୁ ତା’ର ବାଞ୍ଛିତ ପୁରୁଷ କରି ସେ ଗ୍ରହଣ କରିପାରିବ ।

 

ଏତିକିବେଳେ ସୁମନା ଆସି କଲ୍ଲୋଳିନୀର ହାତଭିଡ଼ି ଧରି ନେଇଗଲା ଗୋଟାଏ କୋଣକୁ ।

କଲ୍ଲୋଳିନୀର ଗାଲ ଚିପିଦେଇ ସେ ଆସ୍ତେ କହିଲା–‘‘ଏମିତି ରାଜକାର୍ଯ୍ୟରେ ତୁ ବ୍ୟସ୍ତଥିଲୁ ଯେ ଟିକେ ଆଗରୁ ଆସିପାରିଲୁନି ? ତପନ ଉପରେ ବହୁ ନାରୀର ଆଖି । ବିଶେଷତଃ କସ୍ତୁରୀ ପ୍ରତି ସାବଧାନ ରହିବୁ ।’’

‘‘କସ୍ତୁରୀ । ସେ ପୁଣି କିଏ ?’’

‘‘ସେଇମ । ନୂଆ ହୋଇ ଯେଉଁ କଲେକ୍‍ଟର ଆସିଛନ୍ତି ତାଙ୍କରି ଝିଅ ।

‘‘ତାକୁ ଡାକିଲୁ କାହିଁକି ଏଠିକି ?’’

‘‘ଉପାୟ ନାହିଁ । ଜାଣୁ ତ ୟାଙ୍କ କଥା....ବୁଢ଼ା ହେଲେଣି ।’’ କଲ୍ଲୋଳିନୀ ହସି ପକାଇଲା । ବୁଢ଼ା ଯେ ଆଦୌ ସୁମନାର ସ୍ୱାମୀ ନୁହେଁ, ଏ କଥା କିଏ ନ ଜାଣେ ? ଫୁଲେଇ ହଉଛି ଭାବି ଜୋରରେ ହସି ଉଠିଲା ଆଉଥରେ କଲ୍ଲୋଳିନୀ ।

ତାଳି ଉପରେ ତାଳିରେ ନିନାଦିତ ହେଲା ବିରାଟ ଲନ୍‌ଟା । କ’ଣ ଘଟଣା ? ଓଃ...ଗୀତ ଗାଇବାକୁ ଛିଡ଼ା ହୋଇଛନ୍ତି ସୁଲତା । ଧୁତ୍ । ଏଇ ସବୁ ଲମ୍ବା ଘୋଷରା ପ୍ରୋଗ୍ରାମ ଭଲ ଲାଗୁନି ଆଉ କଲ୍ଲୋଳିନୀକୁ ।

ଗୀତର ଫାଙ୍କରେ ସୁମନା କୌଣସିମତେ ଟାଣିନେଇ କଲ୍ଲୋଳିନୀକୁ ବସାଇଦେଲା ତପନ ପାଖରେ । ଗୋଡ଼ ଘୁଞ୍ଚାଇ ଟିକିଏ ତେରଛେଇ ବସିଲା ତପନ । ଅନ୍ୟମନସ୍କ ଭାବରେ ପତ୍ରିକାଟିକୁ ଓଲଟେଇ ଚାଲିଲା ।

 

କଲ୍ଲୋଳିନୀ ପଚାରିଲା–

 

‘‘ଆପଣଙ୍କୁ ଗୀତ ଭଲଲାଗେନା ?’’

 

ଆଖି ଟେକି ଅନେଇଲା ତପନ । କ’ଣ କହିବ ?

 

ବିଚିତ୍ର ପ୍ରଶ୍ନ ପତ୍ରିକାଟିକୁ ଅନେଇଚି ବୋଲି କି ଗୀତ ଭଲ ଲାଗୁନି ? କିଛି ଗୋଟାଏ କହିବ କହିବ ହୋଇ କହି ପାରିଲାନି କିନ୍ତୁ ।

 

କଲ୍ଲୋଳିନୀ ମୁରୁକି ହସି କହିଲା–ଆଜିକାଲି ଚାରିଆଡ଼େ ଏକଇ ପ୍ରୋଗ୍ରାମ । ଡ୍ରିଙ୍କ୍‍ସ୍, ଗୀତ, ନାଚ ଓ ତା’ପରେ ମେଦବୃଦ୍ଧିକରା କିଛି ଖାଦ୍ୟ.....ହା ହା, ହା.. ।

 

ତପନ ଉତ୍ତର ଦେଲା–‘‘ଶେଷଟା ଛଡ଼ା କେଉଁଥିରେ ମୋର ଆଗ୍ରହ ନାହିଁ ।’’

 

‘‘ଏ ମା’, ଡ୍ରିଙ୍କ୍‍ସ୍ । ଆପଣ...ମାନେ...ଇଏ ।’’

 

‘‘ନୋ । ଥ୍ୟାଙ୍କ ଇଉ ।’’

 

ପତ୍ରିକାଟି ଏକରକମ ଜାବୁଡ଼ି ଧରି ତପନ ଉଠିଗଲା ଦୂରକୁ–ଗହଳି ଭିତରକୁ । ଝାପ୍‍ସା, ଝାପ୍‍‌ସା ଆଲୋକ ଭିତରେ ସ୍ପଷ୍ଟ ଜାଣିହେଉନି, ସେ କେଉଁଠି ଛିଡ଼ା ହୋଇଛି ।

 

ବେପଥୁ ଭଙ୍ଗୀରେ ବସି ରହିଲା କଲ୍ଲୋଳିନୀ । କ’ଣ ସତରେ ଏଇ ପୃଥିବୀ ? ଖାଲି ଅଯଥା ପ୍ରଶସ୍ତି ଓ ଯଶ ଗାନରେ ସମସ୍ତେ ବ୍ୟସ୍ତ । ଭିତରେ ସମସ୍ତେ ଏକ ଏକ ଭୀରୁ, କାପୁରୁଷ ।

 

ଚମକି ଉଠିଲା କଲ୍ଲୋଳିନୀ । ଫିକା ଆଲୋକ ଭିତରେ ସେ ସ୍ପଷ୍ଟ ଦେଖିଲା ତପନ ମାଗାଜିନ୍‌ଟା ହାତରେ ଧରି ଗଳ୍ପ କରୁଛି ଅତସୀ ସହିତ । ସର୍ବାଙ୍ଗ ତା’ର ଜଳି ଉଠିଲା କ୍ରୋଧରେ । ଏଇ ଅତସୀପାଇଁ ସମାଜରେ, ଅଫିସ୍‍ରେ, କ୍ଲବ୍‍ରେ ତା’ର କୌଣସିଠାରେ ସ୍ଥାନ ନାହିଁ । ସବୁ ସ୍ଥାନରେ କୋଉଠି କେଜାଣି ଥାଏ ଅତସୀ ଶୁଖିଲା ମୁହଁ ଦେଖାଇ ଫୁଲେଇ ହୋଇ ବାହାରି ଆସି ସମସ୍ତଙ୍କର ପ୍ରିୟପାତ୍ର ହୋଇଯାଏ । ବୁଝିପାରେନା କଲ୍ଲୋଳିନୀ । କ’ଣ ତା’ର ଅଛି ? ନା ରୂପ, ନା ବିଦ୍ୟା, ନା ଆଭିଜାତ୍ୟ । ଶାଢ଼ିଟିବି ଠିକ୍‌ ବାଗରେ ପିନ୍ଧିବା ସେ ଶିଖି ନାହିଁ । କେହି ଲୋକ ଆସିଲେ ବାଟରେ ପଦେ କଥା ମଧ୍ୟ କହିବ ନାହିଁ । ଆଜି ଆସି ଫୁଲେଇ ହେଉଛି । ଓଠ ଉପରେ ଓଠ ଚାପି ଦାନ୍ତ କାମୁଡ଼ି କଲ୍ଲୋଳିନୀ ଡ୍ରିଙ୍କ୍‍ସ୍‌କୁ ହାତରେ ଧରି ବସି ରହିଲା ।

 

‘‘କିଲୋ ! ଏମିତି କାହିଁକି ବସିଛୁ, ଦେଖୁଛୁ ସମସ୍ତେ କେମିତି ତୋତେ ଘୂରି ଘୂରି ଚାହୁଁଛନ୍ତି । ମିଃ ମିଶ୍ର ତ ତୋ’ ପାଖକୁ ଆସିବାକୁ ବ୍ୟସ୍ତ । ମୁଁ ତାଙ୍କୁ ମନା କରିଛି, କହିଛି ତୁ ଏକୁଟିଆ କିଛି ସମୟ ରହିବାକୁ ଚାହୁଁ । କ’ଣ ସତ ନୁହେଁ ?’’

 

କଲ୍ଲୋଳିନୀ ଗମ୍ଭୀର କଣ୍ଠରେ କହିଲା ‘‘ସେଇ ଦେହସର୍ବସ୍ୱ ଲୋକଟାକୁ ମୁଁ ଦି’ ଆଖିରେ ଦେଖିପାରେନା । ଆଚ୍ଛା ଅତସୀକୁ ତୁ ଡାକିଥିଲୁ ?’’

 

ମୁହଁ ଶୁଖେଇ ସୁମନା କହିଲା–‘‘ଦେଖ ଲୀନା । ତୋ ବ୍ୟତୀତ ମୋର କାହାକୁ ଡାକିବାକୁ ଇଚ୍ଛା ନଥିଲା ।’’

 

‘‘ତୋ ସ୍ୱାମୀଙ୍କୁ ଟିକେ ଅକ୍ତିଆରେ ରଖିପାରୁନୁ ? ଅତସୀର ଶୁଖିଲା ମୁହଁ, କଅଁଳ କଥା ଦେଖି ସମସ୍ତେ ତା’ ଉପରେ ପଡ଼ୁଛନ୍ତି । ସାରା ଅଫିସ୍‍ର ଜେନେରାଲ ମ୍ୟାନେଜରଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ସମସ୍ତେ ତା’ ହାତରେ । କେମିତି ଯେ ଏତେ ଲୋକଙ୍କୁ ହାତରେ ରଖିଛି ପୁଣି ସନ୍ତୁଷ୍ଟ କରି ରଖିଛି, ମୁଁ ବୁଝିପାରୁନାହିଁ ।’’

ସୁମନା ବିରକ୍ତ ହୋଇ କହିଲା–‘‘ତୋର ସବୁବେଳେ ବାଜେ ଚିନ୍ତା । ସେମିତି ସେ ପ୍ରକାର ଝିଅ ସେ ନୁହେଁ । ଅବଶ୍ୟ ତୋ’ପରି ହସିଦେଲେ ଛାତି ଫାଟିଯାଏ ନାହିଁ କି କଥା କହି ବୋମା ପକାଏ ନାହିଁ । ଦେଖୁଛୁ ତ ତା’ର ଚେହେରା ? ଟିକିଏ ହେଲେ ମାଂସ କେଉଁଠି ନାହିଁ–ତପନ ଭଲପାଏ ସେଇପରି ପତଳୀ ଝିଅକୁ । ତୁ ଯେ ମୋଟା ହୋଇଯାଉଛୁ ଦିନକୁଦିନ । ନିଜର ଦୋଷ ନଦେଖି ଏତେ ଆଡ଼େ ମୁଣ୍ଡ ଖେଳାଉଛୁ କାହିଁକି ?

କଲ୍ଲୋଳିନୀ ଥରେ ସୁମନାକୁ ଚାହିଁଲା, ଆଉଥରେ ଅତସୀକୁ । ମନଶ୍ଚକ୍ଷୁରେ ଦେଖିନେଲା ନିଜର ପ୍ରତିମୂର୍ତ୍ତିକୁ । ସତେ ତ, ଅତସୀ ସ୍ଲିମ ଦିଶୁଛି । ବହୁଚେଷ୍ଟା କଲେବି ସେ ମୋଟା ହୋଇଯାଉଛି । ଲେମ୍ବୁ ଓ ମହୁପାଣି ପିଇ, ଦିନ ଦିନ ଓପାସ ବ୍ରତକରି ମଧ୍ୟ ସେ ମୋଟା ହୋଇଯାଉଛି । ୟାକୁହିଁ କହନ୍ତି ଭାଗ୍ୟର ବିଡ଼ମ୍ବନା । ନହେଲେ ଅତସୀ କଲ୍ଲୋଳିନୀର କେଉଁ ଗୁଣରେ ସମକକ୍ଷ ନୁହେଁ । ତପନ କ’ଣ କୁଣ୍ଡା ଦେଇ ପାଠ ପଢ଼ିଥିଲା ? ଏତିକି ଯଦି ତା’ର ସାଧାରଣ ଜ୍ଞାନ ନାହିଁ, ସେ କି ଅଫିସର ହେବ ?

କଲ୍ଲୋଳିନୀ ଉଠିପଡ଼ିଲା ଏବଂ ଆସ୍ତେ କହିଲା–‘‘ମୁଁ ଯାଉଛି । ତୋର ସ୍ୱାମୀ ମୋତେ ଏ ପାର୍ଟିକୁ ଯୋଗଦେବାକୁ ଡାକିଥିବା ହେତୁ ମୋର ଧନ୍ୟବାଦଟା ଜଣାଇ ଦେବୁ । ଆଉ ବସିପାରିବିନି । ମୁଣ୍ଡଟା ବିନ୍ଧୁଛି ।’’

 

ସୁମନା ବ୍ୟସ୍ତହୋଇ ତା’ ହାତଧରି କହିଲା–‘‘ଏ ମା’, ତୁ ରାଗିଲୁ ନା କ’ଣ ? ନଖାଇ ଚାଲିଯିବୁ ?’’

 

‘‘ଆଜି ମୋର ଉପବାସ । ଶୁକ୍ରବାର ସନ୍ତୋଷୀବ୍ରତ ।’’

 

କେବେଠୁ କଲୁ, ମୁଁ ତ ଜାଣିନି ।

 

ତତେ କ’ଣ ସବୁ କଥା ଜଣାଇ କରିବି ? ତେବେ ଆଜିଠୁ କାଲି ବୋଲି ଜାଣିନେ ।

 

ଡଗଡ଼ଗ କରି ଚାଲିଗଲା କଲ୍ଲୋଳିନୀ । ସୁମନା ବିସ୍ମୟରେ ହତବାକ୍‌ ହୋଇ ଅନେଇଥିଲା ତା’ର ଗତିପଥକୁ । ସର୍ବନାଶ, କଲ୍ଲୋଳିନୀ ଚାଲିଗଲେ ପାର୍ଟିରେ ଯେ କେହି ଆଉ ସ୍ଥିରହୋଇ ବସିପାରିବେନି । ସବୁରି ମନ ଉପର ଘୋଟିଯିବ ବିଷାଦର ଛାଇ । ଏପରିକି ସୁମନାର ସ୍ୱାମୀ ମଧ୍ୟ ବିରକ୍ତ ବିଚଳିତ ହୋଇ ଉଠିବେ । ଶେଷକୁ ସବୁଦୋଷ ଆସି ପଡ଼ିବ ସୁମନା ଉପରେ ।

 

ମାତ୍ର କଲ୍ଲୋଳିନୀ ନୀରବରେ ଡଗଡ଼ଗ କରି ଚାଲିଗଲା ଏବଂ ନିମିଷକରେ ରାସ୍ତାରେ ରିକ୍ସାଟାଏ ପାଇ ବସିଗଲା ସେଥିରେ । କି ବୋର୍ ଏ ପାର୍ଟି ଆଉ ପିକ୍‌ନିକ୍‌ ! ଜାଣେ ସେ ଘରେ ଯେତେ ଏକ୍ସର୍‍ସାଇଜ୍ ଓ ଡାଏଟ୍ ଉପରେ ରହିଲେ କ’ଣ ହେବ, ସପ୍ତାହରେ ଅତିକମ୍‌ରେ ପାର୍ଟିର ଖାଦ୍ୟ ଖାଇ ସେ ମୋଟା ହୋଇଯାଉଛି । ଏଣିକି ଏ ସବୁ ତାକୁ ଛାଡ଼ିବାକୁ ପଡ଼ିବ ନିଶ୍ଚିତ ଭାବରେ-। ଦୁଇହାତ ପାପୁଲିରେ ମୁହଁ ଢାଙ୍କି କଲ୍ଲୋଳିନୀ କାନ୍ଦିବାକୁ ଇଚ୍ଛା କରିପାରିଲା ନାହିଁ । କି ଅପମାନ-। ମାତ୍ର ଅପମାନର ପ୍ରତିଶୋଧ ନେବାକୁ ହେଲେ ତାକୁ ପୁଣି ଥରେ ସଜାଡ଼ି ହେବାକୁ ହେବ ।

 

କିନ୍ତୁ ସେ ସଜାଡ଼ି ହେବାଟା କ’ଣ ? ଜୀବନର ଏଇ ବୋଧେ ପ୍ରଥମ ଘଟଣା, ଯେଉଁଥିରେ କଲ୍ଲୋଳିନୀ ହାରିଗଲା ବୋଲି ସମସ୍ତେ ଜାଣିବେ । ଅସମ୍ଭବ, ଅତସୀର ଏମିତି କ’ଣ ଆକର୍ଷଣ ରହିଛି ? ଧନ ନା ବିଦ୍ୟା ? କିଛି ନାହିଁ... । ମାସ ଗୋଟାଏ ଚେଷ୍ଟାକଲେ ସେ ତପନକୁ ଆୟତ୍ତ କରିପାରିବ ଏବଂ ଅତସୀକୁ ମଧ୍ୟ ଉପଯୁକ୍ତ ଶିକ୍ଷା ଦେଇପାରିବ ।

 

ପନ୍ଦର ଦିନ ପରେ–

 

ହଠାତ୍ ଏକ୍ସର୍‍ସାଇଜ୍ ବନ୍ଦ ରଖିବାକୁ ବାଧ୍ୟ ହେଲା କଲ୍ଲୋଳିନୀ । ଘଣ୍ଟାରେ ସନ୍ଧ୍ୟା ଛ’ଟା ନ ବାଜୁଣୁ ଦାଣ୍ଡରେ କଲିଂ ବେଲ୍ ଅସ୍ଥିର ଭାବରେ ତାକୁ ଡିଷ୍ଟର୍ବ କରୁଛି । ଗ୍ଲାସ୍‍ରେ ମହୁ ଓ ଲେମ୍ବୁପାଣି ଥୁଆ ହୋଇଛି । ଦେହରେ ମ୍ୟାକ୍‌ସି ଖଣ୍ଡିଏ ଗଳେଇ ନେଇ କଲ୍ଲୋଳିନୀ ଝାଳ ପୋଛି ପୋଛି ଦ୍ୱାରମୁହଁରେ ଆସି ଛିଡ଼ା ହେଲା । କିଏ ହୋଇଥାଇପାରେ ?

 

ପୁଣି ସେଇ ବିରକ୍ତିକର ପରିସ୍ଥିତି । ପିଲା ଦୁଇଟା ସଙ୍ଗରେ ନେଇ ନସରପସର ହୋଇ ସୁଲେଖା ପଶିଆସିଲା ଘରଭିତରକୁ; ଆଉ ଫିକ୍ କରି ହସି ଦେଇ କହିଲା ।–

 

ସକାଳୁ ଆସିଲିଣି । କେତେବେଳୁ ମନହେଇଛି ତୁମ ପାଖକୁ ଆସିବି; ହେଲେ ଆସିପାରୁନି । ତୁମ ଦେହ ଭଲ ଅଛି ତ ଅପା ? ଏତେ ଶୁଖିଲା ଦିଶୁଛି କାହିଁକିମ ?

 

ନା, ମୁଁ ଟିକେ କାମରେ ବ୍ୟସ୍ତ ଅଛି । ଦେହ ଭଲ ନାହିଁ । ଟିକେ ରେଷ୍ଟ ନେବି ।

 

ମୁଁ ଆସି ନଥାନ୍ତିମ । ମୁଁ ଯିବାର ଦୁଇଦିନ ପରେ ଇଏ ଚିଠି ଲେଖିଲେ ତୁମର କୁଆଡ଼େ ଢେର୍ ପରିବର୍ତ୍ତନ ହୋଇଛି । ତୁମେ ଘରୁ ପଦାକୁ ଯାଉନ । ରାତିଅଧରୁ ଉଠି ଭଜନ ଗାଉଛ, ଯୋଗ କରୁଛ, ଆଉ ଦିନ ଧରି ଉପାସ କରୁଛ । ମୁଁ ସିନା ଘରକୁ ଯାଇଥିଲି ହେଲେ ଭାଇର ବାହାଘରଟା ଭାଙ୍ଗିଗଲା । ଘରେ ବହୁତ ଅଶାନ୍ତି । ଏଣେ ତୁମ କଥା ଶୁଣି ମନଟା ଭାରି ଖରାପ ଲାଗିଲା ।

 

କଲ୍ଲୋଳିନୀ ବିରକ୍ତରେ ଭୃକୁଞ୍ଚାଇ କହିଲା–ତୁମର ଇଏ କେମିତି ଏତେ କଥା । ଜାଣିଲେମ ? ଜାଣିନ କି ଅପା ? ଆମ ଶୋଇବା ଘର ଝରକା ଦେଇ ପରା ତୁମ ଶୋଇବା ଘରଟା, ବାରଣ୍ଡାଟା ପରିଷ୍କାର ଦେଖାଯାଏ । କେତେବେଳେ ଦେଖିଥିବେ ହେଲେ ମୁଁ ଥାଏ ଯେ ବନ୍ଦ କରିଦିଏ ।

 

‘ନନ୍‌ସେନ୍‍ସ୍’–କଲ୍ଲୋଳିନୀ ଓଠ କାମୁଡ଼ି କହିଲା ।

 

ତାଙ୍କ ଉପରେ କାହିଁକି ରାଗୁଛ କହିଲ ? ସେ ତୁମ ଭଲପାଇଁ ଲେଖିଥିଲେ ନା । ସତରେ ତୁମକୁ ଚାହିଁ ହେଉନାହିଁ । କେଡ଼େ ସୁନ୍ଦର ଚେହେରା...ଏମିତି କାହିଁକି... ।

 

ଚୁପ୍‌କର । ମୋର ଏ ବାଜେ ଆଡ଼୍‍ଭାଇସ ଶୁଣିବାକୁ ବେଳ ନାହିଁ । ତୁମେ ଅନ୍ୟ କେତେବେଳେ ଆସିବ ।

 

ମୁଁ ଆସିନଥାନ୍ତି ହେଲେ ମନଟା ଖରାପ ଲାଗିଲା ତୁମପାଇଁ । ହଉ ବାପା, ଭାଇର ଯେଉଁଠି ବିବାହ ଠିକ୍‌ କରିଥିଲେ ଭାଙ୍ଗିଗଲା ସିନା ହେଲେ ଆଗାମୀ ଦଶ ତାରିଖରେ ଭାଇ ତା’ ପସନ୍ଦରେ ବିବାହ କରୁଛି...ତମେ ଜାଣମ ତାକୁ...କି ଗୋଟାଏ ଅପରଛନିଆ ନାଁଟା ତା’ର...ହଁ ଅତସୀ...ତମେ ଯିବ । କ୍ଲବ୍‍ରେ ରିସେପ୍‍ସନ୍ ନଗଲେ ମନକଷ୍ଟ କରିବୁ କହି ଦେଉଛି... ।

 

ସୁଲେଖା ଏକରକମ କାର୍ଡ଼ଟା କଲ୍ଲୋଳିନୀ ହାତରେ ଗୁଞ୍ଜି ଦେଇ ଚାଲିଗଲା ।

 

ଅତସୀ ତେବେ ବିବାହ କରୁଛି । ଆଃ, ନିଷ୍କଣ୍ଟକ ହେଲା ସେ । ଏତେ ବ୍ରତ ଉପବାସର କ’ଣ ଫଳ ନାହିଁ । ଏବେ ତପନପାଇଁ କଲ୍ଲୋଳିନୀର ପ୍ରତିଦ୍ୱନ୍ଦ୍ୱୀ କେହି ନାହିଁ ।

 

ସୁଲେଖାଠାରୁ ଦୌଡ଼ିଆସି ରୁମ୍ ଭିତରେ ଲାଇଟ୍ ଜଳାଇ କଲ୍ଲୋଳିନୀ କାର୍ଡ଼ଟା ଖୋଲିଲା । ଏ କ’ଣ ? ଅତସୀ ବିବାହ କରୁଛି କାହାକୁ ? ତପନକୁ ?

 

ଗଛ କାଟିଲା ପରି କଲ୍ଲୋଳିନୀ ନିଜ ଖଟବାଡ଼କୁ ଧରି ପଡ଼ି ଯାଉ, ଯାଉ ଅଟକିଗଲା । ଟିପୟ ଉପରୁ ତଳେ ପଡ଼ିଗଲା କାଚଗ୍ଲାସ୍‍ଟା ଏବଂ ତା’ ସହିତ ମହୁ ଓ ଲେମ୍ବୁର ରସରେ ମିଶ୍ରିତ ସରବତ ।

 

କେଉଁଠୁ ଗୋଟାଏ ଖେଁ ଖେଁ ହସର ଶବ୍ଦ ଶୁଭିଲା ତାକୁ । କାହିଁ କେହି ନାହିଁ ତ ? କିଏ ହସିଲା ? କିଏ ସୁଲେଖା ? ଅପମାନ ଦେଇ ତାକୁ ଫେରାଇ ଦେଇଛି ବୋଲି ସେ ପ୍ରତିଶୋଧ ନେଉଛି ।

 

ଝର୍କାର ପର୍ଦା ଖୋଲି ସେ ସୁଲେଖା ଘରକୁ ଅନାଇଲା । ତା’ର ଶୋଇଲା ଘର ଝର୍କା ପାଖରୁ ଅପସରି ଗଲା ଚମକିଲା ଭଙ୍ଗୀରେ ଦୁଇଟା ମାଙ୍କାଡ଼ିଆ ଦାନ୍ତଥିବା ମୁହଁ ।

 

ରାଗରେ ବୁଲି ପଡ଼ୁ ପଡ଼ୁ ଏଥର ସରବତ ରସରେ ଗୋଡ଼ ଖସାଇ ଦୁମ୍‍କରି ତଳେ ପଡ଼ିଗଲା କଲ୍ଲୋଳିନୀ । ଆଃ ।

 

ଖଟ ବାଡ଼ଟା ଖସିପଡ଼ିଲା ଟେବୁଲ ଉପରେ । କଲ୍ଲୋଳିନୀର ଦେହର ଧକ୍କାରେ ଏବଂ ତା’ ସହିତ ଝଣଝଣ କରି ପଡ଼ିଗଲା କପରେ ଗୋଳାହୋଇ ରହିଥିବା ହଳଦୀଗୁଣ୍ଡ ସହ ଚନ୍ଦନର ପ୍ରଲେପ, ଶାଢ଼ି ସଙ୍ଗକୁ ମ୍ୟାଚିଂ ରାଶି ରାଶି ନେଲ୍‌ପଲିସ ଓ କୁଙ୍କୁମର ଶିଶି ଆଉ...ଆଉ ସଯତ୍ନରେ ପାଖାପାଖି ରଖିଥିବା କଲ୍ଲୋଳିନୀ ଓ ତପନର ବନ୍ଧେଇ ଫଟୋ ଦୁଇଟି ।

 

ଭଙ୍ଗା କାଚର ଶବ୍ଦ ସହିତ ତାଚ୍ଛଲ୍ୟ ଭରା କିରିକିରି ହସ କଲ୍ଲୋଳିନୀର କଲ୍ଲୋଳକୁ ବିଲୁପ୍ତ କରି ନେଉଥିଲା ତା’ର ଶତ ଅନିଚ୍ଛା ସତ୍ତ୍ୱେ ।

✽✽✽

 

Unknown

କିଏ କାହାର

 

କନକ ଲତା !

 

କନକ ଲତା !

 

ଏଥର ମୋର ଜିତାପଟ, ଦେଖିବି କେମିତି ତୁମେ ଖୁସି ନହେବ । ତୁମେ ଭାବିଛ, ତୁମେହିଁ କେବଳ ବୁଦ୍ଧିମତୀ, ସୁନ୍ଦରୀ ଓ ଚତୁରୀ । ଦେଖ, ଏଥର ତୁମ କାନ କାଟି ଦେବ, ଏଇ ମୋର କତୁରୀ । ହିଃ...ହିଃ...ହୋ, ହୋ ଏ ଯେ ଅମୋଘ ଅସ୍ତ୍ର । ମୁଁ ଜାଣିଛି, ତୁମର ସମସ୍ତ ପ୍ରଚ୍ଛନ୍ନ ନୀରବତା ଭିତରେ, ଉଦାସୀନତା ଭିତରେ ଜଳଜଳ ହୋଇ ଜଳୁଛି ‘ଅହଂ’ ଭାବଟି । ସେଇ ଅହଂଟି ସନ୍ତୁଷ୍ଟ ହେବ ନା ନା ଧରା ଦେବ ମୋର ଏଇ ମାୟାଜାଲରେ, ତା’ପରେ କୁଆଡ଼େ ଯିବ ହାଃ...ହୋଃ... ।

 

‘‘କାହିଁକି ସେ ଟୋକୀଟା ସାଙ୍ଗରେ ତୁମେ ଏତେ ଲାଗିଛ କିହୋ ? ତୁମ ମୁଣ୍ଡ ଖରାପ ହେଲାଣି ନା କ’ଣ ? ଏଡ଼ିକି ବଡ଼ପାଟିରେ କଥା କହୁଛ, ତା’ ନାଁକୁ ଜପାମାଳି କରି ଗୁଣି ହେଉଛ, ତୁମକୁ କ’ଣ ଧର୍ମ ଛାଡ଼ିଲାଣି କି ? ପିଲା ଛୁଆର ବାପ... ।’’

 

ମୁଁ ଜିଭ କାମୁଡ଼ି ପକେଇଲି । ତାରାମଣି ଶୋଇ ନାହିଁ କିମ୍ବା ଶୋଇଥିଲେବି ମୋ କଥାରେ ଯେ ତା’ର ନିଦ ଭାଙ୍ଗିଯିବାର ନିଶ୍ଚିତ ସମ୍ଭାବନା ଥିଲା, ଏ ବିଷୟରେ ମୋର ଆଗରୁ ଭାବିବାର ଥିଲା । ଅବଶ୍ୟ ବିଶେଷ ଯେ ସେ ମୋତେ ଏ ବିଷୟରେ ସନ୍ଦେହ କରେ, ସେମିତି ନୁହେଁ । ତଥାପି ବିବାହିତ ସ୍ତ୍ରୀର ମନରେ ସ୍ୱାମୀ ପ୍ରତି ସନ୍ଦେହ ରହିବାଟା ଆଦୌ ଉଚିତ ନୁହେଁ । ଏଇ ସନ୍ଦେହ ଜିନିଷଟି ସବୁ ଘଟଣାର ସିଦ୍ଧି ଲାଭର ଯେ ଅନ୍ତରାୟ ଏକଥା ଅନ୍ତତଃ ମୋତେ ଜାଣିବାକୁ ବାକି ନାହିଁ ।

ତାରାମଣି କଡ଼ ଲେଉଟାଇ ଶୋଇଲାଣି । କିଛି ଗୋଟାଏ ଜବାବ ଦେବାକୁ ହେବ ଭାବି ମୁଁ କହିଲି–

‘‘ଆଃ ତୁମର ଏତେ କଥାରେ ଚିନ୍ତା କାହିଁକି ? ଡ୍ରାମାର ଗୋଟାଏ ପାର୍ଟ୍‍ବି ମୁଁ ମୁଖସ୍ଥ କରି ପାରିବିନି ଶାନ୍ତିରେ’’ ?

ତୀକ୍ଷ୍ଣ କଣ୍ଠରେ ତାରାମଣି କହିଲା–

‘‘ଡ୍ରାମାର ସେଇ ହିରୋଇନ୍‌ର ନାଁ ତାହାହେଲେ କନକଲତା । ଆଉ ତାକୁ କରାୟତ୍ତ କରିବାର ବନ୍ଦୋବସ୍ତ ହୋଇଛି.... ।’’

ମୁଁ ନାକପୁଡ଼ା ଫୁଲେଇ ଇଂରାଜୀ ଭାଷାରେ ସ୍ୱରରେ କହିଲି–

‘‘ଅପଦାର୍ଥ । ତୁମେ କିଛି ବୁଝିବନି । ସ୍ତ୍ରୀଲୋକର ନାଁ ପଡ଼ିଲେ ତୁମର ସନ୍ଦେହ । ଦେଖ, ହୃଦୟକୁ ଟିକେ ଚଉଡ଼ା କଲେ ହୁଅନ୍ତା ନାହିଁ ।’’

‘‘ରଖ, ରଖ ତୁମର ସେ ଚଉଡ଼ା କଥା । ସେ ନିଶ ଫୁଲେଇ, ଛାତିରେ ହାତ ବାଡ଼େଇ ତୁମେ ନାଟକ କର, ହେଲେ ଛାତି କାହାପାଇଁ କରତି ହେଉଛି ସେ କଥା ମନ ଜାଣେ ଯେ । ଦେବଟି ଲାଇଟ୍‍ଟା ଲିଭେଇ ପୁଅ ନିଦରୁ ଉଠି ପଡ଼ିବ ।’’

 

‘‘ଅର୍ବାଚୀନ ନାରୀ । ସନ୍ଦେହ ବ୍ୟତୀତ ଆଉ କ’ଣ ତୁମର ସମ୍ପଦ ?’’

 

ନିମ୍ନସ୍ୱରରେ ଏତିକି କହି ମୁଁ ଟେବୁଲ ଲ୍ୟାମ୍ପଟି ଅଫ୍ କରି ଦେଲି ଏବଂ ଶୂନ୍ୟକୁ ଉଞ୍ଚେଇ ଏକ ମୁଷ୍ଟି ଫିଙ୍ଗିଦେଲି । ନିଜ ଇଚ୍ଛାରେ ନିଜକୁ ଖୁସି କରିବାପାଇଁ ଆଜିଯାଏଁ କୌଣସି କାର୍ଯ୍ୟଟିଏ ମୁଁ କରି ପାରିଲିନି, ଅଥଚ ସବୁବେଳେ ନିନ୍ଦା, ଅପମାନ ଛଡ଼ା ଅନ୍ୟ କିଛି ପ୍ରାପ୍ୟ ହେଲାନି । ଶେଷକୁ ନିଜ ସ୍ତ୍ରୀଠାରୁ ଚରିତ୍ରହୀନ, ଲମ୍ପଟ, ମଦ୍ୟପ ଇତ୍ୟାଦି ବିଶେଷଣ ଶୁଣିବାକୁ ହେଲା । ତଥାପି ଏସବୁ କଥାରେ ନିରାଶ ଲାଗନ୍ତା ନାହିଁ ଯଦି...ଯଦି କନକଲତା ରାଜି ହୁଅନ୍ତା... । ସବୁଦିନେ ତାକୁ ରଖି ଦିଅନ୍ତି ନିଜର କରି । ସେଥିପାଇଁ ଯାହା କିଛି ମୂଲ୍ୟଦେବାକୁ ପଡ଼ିବ ସବୁଥିରେ ମୁଁ ପ୍ରସ୍ତୁତ । ହେଲେ କ’ଣ ଯେ କନକଲତାର ବାସ୍ତବିକ ଇଚ୍ଛା ତା’ ବୁଝି ହେଉନି । ମୁଁ ତ ନିଜେ ଓଲୁମାଧିଆ, ଅସଲ ମୁହୂର୍ତ୍ତଟି ହରାଇ ଦେଇ ଅଣ୍ଡାଳି ହେଉଛି ପଛରେ । ରାସ୍ତା କଡ଼ରେ ମୂର୍ଚ୍ଛିତା ଝିଅଟାକୁ ଉଦ୍ଧାର କରି ଅନାଥାଶ୍ରମରେ ନିଜେହିଁ ତ ମୁଁ ଦେଇ ଆସିଥିଲି । ମୋରି ଗାଡ଼ିର ହେଡ଼୍‌ଲାଇଟ୍ ତା’ର ଉନ୍ମୁକ୍ତ ଶରୀର ଉପରେହିଁ ପ୍ରଥମେ ପଡ଼ିଥିଲା ।

 

ଚମକି ପଡ଼ିଥିଲି...ସେତେବେଳେ ଅବଶ୍ୟ ତା’ର ରୂପ-ଯୌବନ, ଶରୀରର ତ୍ୱକ, ମୁଖଶ୍ରୀ ନିରୀକ୍ଷଣ କରିବାର ଅବକାଶ ମୋର ନଥିଲା । ଗାଡ଼ିରେ ଶୁଆଇ ଅର୍ଦ୍ଧରାତ୍ରୀରେ ନିର୍ଜନ ରାସ୍ତାରେ ଯାଉଥିଲାବେଳେ ମନରେ ଗୋଟାଏ ଅଦ୍ଭୁତ ରୋମାଞ୍ଚ ଆସିଥିଲା । ହୁଏତ ଆସନ୍ତାକାଲି ସକାଳୁ ରାଷ୍ଟ୍ର ହୋଇଯିବ ଗଗନବିହାରୀ ଜଣେ ସମାଜ ସେବୀ ପରୋପକାରୀ...ଧେତ୍‌...ମୋତେ ଠିକ୍‌ ସମୟରେ ଠିକ୍‌ ଶବ୍ଦଗୁଡ଼ିକ ମନେ କରି ଆସେ ନାହିଁ । କିନ୍ତୁ କିଛି ହେଲା ନାହିଁ । ଫୁଲମାଳ, ପ୍ରଶଂସା ବଦଳରେ ସମସ୍ତଙ୍କ ମନରେ ସନ୍ଦେହ ଘୋଟିଆସିଲା; ଅର୍ଥାତ୍‌ ଗଗନବିହାରୀ ଏପରି ଉଚିତ ସମାଜ ସେବାଟିଏ କରି ପାରିବନି । ସେ କେବଳ ଲାଭଖୋର ବ୍ୟବସାୟୀ, ଜୁଆଡ଼ି, ମଦ୍ୟପ ଓ ଚରିତ୍ରହୀନ । କୌଣସି ଉଚ୍ଚତର କାର୍ଯ୍ୟ ତା’ ଦେଇ ସମ୍ଭାବନା ନାହିଁ । ବୋଧହୁଏ ନିଜେ ଦୁଷ୍କର୍ମଟିଏ କରି ପାପକୁ ଘୋଡ଼େଇ, ପୋଲିସବାଲାଙ୍କ ଆଖିରେ ଧୂଳିଦେଇ ସେ ଅବସ୍ଥାରୁ ଫାଇଦା ଉଠୋଉଛି । ଆଜୀବନ ମିଥ୍ୟା ସାକ୍ଷୀ ଦେଇ କୋଟ୍ କଚେରିରେ ଚହଳ ପକେଇ ଥିବା ଗଗନବିହାରୀ ଯେ ସତ କଥାଟିଏ କହିପାରେ ଏବଂ ସତ୍‍କର୍ମଟିଏ କରିପାରେ ଏକଥା କାହା ମଗଜରେ ପଶିଲା ନାହିଁ । ବ୍ୟବସାୟ କରିବାକୁ, ସମ୍ପତ୍ତି ଠୁଳ କରିବାକୁ ସିନା ମିଛ କଥା କହିଛି, ହେଲେ ଏପରି ନାରୀଫାରୀ ପରି ନିରୀହ ଅଲଣାକଥାରେ ମିଛ କଥା କହିବି କାହିଁକି ? ପ୍ରତିଦିନ ରାସ୍ତାଘାଟରେ, ବିଚ୍ ବଜାରରେ, ସୂର୍ଯ୍ୟ ଆଲୁଅରେ ନାରୀଧର୍ଷଣ-ତୋଷଣ-ମାରଣ ଚାଲିଛି, କୋଉ ଶଳା କାହାର କ’ଣ କରୁଛିବେ ? ପୋଲିସ ଛାଏଁ ପୋଲିସ ଅନେଇଛି ମଜ୍ଜା ଦେଖୁଛି ଯୁବସଂଘ, ନାରୀ ସମିତି ଭାଷଣ ବନ୍ୟା ଛୁଟେଇଛନ୍ତି, ଖବରକାଗଜରେ ପୋଷଣାହାରୀ ସମ୍ପାଦକେ କାହାଣୀ ଲେଖି ପଇସା କମେଇ ଚାଲିଛନ୍ତି, ସିନେମା ପ୍ରଡ଼୍ୟୁସର ହିଟ୍‌ କରୁଛନ୍ତି ଏଇ ଧର୍ଷଣକୁ ନେଇ ସୁନେଲି ପରଦାରେ...କିଏ କାହାର କ’ଣ କରି ପକାଉଛି ? ସେମିତି ଚାଲିଛି ଦେଶଟା । ସବୁଠୁ ମଜ୍ଜାର କଥା ଯେଉଁ ଝିଅ ଓ ସ୍ତ୍ରୀଲୋକମାନଙ୍କୁ ସଣ୍ଠଣା ହୋଇ, ହୁସିଆରରେ ଯିବା ଆସିବା କରିବାକୁ ଏତେ ବୁଝାଯାଉଛି, ସେଗୁଡ଼ା ଭଲା କିଛି ଶୁଣୁଛନ୍ତି । ତାଙ୍କରବି କିଛି ପରବାୟ ନାହିଁ ।

 

ହେଃ, କେମିତି କଥାଗୁଡ଼ା ଭାବିଲେ ହସମାଡ଼ୁଛି । କିପରି କ’ଣ ଚାଲିଛି ସବୁ ବୁଝାପଡ଼ୁନି । ଖାଲି ନିଜର ସରଳପଣିଆ ଯୋଗୁଁ ମୁଁ ଧରାପଡ଼ୁଛି । ଧର, ଏମିତିବି ହୋଇପାରିଥାନ୍ତା, ମୁଁ ସେ ଅଚେତା ଝିଅଟାକୁ ନେଇ କୁଆଡ଼େ ପଳେଇ ଯାଇ ପାରିଥାନ୍ତି, ବନ୍ଦ କରି ରଖି ଦେଇ ପାରିଥାଆନ୍ତି ଅଗନାଅଗନି ବନସ୍ତର ଦୁର୍ଗ ଭିତରେ–କିଏ ମୋର କ’ଣ କରିଥାନ୍ତା ? କେହି ତା’ର ସୁରାକ ପାଇ ନଥାନ୍ତେ । ସେ ଟୋକୀରବି ମଜ୍ଜା ଛାଡ଼ିଯାଇଥାଆନ୍ତା ହେଲେ ମୁଁ ତାହା କଲିନି । ସିଧାସଳଖ ଆଣି ଅନାଥାଶ୍ରମରେ ଦେଇ ଦେଲି, ପୋଲିସକୁ ଆଉ ଖବରକାଗଜକୁ ଜଣାଇଲି । ଅର୍ଥାତ୍ ମୁଁ କହି ଦେବାକୁ ଚାହିଁଥିଲି ଯେ ଏସବୁ ଛୋଟକାଟ ଘଟଣାରେ ମୁଁ ନାହିଁ । ନାରୀ ଦୁର୍ବଳ ତହିଁରେ ଅଚେତନ ଓ ଅସୁସ୍ଥ ମୋର ମଣିଷ ହିସାବରେ ଯାହା କର୍ତ୍ତବ୍ୟ ମୁଁ ସେଇଆ କରିଛି । ଆଉ ଶଳେ କ’ଣ କଲେ ନାଁ ଶୁଣୁ ଶୁଣୁ ଫେଁ କରି ହସି ପକେଇଲେ । ଯେମିତି ଗୋଟାଏ କୌତୁକମୟ କାର୍ଯ୍ୟ ହୋଇଯାଇଛି । ମୋର ଠିକ୍‌ ମନେଅଛି, ଗୋଟାଏ ମର୍ଡ଼ର କେସ୍ ଉପରେ ଯେତେବେଳେ ମୁଁ ନିର୍ବିକାର ଭାବରେ ଗୁଡ଼ାଏ ମିଛ ସାକ୍ଷୀ ଦେଇ ଆସିଲି, ସେତେବେଳେ କାଗଜର ରିପୋର୍ଟରଗୁଡ଼ା ମତେ ଘେରିଯାଇ ଅନେଇ ହସାହସି ହେଲେ । କିନ୍ତୁ ମୁଁ ମୁହଁକୁ ସେମିତି ଆମ୍ବିଳେଇ ଚାଲିଗଲି । ମୋ ପଛରେ କିଏ ଗୋଟାଏ କମେଣ୍ଟ୍ ଝାଡ଼ିଲା ‘ଇଉନିକ !’ ମୋ ବେକ ଫୁଲିଯାଇଥିଲା...କିନ୍ତୁ କନକଲତାର ସମ୍ବାଦ ଦେବାବେଳେ ସେଇ ରିପୋର୍ଟର ଯେତେବେଳେ ସିଗାରେଟ ଧୂଆଁ ଭିତରେ ଆଖି ମିଟିକା ମାରି ଉଚ୍ଚାରଣ କଲା, ‘ଇଉନିକ !’ ମୋ ମୁଣ୍ଡରେ ନିଆଁ ଲାଗିଯାଇଥିଲା । ଶଳା । ଇଂରାଜୀ ଚୋବାଉଛି, କେତେ ସମୟ ଲାଗିବ ତୁମ ଭଳି ଇଂରାଜୀ କହୁଥିବା, ନାକପୁଡ଼ା ଫୁଲେଇ ମାଟି ତଳକୁ ଚାହୁଁଥିବା ମେଞ୍ଚଡ଼ ସାମ୍ବାଦିକଙ୍କୁ ଅକ୍ତିଆର କରିବାକୁ, ସେ କଥା ଗଗନବିହାରୀକୁ ବୁଝେଇବା ଦରକାର ନାହିଁ । ତଥାପି ମୁଁ କିଛି ନକହି ଚାଲିଆସିଲି ମୋର ଅନ୍ୟାନ୍ୟ ବ୍ୟବସାୟ ବାଣିଜ୍ୟ ଅଛି ନା କେବଳ ଏଇ ଟାଉଟରି ଖାତାରେ ଚାଲିଯିବି ?

 

ଘରେ ପାଦ ନ ଦେଉଣୁ ତାରାମଣିର ଗର୍ଜନରେ ଛାତି ଭାଙ୍ଗିପଡ଼ିଲା ମୋ ଉପରେ–‘‘ଏଇ ବ୍ୟବସ୍ଥା ଚାଲିଛି ଦିନ-ରାତି ତାହାହେଲେ ? ଆସୁ ଆଜି ଘରକୁ, ତାଙ୍କର ଦିନେକୁ ମୋର ଦିନେ...କ’ଣ ନା ଖାଇବାକୁ ବେଳ ନାହିଁ, ସିଆଡ଼େ ଖାଇନେବି, ବେଉସା ମାରା ହେବ । ମରି ଯାଉଥାଉଟି ? ବେଉସା ? ପାଠ ମ୍ୟାଟ୍ରିକ୍ କି ନୁହେଁ, କୋଉଠୁ ଗୋଟା ଜାଲ୍ ସାର୍ଟିଫିକେଟ୍ ନେଇ ଏମ.ଏ. ପାସ୍ କରିଛି ବୋଲି ମୋ ବାପାକୁ ଦେଖେଇ ମୋହ କରିଦେଲା । କହିଲା କ’ଣ ନା ବଡ଼ ସରକାରୀ ଚାକିରି କରିଥିଲା ଯେ, ହେଲେ ବ୍ୟବସାୟରେ ଭାରି ମନ । ଇଲୋ ମା’ । କି ମିଛ, ଯେତେବେଳେ କଥା କହୁଥିବ ନା ସେତେବେଳେ ଲୋକେ ପରା ତା’ ମୁହଁକୁ ହାଁ କରି ଅନେଇ ଥିବେ । ସତେ କି ମହୁ ଝରୁଛି । ଆଜି ସେ ମିଛକୁହାକୁ ମୁଁ ଦେଖୁଛି... ।’’

 

କଥାଗୁଡ଼ା ହଜମ କରିବା ସହଜ ନଥିଲେବି ଅସୁବିଧା ନଥିଲା । ତାରାମଣିର ସମସ୍ତ ଝଡ଼ତୋଫାନ ଶାଢ଼ି ଗହଣା ଆଉ କଞ୍ଚାଟଙ୍କାରେ ଯେ ଥମିଯାଇଥାଏ, ସେକଥା ମତେ ଭଲଭାବରେ ଜଣା, ହେଲେ ଅନ୍ୟ ଦିନ ଅପେକ୍ଷା ଏଥର ତା’ର ପାଟିଟା ଖୁବ୍‌ କଡ଼ା ମନେହେଉଥିଲା । କ’ଣ ସେ ଭାବୁଚି ମତେ ? ଛିଃ, ଛିଃ, ଏଇକ୍ଷଣି ରାଗିଲେ ଅବସ୍ଥା ରଖିବନି ।

 

ବାସ୍ । ମୁଁ ଅନେଇଛି ମାନେ ଘୂରିଯାଇ ସାମ୍ନା ରାସ୍ତାରୁ ବାଁପଟ ରୁମ୍‌ରେ ଖୋଲାଥିବା ଝର୍କାଦେଇ । ଅନ୍ତତଃ ଏ ବିଶ୍ୱବିଖ୍ୟାତ ଭାଷଣର ଶ୍ରୋତା କିଏ ଜାଣିବା ଦରକାର । ମୋ ଧାରଣ ସତ । ସେଇ ରିପୋର୍ଟରରୁ ଜଣେ, ଆଉ...ଆଉ ଜଣେ କିଏ କେଜାଣି କେଉଁଠି ଦେଖିଛି ହେଲେ ମନେପଡ଼ୁନି । ଭଲବେଳ ଦେଖି ଜଳଖିଆ ଖାଇ ଆରାମରେ ଫେରିଯାଉଛନ୍ତି ମୋ ନିଜ ଆଖି ଆଗରେ, ଅଥଚ ମୁଁ ଚୋରପରି ଲୁଚି ରହି ଚାହିଁଛି । କିନ୍ତୁ ମୋ ମୁଣ୍ଡରେ ଗୋଟାଏ ବୁଦ୍ଧି ଖେଳିଯାଇଥିଲା । ପକେଟରେ ହାତ ପୂରାଇ ଓଠରେ ସୁସୁରୀମାରି ମୁଁ ଘର ଭିତରକୁ ପଶିଯାଇ ଟେବୁଲଟାଏ ଟାଣି ଆଣି ଗୁଡ଼ାଏ ଟଙ୍କା ଛିଞ୍ଜାଡ଼ି ଦେଇ ବସିପଡ଼ିଲି । ତାରାମଣି ଆସିଲାକ୍ଷଣି କିଛି କହିବାକୁ ନଦେଇ ଟଙ୍କା ଗଣିବାକୁ ଇଙ୍ଗିତ କରି କହିଲି–‘‘ଗଣିଦେଲ ଶୀଘ୍ର, ମୁଁ ଯାଏଁ । ତୁମ ନାଁରେ ଟଙ୍କାଟା ଡିପୋଜିଟ୍ କରି ଦେବି । ମୋର ପଛରେ ଯେମିତି ଲୋକ ଲାଗିଛନ୍ତି ଜୀବନ ରହିବା ଆଶା ଦେଖୁନି ।’’

 

ମୁରୁକି ହସି ତାରାମଣି ଟଙ୍କା ଗଣୁ ଗଣୁ କହିଲେ–

 

‘‘ନିଆଁ, ପାଉଁଶ, ଚୁଲି ! ହଇହେ ମତେ ଟଙ୍କାରୁ କ’ଣ ମିଳିବ ? ଜୀବନ ବଡ଼କଥା... ।’’

 

‘‘ଟଙ୍କା ତ ମୋ ହିମ୍ମତରେ ମୁଁ କମଉଛି । ଅଫିସ୍‍ରେ କାମ କରୁଛି, ବିଜିନେସ୍‌ କରୁଛି, ଛାଡ଼ ଛାଡ଼ । କିଛି ତ କଳାବଜାରି କି ଚୋରୀ ଡକାୟତି କରି ଟଙ୍କା ଆଣୁନି । ବାଟରେ ଝିଅଟାଏ ବେହୋସ ହୋଇ ପଡ଼ିଥିଲା, ମୁଁ ତାକୁ ଆଣି ଜୀବନ ଦେଲି । କାହାରି ଟିକେ କୃତଜ୍ଞତା ନାହିଁ, ଖାଲି କୁତ୍ସା, ନିନ୍ଦା । ଏଇନେ ଟଙ୍କା ଯଦି ଲାଞ୍ଚ ଦିଏ ଦେଖିବ ତାରାମଣି, ସବୁ ତୁନି ପଡ଼ିଯିବେ । ହେଲେ ମୁଁ ମରିବି ପଛେ, ମୁଣ୍ଡ ନୋଇଁବି ନାଇଁ ।’’

 

ତାରାମଣି ମୁହଁରେ ମୃଦୁହସ ପଟେଇ କହିଲା–‘‘ଛାଡ଼ । ଅସହଣି ଲୋକେ ବହୁତ କଥା କହନ୍ତି । ସେମିତି ବଦନାମିଆ କଥା ଟୋକାଙ୍କୁ ସିନା କହିବ । ସହୁ ନାହାନ୍ତି ମତେ, ମୋ ସୁଖ ଦେଖି ପରା । ଚାଲ, ଚାଲିବଟି ଖାଇବ । ସବୁବେଳେ ଖାଇଲା ବେଳକୁ ବିଘଟନ ଘଟିବ । ସେଥିରୁ ଦିଇଟା ଟୋକା କିଏ ଆସି ଜେରା କରୁଥିଲେ ପରା ଘଡ଼ିଏ ହେବ ମତେ । ମୁଁ ଜାଣେ ସେଇ ଟିକସବାଲା ହୋଇଥିବେ । ସେଇଥିପାଇଁ କହିଦେଲି ତୁମେ ମିଛୁଆଟେ ବୋଲି, କୁଆଡ଼େ ବାଟ ନପାଇ ପଳେଇଗଲେ ପରା !’’

 

ମୁଁ ଚମକି ପଡ଼ିଥିଲି । କ’ଣ କଲା ତାରାମଣି । ତାଙ୍କୁ କହିଦେଲା ମିଛୁଆଟେ, ଜାଲ୍ ସାର୍ଟିଫିକେଟ୍ ଇତ୍ୟାଦି କଥା । କାନରେ ନ ଶୁଣିଥିଲେ ବା ଅବିଶ୍ୱାସ କରିଥାନ୍ତି । ତାରାମଣିକୁ ଯେତେ ସହଜ ଭାବରେ ମୁଁ ଗ୍ରହଣ କରିନେଇଛି, ସେ ସେତେ ସହଜ ନୁହେଁ । ସାବଧାନ ହେବାକୁ ହେବ...ହୁଏତ ସମୟ ଆସିବ ଟଙ୍କା ବୋଲ ମାନି ନପାରେ ।

 

ତା’ପରେ କିଛିଦିନ ଗୁମ୍‍ସୁମ୍ କଟିଗଲା । କନକଲତାକୁ ଖୋଜିବାକୁବି କେହି ଆସିଲେନି । ପଚାରିଲେବି କିଛି କହିଲାନି । ଅଗତ୍ୟା ମତେ ସେଠାକୁ ଯିବାକୁ ପଡ଼ିଲା । କିନ୍ତୁ...କିନ୍ତୁ କ’ଣ ହେଲା କେଜାଣି ? ମୋ ମୁଣ୍ଡଟା ବେଦମ୍ ଘୂରିଗଲା । ଏପରି ରୂପବତୀ, ସୌନ୍ଦର୍ଯ୍ୟମୟୀ ନାରୀ ମୁଁ କେଉଁଠି ଦେଖିଛି ବୋଲି ଭାବିବା ନିରର୍ଥକ । ଅନାଥାଶ୍ରମ କର୍ତ୍ତୃପକ୍ଷ ତାକୁ ରଖିବାଦ୍ୱାରା ନାନା ରକମ ବିପଦର ସମ୍ମୁଖୀନ ହୋଇ ବ୍ୟତିବ୍ୟସ୍ତ । ଅଗତ୍ୟା ତା’ପାଇଁ ଚାକିରିଟିଏ ଲାଞ୍ଚ ଦେଇ ଯୋଗାଡ଼ କରିବାକୁ ହେଲା ଗୋଟାଏ ବଡ଼ ଶାଢ଼ି ଦୋକାନରେ । ଝିଅଙ୍କ ମେସ୍‌ରେ ରହି କୌଣସିମତେ କେତେଟା ଦିନ କଟିଗଲା ନିରାପଦରେ...କିନ୍ତୁ ଏବେ ନୂଆ ବିପଦ । ଏଇତ ଆଠଦିନ ତଳେ ତାରାମଣିର ଶାଢ଼ି କିଣିବା ବାହାନାରେ ଦୋକାନ ଭିତରକୁ ପଶିଯାଇ ମୋ ମୁଣ୍ଡ ଗରମ ହୋଇଗଲା । ପଞ୍ଝାଏ ଖେଚଡ଼ା ଟୋକାଙ୍କୁ ବିଭିନ୍ନ ରକମର ଶାଢ଼ି ପିନ୍ଧି ଡିଜାଇନ ଦେଖାଇବାରେ ବ୍ୟସ୍ତ । ଆଉ ସେ ଟୋକାଙ୍କ ଗାରିମାବି କମ୍‌ ନୁହେଁ । ଯେତେଟା ଶାଢ଼ି ପିନ୍ଧିଲା କନକଲତା, ସେତେଟା ଶାଢ଼ି ସେମାନେ କିଣି ନେଲେ । ତା’ ଚାରିପଟେ ଘୂରି ଘୂରି ଅଙ୍ଗ, ଯୌବନରେ ତର୍ଜମା କଲେ, ଆଖିମିଟିକା ମାରିଲେ, ତଥାପି ଟୋକୀଟା କିରିକିରି ହସୁଥିଲା । ମୁଁ ଯେ ଶାଢ଼ି କିଣିବାପାଇଁ ଆସିଛି, ତା’ର ନଜରବି ନଥିଲା ।

 

ମୋ ମୁଣ୍ଡକୁ ଯେଉଁ ରାଗ ଉଠିଯାଇଥିଲା ସେ ହଠାତ୍‌ ଲିଭିବାର ନୁହେଁ । ନିଶା ଖାଇଲା ପରି ମୁଁ ତାକୁ କହିଲି...‘‘କନକ ! ମୋର ତୁମ ସଙ୍ଗରେ ଟିକେ କାମ ଅଛି, ବାହାରକୁ ଆସ ।’’

 

ସେ ବିନା ବାକ୍ୟବ୍ୟୟରେ ଆସିଲା । ଟିକେ ଆଢ଼ୁଆଳରେ ମୁଁ ତାକୁ କହିଲି–

 

‘‘ଏସବୁ ମୁଁ ପସନ୍ଦ କରେନା । ସେ ଟୋକାଙ୍କ ସଙ୍ଗରେ ଏତେ ହେଁହେଁ କ’ଣ ?’’

 

ସେ ନୀରବ ରହିଲା ! ମୁଁ ଛାଡ଼ିବାର ପାତ୍ର ନୁହେଁ । ‘‘ଶୁଣିଲି ମେସ୍‍ରେ ଯାଇଁ ବହୁତ ଲୋକ ଦେଖା କରୁଛନ୍ତି । ମୁଁ ଏସବୁ ପସନ୍ଦ କରେନା । ମୋର ଗୋଟାଏ ଘର ଅଛି, ଅବଶ୍ୟ ଛୋଟ । କାଲିଠୁ ଯାଇ ସେଠି ରୁହ । ଜଣେ ଲୋକ କାମଦାମ କରିବାପାଇଁ ମୁଁ ରଖିଦେବି । ଦରକାର ହେଲେ ଚାକିରିବି ଛାଡ଼ି ଦେବାକୁ ହେବ ।’’

 

ଏଥର ସେ ଈଷତ୍ ହଲିଗଲା । ମାତ୍ର ନିର୍ଭୀକ କଣ୍ଠରେ ପଚାରିଲା–

 

‘‘ଖାଇବି କ’ଣ ?’’

 

ତା’ ପ୍ରଶ୍ନରେ ଏମିତି ପିଲାଳିଆମି ଥିଲା ଯେ, ମୁଁ ହୋହୋ କରି ହସି ଉଠିଲି । ଆହା ବିଚାରୀ ! ଜାଣେନାହିଁ ଯେ ସେ ମୋ ଭଳି ଏକ ବିରାଟ ହୃଦୟବାନ ମଣିଷ ପାଖରେ ପହଞ୍ଚିଯାଇଛି-। ଖାଲି ହୃଦୟବାନ ନୁହ, କର୍ମୀ, ସମାଜବାଦୀ, ପରୋପକାରୀ ମଧ୍ୟ । ସାମାନ୍ୟ ଜଣେ ସ୍ତ୍ରୀଲୋକକୁ ସାମାଜିକ ଅତ୍ୟାଚାରରୁ ରକ୍ଷା କରି ମର୍ଯ୍ୟାଦା ଦେଇପାରିବିନି । ହସୁହସୁ ଅଜାଣତରେ ତା’ ହାତଟା ଯେମିତି ଧରି ପକେଇଛି କନକଲତା ଦ୍ରୁତଗତିରେ ହାତଟା ଟାଣି ନେଇ ଘୁଞ୍ଚିଗଲା ଏବଂ ତୀକ୍ଷ୍ଣ କଣ୍ଠରେ କହିଲା–

 

‘‘ଏତେଟା ଆଗକୁ ଆଗେଇଯିବେନି ସାର୍‌ ! ଆପଣଙ୍କ ପ୍ରତି ମୁଁ କୃତଜ୍ଞ ପ୍ରାଣରକ୍ଷା କରିଛନ୍ତି ବୋଲି.... ।’’

 

‘‘ମାତ୍ର କନକଲତା । ମୁଁ ଯେ ତୁମକୁ, ମାନେ ବୁଝିଲି ?’’

 

‘‘ବୁଝିଛି ସାର୍‌ ! ଏସବୁ କଥା ବୁଝିବାପାଇଁ ଡକ୍ସିନାରୀ ହୁଏନା ।’’

 

ଅହଂକାରୀ ! ଅନ୍‌ଗ୍ରେଟ୍‍ଫୁଲ୍ । ଏଇ ଔଦ୍ଧତ୍ୟର ଜବାବ୍‌ ମୁଁ ଠିକ୍‌ ଦେବି । ଅନ୍ତତଃ କଣ୍ଠରେ ଟିକିଏ ନମ୍ରତା ରହିବା ମୋ ପ୍ରତି ଉଚିତ ବୋଲି ଭୁଲିଯାଇଛି କାହିଁକି ସେ ?

 

ତଥାପି ଶେଷ ଚେଷ୍ଟା କରିବାକୁ ଯାଇଁ ମୁଁ କହିଲି, ‘‘ମୋର ପ୍ରେଷ୍ଟିଜ୍ ଅଛି ସୋସାଇଟିରେ । ତୁମେ ତା’ର ଉପଯୁକ୍ତ ମର୍ଯ୍ୟାଦା ଦେବ । ଆଉ ସେଇ ପ୍ରେଷ୍ଟିଜ୍‍ପାଇଁ ମୁଁ ସବୁଦିନ ପାଇଁ ତୁମକୁ...ମାନେ ତୁମକୁ.... ।’’

 

ମୁଁ ଆଉ କିଛି କହିପାରିଲିନି । ଏମିତି କଥା ମତେ କେବେ କହିବାକୁ ହେବ ମୁଁ ଜାଣି ନଥିଲି । ସେଥିରେ ପୁଣି ମୋର ବଡ଼ ଦୋଷ, ଠିକ୍‌ କଥାଟା ମୁଁ ଠିକ୍‌ ମୁହୂର୍ତ୍ତରେ କେବେ ତାରାମଣି ବ୍ୟତୀତ ଅନ୍ୟ କାହାକୁ କହିପାରେନି ! ମାତ୍ର ଅଧିକ କହିବାକୁ...ଭାବିବାକୁ ନ ଦେଇ ଗମ୍ଭୀର କଣ୍ଠରେ କହିଲା–

 

‘‘ଆପଣ ଚାଲିଯାନ୍ତୁ ସାର୍‌ ! କେବେ ଏଠାକୁ ଆଉ ଆସିବେନି । ଅନ୍ତତଃ ଆପଣ ଯେତେବେଳେ ମୋର ରକ୍ଷାକର୍ତ୍ତା ବୋଲି କହୁଛନ୍ତି, ମୁଁ ଆପଣଙ୍କର ଅମର୍ଯ୍ୟାଦା କରିବିନି ।’’

 

ଚଟ୍‌କରି ବୁଲିପଡ଼ି କନକଲତା ଚାଲିଗଲା ଦୋକାନ ଭିତରକୁ । ଅପମାନରେ ମୋର ସମସ୍ତ ଦେହ ଜଳିଉଠିଲା ! ସାମାନ୍ୟ ପତିତା ନାରୀ ? ରୂପଗୌରବରେ ଅନ୍ଧ ହୋଇ ରାଜସମ୍ମାନକୁବି ପାଦରେ ଦଳିଦେଉଛି ? ଦେଖିବି, ଗର୍ବ ଅହଂକାର କେତେଦିନ ରହିବ ? ଆଜି ରୂପ ଅଛି ବୋଲି ପଞ୍ଝାଏ ଭ୍ରମର ଗୁଣୁଗୁଣୁ ହେଉଛନ୍ତି; ମାତ୍ର କେତେଦିନ ସେ ରୂପର ଖେଳ ? ପାଦଧରି ଯଦି ଆଶ୍ରୟ ନ ଲୋଡ଼ିଛି ତେବେ ଗଗନବିହାରୀ ନାଁରେ କୁତ୍ତା ପାଳିବ ।

 

ସେଦିନୁ ଆଜିକୁ ଦୀର୍ଘ ଛ’ମାସ କାଳ ମୁଁ ପ୍ରତୀକ୍ଷା କରି ରହିଛି ସେ ସୁବର୍ଣ୍ଣ ସୁଯୋଗକୁ ! ଶୟନେ ସ୍ୱପନେ ଜାଗରଣେ କେବଳ ସେଇ ଗୋଟିଏ ଚିନ୍ତା କନକଲତାର ଗର୍ବ ଚୂନା କରିବିହିଁ କରିବି । ଆଜି ଅମୋଘ ଅସ୍ତ୍ର ଛାଡ଼ିଛି । ପଚିଶ ହଜାର ଟଙ୍କା ହୋଇଗଲାଣି ପ୍ଲାନ୍‌ କାର୍ଯ୍ୟକାରୀ ହେବ ପୂର୍ବରୁ । ତଥାପି ମରଦ୍‌ କା ବାତ୍‌, ହାତୀ କା ଦାନ୍ତ । ମୁଁ ମୋ ଅଜାଣତରେ ଟେବୁଲ ଉପରେ ବିଧାଟିଏ ବସେଇ ଦେଲି । ନିଦ ମଳମଳ କଣ୍ଠରେ ତାରାମଣି ପାଟିକରି ଉଠିଲା–

 

‘‘ଏଇ ତୁମ ନାଟୁଆ ନିଶା ବାହାର କରି ଦେବିଟି ? ସେ ନାଟ ପାଇଟି ଏଠି କର ନାହିଁ । ଭଲରେ କହୁଛି ।’’

 

ମୁଁ ନରମ କଣ୍ଠରେ କହିଲି–

 

‘‘ନାଇଁମ, କି ନାଟ କିହୋ ! ଏଇ ବନ୍ୟାପାଇଁ ଚାନ୍ଦା ଆଦାୟ ହେବ, ଦେଶର ଗୋଟାଏ ଉପକାର ହେବ, ସମସ୍ତେ ଜବରଦସ୍ତ କରୁଛନ୍ତି ସେଇଥିପାଇଁ କରିବା କଥା । ମୁଁ ମନେମନେ ମୁଖସ୍ଥ କରୁଛିନା, ଟିକେ ମନେରଖିବାକୁ ହେବ ।’’

 

‘‘ଥାଉ, ଥାଉ । ସେ କନକଲତା ନାଁଟା କାଟିଦିଅ, ଭଲରେ କହୁଛି ନହେଲେ ନିଆଁ ଲଗେଇ ଦେବି ।’’

 

ମୁଁ ଉତ୍ତର ଦେଲିନି । ତାରାମଣିକୁ ରଗେଇବାଟା ଉଚିତ ହେବନି, ବରଂ ଚୁପ୍‌ ରହିବା ଭଲ ।

 

ଟେବୁଲ ଉପରେ ମୁଣ୍ଡମୋଡ଼ି କେବଳ ତାରାମଣିର ଘୁଙ୍ଗୁଡ଼ି ଓ ମଝିରେ ମଝିରେ ନିଜ ନିଃଶ୍ୱାସର ଆୱାଜ୍ ଶୁଣୁଥିଲି । କିନ୍ତୁ ମୋର କାନ ଦିଓଟି ଠିଆ ହୋଇ ରହିଥିଲେ ଅନ୍ୟ କିଛି ସମ୍ୱାଦ ଶୁଣିବାପାଇଁ । ସାମାନ୍ୟତମ ଶବ୍ଦକୁ ପ୍ରତୀକ୍ଷା କରି କରି ମୋର ବେଳ ଯେମିତି ମାଡ଼ିହୋଇ ଆସୁଥିଲା ଟେବୁଲ ଉପରକୁ ବେଶି ବେଶି । ତଥାପି ବିଛଣାକୁ ନଯାଇ ମୁଁ ସେଇଠି ଲେପ୍‌ଟି ରହିଥିଲି ଖୋଲା ଝର୍କା ଦେହକୁ ପିଠି କରି ।

 

କୌଣସି ଘଟଣାରେ ମୁଁ ଜୀବନରେ କେବେହେଁ ଏତେ ସମୟ ଧୈର୍ଯ୍ୟ ଧରି ଅପେକ୍ଷା କରି ନାହିଁ । ଏମିତି କି ତାରାମଣିକୁବି ! ସ୍ତ୍ରୀଲୋକଙ୍କର ଦିମାକ ସହ୍ୟ ହୁଏ ନାହିଁ ମୋର । ଢେର୍ ସହିଲିଣି ଏ କନକଲତା ପାଇଁ, ଘରେ ବାହାରେ କୁତ୍ସା ରଟନା ସହିବାର ଯେ ସୀମା ଅତିକ୍ରମ କରିଗଲାଣି ଏକଥା ସମସ୍ତେ ଜାଣିବା ଆଗରୁ କନକଲତାର ଜାଣିବାଟା ଯେ ନିହାତି ଜରୁରୀ ! ବାଟରୁ ଗୋଟାଇ ଆଣି ତାକୁ ମୁଁ ଥଇଥାନ କରି ସାରିଲା ପରେ ମତେ ଦେଖଉଛି ନାରୀ ଜାଗରଣ ଆଉ ନାଲିଆଖି ! ସେ ଭାବିଛି ମୁଁ ଜାଣି ନାହିଁ ତା’ ଚାଲାକିପଣ ! ଛୁଟି ମିଳିଲା ଦୌଡ଼ିଲା କାହା ସଙ୍ଗରେ ସିନେମା ତ, ତାହା ସଙ୍ଗରେ ନଈକୂଳ...ମୁହଁରେ ହସ, ଆଖିରେ ଭେଳିକି ଲଗେଇ ସମସ୍ତଙ୍କି ନଚେଇ ଦେଉଛି । ଆଉ ମତେ ଦେଖିଲାକ୍ଷଣି ଛଟା ଗାଳୁଛି, ସତୀପଣ ତା’ ଭିତରେ ଗୁମୁରି ଉଠୁଛି, ଚୋପ୍‌ବେ ଶାଳୀ, ଦେଖିନେବି ଆଜି ଶାଲା କୋଉ ବୋପା ତୋ ପିଠିରେ ପଡ଼ିବ ? ଗୋଡ଼ ଧରି ଯଦି ଏଠି ତତେ ଅଇଁଠା ନ ଚଟେଇଛି ମୋ ନାଁରେ କୁତ୍ତା ପାଳିବୁ, ହଁ, ହଁ ମୁଇଁ ତ ଭୁଲ୍ କରିଛି, ସେଇ ପ୍ରଥମ ଦିନହିଁ ତତେ ଛାଡ଼ିଦେବା ମୋର ଭୁଲ୍ । କିନ୍ତୁ ଏଇବାର ଦେଖ, ଦେଖ ମୋର କରାମତି, ‘‘ପେଶିଅଛି ଚତୁର୍ଦ୍ଦିଗେର ନାହିଁ ତୋର କେଉଁଠି ନିସ୍ତାର’’....ହାଃ, ହାଃ, ହିଃ ହିଃ ! ଇରେ ବାପରେ ହସଟା ବୋଲି ନ ମାନି ଚିହିଁକି ପଡ଼ିଲା ପଦାକୁ ! କୋଉଠୁ ଗୋଟାଏ ଖସ୍‍ଖସ୍ ଶବ୍ଦ ଆସୁଛି ଉଠିପଡ଼େ ଯଦି ତାରାମଣି ସରିଲା କାମ !

 

‘‘ଗଗୁଆଇ ! ଗଗୁଆଇ !

 

ଫିସ୍‌ଫିସ୍‌ ଡାକି ମୋ ପିଠିରେ ଗୋଟାଏ କିଏ ଚୁମୁଟି ଦେଲା । କିଏବେ ? ଚଟ୍‌କରି ବୁଲିପଡ଼ି ଦେଖିଲି ପିଣ୍ଟୁ ଗେଣ୍ଠୁ, ବନା ଆଉ ହାଡ଼ିଆ ଛିଡ଼ା ହୋଇଛନ୍ତି ଲାଇନ କରି । ‘‘କିବେ କ’ଣ-? କାମ ଫତେ ? କୋଉଠି ରଖିଛି ?’’ ଗେଣ୍ଠୁ କହିଲା–

 

‘‘କାମ କିଛି ହେଲାନି ଗୁରୁ । ସେ ଟୋକୀ ଭାରି ଚାଇଁ ଅଛି ।’’ ପିଣ୍ଟୁ ତାକୁ ଠେଲି ଦେଇ କହିଲା–

 

‘‘ଅସଲ କଥା କୁହ, ଏତେ ବନଉଛୁ କାହିଁକି ? ସେ କୋଉ ଟୋକା ସଙ୍ଗବେ ଛୁ କାଲିଠୁ ଫେରାର–ମାନେ ଆଜି ଦୋକାନ ଯାଇଛି, ମେସ୍‌କୁ ଆସିନି । ତା’ ଚିହ୍ନାପରିଚୟ କେହି ତା’ର ଖବର ଦେଇପାରୁ ନାହାନ୍ତିଁ ।’’ ମୋ ପାଟିରୁ ବାହାରିଗଲା–

 

‘‘ଷ୍ଟେସନ୍ ଛକବାଲାଙ୍କ କିଛି ନାହିଁ ତ ? ମୁଁ ପ୍ରଥମରୁ କହିଛି !’’ ହାଡ଼ିଆ ଉତ୍ତର ଦେଲା–

 

‘‘ମୁଁ ସେଇଆ କହୁଛି, ଚିଲଟା ତିନିଦିନ ହେଲା ନେଇ ବୁଲୁଛି ବଜାରରେ । ଜିନିଷ, ଶାଢ଼ି, ସୁଟକେଶ କିଣା ଚାଲିଛି ମୁଁ କହୁଛି ଆଗରୁ କାମ କର ।’’

 

‘‘ଚୁପ୍ କର ଶାଲା । ଗୋଟାଏ ମାଇକିନାକୁ ଜବତ କରି ପାରିଲିନି । ପଚିଶ ହଜାର ଖର୍ଚ୍ଚାକରି ଛ’ମାସ ହେଲା ଘରଟାଏ ଭଡ଼ା ଦେଇ, ଇଜ୍ଜତ ବିକି ମୁଁ ନୟାନ୍ତ ହେଲିଣି । ଏବେ କ’ଣ କରାଯିବ କହ ?’’ ଅବଶ୍ୟ ଏ ସବୁ କହିଲା ବେଳକୁ ମୁଁ ଘରୁ ପଦାକୁ ଚାଲିଆସିଥିଲି ଏବଂ ବାହାର ପଟୁ କବାଟଟା ବନ୍ଦ କରି ଦେଇଥିଲି । ଅନ୍ତତଃ ଘରର ନିରାପତ୍ତାକୁ ମୁଁ କ୍ଷୁଣ୍ଣ କରିବାକୁ ଦେବି ନାହିଁ ମୋ ଜାଣତରେ ।

 

ଗେଣ୍ଡୁ ଦି’ ପାଦ ଆଗେଇ ଯାଇ କହିଲା–

 

‘‘ଆମେ ଚାଲିଲୁ ଏଥର ! ତୁମେ ଏଣିକି ସମ୍ଭାଳ ଗୁରୁ ! ମୁଁ ଖବର ପାଇଛି ସେ ଟୋକୀ ପଳେଇଛି, ଆଉ ଥାନାରେ ଖବରବି ପହଞ୍ଚି ଯାଇଛି । କୋଉ ମୁହୂର୍ତ୍ତରେ ପୋଲିସ୍ ଆସିବ । ତା’ର ଠିକଣା ନାହିଁ । ଚିଲ ଚିଡ଼ିଆ ଉଡ଼େଇ ନେଇଛି ହେଲେ କଥାଟାକୁ ଭାଙ୍ଗିବା କଥା ସେ ଭୁଲିଯିବ । ଗଲା ବର୍ଷର ଘଟଣା କ’ଣ ସେ ଭୁଲିଥିବ ?’’

 

‘‘ସର୍ବନାଶ ! ତେବେ ତ ସରିଲା, ଚାଲ...ଚାଲ... ।’’ ହାଡ଼ିଆର ବିଳିବିଳା ଡାକରେ ଚାରିଜଣଯାକ ମତେ ଅରମା ଛଣ୍ଟାବୁଦା ଭିତରେ ଠିଆ କରେଇ ଦୌଡ଼ିପଳେଇଲେ ଆଖି ପିଛୁଳାକେ । ନିମକହାରାମ । କୁତ୍ତା । ଦେଖିବି ତୁମମାନଙ୍କୁ, କେମିତି ଟଙ୍କା ଖାଇ ଲୁଚି ରହିବ, ଦେଖିବି, ତୁମ ମଦପିଆ, ହୋଟେଲଖିଆ ଆଉ ଲୁଟତରାଜ କେମିତି ଚାଲିବ ? ଛିଃ, ଛିଃ, ଛିଃ ତୁମ ଭଳିଆ ଛେରୁଆଙ୍କଠାରୁ ଡାହାଳ କୁକୁର ଯଦି ପୋଷିଥାଆନ୍ତି !

 

ରାଗରେ ମୋ ଆଖିରୁ ଟପ୍‌ଟପ୍‌ ନିଆଁ ବରଷିଲା ପରି ଲାଗିଲା । ମୁଣ୍ଡଟା ପୂରିଗଲା ପରି ମନେହେଲା । ଘରଠାରୁ ବାହାର, ମିତ୍ରଠାରୁ ଶତ୍ରୁ ପର୍ଯ୍ୟନ୍ତ ସମସ୍ତେ ଦସ୍ୟୁପରି ମତେ ଆକ୍ରମଣ କରିବାକୁ ଧାଇଁଛନ୍ତି । ସତେ ଯେପରି ଗୋଟିଏ ଷଡ଼ଯନ୍ତ୍ର ଭିତରେ ମୁଁ ପଶିଯାଇଛି, ଆଉ ସେଥିରୁ ମତେ କେହି ରକ୍ଷା କରିପାରିବେନି; ଅଥଚ ଏଇ ‘ମୁଁ’ଟାର ପ୍ରାଧାନ୍ୟ ମୁଁ ଆଜିଯାଏଁ ଦେଇନି...କାହିଁକି ? ଅତି ଭଲ, ନିରୀହ ହେବାରୁ ଯେ ମୋର ଆଜି ଏଇ ଦଶା ବୁଝିବାକୁ ବାକି ନାହିଁ । ନଚେତ୍‌ କନକଲତା ପରି ଗୋଟାଏ ଅପାଂକ୍ତେୟ ସ୍ତ୍ରୀଲୋକ ମତେ ଫେର୍‌ ବୁଦ୍ଧିରେ ହରେଇଦେଇ ଚୂନକାଳି ମାରିଥାଆନ୍ତା ଗାଲରେ ? ଆଉ ଏଇ ଗୁଣ୍ଡା ଚାରିଟା, ଟଙ୍କା ଖାଇ ଶେଷକୁ ଚିଲ ହାତରେ ମୋର ଈପ୍‌ସିତ ବସ୍ତୁଟିକୁ ଟେକି ଦେଇଥାନ୍ତେ ? ନା । ମୁଁ ୟାର ମୁକାବିଲା କରିବି, ଗୋଟି ଗୋଟି ଧରି ଜେଲ ଠୁଙ୍କିବି ଆଉ ସେ ଟୋକୀକୁ ପାଣକୁ ବିକିବି ତେବେ ଯାଇ ମୋ ନାଁ ଗଗନବିହାରୀ ।

 

କାଉଟାଏ ମୁଣ୍ଡ ଉପରେ କା’ କା’ ରଡ଼ିଛାଡ଼ି ଉଡ଼ିଗଲା । ନା, ଆଉ ଶୋଇବା ଦରକାର ନାହିଁ । ଥାନାକୁ ଯାଇ ଏତଲା ଦେବାକୁ ହେବ । ଚିଲୁଆକୁ ଯଦି ପାନେ ନ ଦଉଛି ଏଥର ତେବେ ମୋ ନାଁ ନାହିଁ ।

 

କୌଣସିମତେ ନିତ୍ୟକର୍ମ ସାରି ମୁଁ ତାରାମଣିର ନିତ୍ୟ ପୂଜା ପାଉଥିବା ଏବଂ ମୋର କେବେହେଁ ପାଦ ନ ପଡ଼ିଥିଲା ଦୁର୍ଗା ମଙ୍ଗଳାଙ୍କ ମୂର୍ତ୍ତି ପାଖରେ ଲମ୍ୱ ହୋଇ ପଡ଼ିଥିବା ଅବସ୍ଥାରେ ତାରାମଣିଙ୍କ ପାଟି ଶୁଭିଲା ଦ୍ୱାରମୁହଁରେ–‘‘ମଲା, ମଲା । କି କଥା ଇଏ ଆଖି ଦେଖିଲା କି ? ମୁଁ ଖୋଜିହେଉଛି କୁଆଡ଼େ ଗଲ ବୋଲି । ଦେଖ ଯାଇ ଦାଣ୍ଡରେ–ତୁମର ଦି’ଟା ପୋଲିସ ପରୁଆନା ଧରି ହାଜର । କିଏ କେଉଁଠି କ’ଣ କରୁଛି ମଣିଷ କ’ଣ ଜାଣୁଛି ? ମୁଁ ମନା କରୁଛି ସେ ଟୋକୀ ଲୀଳାରେ ପଶ ନାହିଁ; ତୁମର ଏକା ଜିଦ୍‌ । ଯାଆ, ଏବେ ଥାନାରେ ତ ଲେଖିପଢ଼ି ଦେଇଛି, ମତେ ଆଉ ଲୁଚେଇବ କ’ଣ ? ମୋ ପୁତୁରା ନୋକା ପରା ଆଇଛି । ସବୁ ମତେ କହିଲାଣି...କିହୋ ଉଠୁନ କାହିଁକି...?’’

 

ମୋ ଗୋଡ଼-ମୁଣ୍ଡ ସବୁ ଗୋଟାଛାଏଁ ଥରୁଥିଲା । ପୋଲିସ୍‌ ପାଖକୁ ଯାଉ ଯାଉ ପୋଲିସ୍‌ ଆସି ହାଜର, କଥାଟା ପୂରା ରାଷ୍ଟ୍ର ହୋଇଗଲାଣି...ହେ ମା’ ମଙ୍ଗଳା...ମୋ ମୁଣ୍ଡଟା ଉଠୁଉଠୁ ପଡ଼ିଗଲା । ତାରାମଣି ଖେଁକି ଉଠିଲା–

 

‘‘ଆଃ । ଦିନେ ନାହିଁ, କାଳେ ନାହିଁ କ’ଣ ନା ଗହ୍ମା ପୁନେଇଁ ଦିନ ମାଈଁ । କୋଉ ଠାକୁରାଣୀ ଧାଇଁ ଆସିବେଲୋ ମା’... । ଯାଅ, ଯାଅ, ଭଲ ସମାଜସେବା ନାଟକ କଲ–ଏଣିକି ଝମେଲା ତୁଟାଅ ।’’ ଗଭୀର ପ୍ରାର୍ଥନାରୁ ଉଠିବାଭଙ୍ଗୀରେ ମୁଁ କହିଲି ।’’

 

‘‘କିହୋ । କ’ଣ ହୋଇଛି କହୁନ ? ପୋଲିସ୍‌ କାହିଁକି ଆସିଛି, ଲୋକନାଥ କ’ଣ କହୁଛି-?’’

 

ତାରାମଣି ଖିଙ୍କାରୀ ଉଠି କହିଲା–

 

‘‘କହୁଛି ଭାଗବତ । ସେଇ ତୁମ କନକଲତା ନା ହୀରକଲତା । କାଲି ରାତିଅଧରେ କୋଉ ଗଳିରେ ତାକୁ ଚାରିଟା ଗୁଣ୍ଡା ମାଡ଼ିବସି ନେଇ ପଳଉଥିଲେ, ଷ୍ଟେସନ୍ ଛକରେ ଚିଲୁଆ ଗୁଣ୍ଡା ତାଙ୍କୁ ନେଇ ଥାନାରେ ଟୋକୀକୁ ଜିମା କରିଛି । ଆଉ ସେ ଗୁଣ୍ଡା ଚାରିଟାକୁବି ଜିମା କରିଛି । ଆଉ ସେ ଗୁଣ୍ଡା ଚାରିଟା କୁଆଡ଼େ ଆମ ବଗିଚା ଭିତରେ ପଶିଥିଲେ, ଡେଇଁ ପଳେଇଗଲେ ।’’

 

‘‘ସେଇଠୁ କ’ଣ ହେଲା ? ମତେ କାହିଁକି କହୁଛ ଶୁଣେ ? ମୁଁ ତାକୁ ରାସ୍ତାରୁ ଗୋଟେଇ ଆଣିଥିଲି ବୋଲି ସେ ଯାହା କରିବ ମୁଁ ସେଥିପାଇଁ ଦାୟୀ ? କୋଉ ପୁଲିସବେ ମୋତେ ଆଇନ ଦେଖଉଛି ? ମୁଁ ଏତେ ଛୋଟଲୋକ ନୁହେଁ, ମୁଁ ପର ବୋହୂ, ଝିଅଙ୍କୁ ଅନାଏନି । ଲୋକଙ୍କ ସେବା, ମୋ ବ୍ୟବସାୟ ନେଇ ମୁଁ ବ୍ୟସ୍ତ । ମୁଁ କି ଜାଣେ ଗୁଣ୍ଡାଫୁଣ୍ଡା କଥା, ମୁଁ କାହାକୁ ପଠେଇନି । ତମେ ତ ଦେଖିଛ ତାରାମଣି, ରାତିସାରା ମୁଁ ବସି ବସି ପାର୍ଟ୍ ମୁଖସ୍ଥ କରୁଛି । ମୁଁ କ’ଣ କେବେ ଡ୍ରାମା ଦେଖେ ସଉକୀରେ ? ବାଧ୍ୟ ! ନଈବଢ଼ିର ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କପାଇଁ ଚାନ୍ଦା ଆଦାୟ ହେବ, ଅତଏବ ସମସ୍ତ କାର୍ଯ୍ୟ ପକେଇ ଦେଇ ମୁଁ ରାତିଅନିଦ୍ରା । ହାଁ, ସେ ଚିଲୁ ମୋ ଉପରେ ରାଗ ଶୁଝଉଛି, ସେଇଟା ଗୋଟାଏ ବଜ୍ଜାତ ମାଇକିନା, ତାକୁ ଆଣି ମୋ ନାଁରେ ବଦନାମ କରୁଛି ।’’

 

ହଠାତ୍‌ ଲୋକନାଥ, ତାରାମଣିଙ୍କ ପୁତୁରା ଘର ଭିତରକୁ ପଶିଆସି କହିଗଲା–

 

‘‘ନାହିଁ ମଉସା । ଆପଣଙ୍କ ଦୋଷ କଥା ପଡ଼ିନି । ଚିଲୁ ଆପଣଙ୍କ ନାଁରେବି କିଛି କହିନି-। ହେଲେ ସେ ଝିଅଟା !’’

 

‘‘କ’ଣ ? କ’ଣ କହୁଛି ସେ ବଜାରୁଣୀ ମୋ ନାଁରେ ? ମୁଁ ତାକୁ ମାରିଛି ? ମୁଁ ତାକୁ ଅପମାନ ଦେଇଛି ? ମୁଁ ତା’ ଦ୍ୱାରମୁହଁକୁବି ଯାଇନି, ବରଂ, ବରଂ.... ।’’

 

‘‘ମଉସା ! ସେ କଥା ସେ କହିନି ।’’ ଲୋକନାଥ ଅଟକିଗଲା ପୁଣି ମୋ ଆଖିକୁ ଚାହିଁ । ମୋ ଆଖିରେ ତା’ ଆଖି ମିଶିଯିବାରୁ ମୁଁ ଥରିଉଠିଲି ଆସନ୍ନ ବିପଦ ଆଶଙ୍କାରେ । ୟାକୁହିଁ କହନ୍ତି ଚଉଦ ବ୍ରହ୍ମାଣ୍ଡ ଭ୍ରମଣ । ମୁଁ କ’ଣ କରିବି, କହିବି ବୁଝିପାରୁ ନଥିଲି । ଡରିଗଲେ ଚଳିବନି, ସେ ଟୋକୀ ନିଶ୍ଚୟ କହିଛି ମୋ ବିରୁଦ୍ଧରେ, ନହେଲେ ପୋଲିସ କାହିଁକି ଆସନ୍ତା !

 

ଲୋକନାଥ ଚୁପ୍‌ ରହିଲା ନାହିଁ । ମୁହଁପୋତି କହିଲା–

 

ନାହିଁ ମଉସା, ସେ କଥା ନୁହେଁ ! ତା’ ଘରଦ୍ୱାର, ବାପ ମା’ ପଚାରିଲେ ସେ କହୁଛି, ସେ କହୁଛି କି !’’

 

‘‘କ’ଣ କହୁଛି ? ମୁଁ ତାକୁ ଧରି ଆଣିଛି, ରେପ୍‌ କରିଛି, ତାକୁ ଉଡ଼େଇନବାକୁ ବସିଛି । ତାକୁ ମୁଁ ଅଲବତ୍‌...ଦେଖିବୁ ଲୋକନାଥ, ପୋଇଲୀ କରି ରଖିବି, ପାଣକୁ ବିକିବି !’’

 

‘‘ମଉସା । କି ଆଶ୍ଚର୍ଯ୍ୟ ! ଏମିତି କାହିଁକି କହୁଛନ୍ତି ? ଆମେ ତାକୁ ତା’ ଘର ଲୋକଙ୍କ ଜିମାଦେବାକୁ ବାପା ମା’ ନାଁ ପଚାରିଲାରୁ ସେ କହୁଛି ଆପଣ ତା’ର ବାପା, ଆଉ ମାଉସୀ ତା’ର ମା’ ! ଆପଣଙ୍କ ଘର ଠିକଣା ଦେଉଛି ମୁଁ ଖବରଟା ନେଇ ଆସିଥିଲି, ଇନ୍‌ସପେକ୍ଟର କହିଛନ୍ତି ଆପଣ ଯିବେ । ମୁଁ ଚାଲିଲି !’’

 

ଲୋକନାଥର କଥା ଶୁଣୁ ଶୁଣୁ ମୋ ମୁଣ୍ଡଟା ଘୂରିଯାଉଥିଲା ! ବାସ୍ତବିକ ମତେ କିଛି ଆଖିକୁ ଦିଶୁ ନଥିଲା । ମୁଁ ଛିଡ଼ା ହୋଇଛି କି ବସିଛି ଜାଣି ପାରୁ ନଥିଲି । ମୁଁ ପୃଥିବୀକୁ ଘୂରାଉଥିଲି, ଏବେ ପୃଥିବୀ ମତେ ଘୂରାଉଛି, କି ଅସମ୍ଭବ କଥା !!

✽✽✽

 

ବୃତ୍ତ

 

ଅଫିସ୍‍ରୁ ସାଇକଲ୍ ଚଳାଇ ଖୁବ୍‌ କ୍ଳାନ୍ତ ଭାବରେ ଆସ୍ତେ ଆସ୍ତେ ଘରକୁ ଫେରୁଥିଲେ ଶଶିକାନ୍ତ । ନୂଆ କରି ବଦଳି ହୋଇ ଆସିଛନ୍ତି ଏ ସହରକୁ । ଘରଟି ବଜାରଠାରୁ ଦୂରରେ, ସବୁ କଥାରେ ଅସୁବିଧା । ପାଖପଡ଼ୋଶୀ ସହ ଚିହ୍ନା ହେବାକୁ ସମୟବି ନାହିଁ ।

‘‘ବାପା !’’ କିଏ ଡାକୁଛି ପଛରୁ ।

ଶଶିକାନ୍ତ ଅଟକିଗଲେ । କିଏ ? ଓ...ରମୁ ଓରଫ୍ ରମାକାନ୍ତ । ବଡ଼ପୁଅ ।

ଅଜାଣତରେ ପାଟିରୁ ବାହାରିଗଲା–

‘‘କିରେ ! ଏତେ ଶୁଖିଲା ଦିଶୁଛି କାହିଁକି ? କେତେବେଳେ ଆସିଲୁ ?’’

ରମୁ ମୁହଁକୁ ଗମ୍ଭୀର କରି ତୀକ୍ଷ୍ଣ ଅଥଚ ନରମ କଣ୍ଠରେ ପଚାରିଲା–

‘‘ତୁମର ମତ କ’ଣ ? କିଛି କହିଲନି ଯେ !

‘‘କୋଉ କଥା ? ମୋର ତ ମନେପଡ଼ୁନି ।’’

ରମୁ ଏଥର ସାଇକଲ୍ ସିଟ୍‌ ଉପରେ ତା’ ବାଁ ହାତ ଆଙ୍ଗୁଳିରେ ରଖିଥିବା ବଡ଼ବଡ଼ ନଖରେ ଗାର ଟାଣିଲା । ଓସ୍ତଗଛ ଭିତର ଦେଇ ଝାପ୍‍ସିଆ କାଉଁଳିଆ ଜହ୍ନରୁ ଛିଟାଏ ତା’ ମୁହଁ ଉପରେ ଆସି ପଡ଼ୁଥିଲା । ଯେପରି ମନେହେଉଥିଲା ବଡ଼ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଆସି ପଡ଼ିଯାଇଛି । ସବୁ କାମରେ ବାପ-ମା’ଙ୍କର ପରାମର୍ଶ କରି ଚାଲୁଥିବା ପିଲାଟା ଏମିତି ଅମାନିଆ ହୋଇ ସିଦ୍ଧାନ୍ତଟା ନେଲା କାହିଁକି ? ନେଲା ଯଦି ନେଲା, ପଚାରି ହଉଚି କାହିଁକି ?

ଶଶିବାବୁ ମୁହଁ ଉପରକୁ କର୍କଶ ଭାବଟିଏ ଟାଣିଆଣିଲେ । ନାକପୁଡ଼ା ଫୁଲେଇଦେଲେ ଏବଂ ଗଳାଖଙ୍କାର ଛେପ ପକାଇଲେ । ପକେଟରୁ ପାନ ବାହାର କରି ପାଟିରେ ପୂରାଇ କହିଲେ–‘‘ଏସବୁ କଥାର ମୀମାଂସା ଏପରି ଭାବରେ ହୋଇ ପାରେନା । ତୁ ଯେ ଏତେ ଜିଦ୍‌ କାହିଁକି କରୁଛୁ, ମୁଁ...ମୁଁ ମାନେ ବୁଝୁନି... !’’

ଶଶିକାନ୍ତଙ୍କ କଣ୍ଠରେ ପୁଣି କଫ ଜମି ଆସିଲା । ଧେତ୍‌ ! କଥାଟା ସଫାସଫା ସରିଯାଇଥିଲେ ଭଲ ହୋଇଥାନ୍ତି । ତାଙ୍କର ଦ୍ୱନ୍ଦ୍ୱରେ ପଡ଼ି ଭୟ କରିବାର କୌଣସି କାରଣ ନାହିଁ । ପିଲାମାନେ ଏପରି ଭୁଲ୍‍ଭଟକା କରିପାରନ୍ତି ଓ କରିବା ସ୍ୱାଭାବିକ, ତା’ ବୋଲି କ’ଣ ବାପ-ମା’ ସେମାନଙ୍କ ମନକଷ୍ଟ ହେବ ବୋଲି କିଛି କହିବେନି କିମ୍ୱା ସତ୍‌ପଥକୁ ଆଣିବାପାଇଁ ଚେଷ୍ଟା କରିବେ ନାହିଁ ! ସେ ତ ତାଙ୍କ କର୍ତ୍ତବ୍ୟ କରିବା କଥା କରିବେ, ଡରିଯିବେ କାହିଁକି ?

‘‘ତୁମେ ତୁମର ମତ ମତେ ସ୍ପଷ୍ଟ କରି କୁହ । ଗୋଟିଏ ମାତ୍ର ଶବ୍ଦରେ ‘ହଁ’ କି ‘ନା’ । ବାସ୍‌ ! ମୁଁ ଏତିକି ଶୁଣିବାକୁ ଚାହେଁ, ଭଲ-ମନ୍ଦ, ଭବିଷ୍ୟତ, ଅର୍ଥନୀତି, ସମାଜନୀତି ଶୁଣେଇ ମତବିଭ୍ରାନ୍ତ କରିବା ଦରକାର ନାହିଁ । ମୁଁ ରୋକ୍‍ଠୋକ୍ ଉତ୍ତରଟିଏ ଚାହେଁ ।’’

ଆଶ୍ଚର୍ଯ୍ୟ ! ରମୁ ପୁଣି ଏପରି କଥା କହିପାରେ ? ପୁଅ ହୋଇ ଯଦି କହିପାରୁଛି ବାପ ହୋଇ ସେ ଉତ୍ତର ଦେଇ ପାରୁନାହାନ୍ତି କାହିଁକି ? ରାଗି ଆସୁ ଆସୁ ଶଶିକାନ୍ତ ପୁଣି ଅଟକିଗଲେ । ବୋଧହୁଏ...ବୋଧହୁଏ ରାସ୍ତା ଉପରେ କଥା ହେଉଥିବାରୁ ତାଙ୍କୁ ଏମିତି ଲାଗୁଛି ।

 

‘‘ହଉ, ଏଥର ଯିବା ଚାଲ । ଘରେ କଥାହେଲେ ଚଳିବନି !’’ ‘‘ନା ! ଘର ଆଉ ବାହାର ମୋପାଇଁ ସମାନ ! ମା’ ତ ତା’ର ମତ ଦେବ ନାହିଁ । ଓଲଟି ତୁମକୁ କିଛି କହିବାର ସୁବିଧା ମଧ୍ୟ ସେ ଦେବନି ।’’

 

ଶଶିକାନ୍ତ ପ୍ରଶ୍ନକଲେ...

 

‘‘ତେବେ ତୁ କ’ଣ କହୁଛୁ କହ ? ସେ ଝିଅଟିବି ଭଲ ହୋଇଥାଇପାରେ ତେବେ ତା’ର ସଂସ୍କୃତି, ପରିବାର ବିଶେଷକରି ଭାଷା ଓ ଧର୍ମ ଆମଠାରୁ ସ୍ୱତନ୍ତ୍ର... ।’’

 

‘‘ବାପା !’’

 

‘‘ତୁ ମତେ ଧମକଉଛୁ ? ମୁଁ ଏମ.ଏ. ପାସ୍ କରି କିରାଣି ହୋଇଛି ବୋଲି ତୋର ପସନ୍ଦ ଆସୁନି ?’’

 

‘‘ବାପା !’’

 

‘‘କାହିଁକି ନାଟକ କରୁଛୁ ରମୁ ? ତୋର ମତଲବ ମୁଁ ସ୍ପଷ୍ଟ ଜାଣିପାରିଛି । ଆମର ମତାମତ ନେବା ଗୋଟାଏ ମାମୁଲି ଖିୟାଲ ତୋ’ପାଇଁ । ତୋର ଯାହା ଇଚ୍ଛା ହେଉଛି, ତାହା ତୁ କର । ମୋତେ ବର୍ତ୍ତମାନ ବାଟ ଛାଡ଼ । ମୁଁ ଘରକୁ ଯାଏଁ । ପୁଣି ମୋତେ ଝୁଡ଼ି ନେଇ ବଜାରକୁ ଆସିବାକୁ ହେବ ।’’

 

‘‘କିନ୍ତୁ ମୋ ପ୍ରଶ୍ନର ଉତ୍ତର ? ‘ହଁ’ କି ‘ନା’ କୁହ ।’’

 

ନନ୍‌ସେନ୍‌ସ୍ ! ମନେମନେ ଉଚ୍ଚାରଣ କଲେ ଶଶିକାନ୍ତ । ଫାଷ୍ଟ୍ କ୍ଲାସ୍ ଅନର୍ସ ପାଇଛି ବୋଲି କ’ଣ ସେ ତାକୁ ଡରିଯିବେ ? ଏବଂ ଯାହା କହିବ ସେଇଆ କରିବେ ? ଏହା ମଧ୍ୟ ସେ ଜାଣନ୍ତି ଯେ ଯାହା ରମୁ ସ୍ଥିରକରିଛି ସେଇୟା କରିବ । କୌଣସି କଥାକୁ ସେ ଖାତିର କରିବ ନାହିଁ-। ଏ କଥା ମଧ୍ୟ ସ୍ତ୍ରୀ ସବିତାକୁ ସେ ବୁଝାଇ କହିଛନ୍ତି । ହେଲେ, ପୁଅ ଶୁଣୁଛି ନା ସ୍ତ୍ରୀ ଶୁଣୁଛି-! ଶୁଣିଦେଲେ ତ ସଂସାର ଆଉ ସଂସାର ହେଇ ରହିବନି । ସବୁକିଛି ଓଲଟପାଲଟ ହୋଇଯିବ-। ଆଗ୍ନେୟଗିରିକୁ ବିସ୍ଫୋରଣ କିମ୍ୱା ଅମରାବତୀକୁ ଅମୃତବର୍ଷଣ ଭିତରେ ସେ କୌଣସି ପାର୍ଥକ୍ୟ ଦେଖିପାରନ୍ତି ନାହିଁ । ମାତ୍ର ଦୁଇଟିରୁ ସେ ଗୋଟିଏବି ଗ୍ରହଣ କରିପାରିବେନି କି ଖୁସିହେଇ ପାରିବେନି ।

 

‘‘କିଛି କହିଲନି ଯେ ? ମତେ ଏତେ ବୁଝାଉଛ କାହିଁକି ? ମୁଁ କ’ଣ ପିଲାଟିଏ ହୋଇଛି ଯେ ମତେ ତର୍ଜମା କରି ବୁଝେଇବ ?’’

 

ନା, ନା, ତୁ ପିଲା କାହିଁକି ହେବୁ ? ତୁ କ’ଣ କେବେ ପିଲାଟିଏ ହୋଇଥିଲୁ ଯେ ବାପର କଥା ଶୁଣିବୁ ? ମା’ର ଉପଦେଶ କାନକୁ ନନେଲେ କାନମୋଡ଼ା ଖାଇବୁ, ଉପାସ ଶୋଇବୁ ! ତୁ ତୋ ହାତରେ ଚଉଦ ପା’ । ଆମେ ବାପ ମା’ ନାମକୁମାତ୍ର... ।

 

‘‘ଏବେ ମୋର ଧାରଣା ହେଉଛି, ତୁମେ କିଛି ମତାମତ ଦେବ ନାହିଁ । ଅଗତ୍ୟା... ।’’

 

‘‘କ’ଣ ? ସ୍ପଷ୍ଟ କହୁନୁ ?’’

 

‘‘ତୁମେ ଯେତେବେଳେ ସ୍ପଷ୍ଟ କହୁନାହଁ, ମୁଁ କାହିଁକି ସ୍ପଷ୍ଟ କହିବି ?’’

 

‘‘ଓ ! ମୁଁ କହି ନାହିଁ, ତୁ କାହିଁକି କହିବୁ ? ଏତିକି ତ ଯୁକ୍ତି ! ଏଇ କଥାଟି ସବୁ ଆଡ଼କୁ ପ୍ରୟୋଗ କଲେ ହୁଅନ୍ତା ନାହିଁ ?’’

 

‘‘ହୁଅନ୍ତା ! ପ୍ରୟୋଜନ ନାହିଁ । ସମୟ ବଦଳିଛି, କିନ୍ତୁ ତୁମେ ବଦଳିବ ନାହିଁ, ତେଣୁ... !’’

 

‘‘ତେଣୁ କ’ଣ ? ପ୍ରତିଶୋଧ ନେବୁ ? ଲାଭ କିଛି ନାହିଁ । –କ୍ଷତି ମଧ୍ୟ କିଛି ନାହିଁ ।’’

 

ଶଶିକାନ୍ତ ଜାଣିଲେ, ପୁଅକୁ ସେ ଯୁକ୍ତିରେ ହରେଇ ପାରିବେ ନାହିଁ । ମନକୁ ପ୍ରସ୍ତୁତ କରି ବହୁଦିନଧରି ଅପେକ୍ଷା କରୁଥିବା ବ୍ୟକ୍ତି ଅସହିଷ୍ଣୁ ହେବା ସ୍ୱାଭାବିକ ।

 

‘‘ତୁ ଗୋଟାଏ କଥା କର ।’’ ଶଶିକାନ୍ତ ଅନ୍ୟମନସ୍କ ହୋଇ କହି ପକାଇଲେ ।

 

‘‘କ’ଣ ? କହୁନ...ମୁଁ ତ ସ୍ପଷ୍ଟ ଶୁଣିବାକୁ ଚାହେଁ ।’’

 

ଶଶିକାନ୍ତ ଭାବୁଥିଲେ କହିଦେବେ ସେ ଝିଅକୁ ନେଇ ଟ୍ରେନ୍ ଚଢ଼ି ରାତିଅଧରେ ତୁ ଅନ୍ୟ ଏକ ସହରକୁ ପଳେଇଯାଆ । ଚାରିଆଡ଼େ ହୁଲସ୍ତୁଲ ପଡ଼ିଯାଉ । ପୋଲିସ ଏନକ୍ୱାରି ହେଉ, ଗତାନୁଗତିକ ଭାବରେ ଘଟଣା ଘଟିବ...ତାକୁ କିଏ ଡରେ ? ହେଲେ, କହିପାରିଲେନି ।

 

‘‘ତୁମେ ଗୋଟିଏ କଥାରେ ଏତେ ସମୟ ନେଉଛ...?’’ ରମୁ ତାଙ୍କୁ ମନେପକେଇ ଦେଲା ସମୟ ନାହିଁ ।

 

ଶଶିକାନ୍ତ ପାନଛେପ ପକେଇଲେ ଏବଂ ଚଟ୍ କରି ସାଇକଲ୍ ସିଟ୍‍ରେ ବସିପଡ଼ି କହିଲେ–

 

‘‘ଦେ’ ବାଟ ଛାଡ଼, ମୁଁ ଯାଏଁ ! ମୋର କଥା ଯେତେବେଳେ ଶୁଣୁନାହୁଁ, କିଛି କରିପାରିବି ନାହିଁ । ନିର୍ଘାତ କଷ୍ଟ ପାଇବାର ଅଛି ତୋ ଭାଗ୍ୟରେ... ।’’

 

‘‘ଆଉ ତୁମର ? ତୁମେ କଭର୍ ଦେଉଛ, ହୁଏତ ମୁଁ ନ ପାରି ପାରେ, ହେଲେ...ହେଲେ, ମୁଁ ଥକିଯିବି ନାହିଁ । ଜୀବନସାରା ଥକି ଥକି ଅଣନିଃଶ୍ୱାସୀ ହୋଇ ଚାଲିବାଠାରୁ ଆରମ୍ଭରେ ବସିଯିବା ଉଚିତ କି ନାହିଁ ତୁମ ଅଭିଜ୍ଞତାରୁ ମୁଁ ପଚାରୁଥିଲି । କର୍ତ୍ତବ୍ୟ ସମ୍ୱନ୍ଧରେ ମୁଁ ପୂରା ସଚେତନ ଅଛି ।’’

 

ଶଶିକାନ୍ତଙ୍କୁ ଚତୁର୍ଦ୍ଦିଗରେ ଅଗ୍ନି ଲାଗିଗଲା ପରି ମନେହେଲା । ପୁଅ ପଚାରୁଛି ବାପକୁ ତା’ର ଅଭିଜ୍ଞତା ଓ ସେଇଥିରୁ ନିଜ ଭବିଷ୍ୟତର ରୂପରେଖ ସେ ଦେଇପାରିବ । ମୂର୍ଖ ! ଅଭଦ୍ର ! ପୁଅକୁ ଏକଦମ୍ ଠେଲିଦେଇ ଶଶିକାନ୍ତ ତୀରବେଗରେ ସାଇକଲ୍ ଛୁଟେଇଦେଲେ ।

 

ଖରାଦିନର ଝରଝରିଆ ପବନ, ରାସ୍ତା ପାଖର ଗଛଦେଇ କାଉଁଳିଆ ଜହ୍ନ, ଅଫିସ୍ ଫେରନ୍ତି କ୍ଳାନ୍ତି ମେଣ୍ଟାଇବାର ନିଶା କିଛିହିଁ ଶଶିକାନ୍ତଙ୍କୁ ଆକର୍ଷଣ କଲା ନାହିଁ । ବରଂ ଯନ୍ତ୍ରଣାରେ, ଅହେତୁକ ଅପମାନବୋଧରେ ଛାତି ଭିତରଟା କୋରି କୋରି ହୋଇଗଲା ।

 

ଅଭିଜ୍ଞତା ! କେମିତି ଜାଣିଲା ରମୁ ? ସଇତାନ-ପାଜି ନମ୍ୱର ଉଆନ୍ । ନିଜର ମୂଳଦୁଆ ଟାଣକରିବ ବୋଲି ଅନ୍ୟର ବାପଅଜାର ଭିଟାମାଟିକୁ ତାଡ଼ି ଉଠେଇ ନଉଛି । ଏମିତି କରି କିଏ ମଣିଷ ହୋଇଛି ନାଁ ହେବ ? ବାପର ଯେଉଁ ତ୍ୟାଗ, ଯେଉଁ ଆତ୍ମୋତ୍ସର୍ଗ, ଯେଉଁ ଜ୍ୱଳନ, ପୀଡ଼ନ, ସେଥିରୁ କାଣିଚାଏ ଭଲା ରମୁ ସହିପାରିବ ? ଅଥଚ ବୁଲେଇ ବୁଲେଇ ଟେକାଟା ଫିଙ୍ଗିଦେଲା...ସ୍ତୂପ ସ୍ତୂପ ପାହାଡ଼ ହୋଇ ଜମିଥିବା ପାଉଁଶଗୁଡ଼ାକ କାହିଁ କୁଆଡ଼େ ଉଡ଼ିଗଲା । ଦୂରକୁ...ତା’ ଭିତରୁ ଚିକ୍‍ଚିକ୍ କରି ଉଠୁଛି ନିଆଁ ଖଣ୍ଡେ ! ଆହା-ହା ! ଏଯାଏଁବି ଲିଭି ନାହିଁ ? କିଏ ସେ ? କିଏ ? ଆରତି ! ଆଖିରେ ଆଖିଏ ଲୁହ, କହରା କେଶ ଆଉ...ଆଉ ଘର ଛାଡ଼ି ଦେଶଦେଶାନ୍ତରୀ ହେବାର ଏକ ପ୍ରଳୟଙ୍କରୀ ନିଶା ମନରେ । ବି.ଏ. ପଢ଼ୁ ପଢ଼ୁ ଚିହ୍ନାପରିଚୟ ହୋଇଗଲା, ପରିଚୟରୁ ଘନିଷ୍ଠତା, ଘନିଷ୍ଠତାରୁ ପ୍ରେମ ! ଆରତିର ଜାତି ଭିନ୍ନ ନଥିଲା, କି ଭାଷା ଭିନ୍ନ ନଥିଲା । କେବଳ ଭିନ୍ନ ଥିଲା ଧର୍ମ । ତାକୁ ମଧ୍ୟ ସେ ଛାଡ଼ିଦେବାକୁ ପ୍ରସ୍ତୁତ ଥିଲା ।

 

ସେ ଯେତିକି ଯେତିକି ପ୍ରସ୍ତୁତ ହେଉଥିଲା, ସେତିକି ସେତିକି ଭୟଭୀତ ହୋଇଯାଉଥିଲେ ଶଶିକାନ୍ତ । ଘରେ ବାପା, ଜେଜେମା, ଜେଜେବାପା ଆଉ ଦାଦାମାନେ ତାକୁ କାଠଗଡ଼ାରେ ଛିଡ଼ାକରେଇ ଜେରା କରିଥିଲେ । ଓଃ ! ଏବେବି ମନେପଡ଼ିଲେ ଦେହ ଥରୁଛି । ଗାଁର ସମ୍ପର୍କୀୟ ଜନାର୍ଦ୍ଦନ ଭାଇ ଘରେ ପ୍ରସଙ୍ଗଟାକୁ ବନେଇଚୁନେଇ ବ୍ୟାଖ୍ୟାନ କରିଥିଲା । ସେଇଥିରୁ ତ ଗୁଳାବାରୁଦ ଝରିଥିଲା ଶଶିକାନ୍ତଙ୍କ ଉପରେ... ।

 

ଶଶିକାନ୍ତ ହାଲିଆ ହୋଇପଡ଼ିଲେ । ତାଙ୍କ ମନ ଓ ଦେହରୁ ସବୁ ବଳ ଚାଲିଯାଇଛି । ସାଇକଲ୍‍କୁ ଧରି ଧରି ଟିକିଏ ଗଲେ ଏବଂ ଗୋଟିଏ ଚା’ ଦୋକାନରେ କପେ ଚା’ ମାଗି ପିଇଲେ, ବେଞ୍ଚ୍ ଉପରେ ବସିଲେ । ଧେତ୍‌ରି ! ସେଇ କାଠଗଡ଼ାରେ ଛିଡ଼ାହେବା ଦୃଶ୍ୟଟି ଆସିଯାଉଛି ଆଗକୁ । କିଏ କ’ଣ ପଚାରିଥିଲେ ମନେପଡ଼ୁନି । ସାନଦାଦା ସାମ୍ନାକୁ ମାଡ଼ିଯାଇ କାନଟାକୁ ମକଚି ଦେଇ କହିଥିଲେ–

‘‘କିରେ ! କହୁନୁ । ଜନାର୍ଦ୍ଦନ ଯାହା କହୁଛି ସତ ? କିଏ ସେ ଝିଅ ? ତତେ ଆଉ କେହି ମିଳିଲେନି ? ଗୋଟାଏ ବିଧର୍ମୀ... ! ସାନଦାଦାଙ୍କ କଥା ନ ସରୁଣୁ ଜେଜେବାପା ତାଙ୍କ ଚନ୍ଦାମୁଣ୍ଡଟା ଢୋ ଢୋ’ କରି ଭୂଇଁରେ ପିଟିଦେଲେ । ଆଉ ଚିତ୍କାର କରି ଉଠିଲେ–କୁନିଆଁରେ ! ମତେ ଏସବୁ ଦେଖିବାକୁ ଯମ ରଖିଛି ? ହେ ଭାଗବତ ଗୋସେଇଁ, ହେ ବଳିୟାରଭୁଜ । ମତେ ଟେକିନେରେ ବାହୁ ମେଲେଇ...ମତେ ଯେମିତି ଏ ଅଘଟଣାରୁ ସାତ ଦିନରେ ମୁକ୍ତି ଦେଇଦେ... ।’’

ଜେଜେଙ୍କ ମୁଣ୍ଡ ଫାଟି ରକ୍ତ ବୋହୁଥିଲା କି ନାହିଁ, ମନେ ନାହିଁ । ମୁଣ୍ଡରେ ତାଙ୍କର ତୈଳ ଘଷା ହୋଇଥିଲା, କବିରାଜ ଡକା ହୋଇ ଆସିଥିଲେ...ହେଲେ, ଜେଜେଙ୍କ ପାଟି ଖୋଲି ନଥିଲା ।

ଗାଁର ମୁରବି ବାପା, ଦାଦା ଦୁଇହାତ ଧରି ଶଶିକାନ୍ତଙ୍କୁ ଭିଡ଼ି ନେଇ ଜେଜେଙ୍କ ଗୋଡ଼ ପାଖରେ କଚାଡ଼ିଦେଇ ଚିଲେଇ ଚିଲେଇ କହିଲେ–

‘‘ଆରେ ମୂର୍ଖ, କ୍ଷମା ମାଗ । କହ...ତ୍ରିବାର ପ୍ରତିଜ୍ଞା କରୁଛି ଜେଜେଙ୍କ କଥା ମାନିନେବି-। ମୋର ଅପରାଧ ହେଇଛି, ମତେ କ୍ଷମାଦେଇ ଅହିନର୍କରୁ ଉଦ୍ଧାର କର... ।’’

ଅଜାଣତରେ ଏସବୁ କଥା ଶଶିକାନ୍ତ କହୁଥିଲେ, କାନ୍ଦୁଥିଲେ । ଜେଜେଙ୍କ ପାଦଦୁଇଟି ଧରି ଲମ୍ୱ ହୋଇ, ମୁଣ୍ଡଟିକୁ ଦୁଇ ପାଦ ମଝିରେ ରଖି ଅଣନିଃଶ୍ୱାସୀ ହୋଇଥିଲେବି, ଜେଜେଙ୍କ ପାଟି ଫିଟିଲା ନାହିଁ ।

 

ସେ କଥା ମନେପଡ଼ିଲେ ଦେହ ଶିରିଶିରେଇ ଉଠୁଛି । ଭୋରବେଳକୁ ଜେଜେ କଥା କହିଥିଲେ । ଆଉ ଆଦରରେ ଶଶିକାନ୍ତଙ୍କ ମୁଣ୍ଡକୁ ଆଉଁଷି ଦେଇଥିଲେ ।

 

ଘଟଣାର ଆଠ ଦିନ ପରେ ଶଶିକାନ୍ତଙ୍କର ବିବାହ ସବିତା ସହିତ ବିନା ଆଡ଼ମ୍ୱରରେ ଏକ ଗୁମ୍‌ସୁମ୍ ବାତାବରଣ ଭିତରେ ସମ୍ପନ୍ନ ହେଲା ଏବଂ ତା’ର କିଛିଦିନ ପରେ ସାନଦାଦାଙ୍କ ସାଙ୍ଗରେ ଅନ୍ୟ ଏକ ସହରକୁ ଚାକିରି ନେଇ ସେ ଚାଲିଗଲେ । ବାସ୍ ! ଆଉ କିଛି ନାହିଁ । ସେଦିନର ଘଟଣା ଯେମିତି ସ୍ତୂପ ସ୍ତୂପ କୋହ ଯନ୍ତ୍ରଣା ଭିତରେ ପୋତି ହୋଇ ରହିଥିଲା ସେଦିନୁ ! ଆଜି ହଠାତ୍ ପୁଅର ପଦିଏ କଥାରେ... ।

 

ସବିତା କଥାକଥାକେ ଅତୀତର ସେଇ ପ୍ରସଙ୍ଗଟିକୁ ଉଠେଇ ଗାଳିଗୁଲଜ କରନ୍ତି ତାଙ୍କୁ-। ଏବେବି ଠିକ୍ ସମୟରେ ଘରର ଦାୟିତ୍ୱ ନ ତୁଲେଇଲେ ଅଫିସ୍‍ରୁ ଡେରିରେ ଆସିଲେ ସବିତା ତାଙ୍କ ଚରିତ୍ରକୁ ଆକ୍ଷେପ କରି ବହୁ କଟୁ ମନ୍ତବ୍ୟ ଦିଅନ୍ତି । କୌଣସି ଥର ତ ଶଶିକାନ୍ତଙ୍କର ହଜିଲା ଅତୀତ ଆଖି ଆଗରେ ଆସି ଛିଡ଼ାହୁଏ ନାହିଁ । ବରଂ ହସମାଡ଼େ ।

 

କେଉଁଠି କ’ଣ ରକ୍ କରି ମୋଡ଼ିହୋଇଗଲା । ଆରେ ସତେ ତ ! ଚାକିରି କରିବା ଦିନୁ ଯେଉଁ କଥାଟି ସେ ଭୁଲିଯାଇଛନ୍ତି ବୋଲି ଭାବିଛନ୍ତି, ତାହା ତ ଆଦୌ ଭୁଲି ହୋଇନି । ବରଂ ଘଷିମାଜି ସଫା ହୋଇ ଆହୁରି ଉଜ୍ଜ୍ୱଳ ପରିଷ୍କାର ଦିଶୁଛି । ମନେଅଛି, ଆରତି ବେଳେବେଳେ କହୁଥିଲା–ଯଦି କିଛି ଅଘଟଣ ଘଟେ, ତେବେ ମନକଷ୍ଟ କରିବନି । ଭଲପାଇବା ଥିଲେ ଦୂରରେ ଥାଇ ମଧ୍ୟ ଆମେ ଶାନ୍ତିରେ ମରିପାରିବା ! ମନେପଡ଼ିଲେ ହସମାଡ଼ୁଛି । ଦୂରରେ ଥାଇ ନିକଟରେ ଥିବା ଗୋଟାଏ ପ୍ରେମର ସ୍ଳୋଗାନ୍ । କାହିଁ କିଛି ତ ମନକୁ କେବେ ଆସି ନାହିଁ । ଆରତିଟା ସତରେ ଗୋଟିଏ ବୋକୀ ଝିଅ ଥିଲା ? ଆଉ ନିଜେ ? ନିଜେ ଗୋଟାଏ ନମ୍ୱର ଓ୍ୱାନ୍ କାଓ୍ୱାର୍ଡ଼ !

 

ନିଜ କଥାରେ ନିଜେ ମୁରୁକି ହସୁ ହସୁ ଜୋରରେ ହସିଲେ, ହାତ ଉଠାଇ ହାଇ ମାରିଲେ ଏବଂ ପକେଟରୁ ପଇସା କାଢ଼ି ଚା’ ଦୋକାନୀକୁ ଦେଇ ଗୁଣୁଗୁଣୁ ଗୀତଟିଏ ଗାଇ ସାଇକଲ୍ ଧରିଲେ । ସାଇକଲ୍ ଉଡ଼ିଚାଲିଲା ପବନରେ ପକ୍ଷୀରାଜ ଘୋଡ଼ାଟିଏ ପରି ।

 

ଘର ଦ୍ୱାରମୁହଁରେ ଛିଡ଼ାହୋଇ ଶଶିକାନ୍ତ ଡାକ ପକାଇଲେ ପୁଅକୁ...

 

‘‘ଅମୁ ! ଆରେ ଅମୁ ! ମା’କୁ ଡାକିଲୁ ?’’

 

ତାଙ୍କ ଚିତ୍କାରରେ ଅମୁ ବଦଳରେ ସବିତା ଖୋଦ୍ ଆସି ଛିଡ଼ା ହୋଇଗଲେ ଏବଂ ବିରକ୍ତିରେ ପଚାରିଲେ–

 

‘‘କାହିଁକି ଏତେ ବଡ଼ପାଟି କରୁଛ ? କୋଉ ପାରିଧିରୁ ଫେରିଲ କି ?’’

 

ଅନ୍ୟ ଦିନେ ଘରେ ପଶି ପାଟି ବନ୍ଦ କରିଦିଅନ୍ତି ଶଶିକାନ୍ତ । ପୁଅ, ଝିଅ, ସ୍ତ୍ରୀଙ୍କର କଳରୋଳ, ତାଚ୍ଛଲ୍ୟ, ଅଭାବ, ଅସୁବିଧା ଅଭିଯୋଗ ତାଙ୍କର ଏ କାନରେ ପଶି ସେ କାନରେ ବାହାରିଯାଏ । ଅତି ଚୁପ୍‍ଚାପ୍ ମଣିଷଟିଏ ଯେମିତି ପାରିବାରିକ ଦୁର୍ଯୋଗ ଅଶାନ୍ତି ସମୟରେ ବକ୍ ବକ୍ ହେବା ଏକ ଅସ୍ୱାଭାବିକ ଘଟଣା ।

 

‘‘ଆଜି ଘରେ ରାନ୍ଧି ନାହିଁ ସବିତା ! ଚାଲ, ମୁଁ ତୁମ ସମସ୍ତିଙ୍କି ବାହାରେ ଖୁଆଇ ଆଣିବି । ଦିନ ଦିନ ଧରି ତୁମେ ଖାଲି ଘରେ ବସି ରାନ୍ଧୁଛ !’’

 

‘‘ଆହା ! ଥାଉ, ମୋର ସେ ସୁଆଗ ଦରକାର ନାହିଁ । ଘରବୁଡ଼ି ପାଣି ଆଣ୍ଠୁଏ ହେଲାଣି, କ’ଣ ନା ...ଛିଃ, ଛିଃ ! ବାପ ହୋଇ ତୁମେ ଯଦି କୌଣସି କଥାର ମୀମାଂସା ନ କରିବ ତେବେ ମୁଁ କ’ଣ କରିବି, କେମିତି ଘର ଚଳେଇବି ?’’

 

ଶଶିକାନ୍ତ ଏ କଟୁକ୍ତିରେ ତଥାପି ହାଲିଆ ହେଲେ ନାହିଁ । ସବିତାର ଈଷତ୍ ଝାପ୍‌ସା ମୁହଁଟିରେ ଆରତିର ଛବି ସୁସ୍ପଷ୍ଟ ହୋଇ ଏବେବି ତାଙ୍କୁ ଦେଖାଯାଉଛି । ସେ ଯୁବକଟିଏର ଉତ୍‌ଫୁଲ୍ଲତା, ଉଦ୍ଦାମତା ନେଇ ଆଗେଇ ଆସି ଚାପାକଣ୍ଠରେ କହିଲେ–

 

‘‘ସବୁ ତା’ ମନକୁ ମନ ଠିକ୍ ହୋଇଯିବ । ତୁମେ ଅଯଥା କାହିଁକି ବ୍ୟସ୍ତ ହେଉଛ ? ନହେଲେ ଆସ, ମୁଁ ତୁମକୁ ସାଇକଲ୍‍ରେ ବସେଇ ଟିକେ...ମାନେ ?’’

 

ମନେପଡ଼ିଗଲା ତାଙ୍କର ଥରେଅଧେ ପଇସା ଅଭାବରୁ ଆରତିକୁ ନିଜ ସାଇକଲ୍ ପଛରେ ବସାଇ ଶଶିକାନ୍ତ ସନ୍ଧ୍ୟାବେଳେ ନଈକୂଳକୁ ବୁଲିଯାଇଥିଲେ । ସବିତା ଗର୍ଜି ଉଠିଲେ–

 

‘‘ଆହେ ତୁମେ ନିଶାଫିଶା କିଛି ଖାଇଛ ନା ତୁମର ସେଇ ପିଲାଦିନ ଟୋକୀ କଥା ମନେପଡ଼ୁଛି ?’’

 

ଦାଣ୍ଡଘରୁ ଅମୁ ପାଟି କଲା ।

 

‘‘ବୋଉ, ସାମ୍ନାରେ ମୋର ପରୀକ୍ଷା । ତୁ ମତେ ପଢ଼େଇ ଦେବୁନି ନା କ’ଣ ? ସୁଆଙ୍ଗ ବନ୍ଦ କର !’’

 

ଶଶିକାନ୍ତଙ୍କର ଆବେଗ ଠକ କରି ବନ୍ଦ ହୋଇଗଲା । ସେ ପକେଟରୁ ରୁମାଲ କାଢ଼ି ମୁହଁ ପୋଛିଲେ ଏବଂ ଜୋତା ଓ ସାଇକଲ୍ ବାରଣ୍ଡାରେ ରଖି ଧୀରେ ଧୀରେ ଘରକୁ ପଶିଲେ ।

 

ପଢ଼ା ଟେବୁଲ ଉପରୁ ମୁଣ୍ଡ ଉଠାଇ ପୁଅ, ଝିଅମାନେ ବାପାଙ୍କୁ ଅନାଇ ନେଲେ । ଗମ୍ଭୀର ଅଥଚ ନିର୍ଲିପ୍ତ ମୁହଁଟିଏ ଓହଳେଇ କୁଜେଇ କରି ଶଶିକାନ୍ତ ଚାଲୁଥିଲେ !

 

ସବିତା ଶଶିକାନ୍ତଙ୍କୁ ନିରୋଳାରେ କହିଲେ–‘‘ତୁମେ ରମୁ କଥାର ନିଷ୍ପତ୍ତି ନ କଲେ ମୁଁ ସତ କହୁଛି ଜହର ଖାଇ ମରିବି ।’’

 

‘‘କ’ଣ ହେଲା କି ଆଜି ?’’ ଶଶିକାନ୍ତ ପଚାରିଲେ ବିସ୍ମୟରେ ।

 

‘‘ଆଜି କ’ଣ ହେବମ ? ପ୍ରତିଦିନ ତ ପାଲା ଲାଗିଛି । ଘରେ ଖାଉନି । ଏଣେତେଣେ ବୁଲୁଛି ସେ ଟୋକୀ ସାଙ୍ଗରେ । ଯଦି ଆଜି ଭଲ-ମନ୍ଦ କିଛି ହୁଏ ତୁମେ ମୁଣ୍ଡକୁ ନେବ ତ ?’’

 

ଖିଙ୍କାରି ଉଠିଲେ ସବିତା ! ଶଶିକାନ୍ତ ଦୁର୍ବଳତା ଅନୁଭବ କରୁଥିଲେ । ପୁଣି ସେଇ କଥା-। ମୁଣ୍ଡକୁ କିଏ କାହାର କିଛି ନେଇପାରେ ? ନିଜ ମୁଣ୍ଡ ତ ନିଜ କଥା ଚିନ୍ତା କରିପାରୁନି-। ପର କଥା କେତେବେଳେ ଭାବିବ ?

 

‘‘କ’ଣ କିଛି କହୁନ ଯେ ? ତମେ ଏମିତି ଚୁପ୍‌ଚାପ୍ ରହି ଦାୟିତ୍ୱ ଛିଣ୍ଡାଇବ ? ମୁଁ ଏସବୁ ନାଟ ସହି ପାରିବିନି । ଆଜି ଏହାର ଗୋଟାଏ ମୀମାଂସା ହେଉ...ନହେଲେ... ।’’

 

‘‘ଆ ହା-ହା ! କାହିଁକି ପାଟି କରୁଛ ? ମୁଁ କଥା ଦେଉଛି ଆଜିହିଁ ଏହାର ମୀମାଂସା ହେବ । ତୁମ ମାନ ରଖିବା ଭଳି କାମ କରିବି । ଏବେ ଶାନ୍ତ ହୁଅ ।’’

 

‘‘ହଅ ! ମୋରି ରାଗ ସମସ୍ତିଙ୍କି ଦିଶୁଛି ।’’

 

କହି କହି ଧମ୍ ଧମ୍ କରି ସବିତା ଚାଲିଗଲେ ।

 

ଯଥାରୀତି ରାତି ଦଶଟା ବେଳକୁ ଗମ୍ଭୀର ହୋଇ ରମୁ ଫେରିଲା ଏବଂ ତା’ ରୁମ୍‌ରେ ଅଖିଆଅପିଆ କବାଟ ଦେଇଦେଲା । ଆଶ୍ଚର୍ଯ୍ୟ ପିଲାଟାର କାରବାର ।

 

ଶଶିକାନ୍ତ ଖାଇଲାବେଳେ କର୍ତ୍ତବ୍ୟ ଓ ସଂଯମ ବିଷୟରେ ସାନ ପୁଅଝିଅଙ୍କୁ ଓଠଚାପି ବକ୍ତୃତାଟିଏ ଦେଲେ । ସବିତା ସ୍ୱାମୀ ଓ ପୁଅର ବ୍ୟବହାରରେ ଦୁଃଖିତା ହୋଇ ମୁହଁମାଡ଼ି ଉପାସରେ ଶୋଇପଡ଼ିଲେ ।

 

ନିସ୍ତବ୍ଧ ରାତିରେ କବାଟରେ ଠକ୍ ଠକ୍ କରି ଶଶିକାନ୍ତ ରମୁକୁ ଡାକିଲେ–

 

କବାଟ ଖୋଲି ରମୁ ବକ୍ ବକ୍ କରି ଚାହିଁ ରହିଲା । ଶଶିକାନ୍ତ ନିମ୍ନ କଣ୍ଠରେ କହିଲେ–

 

‘‘ତୁ ସେ ଝିଅକୁ ସତରେ ଭଲପାଉ ଅମୁ ? ତୋ’ ଭିତରେ କିଛି ଛଳନା ନାହିଁ ତ ?’’

 

‘‘ବାପା !’’

 

‘‘ତାକୁ ଛାଡ଼ି ରହିପାରିବୁନି ?’’

 

‘‘ହୁଁ । ଗୋଟାଏ କଥା କର । କାଲି ତା’ ସାଙ୍ଗରେ କଥାବାର୍ତ୍ତା କରି ଟାଇମ୍ ସ୍ଥିର କର ।’’

 

‘‘ତୁମମାନଙ୍କର ଅନିଚ୍ଛାରେ... ।’’ ରମୁର କୁଣ୍ଠିତ ସ୍ୱର ।

 

‘‘ପାଗଳାମି ବନ୍ଦ କର । ଭୁଲ୍‍ଟା ସଂଶୋଧନ କରିବା ଉଚିତ । ତୁ ତାକୁ ମାନେ...ତାକୁ ନେଇ ପଳା । ମାସଖଣ୍ଡକ ପରେ ସବୁ ଠିକ୍ ହୋଇଯିବ । ନେ, ଏ ଟଙ୍କା ରଖ ।’’

 

ଶଶିକାନ୍ତ ଖୋସଣିରୁ ବାହାର କରି ପୁଳାଏ ଟଙ୍କା ରମୁ ହାତକୁ ଦେଲେ । ସେ ଘୁଞ୍ଚିଗଲା ଭୟରେ ପଛକୁ ।

 

‘‘ବାଜେ ଖିଆଲରେ ଭୁଲ୍ କରି ବସନା ! ବୁଝିଲୁ ? ଏ ଟଙ୍କା ନେ’ ଧର ।’’

 

‘‘ବାପା !’’

 

ଶଶିକାନ୍ତ ଘୁଞ୍ଚିକରି ଛିଡ଼ାହେଲେ । ଯଦି ରମୁ ବିହ୍ୱଳ ହୋଇ ତାଙ୍କୁ ଧରି କିଛି ଅଘଟଣ ଘଟାଏ । ଛାତି ଭିତର କମ୍ପି ଉଠିଲା ।

 

‘‘ତୁମେ, ତୁମେ ସହିପାରିବ ତ ବାପା ?’’

 

କ୍ଷୀଣକଣ୍ଠରେ କ୍ରୋଧ ପ୍ରକାଶ କରି କହିଲେ ଶଶିକାନ୍ତ–

 

‘‘ଚୁପ୍ କର ! ଏହାଠାରୁ ବଳି ଦୁଃଖ ସହିଛି । କିନ୍ତୁ ଆଉ ନୁହେଁ...’’

 

‘‘କିନ୍ତୁ ବାପା...ଶୁଣ ବାପା ! ମାନେ... !’’

 

ଶଶିକାନ୍ତ ନିଜ ଶୋଇବା ଘର ଆଡ଼କୁ ଯାଉ ଯାଉ କହିଲେ–

 

‘‘ମୁଁ ପାରି ନଥିଲି ବୋଲି ତ ତୁ ପାରିବୁନି ଏମିତି କିଛି କଥା ତ ନାହିଁ । ଯାଆ, ଶୋଇପଡ଼ି ।’’

 

ଶଶିକାନ୍ତ ନିଜ ଶୋଇବା ଘରେ ପଶି କବାଟ ଦେଲେ । ମନେ ହେଲା, ଆଜିହିଁ ପ୍ରଥମ କରି ସବିତା ବଦଳରେ ଆରତି ଆସିଛି ଘରକୁ, ତାଙ୍କରି ଘରକୁ !

 

ଆଶ୍ଚର୍ଯ୍ୟ ! ହଠାତ୍ ଥିଲା କାହୁଁ ଗୋଟାଏ ଦୁର୍ଦ୍ଦାନ୍ତ କୋହ ଆସି ତାଙ୍କୁ କାବୁ କରିନେଲା-। ନିଦ୍ରିତ ସବିତାକୁ କୋଳେଇ ଧରି ଶଶିକାନ୍ତ ଛୋଟପିଲାଟିଏ ପରି କାନ୍ଦି ଉଠିଲେ କେବଳ-!!!

✽✽✽

 

ଜଉ

 

ଗାଲ ଉପରେ ଥଣ୍ଡା, ଥଣ୍ଡା କ’ଣ ପଡ଼ିବାରୁ ବାଧ୍ୟ ହୋଇ ଘୋର ଅନିଚ୍ଛାରେ ଆଖିଖୋଲି ଚାରିଆଡ଼କୁ ଚାହିଁଲା ସଂଯୁକ୍ତା । କିଛି ସ୍ପଷ୍ଟ ଦେଖାଯାଉନି । ଓଃ ! ମେଘ ଟୋପାଏ ଦି’ଟୋପା ଝରିପଡ଼ିଛି । ଆକାଶ ଅନ୍ଧାର ଦିଶୁଛି, ଜହ୍ନର ଛିଟିକାଏ ମାତ୍ର ଭଙ୍ଗା ଭଙ୍ଗା ବାଦଲ ଦେହରୁ ଉଜୁଡ଼ି ପଡ଼ୁଛି । ଡାହାଣ ହାତଟା ଉଠାଇବାକୁ ଚେଷ୍ଟା କରି ବ୍ୟର୍ଥ ହେଲା ସେ । ଭୀଷଣ ଦରଜ, ମହଣ ମହଣ ଭାରି ପଥର ଯେମିତି କିଏ ଲଦି ଦେଇଛି । ଗୋଡ଼ ତଳେ ଖରାପ କାତି, କୁଟା କାଠି ମରି କିଛି ଜିନିଷ ରହିଛି । କିଛି ନ ଦିଶିଲେବି ଚାରିପଟରେ ଝଙ୍କାଳିଆ ଗୁଡ଼ାଏ ବୁଦା ଯେ ଯେ ତାକୁ ଘେରିରହିଛି ଏକଥା ସଂଯୁକ୍ତା ଜାଣିପାରୁଥିଲା ।

 

ଖାଲି ପରିସ୍ଥିତିଟା ଜାଣି ପାରୁ ନଥିଲା, ଆମୂଳଚୂଳ, ଘଟଣାଟି ଏହିପରି ଦିନେ ନା ଦିନେ ତା’ର ଜ୍ଞାତସାରରେ ଅତି ସାଧାରଣ ଭାବରେ ଘଟିଯିବ, ଏ କଥାଟି ମଧ୍ୟ ସେ ବୁଝିପାରୁଥିଲା-। ତେବେ ? ତେବେ ଆଉ କ’ଣ ? ଏଠାରୁ ସିଧାସଳଖ ହୋଇ ଉଠିପଡ଼ିବାକୁ ହେବ... । କୋଉଠି ଗୋଟାଏ ପାଦଶବ୍ଦ ନିକଟରେ ଆସୁଛି ଯେମିତି ! ଚିତ୍କାର କରି ଲାଭ ନାହିଁ...ଚାରି ପାଞ୍ଚ କି ବେଶି ଲୋକ ତା’ ଚାରିପଟେ ଯେପରି ଛିଡ଼ା ହୋଇଗଲେଣି । ପୁଣି, ପୁଣି ସେହି ଭୟାନକ ମୁହୂର୍ତ୍ତ ଚତୁର୍ଦ୍ଦିଗରେ ଜିହ୍ୱାବିସ୍ତାର କରି ତାକୁ ଗ୍ରାସ କରିବାକୁ ଆସିଛି । ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ କି ଭୟାନକ ଅସ୍ଥିରତା ଘୋଟିଗଲା ନିମିଷକରେ । ଆଖିପତା ଛାଏଁ ଛାଏଁ ଡୁବିଗଲା ଅତଳ ଅନ୍ଧାର ମଧ୍ୟରେ । ତା’ର ଚତୁର୍ଦ୍ଦିଗରେ ବୀଭତ୍ସ ମାଂସଲୋଭୀ ପଶୁମାନେ ଉନ୍ମତ୍ତ କଳରୋଳରେ ଲିପ୍ତଥିବା ସମୟରେ ସେ ଏହାଠାରୁ ଅଧିକ କ’ଣ ଆଉ କରି ପାରିଥାନ୍ତା !

 

ସଂଯୁକ୍ତାର ସଂଜ୍ଞା ଯେତେବେଳେ ଫେରିଲା ସେତେବେଳେ ପ୍ରଭାତର ନରମ ସୂର୍ଯ୍ୟକିରଣ ତା’ର ଚତୁର୍ଦ୍ଦିଗର ଗଛଲତା ଉପରେ ବିଛାଡ଼ି ହୋଇପଡ଼ିଛି । ପ୍ରଥମରେ ବିଶ୍ୱାସ କରିବାକୁ ଇଚ୍ଛାହେଉନି ଯେ ସେ ସେଇଠାରେ ପଡ଼ିଛି କ୍ଷତବିକ୍ଷତ ହୋଇ ଉଲଗ୍ନ ଅବସ୍ଥାରେ । ମାତ୍ର ନିଜଠାରୁ ସତ୍ୟ ଯେ ଆହୁରି କଠୋର, ଆହୁରି ନିର୍ମମ ।

 

ଅବସନ୍ନ ଦେହକୁ କୌଣସିମତେ ଗୋଟେଇ ଧରି ଉଠି ବସିଲା ସଂଯୁକ୍ତା । ଛିଣ୍ଡା ଶାଢ଼ିଟା ଦେହରେ ଜଡ଼ାଇ ଧରି ସେ ଠିଆହେଲା । ସେ ବହୁ ପ୍ରତିଜ୍ଞା କରିଥିଲା, ସ୍ଥିର ବିଶ୍ୱାସ ରଖିଥିଲା ଯେ ସେ ଭାଙ୍ଗିପଡ଼ିବ ନାହିଁ, ପରିସ୍ଥିତିର ମୁକାବିଲା କରିବ । ବିନା ଅପରାଧରେ ଯଦି ସେ ଲାଞ୍ଛିତ ହୁଏ ତେବେ ମାନସିକ ଦୁଶ୍ଚିନ୍ତାର ଶିକାର ହେବ ନାହିଁ । ମାତ୍ର ତା’ର ଦେହ ? ପାଦେ ଚାଲିବାର ଶକ୍ତି ନାହିଁ । ଥରଥର କମ୍ପି ଉଠୁଛି ଚତୁର୍ଦ୍ଦିଗରେ ପୃଥିବୀ । ତଥାପି ତଥାପି ଉପାୟ ନାହିଁ, କି ଫେରି ନ ଯାଇ ରହିଯିବାର ସମୟ ମଧ୍ୟ ନାହିଁ ।

 

ସଂଯୁକ୍ତା ନିଜ ଘରର ବାରିପଟ ଦେଇ ପଶିଗଲା । ଭୋରରୁ ଠିକ୍ ଚାକରାଣୀ ବାସନ ମାଜିବାକୁ ଆସେ ବୋଲି ଦ୍ୱାର ଖୋଲି ଦିଅନ୍ତି ଶାଶୁ । ଭାଗ୍ୟକୁ ଚାକରାଣୀ ପଛ କରି ବାସନ ମାଜୁଛି । ସଂଯୁକ୍ତା ତରତର କରି ବାଥ୍‌ରୁମ୍ ଭିତରକୁ ପଶିଯାଇ କବାଟ ଦେଲା ଏବଂ ସାଓ୍ୱାରଟା ଜୋରରେ ଖୋଲିଦେଇ ଛିଡ଼ା ହୋଇଗଲା । ତଥାପି ମଧ୍ୟ ଟଳିଗଲା ପରି ତା’ର ଦେହ ହାତ ଓ ମନ ଥରଥର ହୋଇ କମ୍ପୁଥିଲେ । କୌଣସିମତେ ଗତ ସନ୍ଧ୍ୟାରୁ ଥୁଆ ହୋଇଥିବା ମଇଳା ଲୁଗାଟା ଦେହରେ ଜଡ଼ାଇ ଧରି ସେ ବାହାରି ଆସିଲା ପଦାକୁ ।

 

ସାମନାସାମନି ଭେଟ ହୋଇଗଲା ଶାଶୁଙ୍କ ସହିତ । ଦାନ୍ତକାଠିରେ ପାଉଁଶ ବୋଳୁ ବୋଳୁ ସେ ବିସ୍ମୟରେ ପଚାରିଲେ–

 

‘‘ତୁ କେତେବେଳେ ଆସିଲୁ ? ସାରା ରାତି କବାଟ ଖୋଲିବାକୁ ଚାହିଁ ବସିଛି ମୁଁ ।’’

 

‘‘ରହିଗଲି ! କାମଟିକେ ବେଶି ଥିଲା । ସବୁଦିନେ ସାରିବି ବୋଲି କୋଉଦିନ ସମୟ କରି ପାରି ନଥିଲି ।’’

 

ବିରକ୍ତିରେ ଫାଟିପଡ଼ି ଶାଶୁ କହିଲେ–‘‘ହେଲେ କହିକରି ତ ଯାଇଥାନ୍ତୁ । ଆଜିକାଲି ବେଳକାଳ ଯାହା ସେଥିରେ ଭଲା ମଣିଷକୁ ନିଦ ହେବ କେମିତି ?

 

ଦେବୁଟା ରାତିସାରା ଶୋଇନି !’’

 

ହସିଦେବ କି ସଂଯୁକ୍ତା । ନା କହିଦେବ କଥାଟା, ଘଟଣାଟା ପ୍ରାଞ୍ଜଳ କରି । କେଉଁଟାବି ସମ୍ଭବ ନୁହେଁ । ଫଁ କରି ଦୀର୍ଘଶ୍ୱାସ ଛାଡ଼ିବା ବ୍ୟତୀତ ଉପାୟ କିଛି ନାହିଁ । ଦେହମୁଣ୍ଡ ପୁଣି ସେଇ ଭୟାନକ ସ୍ମୃତିର ଯନ୍ତ୍ରଣାରେ ଥରି ଉଠୁଛି ।

 

ନୀରବରେ ନିଜ ଶୋଇଲାଘର ଦ୍ୱାରମୁହଁରେ ହାତ ନ ଦେଉଣୁ କବାଟ ଖୋଲିଗଲା ଦୁଇଟିଯାକ । ବୋଧହୁଏ ରାତିରେ ଦରଜା ବନ୍ଦ ନଥିଲା ।

 

ନିଷ୍ପ୍ରଭ ଆଲୋକରେ ସଂଯୁକ୍ତା ଦେଖିଲା ତା’ର ତିନୋଟି ନିଷ୍ପାପ ଶିଶୁ ନିଦ୍ରାଗତ । ପାଖ ଖଟରେ ଦେବେନ୍ଦ୍ର ମଧ୍ୟ ଶୋଇପଡ଼ିଛନ୍ତି ଗଭୀର ନିଦ୍ରାରେ । ହୁଏତ ରାତିରେ ଡିଷ୍ଟର୍ବଡ୍ ହେବା ଯୋଗୁଁ ଗାଢ଼ନିଦ୍ରା ଘୋଟିଯାଇଛି ସମସ୍ତିଙ୍କୁ । ସେଇ ଭଲ, କେହି ତା’ର ଧ୍ୱଂସପ୍ରାପ୍ତ ଚେହେରାକୁ ସକାଳୁ ଦେଖି ନାହାନ୍ତି । ତାହାହିଁ ତ ତା’ର ପରମ ସୌଭାଗ୍ୟ । କିନ୍ତୁ...କିନ୍ତୁ ଏ କ’ଣ ? ଏମାନଙ୍କୁ ଦେଖିଲାମାତ୍ରେହିଁ ସେ କମ୍ପିଉଠୁଛି କାହିଁକି ଭୟରେ ? ସେ ତଳେ ପଡ଼ିଯିବ କି ? ନାହିଁ, ନାହିଁ...ଏମିତି ହେଲେ ତ ସେ ତିଷ୍ଠି ରହିପାରିବନି । ତାକୁ ଶକ୍ତ ହେବାକୁ ହେବ...ସେ ଯେ ମାଆ, ସେ ଯେ ସ୍ତ୍ରୀ, ସେ ଯେ ଘରର କୁଳବଧୂ...ନାହିଁ, ନାହିଁ ସେ ହାରିଯିବନି । ସେ କାହାକୁ କିଛିହିଁ କହିବନି...ସେ ନିଜେହିଁ ପରିସ୍ଥିତିର ମୁକାବିଲା କରିବ । ମାତ୍ର...ମାତ୍ର...ପଡ଼ି ଯାଉ ଯାଉ ଖଟବାଡ଼ଟା ଧରି କୌଣସିମତେ ଅଟକିଗଲା ଅର୍ଦ୍ଧଚେତନ ଅବସ୍ଥାରେ ସଂଯୁକ୍ତା ।

 

ଖଟଟା ଦୋହଲି ଯିବାରୁ କି କ’ଣ ଦେବେନ୍ଦ୍ର ଉଠିପଡ଼ି ଚମକିଲା କଣ୍ଠରେ ପ୍ରଶ୍ନକଲେ–

 

‘‘ଆରେ, ଆରେ ପଡ଼ିଯାଉଛ ଯେ ! କେତେବେଳେ ଫେରିଲ ତମେ ?’’

 

ଦେବେନ୍ଦ୍ରଙ୍କର ଡାହାଣ ହାତ ସଂଯୁକ୍ତାର ହାତକୁ ଧରି ପକାଇଲା ଆକସ୍ମିକ ଭାବରେ । ସଂଯୁକ୍ତା କିଛି ନ କହୁଣୁ ଦେବେନ୍ଦ୍ର ବିସ୍ମୟରେ କହିଲେ–

 

‘‘ତୁମକୁ ତ ଭାରି ଜ୍ୱର : ତୁମେ ଘରକୁ ଖବର ଦେଲନି, ଅନ୍ତତଃ କାରଖାନାରୁ କେହି ଜଣେ ଆସି ଖବର ଦେଇଥିଲେ ମୁଁ ଚାଲି ଯାଇଥାନ୍ତି । ଏତେ ଦେହଖରାପରେ ରାତିରେ ରହିଗଲ ବୋଧେ । ଚାଲ...ଟିକେ ଶୋଇପଡ଼ । ଉଠିଲ, ଖଟ ଉପରକୁ ଆସ ।’’

 

ସଂଯୁକ୍ତା ଆଖି ନ ମେଲାଇ ଚିତ୍‌ହୋଇ ଶୋଇପଡ଼ିଲା । ଏବେ ହଠାତ୍ ଭୟ ତାକୁ କାହିଁକି ଲାଗୁଛି ? ଭୟର ତ କିଛି କାରଣ ନାହିଁ; ବରଂ ସେ ସୁରକ୍ଷିତ ଓ ନିରାପଦ । ମାତ୍ର ଅହେତୁକ ଭୟ, ଲଜ୍ଜା ସଙ୍କୋଚରେ ତା’ର ଦେହ ଅବସନ୍ନ ହୋଇ ଉଠୁଛି... ।

 

ତା’ ଉପରେ ପତଳା ଚାଦରଟିଏ ଢାଙ୍କିଦେଇ ଏବଂ ଫ୍ୟାନ୍‌ର ସ୍ପିଡ଼୍ କମାଇ ଦେଇ ଦେବେନ୍ଦ୍ର ଚାଲିଗଲେ ବାହାରକୁ । ଆଉ ଟିକକ ପରେ ଡାକ୍ତର ଡକାହୋଇ ଆସିବେ...ସଂଯୁକ୍ତା ଆଉ ଭାବିପାରିଲାନି ! ଗଭୀର କ୍ଳାନ୍ତିରେ, ଅହେତୁକ ଭୟରେ ତା’ର ପୁଣି ଥରେ ଚେତନା ନିଷ୍କ୍ରିୟହୋଇ ଉଠିଲା । ସେ ଭାବୁଥିଲା, ଯଦି ଚେତନାଟି ତା’ର ସବୁଦିନ ପାଇଁ ଲୋପ ଯାଇଥାନ୍ତା, ହୁଏତ ସେ ଏଇ ଅବାଞ୍ଛିତ ଯନ୍ତ୍ରଣାରୁ ମୁକ୍ତି ଲାଭ କରନ୍ତା ।

 

କିନ୍ତୁ ତା’ ହେବ ନାହିଁ, ଏକଥାବି ସଂଯୁକ୍ତା ଜାଣିଛି । ସନ୍ଦେହ ଆଉ ପ୍ରଶ୍ନବାଚୀରେ ସେ ଅତିଷ୍ଠ ହୋଇପଡ଼ିବ । ହୁଏତ ତା’ର ଜବାବ୍‌ କିଛି ଅଛି, ମାତ୍ର ସେ ଜବାବ୍‌ ଯେ କାହାକୁ ସନ୍ତୁଷ୍ଟ କରିପାରିବନି ଏକଥା ମଧ୍ୟ ସେ ଜାଣିଛି । ତା’ର ସଂସାର ସନ୍ତାନ, ସ୍ୱାମୀ ଓ ବନ୍ଧୁ-ବାନ୍ଧବ ମୁହଁରେ ଫୁଟିଉଠିବ ସେଇ ଯୁଗ-ଯୁଗର ପ୍ରଶ୍ନ, ସମାଜରେ ଗୁଜବ ଉଠିବ ତାକୁହିଁ ନେଇ । କ’ଣ କୈଫିୟତ ଦେବ ସଂଯୁକ୍ତା ।

 

ଚାରୋଟି ବଳିଷ୍ଠ ପଶୁ ଯେତେବେଳେ ତା’ର ଶାରୀରିକ ଦୁର୍ବଳତାର ସୁଯୋଗ ନେଇ ତାକୁ କ୍ଷତ-ବିକ୍ଷତ କରି ପକାଇଲେ, ସେତେବେଳେ ସେ ଯନ୍ତ୍ରଣାରେ ଚିତ୍କାର କରି ଉଠିଥିଲେବି ଭୟରେ ବିଚଳିତ ବା ସଂଜ୍ଞାଶୂନ୍ୟ ହୋଇ ନଥିଲା । ମାତ୍ର ବର୍ତ୍ତମାନ ? ଏ କ’ଣ ତା’ର ସଂସ୍କାର-ବୋଧ ନା ଅହେତୁକ ଉଦ୍ଭଟ ଚିନ୍ତା ? ଏହାକୁ ସେ ଅତିକ୍ରମ କରି ଯାଇପାରୁ ନାହିଁ କାହିଁକି ?

 

କିନ୍ତୁ କାହିଁକି ? କାହିଁକି ଏପରି ଗୋଟିଏ ଅବସ୍ଥାର ଶିକାର ହେଲା ସେ ? ଏଇ ବୟସରେ ଯେତେବେଳେ ଶରୀରରେ ଯୌବନ ନାହିଁ କି ଲାବଣ୍ୟ ନାହିଁ, ମନର ତାରୁଣ୍ୟ ମରି ଆସୁଛି ସାଂସାରିକ ଜଞ୍ଜାଳରେ–ସେତେବେଳେ ତିନୋଟି ସନ୍ତାନର ଜନନୀ, ମଧ୍ୟବିତ୍ତ ପରିବାରର ତେଲଲୁଣ ସଂସାରରେ ଅଯତ୍ନ ପାଳିତ ଦେହ ଉପରେ ଯେ ଲୋଲୁପଦୃଷ୍ଟି ନିହିତ ରହିବ, ଏକଥା ସେ କେମିତି କଳ୍ପନା କରିଥାନ୍ତା ? ତା’ କରିପାରିଥିଲେ ତ କିଛିଟା ସତର୍କ ରହିଥାନ୍ତା; ଅଥଚ ତା’ର ଭୁଲ୍‍ଟା କେଉଁଠି ? କ’ଣ ପାଇଁ ସେ ଏମିତି ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହେଲା । ନିଜକୁ ନିଜେ ଯେବେ ବୁଝେଇ ପାରୁନି, କାହାକୁ ଭଲା ସେ କ’ଣ ଉତ୍ତର ଦେବ ?

 

ପରଦା ଆଡ଼େଇ ରୁମ୍‌ ଭିତରକୁ ପଶି ଆସିଲେ ଦେବେନ୍ଦ୍ର ଆଉ ଚେୟାରଟା ଟାଣିନେଇ ଗୁମ୍ ହୋଇ ବସିଗଲେ ଟିକିଏ । ସାହସ ପାଉନି ସଂଯୁକ୍ତାର ପଚାରି ଦେବାକୁ କିଛି, ଯଦିଓ ସବୁ କଥା ସ୍ପଷ୍ଟ କହିଦେବ ବୋଲି ସେ ଆଗରୁ ସ୍ଥିର କରିଥିଲା । ଏଇ ଟିକକ ପୂର୍ବରୁ ବେଶ୍ ପ୍ରଫୁଲ୍ଲ ଶାନ୍ତ ଥିଲେ ଦେବେନ୍ଦ୍ର, କିନ୍ତୁ ଏବେ ଏତେ ଗମ୍ଭୀର ହୋଇଗଲେ କାହିଁକି ? ପିଲାଗୁଡ଼ାକବି ଚୁପ୍‌ଚାପ୍‌ ଶୋଇଛନ୍ତି । ଘରେ କେଉଁଠି ହେଲେ ଟିକିଏ ଶବ୍ଦ ନାହିଁ । ନୀରବ ପ୍ରଶ୍ନବାଚୀ ସମସ୍ତଙ୍କୁ ବିଦ୍ଧ କରୁଛି କେବଳ । ସଂଯୁକ୍ତା ନୀରବତା ଭାଙ୍ଗି ଦେବାପାଇଁ କଥାଟିଏ ମନ ଭିତରେ ଯେତେ ଖୋଜି ହେଲା ସେତେ ବେଶି ଭୟ ଛଡ଼ା ଅନ୍ୟ କିଛି ତା’ର ହୃଦ୍‍ବୋଧ ହେଲା ନାହିଁ । ରାତିସାରାର ଅପରିସୀମ କ୍ଳାନ୍ତି ମଧ୍ୟ ତାକୁ ସହାୟ ହେବାକୁ ନାରାଜ ।

 

କିନ୍ତୁ ଏହିପରି ସମୟରେ ଘଟଣାଟି ଘଟିବାକୁ ଆରମ୍ଭ କଲା । ସାମାନ୍ୟ ଗମ୍ଭୀର ହୋଇ ଗଳାଖଙ୍କାରି ଦେବେନ୍ଦ୍ର ପଚାରିଲେ–

 

‘‘ତୁମର ମନିବ୍ୟାଗ୍ ଆଉ ହାତର ପଟେ ରୁଲି କିଏ ଜଣେ ଆସି ଦେଇଗଲା ମତେ । ମୁଁ ଭୁଲିଗଲି ତା’ ନାଁଟା ପଚାରିବାକୁ ।’’

 

କେଉଁଠି ଗୋଟାଏ ବଜ୍ର ପଡ଼ିଲା କି ଆଉ ? ସଂଯୁକ୍ତାର ଅଜାଣତରେ ଦୁଇ ଆଖି ଦେଇ ପ୍ରଥମ କରି ଅଶ୍ରୁ ବହିଗଲା ।

 

ଶିକାରୀ ତା’ର ବିଜ୍ଞାପନଟି ଦେବାକୁ ଭୁଲି ଯାଇନାହିଁ । ନଚେତ୍‌ ସଂଯୁକ୍ତା ହାରିଯାଇଛି ବୋଲି ଜାଣିବେ କେମିତି କିଏ ? ପ୍ରମାଣ କ’ଣ ? ନିର୍ବିଘ୍ନରେ ପ୍ରମାଣ ଛାଡ଼ିଦେଇ ଚାଲିଆସିଛି ଯେ ସଂଯୁକ୍ତା ।

 

ସେଇ ଅବସ୍ଥାରେ କେମିତି ବା ସେ ମନେପକାଇ ପାରିଥାନ୍ତା ତା’ର ମନିପର୍ସ୍ ଆଉ ଗହଣା କଥା । ନିଜର ସ୍ଥିତି ରଖିବା ଯାହା ପକ୍ଷରେ ସମ୍ଭବପର ନଥିଲା...

 

‘‘ଏବେ ତ ମୁଁ ଡାକ୍ତର ଡାକିପାରୁନି । କଥାଟା ଚାରିଆଡ଼େ ପ୍ରଘଟ ହୋଇଗଲେ–ତେଣିକି ଯାହା ଭାଗ୍ୟରେ ଥିବ ।’’

 

ସଂଯୁକ୍ତା ଜାଣିଥିଲା କହିଦେବାଟା ଯେତେ ସହଜ, କାମରେ କରିବାଟା ସେତିକି କଷ୍ଟ । ସେ ତ କେବେ ଆଶା କରି ନଥିଲା ଦେବେନ୍ଦ୍ର ଅତିମାନବ ହେଉ କିମ୍ବା ଦେବତ୍ୱ ପ୍ରାପ୍ତିହେଉ । ତେଣୁ ଏଥିରେ ସେ ଦୁଃଖ କରିବ କାହିଁକି ? ଆଉ ଉତ୍ତର ବା ଦେବ କ’ଣ ? ସାମାନ୍ୟ ଗୋଟିଏ ଘଟଣାରୁ ଯଦି ଉତ୍ତ୍ୟକ୍ତ ହୋଇ ଦଳେ ମାଂସଲୋଭୀ ଶୃଗାଳ ମା’ ଭଉଣୀର ବିଚାର ନ ରଖି, ତା’ର ପଳିତ ଦୁର୍ବଳ ଚର୍ମ ଉପରେ ନିଜ ଅବିଚାରରେ ଜୟଟିକା ରଖିଯାନ୍ତି; ତେବେ ସେ କ’ଣ କରି ପାରିବ ? ଏତିକି କଥା ବୁଝିପାରୁ ନାହାଁନ୍ତି କାହିଁକି ଦେବେନ୍ଦ୍ର ? ବୋଧଶକ୍ତି ତ ତାଙ୍କର କିଛି କମ୍ ନୁହେଁ ।

 

‘‘ତମେ ଏମିତି ସମସ୍ତିଙ୍କ ସଙ୍ଗରେ ଯୁକ୍ତି କରିବା, ଅଭଦ୍ର ଭାଷା ପ୍ରୟୋଗ କରିବା ଠିକ୍‌ ହୋଇନି ମଞ୍ଜୁ । ଅନ୍ତତଃ ଯୁଗ ଆଜିକାଲି ଯାହା ହେଲାଣି, ସେଥିରେ... ।’’

 

ଶୁଣିଲା ନାହିଁ ସଂଯୁକ୍ତା । ଏମିତି କଥା ତ ଅନେକ ଶୁଣିଛି । ନିଜର ସ୍ୱାର୍ଥବିରୋଧ ହେଲେ ମଣିଷ କେତେ ହିଂସ୍ର କେତେ ପଶୁ ହୋଇପାରେ ତା’ର ପ୍ରମାଣ ସେ ପାଇ ସାରିଛି । ଆଉ ସେ ବିଷୟରେ ପ୍ରଶ୍ନ ବା କରିବ କାହିଁକି ? କାହାଠାରୁ ତ ସେ ଆଜି ସହାନୁଭୂତି ଲୋଡ଼ୁନି । ଏମିତିକି ନିଜ ମଣିଷ ଯେ ଦୂରେଇ ଯିବେ ଏକଥା କ’ଣ ସେ ନୂଆ ଜାଣୁଛି । କେବଳ ଅହେତୁକ ଏକ ଯନ୍ତ୍ରଣା ଓ ଭୟର ସେ ଶିକାର ହୋଇଯାଇଛି... ।

 

‘‘ତୁମେ ସେସବୁ କଥା ଭୁଲିଯାଇ ଟିକେ ଶୋଇପଡ଼ିବାକୁ ଚେଷ୍ଟାକର ସଞ୍ଜୁ । ତା’ ଛଡ଼ା କିଛି ଉପାୟ ଦେଖି ପାରୁନି ମୁଁ ।’’

 

ଆଃ ! ଶୋଇପଡ଼ିବାଟା ଯଦି ଏତେ ସହଜ, ସରଳ କାମ ହୋଇଥାନ୍ତା, ସେ ତ ସେଇ ଝଙ୍କାଳିଆ ବୁଦା ଭିତରେ ଶୋଇଯାଇଥାନ୍ତା, କାହିଁକି ଧାଇଁ ଆସିଥାନ୍ତା ବିକଳ ହୋଇ ନିଜ ଘରକୁ । ସଂଯୁକ୍ତାର ଓଠରେ ଫୁଟିଲା ଚେନାଏ ହସ ଇଚ୍ଛାକୃତ ଓ ଅଦରକାରୀ । ଜାଣି ଜାଣି ସେ ଆଖି ବୁଜିଦେଲା ଶୋଇବାର ଛଳନା କରି ।

 

ଶେଯ ଉପରେ ନିଦରୁ ଉଠିପଡ଼ି ଦଶବର୍ଷର ବଡ଼ପୁଅ ପଚାରିଦେଲା–

 

‘‘ବାପା ! ମା’ କାନ୍ଦୁଛି କାହିଁକି ? କ’ଣ ହେଲା ମା’ର ? କେତେବେଳେ ଫେରିଲା ରାତିରେ ?’’

 

ଉତ୍ତରକୁ ଅପେକ୍ଷା ନ ରଖି ଆଠବର୍ଷର ଝିଅ ପଚାରିଲା–

 

‘‘ମା’ କୋଉଠି ଥିଲା ରାତିରେ ବାପା ? ତମେ କହୁଥିଲ ପରା... ।’’

 

ଝିଅର କଣ୍ଠକୁ ଜବାବ ଦେଇ ସବା ସାନ ପୁଅ ଚାରିବର୍ଷର ଟୁକୁ ପାଟିକରି କାନ୍ଦି ଉଠିଲା–

 

‘‘ମୁଁ ମା’ ପାଖରେ ଶୋଇବି ବାପା । ତମେ କହିଥିଲ ନା ମା’ ଆସିଲେ ମୁଁ ଶୋଇବି ବୋଲି... ।’’

 

ସଂଯୁକ୍ତାର ଇଚ୍ଛା ହେଉଥିଲା ସାନପୁଅକୁ ଉଠେଇଆଣି କୋଳରେ ଧରିବାକୁ । ମା’ ନ ରହିଲେ ପାଖରେ ଶୋଇପାରେନା ସିଏ । ସବୁ ଜାଣି ମଧ୍ୟ ପିଲାମାନଙ୍କୁ କିଛି ଉତ୍ତର ଦେଉ ନାହାନ୍ତି ଦେବେନ୍ଦ୍ର କାହିଁକି ? କ’ଣ ତା’ର ଅପରାଧ ! ହଠାତ୍‌ ଗୋଟିଏ ଉବ୍‌କା କୋହ ଆସି ରୁଦ୍ଧ କରିଦେଲା ସଂଯୁକ୍ତାର ସମସ୍ତ ଚେତନାକୁ । ମୁହଁ ଉପରକୁ ଚଦରଟା ଢାଙ୍କି ନେଇ କୋହରେ ଭାଙ୍ଗିପଡ଼ିଲା ସେ ।

 

ବିରକ୍ତ ହେଲା ଭଳି ସ୍ୱରରେ ଦେବେନ୍ଦ୍ର ପିଲାମାନଙ୍କ ଉଦ୍ଦେଶ୍ୟରେ କହିଲେ–

 

‘‘ଯାଅ, ଦାନ୍ତଘଷି ଜଳଖିଆ ଖାଇ ସ୍କୁଲ୍‍କୁ ଚାଲିଯାଅ, ଟାଇମ୍ ହୋଇଗଲାଣି ।’’

 

ତା’ପରେ କିଛି ସମୟ...ଖସ୍‌ଖାସ୍‌ ଶବ୍ଦ, କୋହ ଚାପି ଫୁସ୍‍ଫାସ୍ କଥା । ଆସ୍ତେ ଆସ୍ତେ ସବୁ ନୀରବ । କର ଲେଉଟାଇ ଶୋଇବ କି ସଂଯୁକ୍ତା, ନା ଚଦରଟା ମୁହଁରୁ କାଢ଼ିଦେବ, ଅଣନିଃଶ୍ୱାସୀ, ରୁଦ୍ଧ ହେଲାପରି ଲାଗୁଛି । ଅଥଚ ମୁହଁରୁ ଚଦର କାଢ଼ି କାହା ସହିତ ମୁହାଁମୁହିଁ ହେବାକୁ ତାକୁ ଡର ଲାଗୁଛି । ଏଇ ଅଳ୍ପ କେତୋଟି ମୁହୂର୍ତ୍ତ ଭିତରେ ତା’ର ଅତି ଆପଣାର ମଣିଷଗୁଡ଼ାକ ଅଚିହ୍ନା ଆଉ ଅତି ପର ହୋଇଯାଇଛନ୍ତି ଯେମିତି ! ଏମାନଙ୍କ ଭିତରୁ ସେ କାହାକୁ ଚିହ୍ନିପାରୁନି, ଜାଣିପାରୁନି । ଏମିତିକି ନିଜର ଜନ୍ମକଲା ପିଲାଙ୍କୁ କୋଳକୁ ଟାଣିଆଣିବାକୁ ତାକୁ ଭୟ ଲାଗୁଛି । ଭୟ ଲାଗୁଚି ଆଖିଖୋଲି ମୁକ୍ତ ସୂର୍ଯ୍ୟର ଆଲୋକିତ ପୃଥିବୀକୁ ଦେଖିବାକୁ ।

 

‘‘ଦେବୁ ! କ’ଣ ବୋହୂ ଶୋଇପଡ଼ିଛି ? ପଚାରିଲୁ ତାକୁ, ବ୍ୟାଗ୍ ଆଉ ଚୁଡ଼ି କୋଉଠି ପକେଇ ଆସିଥିଲା ? ଚାରିଆଡ଼େ କଥାଟା ରାଷ୍ଟ୍ର ହୋଇଗଲେ ମୁହଁ ଦେଖେଇ ଚାଲି ହବନି ବାଟରେ । କିଛି ତ ଗୋଟେ ବନ୍ଦୋବସ୍ତ କରିବାକୁ ହେବ ।’’

 

ସଂଯୁକ୍ତାର ଶାଶୁ ବିରକ୍ତି ଆଉ ବ୍ୟସ୍ତତା ଭିତରେ ଏ ପ୍ରଶ୍ନ ବୋଧହୁଏ ଶୁଣେଇ ଶୁଣେଇ କହିଛନ୍ତି–

 

‘‘ମୁଁ କ’ଣ କରିବି ତୁ କହ ବୋଉ । ଡାକ୍ତର ଡାକିବା ବର୍ତ୍ତମାନ ନିରାପଦ ନୁହେଁ । ବିଭିନ୍ନ ସମସ୍ୟା ଆସି ପହଞ୍ଚିବ । ଘରର ମର୍ଯ୍ୟାଦା, ପିଲାଙ୍କର ଭବିଷ୍ୟତ ପୁଣି ଦେଖିବାକୁ ହେବ ।’’

 

ଶାଶୁ ଉଦାସ ସ୍ୱରରେ କହିଲେ–

 

‘‘ଯାହା ଗଲାଣି, ତାହା ତ ଆଉ ଫେରିବନି, ଜୀବ ଥିଲାଯାଏଁ–ସହିବାକୁ ହେବ–ମୋ ଭାଗ୍ୟ ।’’

 

‘‘ତୁ ଯାଆ ବୋଉ, ପିଲାମାନେ ଯେମିତି କିଛି ମନରେ ନ ଭାବନ୍ତି । ମୁଁ ଭାବି ଦେଖେ କ’ଣ କରାଯାଇପାରିବ । ସଂଯୁକ୍ତାକୁ ଜ୍ୱର ଆସିଯାଇଛି ବୋଧେ !’’

 

‘‘ଆସିବନି ! କୋଉକାଳୁ ମୁଁ କହୁଛି...ରାତିରେ ସେମିତି ଏକଲା ଯିବା ଆସିବା କରନା, ମୁହଁ ଟିକେ ସମ୍ଭାଳି କଥା କହ । ମାନ ସଣ୍ଠଣାରେ ରହିଲେ କିଏ କାହିଁକି ପଦେ କଥା କହିବ ? ମାଇକିନିଆ ଝିଅ, ବୁଢ଼ୀ ହେଉ କି ଟୋକୀ ହେଉ, ଏବକାଳ ଯୁଗରେ କିଏ ଦେଖୁଛି ସେ କଥା ! ନାହିଁ, ଆପଣା ଗୁଣରୁ ଏକଥା ଫଳିଲା । ତୁ ବି ତାକୁ ମୁଣ୍ଡରେ ବସେଇ ବୁଲିଲୁ । ଏବେ ଭାବିଲେ କ’ଣ ହେବ ?’’

 

ଶାଶୁ ଦୁମ୍‌ଦୁମ୍‌ କରି ଚାଲିଗଲେ । ଦେବେନ୍ଦ୍ର ଯୋଉ ସ୍ଥାନରେ ଠିଆ ହୋଇଛନ୍ତି କିଛିଟା ଜାଣିବା ମୁସ୍କିଲ୍ ଚଦର ଦେହରୁ । ସେ କ’ଣ ଭାବୁଛନ୍ତି କେଜାଣି ? ଦେବେନ୍ଦ୍ର ଗମ୍ଭୀର କଣ୍ଠରେ ପଚାରିଲେ–

 

‘‘ତୁମେ ବୋଧେ ଶୋଇନ ସଂଯୁକ୍ତା ।’’ ନିମିଷକରେ ମୁହଁ ଉପରୁ ଚଦର ଖୋଲିଦେଇ ସଂଯୁକ୍ତା କହିଲା–’’

 

‘‘ନା, ଶୋଇନି ! ଏମିତି ଅବସ୍ଥାରେ କାହାକୁ ନିଦ ହୋଇପାରେ ?’’

‘‘ତୁମେ କିନ୍ତୁ ଭାରି ଭୁଲ୍ କାମ କଲ ? କାହାକୁ କ’ଣ କୈଫିୟତ ଦେବି ମୁଁ ବୁଝିପାରୁନି-। ପୋଲିସକୁ ଖବର ଦେଇ ହଉଛି ନା ଡାକ୍ତର ଡାକି ହେଉଛି । ଯଦି ବ୍ୟାଗ୍‌ଟା ବୁଦ୍ଧି କରି ନେଇ ଆସି ପାରିଥାନ୍ତ... ।’’

ସଂଯୁକ୍ତା ଦେବେନ୍ଦ୍ରକୁ କି ଉତ୍ତର ଦେବ ବୁଝିପାରିଲା ନାହିଁ । କେମିତି କରି ବୁଝେଇବ ଯେ କୌଣସିବି କାର୍ଯ୍ୟ ତା’ର ଇଚ୍ଛାକୃତ ବା ଜ୍ଞାତସାରରେ ହୋଇ ନାହିଁ । ସବୁଠୁ ଦୁର୍ବଳ ତା’ର ମଲା କଙ୍କଡ଼ାର ଦେହ ଯଦି ଅନ୍ୟର ଶ୍ରେଷ୍ଠତା, ଗୁରୁତ୍ୱ ପ୍ରତିପାଦନ କରିବାର ମାଧ୍ୟମ ହୁଏ ତେବେ ତା’ର ଶରୀରର ସୃଷ୍ଟିକର୍ତ୍ତା ଏଥିପାଇଁ ଦାୟୀ । ଯନ୍ତ୍ରଣା ଏବଂ ଅପମାନରେ ଜଳି ଉଠିଲା ସଂଯୁକ୍ତା । ଏ ସଂସାରଟା ତାହାହେଲେ ସ୍ୱାର୍ଥପର । କୋହଭରା କଣ୍ଠରେ ସେ କହିଲା–

‘‘ସେଠୁ ଜୀବନ ନେଇ ମୁଁ ଚାଲି ଆସି ପାରିବି, ଏକଥା ଆଶାତୀତ ଥିଲା, ଅନ୍ତତଃ... ।’’

‘‘ବାଜେ କଥା ଶୁଣିବାକୁ ମୋର ବେଳ ନାହିଁ । ଯେଉଁଠି ଲୋକଙ୍କର ସ୍ୱାର୍ଥରେ ବାଧାପଡ଼େ ତୁମେ ସେପରି କାମ କର କାହିଁକି ? କର ଯଦି ତାକୁ ତୁଲେଇ ପାରନା କାହିଁକି ?’’

ସଂଯୁକ୍ତା ଉତ୍ତର ଦେଲାନି । ଭୀଷଣ କଷ୍ଟ ହେଉଛି ତାକୁ–ଦେହର କଷ୍ଟ ସେ କୌଣସିମତେ ସହ୍ୟ କରି ନେଇଥିଲା । କିନ୍ତୁ ବାକ୍ୟର ଯନ୍ତ୍ରଣା, ବୃଥା ଆକ୍ଷେପ ତାକୁ ଅଣନିଃଶ୍ୱାସୀ କରିଦେଉଛି ଯେ ! ଏତେଗୁଡ଼ାଏ ‘କାହିଁକି’ର ଉତ୍ତର ସେ ତ ଦେଇପାରିବନି ଆଦୌ । ପୃଥିବୀରେ କିଏ ତା’ର ଆପଣାର ଅଛି ଯେ ତାକୁ ଆଦର କରି କୋଳେଇ ନେଇ ଲୁହ ପୋଛିଦେବ କିମ୍ବା ତା’ ସାଙ୍ଗରେ ତାଳ ଦେଇ ଦୁଃଖଯନ୍ତ୍ରଣାରେ ଭାଗୀ ହେବ । କେହି ନାହିଁ... ।

ଡ୍ରଇଂରୁମ୍‍ରେ ଫୋନ୍‌ଟା କ୍ରିଂ, କ୍ରିଂ କରି ବାଜି ଉଠିଲା । ବ୍ୟସ୍ତ ହୋଇ ଚମକିପଡ଼ି ଦେବେନ୍ଦ୍ର କହିଲେ–

‘‘ହେଇ, ଏତେ ସକାଳୁ ଗୋଟାଏ କିଏ ଫୋନ୍‌ କଲାଣି । ସମସ୍ତେ ପଚାରିବେ, ମଣିଷ ମଲା ଏଥର । କାହାକୁ କ’ଣ କହିବି ଯେ ? ଏହାଠାରୁ ବରଂ...ବରଂ... ।

‘‘ରହିଲ କାହିଁକି କହୁନ ।’’ ସଂଯୁକ୍ତା ମଳିନ ହସି ପଚାରିଲା । ରୁକ୍ଷ ଚାହାଣିଟିଏ ଫୋପାଡ଼ି ଦେଇ ଦେବେନ୍ଦ୍ର ରୁମ୍‌ ଛାଡ଼ି ଚାଲିଗଲେ ବୋଧେ ଡ୍ରଇଂରୁମ୍‍କୁ । ସବୁଆଡ଼େ ଶୂନଶାନ୍‌ । ସକାଳୁଆ ସ୍କୁଲ୍ ବୋଲି ପିଲାଗୁଡ଼ାକ ମା’ ପାଖକୁ ନ ଆସି ବାପାକୁ ଡରି ଚାଲିଗଲେଣି । ଏତେ ଶୂନଶାନ୍ ଲାଗୁଛି ଯେ ଛାତି ବିଦାରି ହେଲା ପରି ମନେହେଉଛି । ନା, ନା ଏ ନୀରବତା, ଏ ଶୂନ୍ୟତା ସେ ସହ୍ୟ କରି ପାରିବନି । କିଛି ଗୋଟାଏ ଉପାୟ କରିବାକୁ ହେବ ସମୟ ଥାଉଁଥାଉଁ... । ଏ ଅବସ୍ଥାକୁ ଅତିକ୍ରମ କରିଯିବାକୁ ଯେଉଁମାନଙ୍କ ପାଇଁ ସେ ଚାହିଁଥିଲା, ଯେଉଁମାନଙ୍କର ସ୍ୱାର୍ଥ, ସମ୍ମାନ ରକ୍ଷାକରିବା ପାଇଁ ସେ ନିଜର ସୁଖ, ଇଚ୍ଛା, ଅନିଚ୍ଛାକୁ ଜୀବନରେ ଥରୁଟିଏ ପାଇଁକି ମୂଲ୍ୟ ଦେଲାନାହିଁ, ସେମାନେ ଯଦି ଆଜି ତା’ର ଉପସ୍ଥିତି ନେଇ ଅତିଷ୍ଠ ହୋଇପଡ଼ନ୍ତି !

ଏ ପରିସ୍ଥିତି ଓ ଅନୁଭୂତି ସଂଯୁକ୍ତାର କଳ୍ପନାତୀତ ଥିଲା । ଯୁଗଯୁଗର ସ୍ତୂପୀକୃତ ବିଶ୍ୱାସ, ସ୍ନେହ-ମମତାର ସୌଧ ସାମାନ୍ୟ ଏକ ବାଲିଝଡ଼ରେ ଧୂଳିସାତ୍‌ ହୋଇଗଲା । ତା’ର ସ୍ୱୀକୃତି, ମୂଲ୍ୟବୋଧ ସତରେ ଗୋଟିଏ ରବର ବେଲୁନ । କିନ୍ତୁ ସେ ବେଲୁନ ସେ ତ ଉଡ଼େଇ ନଥିଲା, ଯୁଗଯୁଗ ଧରି ନିଜ ଦୁର୍ବଳତାର ଜାଲ ଦେହରେ ନିଜେ ଛନ୍ଦି ହୋଇ ଅଣନିଃଶ୍ୱାସୀ ହେଉଥିବା ପକ୍ଷୀଟିର ବା ଉଡ଼ିଯିବାକୁ ତାକତ କୋଉଠି ଥାଏ ?

 

ସଂଯୁକ୍ତାର ଆଖିରୁ ଆଉ ଲୁହ ଝରିଲା ନାହିଁ । ଛାତି ଭିତରର ସମସ୍ତ ଯନ୍ତ୍ରଣା କେବଳ ତାକୁ ନିଆଁରେ ଆଉଟି ଚାଲିଥିଲା ନିର୍ବିକାରରେ । ଅନ୍ଧକାର ରାତ୍ରିରେ କେତୋଟି ବୁଭୁକ୍ଷୁ ପିଶାଚଙ୍କର ଶିକାର ହୋଇ ଯେଉଁ ଯନ୍ତ୍ରଣା-ଜ୍ୱାଳା ସେ ଅନୁଭବ କରି ସଂଜ୍ଞା ହରାଇଥିଲା, ତାହା କେତୋଟି ମୁହୂର୍ତ୍ତପାଇଁ ନିର୍ବାପିତ ହୋଇ ଏବେ ସହସ୍ର ଗୁଣରେ ପ୍ରଜ୍ଜ୍ୱଳିତ ହୋଇ ଉଠୁଛି । ନା, ସେ ପାରିବନି ଏ ଗରଳକୁ ହଜମ କରି...ସେ ମୁକାବିଲା କରିବ, କେହି ଯଦି ତାକୁ ସାହସ ନ ଦିଏ, ଶକ୍ତି ନ ଦିଏ; ଯନ୍ତ୍ରଣାକୁ ଗୋଡ଼ର ଧୂଳି ପରି ଆଡ଼େଇଦେଇ ଯାଇପାରେ, ନିଜେହିଁ ନିଜକୁ ସେ ଶକ୍ତ ଆଉ ସାହସ ଦେବ । ସଂଯୁକ୍ତାବି ପ୍ରତିଶୋଧ ନେଇପାରେ, ବିଶ୍ୱାସ, ପ୍ରତିଶ୍ରୁତି, ମମତା ଓ ମୂଲ୍ୟବୋଧକୁ ଫିଙ୍ଗି ଦେଇପାରେ, ଯାଃ, କାହାପାଇଁ ତା’ର ଚିନ୍ତା ନାହିଁ ଆଜି... ।

 

ତରତର ହୋଇ ଉଠିପଡ଼ିଲା ସଂଯୁକ୍ତା । ଏ ମୁହୂର୍ତ୍ତ ନଷ୍ଟ କରିଦେଲେ ସେ ଯେ ପାଇବ ନାହିଁ ଆଉ, ଦ୍ୱାର ଓ ଝରକା ବନ୍ଦ କରିଦେଇ ସେ ନିଜର ଶାଢ଼ିଟାକୁ ଫ୍ୟାନ୍‌ ଦେହରେ କୌଣସିମତେ ବାନ୍ଧି ପକଇଲା । ଫାଶ କଲାବେଳେ ତା’ର ହାତ ଥରୁ ନାହିଁ, ମନଃଚକ୍ଷୁରେ ଭାସି ଯାଉନାହିଁ ଶାଶୁ, ସ୍ୱାମୀ, ପୁଅ, ଝିଅ କିମ୍ବା କେଉଁ ପ୍ରିୟଜନର ବ୍ୟାକୁଳ ଆଖି । ମନେପଡ଼ୁନାହିଁ କୋଉ ଈଶ୍ୱରଙ୍କ ସ୍ତୁତି...ସବୁ ଯେମିତି ଧୀର, ଶାନ୍ତ, ଶୀତଳ ନିସ୍ତବ୍ଧ ହୋଇଆସୁଛି ତା’ର ଚତୁର୍ଦ୍ଦିଗରେ । ଠିକ୍‌ ସୃଷ୍ଟିର ପୂର୍ବ ମୁହୂର୍ତ୍ତର ଯନ୍ତ୍ରଣା ସ୍ନାୟୁରେ ଯେଉଁ ରକ୍ତାକ୍ତ ଶୀତଳତା ଜମାଟ କରିଦିଏ, ଯେଉଁ ସ୍ତବ୍‍ଧତା ଆଣିଦିଏ, ସେଇ ନିସ୍ତରଙ୍ଗ ଭାବ ତା’ର ଶିରାରେ ଶିରାରେ ପ୍ରସରୀଯାଇଛି କେବଳ । ନିଜ ହାତ ତିଆରି ଫାଶ ଭିତରେ ମୁଣ୍ଡ ଗଳାଇଦେଲାବେଳେ ସେ ଭାବୁଥିଲା, ଲେଖିଦେଇ ରଖିଗଲେ ହୁଅନ୍ତା ଯେ ଏଥରର ସୃଷ୍ଟି ତା’ର ବ୍ୟର୍ଥ ହେବ ନାହିଁ । ଏଥରର ସ୍ୱପ୍ନ ତା’ର ମିଥ୍ୟା ହେବ ନାହିଁ !!!

✽✽✽

 

ମନ୍ଥନ

 

ସକାଳୁ ଉଠି ସପଟା ଉପରେ ବସିପଡ଼ି ରାହା ଧରି କାନ୍ଦିବା ଆରମ୍ଭ କରିଦେଲା ନରି । ତଥାପି ମା’ର ନିଦ ଭାଙ୍ଗୁ ନାହିଁ । ଶେଷକୁ ନରି କାନ୍ଦ ବନ୍ଦ କରି ମା’କୁ ଚିମୁଟି ଦେଇ କହିଲା, ‘‘ମା’-! ହେ ମା’ ଉଠୁବା ! ତୁ କହିଥିଲୁ ଆଜି ଯିବା ବୋଲି ପରା...’’

 

ଗରଗର ହୋଇ କେତକୀ ଉଠିବସି ନରିକୁ ଠାଏକରି ଚଟକଣାଟାଏ କଷି ଦେଲା । ‘‘ଯାଉଛୁ ଏଠୁ ନା ଦେଖିବୁ ? ବାପ-ପୁଅ-ଝିଅ କେହି ଟିକେ ମଣିଷକୁ ବାସ ଦେଉନ ! ଯା, ମୁଁ ଯାଇପାରିବିନି । ତୋ’ ବା’କୁ କହ ମତେ ନେଇ ଯାଉ ।’’

 

ନଇଁପଡ଼ିଥିବା ଦଉଡ଼ିଆ ଖଟ ଉପରୁ ଉଠିପଡ଼ିଲା ଗଣେଶ । ହାଇଟାଏ ମାରି କହିଲା, ‘‘ଆଲୋ କେତି, ଉଠୁବା ! ଛୁଆ ଦି’ଟାଙ୍କୁ ନେଇ ତୁ ଚାଲିଯାଆ । ମାଇପେ ଗଲେ ସଅଳ ସଅଳ କାମ ହୁଏ...ମିଳୁଛି ଯେତେବେଳେ ଆମେ ଛାଡ଼ିବା କାହିଁକି ?’’

 

ସେମିତି କରେଇ ଶୋଇ ଖିଙ୍କାରି ଉଠିଲା କେତକୀ, ‘‘କହିଲି ପରା, ଆଜି ଦୋସରା ସାଇପିଲାଙ୍କୁ ଦିଆଯିବ । ସରକାର ଘର ନିୟମ ସେମିତି । ସବୁଦିନେ ସଭିଙ୍କି ଦିଆଯିବ ନାହିଁ । ରାତି ନ ପାହୁଣୁ ବାପ ପୁଅ ମଣିଷକୁ ଟିକେ ଶାନ୍ତିରେ ଗଡ଼େଇ ଦେଉନ !’’

 

କାନ୍ଦୁରା କଣ୍ଠରେ ନରି କହିଲା, ‘‘ବାପା ! କାଲି ମତେ ଦୁଧ ମିଳିନି, ଏତେ ଟିକେ ଥିଲା ହାଣ୍ଡିରେ । ଯେଉଁମାନେ ବାଣ୍ଟୁଥିଲେ, ସେମାନେ ପାଣି ମିଶେଇଦେଇ ମତେ ଡଙ୍କିରେ ଡଙ୍କିଏ ଦେଲେ ଯେ, ହେଲେ ଆମ ବାଟିଟା କଣା ଥିଲା । ମୁଁ ମୁହଁ ପାଖକୁ ନେଲାବେଳକୁ ସବୁ ତଳେ ପଡ଼ିଯାଇଥିଲା । ସେଇ ନିଶୁଆବାବୁ ଜଣକ କହିଲେ...ଆଜି ଯାଇ ଆଗରେ ଛିଡ଼ା ହେଲେ... ।’’

 

‘‘ଆହା...ହା । ମୁଁ ମରି ଯାଉଥାଏଟି–ନିଶୁଆବାବୁ ଜଣକ କହିଲେ ! ହଇରେ ମେଞ୍ଚଡ଼ ଟୋକା ! ଡାହାଣାଟା, କୋଉଠୁ ମୋ ପେଟରୁ ଜନମ ହୋଇଥିଲୁରେ ! ସେ ବାବୁ ଜଣକ ତ ସବୁ ବଦମାସିର ମୂଳ ! ଆଜି ଯିବୁତ ତୋ’ ଗୋଡ଼ ଭାଙ୍ଗିଦେବ !’’

 

ଗଣେଶ ନରମେଇ କରି କହିଲା–‘‘ତୁ ରାଗୁଛୁ କାହିଁକି ? ଦେଲେ ଦବ ନହେଲେ ନାହିଁ-। ତୁ ଯାଇଁ ଟିକେ ଦେଖ ! ଗରିବ ଲୋକ ବୋଲି ଆମର ଧାଇଁବା କଥା । ସରକାରୀ ଜିନିଷରେ ଅଭିମାନ ଗୋଟାଏ କ’ଣ ? କିଏ କେତେ ଆଣୁଛନ୍ତି, ଫୋପଡ଼ା ହେଉଛି । ହେଇ, ତୁ ଗଲୁ ନାହିଁ ଗଲା ବର୍ଷ, ମୁଁ ଯାଇ ଲୁଗା ଦି’ଖଣ୍ଡ ଚାଉଳ କିଲେ ଔଷଧମସୁଧି ଆଣିଥିଲି ତ, ଶୀତଦିନରେ ପିଠି ଘୋଡ଼ାଇବାକୁ ତ ସାହା ହେଲା ! ମୋ ଆଖିକୁ ଦିଶୁନି ବୋଲି ତତେ ଖୋସାମତ, ନୋହିଲେ ମୁଁ ଔଷଧ, ଲୁଗା, ଗୁଣ୍ଡ ଦୁଧ ଆଣି ଘରେ ଜମେଇ ଦିଅନ୍ତିଣିଲୋ ।’’

 

ଏଥର ରାଗରେ ପାଚିଯାଇ କେତକୀ ଉଠିପଡ଼ିଲା, ଆଉ ନରି ଗାଲରେ ଚାପୁଡ଼ାଏ କଷିଦେଇ କହିଲା ‘‘ଦୁଧ ପିଇବୁ । ପି, ପି, ପି...’’

 

ନରି କାନ୍ଦିଉଠିଲା ଆହୁରି ଜୋରରେ । ଗଣେଶ ଚୁପ୍‌ଚାପ୍‌ ଖଟ ଉପରେ ମୂକ ହୋଇ ବସି ରହିଥାଏ । ହଠାତ୍‌ କେତକୀର କ’ଣ ହେଲା କେଜାଣି କ୍ରୋଧରୁ କ୍ରନ୍ଦନରେ ଭରିଗଲା ତା’ର କଣ୍ଠ । ସେ କାନ୍ଦୁ କାନ୍ଦୁ କହିଲା, ‘‘ବକଟେ ବୋଲି କ୍ଷୀର ଦେବେ କି ନାହିଁ, ସେଥିରେ ମୁଁ ଦି’ ଘଡ଼ି ଖରାରେ ଲାଇନ ଉପରେ ଠିଆ ହେବି । କେତେ ଲୋକଙ୍କ ଟାପରା ଶୁଣିବି । ସେହି ବେଳାରେ ମୁଁ ଇଟା ବୋହିବିନି କି କାହା ଘରେ ବାସନ ମାଜିବିନି କିଆଁ ? ହଁ–ଜାଣନ୍ତି ହେଲେ ସବୁଦିନେ ସେ କ୍ଷୀର ମିଳିବ, ମୋ ଛୁଆ ଖାଇବେ କି ଲୁଗା, ବହି ମିଳିବ, ମୋ ଛୁଆ ପିନ୍ଧିବେ ! ସେ ଖାଲି ଲୋକଦେଖାଣିଆ କଥା । ତାଙ୍କ ମନ ହୋଇଛି, ଖୁସି ନାଗୁଛି ବାଣ୍ଟୁଛନ୍ତି, ଆଜି ଦେଲେ କି କାଲିକି ନାହିଁ । ସେଥିରେ ସେ ନିଶୁଆବାବୁର ଟାହିଟାପରା ! କାହିଁକି ମୁଁ ଯିବି ? କାହିଁକି ମୋ ଛୁଆ ଯିବେ-? ଗୋଟାଏ ଦିନରେ ଜାତି ଯିବ, ପେଟ ପୂରିବନି ।’’ ନରି ସାହସ ସଞ୍ଚି ଥିରି ଥିରି କହିଲା, ଆଜି ଯିବା ବୋଉ, ଆଉ କାଲିଠୁ ଯିବାନି । ମୁଁ କୋଉଦିନୁ ଦୁଧ ପିଇନି । ସେଇ ଯେ...ସେଇ ଯେ ମତେ ଜର ହୋଇଥିଲା । ବର୍ଷାଦିନେ ତୁ ଯାଇଁ କ୍ଷୀର ଆଣିଥିଲୁ । ହେଲେ, ସେତେବେଳେ ମୁଁ କ’ଣ ଜାଣିଛି, ମୋର ମନେ ନାହିଁଲୋ ବୋଉ ! ଗୁନା କହୁଥିଲା ଏ ଦୁଧରେ ଚିନି ପଡ଼ିଛି । ଗିଲାସେ ପିଇଦେଲେ ଦି’ଦିନ ଭୋକ ହେବନି । ମୁଁ ତତେ ଖାଇବାକୁ ମୋଟେ ମାଗିବିନି... ।’’

 

ନରି କଥାରେ ଚାରିଆଡ଼ ନିସ୍ତବ୍ଧ ହୋଇଗଲା । ଗଣେଶ ଖଟ ଉପରେ ନ ବସିପାରି ପୁଣି ଗଡ଼ିପଡ଼ିଲା । ଉତ୍ତର ନ ଦେଇ କେତକୀ ଉଠିପଡ଼ି ଦୁଆର ଆଡ଼କୁ ଆଗେଇଗଲା । ଝିରିଝିରି ସକାଳର ଶୀତୁଆ ପବନ ନରିର ଦେହ, ମୁଣ୍ଡରେ ବାଜି ତାକୁ ଶୀତେଇ ଦେଇଥିଲା ବେଶୀ ବେଶୀ-। କମ୍ବଳଟା ଏମିତି ଛିଣ୍ଡିଯାଇଛି ଯେ ଟେକିଧରିଲେ ମିଳେଇ ଝଡ଼ିପଡ଼ିବ ହାତରୁ । କୁଙ୍କୁରି ଉଠି ନରି ଦୁଇ ହାତ ଛାତିରେ ଜାକି ବାହାରିଗଲା ପଦାକୁ । ବୋଉ କହେ, ବସି ରହିଲେ ଶୀତ ମାଡ଼ିବସେ କୁଆଡ଼େ । ସକାଳୁ ସକାଳୁ ବୋଉ ସବୁଦିନେ ତାକୁ କୋଳରେ ପୂରେଇ ଘଡ଼ିଏ ଶୋଇରହେ-। ନରିର ଦେହ ସେଇଥିରେ ଉଷୁମ ଏମିତି ହୋଇଯାଏ ଯେ ତାକୁ ଆଉ ଶୀତ ଲାଗେ ନାହିଁ । ଆଜି ବୋଉ ଉଠିଗଲାଣି ଆଗରୁ ।

 

ନରି ଉଠିଯାଇ ଦେଖିଲା ବୋଉ ଦାନ୍ତକାଠି ପାଟିରେ ପୂରେଇ ଚୁପ୍‌ଚାପ୍‌ ବସିଛି । ଆଉ ଟିକେ ଦୂରରେ ଝରି, ତା’ର ସାନ ଭଉଣୀ, ସଢ଼େଇ ଆଉ ମାଟି କଣ୍ଢେଇ ଧରି ମନକୁ ମନ ଗୀତଗାଇ ଖେଳ ଆରମ୍ଭ କରିଦେଲାଣି । କ’ଣ କରିବ ନରି ବୁଝି ନ ପାରି ବସିପଡ଼ିଲା ପିଣ୍ଡାତଳକୁ ଗୋଡ଼ ଓହଳାଇ । ବୋଉ ଛେପ ମେଞ୍ଚାଏ ତଳେ ପକେଇ କହିଲା–‘‘ଆଉ ବସିଲୁ କାହିଁକି ? ମୁହଁଟା ଧୋଇଦେଇ ମାଉସୀଘରକୁ ଯାଇ ଭଲ ବାଟିଟିଏ ମାଗି ଆଣିବୁ ଗଲୁ–କିଛି କହିବୁନି, କହିବୁ ବୋଉ କହିଛି, ସଞ୍ଜକୁ ଫେରେଇଦବ ।’’

 

ଖୁସିଟାଏ ହୋଇ ନରି ମୁହଁ ଧୋଇପକାଇ ଚାଲିଗଲାବେଳେ ଶୁଣିଲା, ବୋଉ କହୁଛି, ‘‘ଆଲୋ ଝରି । ଯା, ତୁ ବି ସଫାସୁତୁର ହୋଇପଡ଼ । ଭାଇ ଆଉ ତୁ ସାଙ୍ଗହୋଇ ଚାଲିଯିବ । ସେ ଟିଣଗିଲାସଟା ପଛରେ ମଇଦା ଅଠାଟିକେ ମାରିଦେବୁ । ସେଇ ଠୁଙ୍ଗା କାଗଜ ପାଖରେ ହାଣ୍ଡିରେ ଅଛି, ଯା, ସଅଳ, ନ ଗଲେ କାଲିପରି ହରକତ୍ ହବ ମଣିଷ !

 

ସୂର୍ଯ୍ୟ ପରିଷ୍କାର ହୋଇ ନ ପଡ଼ୁଣୁ ନରି ଆଉ ଝରି ସଫାସୁତୁରା ହୋଇ ବାହାରି ପଡ଼ିଲେ । ଆଜି ଶୀଘ୍ର ଯାଉଥିବାରୁ ଆଉ ଭଲ ଗ୍ଲାସ୍‍ଟାଏ ହାତରେ ନେଇଥିବାରୁ ମନଟା ଖୁସି ଅଛି-। କାଲି ଡେରି କରି ଯିବାରୁ ସିନା ସେ ନିଶୁଆବାବୁ ବିଗିଡ଼ିଗଲା । ନରିର ପାଳିପଡ଼ିବା ବେଳକୁ ହାଣ୍ଡିରୁ କ୍ଷୀର ସରିଯାଇଥିଲା । ଗୁନା କହୁଥିଲା, ବେଳେବେଳେ ସରିଗଲେ ପୁଣି ନିଶୁଆବାବୁ ହାଣ୍ଡିଟାକୁ ଘର ଭିତରକୁ ନେଇ ହାଣ୍ଡିଏ ଦୁଧ ବୋହିଆଣେ । କେବେ କେମିତି ବଡ଼ବଡ଼ ଲୋକମାନେ ଯଦି ଆସି ପହଞ୍ଚିଯାନ୍ତି ଗାଡ଼ି, ମଟରରେ, ସେମାନେ କୁଆଡ଼େ କ’ଣ ମନ୍ତ୍ର କରିଦିଅନ୍ତି ଯେ କ୍ଷୀରଗୁଡ଼ା ବହଳିଆ ହୋଇଯାଏ, ମିଠା ମିଠା ଲାଗେ–ଚିନିପରି । ସେ ବାବୁମାନେ, ପିଲାଙ୍କ ଗାଲରେ ଟିପମାରିଦିଅନ୍ତି, ମୁଣ୍ଡ ସାଉଁଳେଇ ଦିଅନ୍ତି ଫଟୋ ଉଠେଇ ନିଅନ୍ତି, ମାଗିଲେ ଦଶ-ପନ୍ଦର-କୋଡ଼ିଏ ପଇସାବି ପକେଇ ଦିଅନ୍ତି ! ନରି କେବେହେଲେ ସେମିତି ବାବୁ କି ମା’ମାନଙ୍କର ଭେଟ ପାଉ ନାହିଁ । ଗୁନାଟା ସବୁଥିରେ କପାଳିଆ । ଏତିକିବେଳେ ଝରି କହିଲା ‘‘ବୋଉଲୋ-! ମୁଁ ଚାଲିପାରିବିନି, ମତେ କାଖେଇ ନେ’’ ଗୋଡ଼ ବିନ୍ଧିଲାଣି !’

 

ନରି ଜାଣିଲା ବୋଉ ବିଗିଡ଼ିଯିବ । ଏମିତିବି ହୋଇପାରେ, ଏଇଠୁ ଘରକୁ ସେ ଫେରିଯିବ । ହେଲେ, ଆଶ୍ଚର୍ଯ୍ୟ କଥା, ବୋଉ ବିଗିଡ଼ିଲାନି । ଖାଲି ମୁହଁକୁ ନ ଅନାଇ କହିଲା, ‘‘ଆଉ ଟିକିଏ ତ ! ଗୀତ ଗାଇ ଗାଇ ଯାଉନା ଭାଇଭଉଣୀ ! ବାଟ ଚାଲିଲେ ବାଧିବ ନାହିଁ । ଦେହ ଫୂର୍ତ୍ତି ରହିବ । ହେଇ, ସେ ମୋଡ଼ରେ ମୁଁ ଡାହାଣ ହାତି ଯିବି ବାବୁଘରକୁ କାମରେ, ଆଉ ତୁମେ ଭାଇଭଉଣୀ ବାଁହାତି ଯିବ । ଗଳିମୁଣ୍ଡରେ ତ କେନ୍ଦ୍ର । ସେଇଠି ତୁମ ପରି ପିଲା ଲାଇନ ଲଗେଇଥିବେ, ଜାଣିବାକୁ ଅସୁବିଧା ହେବନି ।’’

 

ନରି ଚମକି ପଡ଼ି କହିଲା, ‘‘ବୋଉ ! ତୁ ଯିବୁନି ? ଆମେ କେମିତି ଯିବୁ ? ସେ ନିଶୁଆବାବୁ ଯଦି ଗାଳିଦିଏ ?’’

 

କେତକୀ ବିରକ୍ତ ହୋଇ କହିଲା, ‘‘ଡରୁଛୁ କାହିଁକି ? ଡରୁଛୁ ଯଦି, ଯାଉଛୁ କାହିଁକି ? ଶୁଣିଲୁନି କି ତୋ ବାପା କହିଲା ସରକାରୀ ମାଲ୍‍ରେ ଜାତିଗୋତ୍ର ନାହିଁ । ହକ୍ କହିଦେବୁ, କାଲି କ୍ଷୀର ପାଇ ନଥିଲୁ, ଆଜି ଆସିଛୁ, ଦେବାକୁ ହେବ । ବୁଝିଲୁ ? ଡରିବୁନି ! ମୁଁ କାମସାରି ସେଠିକି ଯିବି, ଯଦି ତୁମେ ଥିବ ସେଯାଏଁ, ଭଲ କଥା ନହେଲେ...ଏ ଶୁଣ ନରି ! ଝରିର ହାତ ଧରିନେବୁ ! ଗାଡ଼ି-ମଟର ଧାଉଁଛି...ନିଘା ରଖିବୁ ! ଆଉ ସବୁଯାକ କ୍ଷୀର ପିଇ ଦେବନି । ବାପପାଇଁ ଯଦି ହବ, ଗିଲାସରେ ଟିକେ ଆଣିବ ।’’ ଶେଷ କଥା ବେଳକୁ କେତକୀର ଆଖିରେ ଟିକେ ପାଣି ଜକେଇ ଆସିଥିଲା । ଆଉ କିଛି ନ କହି ଡାହାଣ ପଟ ଗଳିରେ କେତକୀ ପଶିଗଲା ।

 

ନରି ଝରିକୁ ଟିକେ ଚାହିଁଲା । ବୟସରେ ତା’ଠାରୁ ବର୍ଷେ ବଡ଼ ବୋଲି ମୁରବିପଣରେ ତା’ ହାତରୁ ଗିଲାସଟା ଛଡ଼େଇ ନେଇ କହିଲା, ‘‘ଦେ, ତୁ ମୋ ହାତ ଧରି ଚାଲେ । ଗିଲାସ ମୁଁ ଧରିବି ! ମୁଁ ଯାହା ଯାହା କହିବି ତୁ ସେଇଆ କରିବୁ ।’’ ଝରି କହିଲା, ‘‘ଭାଇ, ବାପାପାଇଁ କ୍ଷୀର ଆଣିବା, ଆଉ ବୋଉପାଇଁ ଆଣିବାନି ?’’

 

ନରି ମୁରବିପଣରେ ହସି ଦେଇ କହିଲା, ‘‘ମୁଁ ମୋଟେ ପିଇବିନି । ତୁ ପିଲାଲୋକ, ଟିକେ ପିଇବୁ, ବାକି ଘରକୁ ନେଇ ଆସିବା । ବୋଉ ପିଇବ ଅଧେ, ଆଉ ବାପା ପିଇବେ !’’

 

ଝରି କହିଲା, ‘‘ନାହିଁ, ନାହିଁ । ଆମର ତାକୁ କ୍ଷୀରୀ କରିବା ! ବୋଉ ସେଦିନ ବାବୁ ଘରୁ ଯେଉଁ କ୍ଷୀରୀ ଆଣିଥିଲା, କେତେ ଭଲ ଲାଗୁଥିଲା ! ଆମେ ଖାଇଦେଲେ...ବାପା ପଚାରିଲାରୁ ବୋଉ କେମିତି ରାଗି ଗାଳିଦେଲା ବାପାଙ୍କୁ ! ନାହିଁ ଭାଇ, ଆମେ ଆଜି କ୍ଷୀର ପିଇବାନି, ସବୁ ଘରକୁ ନେଇଯିବା !’’

 

ନରିପାଇଁ ପ୍ରସ୍ତାବଟା ଲୋଭନୀୟ ହେଲେବି ବିଶ୍ୱାସଯୋଗ୍ୟ ହେଉ ନଥିଲା । ଝରିଟା ହୁଣ୍ଡିଟାଏ, କ୍ଷୀରୀରେ ଚିନି ଭଲକରି ନ ପଡ଼ିଲେ ସେ କ’ଣ ଭଲ ଲାଗିବ ? ଚିନି କଥା ପଡ଼ିଲେ ବୋଉ ରାଗିବ । ହଉ, ଦେଖାଯାଉ ଶେଷଯାଏଁ କ’ଣ ହେଉଛି ?

 

ସତରେ ତ ! ଗଳି ସରିଗଲା ନା କ’ଣ ? କାଲି ଯେଉଁଠି ସେ ଛିଡ଼ା ହୋଇଥିଲା ଆଜି ଆସି ପହଞ୍ଚି ଯାଇଛି ସେଇଠି । କାଲି ପରି ବାଟଚଲା ଆଜି ବାଧୁନି ।

 

ହେଲେ କ’ଣ ହେବ ? ସେ ଯେତେ ଚଞ୍ଚଳ ଆସୁନା କାହିଁକି, ଭିଡ଼ ଜମିଗଲାଣି ! କେତେଲୋକ ଛୁଆପିଲା ଧରି ଆସି ଜମା ହୋଇଗଲେଣି । କୋଉଦିନ ହେଲେବି ସେ ଆଗରେ ଆସିପାରିଲାନି !

 

ଝରିର ହାତ ଧରି ନରି ଟାଣିନେଇ ଲାଇନରେ ଛିଡ଼ା ହୋଇଗଲା ! ଏଯାଏଁ ନିଶୁଆବାବୁ ଆସିନି କି ଆସିନାହିଁ ଗାଡ଼ି-ମଟର ଥୋଇ ଫଟୋ ଉଠାଉଥିବା ସେଇ ପେଟୁଆ କାଳିଆ ଲୋକଟା, ଏତିକି ଯାହା ସାନ୍ତ୍ୱନା !

 

ଝରି କହିଲା, ‘‘ଭାଇ ! ତୁ ଆଗରେ ଛିଡ଼ା ହ’ । ମତେ ଯଦି ଗାଳିଦେବ ! କାଲି ମୁଁ ତୋ ଆଗରେ ଥିଲି ପରା... !’’

 

‘‘ହଉ, କ’ଣ ହେଲା ସେଥିରେ ? ଆଜିବି ଆଗରେ ରହିବୁ ! ହେ, ତୋ’ର ସେ ନାଲି ରିବନଟା ବାନ୍ଧି ଆସିଲୁନି, ଯଦି ଫଟୋ ଉଠିବ ? ‘‘ତୁ ମତେ କହିଲୁନି, ମୁଁ କେମିତି ଜାଣିବି ଯେ....-!’’ ଝରି ଉତ୍ତର ଦେଲା । ନରି କିଛି ଜବାବ ଦେଲାନି, କାରଣ ସେ ଦେଖିଲା ହଠାତ୍‌ କାଲିର ଦୁଧବଣ୍ଟାଳୀ ସେଇ ନିଶୁଆବାବୁ ଅଣ୍ଟାରେ ଲୁଗାଟାଏ ବାନ୍ଧିଦେଇ ନସରପସର ହୋଇ ଆସୁଛି-!

 

ନରି ନଇଁପଡ଼ି ଝରି କାନରେ କହିଲା, ‘‘ବୁଝିଲୁ ! ଏଇ ଲୋକଟା ଭାରି କପାଳିଆ ! ଗୁନା କହୁଥିଲା, ଗଲାବର୍ଷ ଚାଉଳ, କମଳ ଆଉ ଔଷଧ ହେରିକା କୁଆଡ଼େ ବାଣ୍ଟିବାକୁ ଯାଇଥିଲା ଯେ ଲୋକଙ୍କୁ ନ ଦେଇ ସବୁ ତା’ ଘରକୁ ନେଇ ଆସିଲା । ପୋଲିସ ତାକୁ ଧରିଥିଲା, ଟଙ୍କାପଇସା ଦେଇ ଖସିଗଲା ! ସବୁ ବଡ଼ବଡ଼ ବାବୁମାନଙ୍କୁ ହାତରେ ରଖିଛି କୁଆଡ଼େ ! ଦେଖୁନୁ, ତା’ ନିଶ କେମିତି ଫୁଲି ଫୁଲି ଉଠୁଛି !’’

ଝରି କହିଲା ‘‘ମୁଁ ତାକୁ ଚାହିଁଲେ ମତେ ଡର ଲାଗୁଛି ! ଯଦି ଗାଳିଦେବ, ମାରିବ !’’

କାହିଁକି ? ଆମେ କ’ଣ ଚୋରୀ କରିଛେ କି ତା’ପରି ? ସରକାରୀ ଧନରେ ସେ ଆମ ଉପରେ ରାଗିବ କାହିଁକି ? ତା’ ଜିନିଷ ଦଉଥିଲେ ସିନା ରାଗନ୍ତା !’’

ଦୁଧବଣ୍ଟା ଆରମ୍ଭ ହୋଇଗଲାଣି । ଯେତେ ଚେଷ୍ଟାକଲେବି ଲାଇନରେ ଲୋକଗୁଡ଼ା ପିଲାଙ୍କୁ ନେଇ ଧସେଇ ପଶୁଛନ୍ତି, ଆଉ ନରି ଓ ଝରି ପଛକୁ ପଛ ଘୁଞ୍ଚି ଯାଉଛନ୍ତି, ବଳ ପାଉନି ବଡ଼ ମଣିଷଙ୍କ ସଙ୍ଗରେ କଳିତକରାଳ କରିବାକୁ । କାଲି ଆସିଥିଲେ ବୋଲି ଯଦି କିଏ କହିଦିଏ ! ଝରି ପାଟିକରି ଉଠିଲା–‘‘ଭାଇ ! ଦେଖ, ଦେଖ ସେ ପିଲା ଦିଇଟା କାଲି ଆସିଥିଲେ । ତାଙ୍କ ସାଙ୍ଗରେ ଦେଖୁନୁ ସେ ବୁଢ଼ାବି ଆଜି ଆସିଛି...ମୁଁ ଠିକ୍‌ ଦେଖିଛି ପରା, କାଲି ସେମିତି ଛିଟ ଜାମା ପିନ୍ଧି ସେ ଝିଅ ଆସିଥିଲା–ତା’ ଗୋଡ଼ଟା କାଲିବି ଛୋଟା ଥିଲା । କେତେ ପଛରେ ଥିଲେ କେମିତି ଆଗରେ ଯାଇଁ କ୍ଷୀର ଆଣିଲେଣି ! ପିଇଲେଣି, ଦେଖୁନୁ ? ଆଉ ଆମକୁ ସେ ବାବୁ କାହିଁକି ଗାଳିଦେବ ଯେ ! ବୋଉ ଆସିଥିଲେ କେତେ ଶୀଘ୍ର ଆମକୁ ନେଇ ଯାଆନ୍ତାଣି...ତୁ ତ’ ଡରୁଆଟା-!’’

ନରି ଦେଖିଲା ସତକୁସତ ଲୋକଗୁଡ଼ା ତାଙ୍କୁ ଠେଲିଦେଇ ମାଡ଼ି ଯାଉଛନ୍ତି । ସବୁ ମନକୁ ମନ ହେଇଯାଉଛି, ଆଉ ଲାଇନରୁ ଖସିଯାଇ ସେମାନେ ପଛକୁ ପଛ ପେଲି ହୋଇ ଯାଉଛନ୍ତି । ଶେଷକୁ କାଲିପରି ହେବ ! ପଛ ଲୋକଙ୍କପାଇଁ କ୍ଷୀର ନ ଥିବ, ହାଣ୍ଡିରେ ପାଣି ପୂରେଇଲେବି ଅଧଡ଼ଙ୍କିଏ କ୍ଷୀର ହେବନି !

ନରି କ’ଣ ଭାବିଲା କେଜାଣି ଝରିର ହାତଟା ଧରି ଲାଇନରୁ ଖସିଯାଇ ନିଶୁଆବାବୁ ପାଖରେ ଛିଡ଼ା ହୋଇ ଦୁଇଟାଯାକ ଗିଲାସ ବଢ଼େଇଦେଲା ବେଳକୁ କିଏ ଜଣେ ପାଟିକରି ଉଠିଲା ପଛରୁ–‘‘ହେ; ପେ ଟୋକା ଟୋକୀ ଦୁଇଟା ତ ଭାରି ଚାଲାଖ୍ ! ହେ ବାବୁ ! ଲାଇନ ପଛରୁ ସମସ୍ତିଙ୍କି ପେଲି ଦେଇ ଆଗକୁ ମାଡ଼ିଗଲେ ବୋଲି କ’ଣ ଆଗ କ୍ଷୀର ପାଇଯିବେ ?’’

ନିଶୁଆବାବୁ ଢଙ୍କିରେ ଡଙ୍କିଏ କ୍ଷୀର ଢାଳି ଦେବାକୁ ଯାଉ ଯାଉ ପାଟିତୁଣ୍ତ ଶୁଣି ଅଟକିଗଲା ଆଉ ଗାର ଡେଇଁ ନରି-ଝରିକୁ ଅନେଇଲା । ନରି ଦେଖିଲା ତାଙ୍କ ଆଖି ଦୁଇଟା ଭାରି ଲାଲ । ମନ୍ଦାର ଫୁଲ ପରି ଚହଚହ ଦିଶୁଛି । ତଥାପି ଡରି ନ ଯାଇ କହିଲା–‘‘ସମସ୍ତେ ତ ଆମକୁ ପେଲିଦଉଛନ୍ତି, ଆମେ କ’ଣ କରିବୁ ? କାଲି ଏମିତି ଲାଇନ ଦେଇ ଦେଇ ଗଲୁ !’’

ନିଶୁଆବାବୁ ଗର୍ଜି ଉଠିଲା–‘‘ଶାଲା ବଦମାସ ! କାଲି ଆସିଥିଲୁଟି ? ଆଜି ତତେ କିଏ କହିଲା ଆସିବାକୁ ? ଆରେ ଏଇଟା ତ ଅସଲ ଚୋର ! ତେଣେ ପୁଣି ସଭିଙ୍କି ଠେଲାପେଲା କରି ଧାଉଁଛି ! ଚୋର ମୁହଁ ତ ଭାରି ଟାଣ । ଉଠୁ, ଗଲୁ ଏଠୁ ! ତତେ ବିଲ୍‌କୁଲ୍ ଦିଆଯିବନି ! ନା ! ଟୋପାଏବି ନୁହେଁ ! ମୁଁ ସେଇଆ ଭାବୁଛି ଏତେ କ୍ଷୀର ଆସୁଛି ବାଣ୍ଟି ବାଣ୍ଟି ମୋ’ ହାତ ଟେକି ହେଉନି । ହେଲେ ସାଇ ବୁଲି ବାବୁ ପଚାରିଲେ କୁଆଡ଼େ ଦି’ ଚାରିଟା ଛୁଆବି କ୍ଷୀର ପାଉନାହାନ୍ତି । କେମିତି ହେବ ? ସବୁଦିନେ ଯଦି ସେଇ ପିଲା ଚୋରିକରି ପିଅନ୍ତି, ଆଉ କାହାକୁ ମିଳିବ ? ମୁଁ କେତେଥର କହିଛି ପାଳି କରି ଆସ ! ନା, ହେଲାନି । ଶେଷକୁ ମୋ’ରି ଦୋଷ, ମୁଁ ଖାଇଗଲି । ହଇହେ ସମସ୍ତେ ଶୁଣୁଛଟି ! ହେ ପିଲା, ତୋ’ ବାପା ମା’ କିଏ ? କୋଉ ସାଇରେ ତୋ’ ଘର ?’’

 

ନରି ଡରିଯାଇ ଗୋଟାପଣେ ଥରୁଥିଲା । ଝରି ତ ସେତେବେଳକୁ ଭେଁ ଭେଁ କାନ୍ଦି ଚାରିଆଡ଼ ଫଟେଇ ଦେଲାଣି । ସବୁ ଲୋକଙ୍କ ଆଖି ତାଙ୍କରି ଉପରେ ।

 

ନିଶୁଆବାବୁ ପାଖରେ ନାଲି ପ୍ୟାଣ୍ଟ ଆଉ ନାଲି ଗେଞ୍ଜି ପିନ୍ଧି ଛିଡ଼ା ହୋଇଥିବା ପିଲାଟା ବାରଣ୍ଡା ତଳକୁ ଓହ୍ଲାଇ ଆସି ନରି ପେଟକୁ ଚିମୁଟି ଧରି ପଚାରିଲା, ‘‘ହେ ଟୋକା ! କାଲି ଆସି ନଥିଲୁ ତୁ ? ସତ କହ ! ମୁଁ ଦେଖିଛି, ତୁ କାଲି ଆସିଥିଲୁ, ତା’ ପୂର୍ବଦିନ, ତା’ ପୂର୍ବଦିନ, ତହିଁ ପୂର୍ବଦିନ ଏମିତି ହୋଇ ଯେତେଦିନ...ମାନେ ସବୁଦିନ ଆସିଛୁ । କୋଉଦିନ ନାଲି ପ୍ୟାଣ୍ଟ ତ, କୋଉଦିନ ନେଳି ତ କୋଉ ଦିନ ଗାମୁଛା । ଦେଖ ବାବୁଙ୍କୁ ! ଆଜି ଛିଣ୍ଡା ପ୍ୟାଣ୍ଟରୁ କୁକୁର ପେଟ ଦେଖେଇ ଆସି ଛିଡ଼ା ହୋଇଛନ୍ତି ! ସତେ କି ଦୁର୍ଭିକ୍ଷରୁ ଉଠି ଆଇଛି...’’

 

ନରି ପାଟିକରି ଉଠିଲା ଯନ୍ତ୍ରଣାରେ, ‘‘ନାଇଁ ବାବୁ ! ମୋର ଏଇ ଖଣ୍ଡିକ ପ୍ୟାଣ୍ଟ...ୟାକୁ ପିନ୍ଧି ମୁଁ କାଲି ଆସିଥିଲି, ଦୁଧ ସରିଗଲାରୁ ମତେ ଆଜି କହିଲେ ଆସିବାକୁ ! ମୁଁ ମିଛ କହୁନି; ଆଃ ! ମୋ ପେଟ, ମରିଗଲିଲୋ ବୋଉ !’’

 

ନିଶୁଆବାବୁ ଜଣକ ପାଟିକରି ଉଠିଲା, ‘‘ଦେଖ, ଦେଖ ଏ ଟୋକା କଥାକୁ । ହଇରେ ମାଗତା, ମୁଁ ତତେ କହିଥିଲି ? ପକେଇବି ଯେ ଚାପୁଡ଼ାଟେ, ବୋପାକୁ ମଉସା ଡକେଇଦେବି ।

 

କେଜାଣି କେତେ ଲୋକ ସେଠି ଛିଡ଼ା ହୋଇଥିଲେ ସମସ୍ତେ ହୋହୋ କରି ହସି ଉଠିଲେ : କେବଳ ନରି ପେଟକୁ ଦୁଇ ହାତରେ ଧରି ଲଜ୍ଜା ଅପମାନରେ ଭାଙ୍ଗିପଡ଼ୁଥିଲା ।

 

ଏହି ଅବସ୍ଥାରେ ହୁଲସ୍ତୁଲ ପଡ଼ିଗଲା । ହସ ବନ୍ଦ ହୋଇଗଲା । ନିଶୁଆବାବୁ ବାରଣ୍ଡା ଉପରକୁ ଉଠିଗଲେ, ଆଉ ଅନ୍ୟ ଲୋକମାନେ ଘେରରୁ ଯାଇ ସଜାଡ଼ି ହୋଇ ଛିଡ଼ା ହୋଇଗଲେ ।

 

ଗୁରୁଗମ୍ଭୀର କଣ୍ଠରେ କିଏ ଜଣେ ପଚାରିଲା, ‘‘କ’ଣ ହେଉଛି ଏଠି ? କ୍ଷୀର ବଣ୍ଟାଯାଉଛି ନା ଥଟାତାମସା ଚାଲିଛି ? ଏଠି କାମ ସାରିଲେ ଅନ୍ୟ କାମ ଅଛି, ନା ତୁମର ମଉଜ ମଜଲିସ୍‌ ଚାଲିଥିବ ! ଦେଶ କାମରେ ଏତେ ମଉଜ କ’ଣ ?

 

‘‘ନାହିଁ ସାର୍‌ ! କାଲି ଆପଣ କହୁଥିଲେ ନା ପିଲାଏ କ୍ଷୀର ଖାଉ ନାହାଁନ୍ତି ଆଉ ଆମେ ସବୁ ପିଇ ଯାଉଛୁ ! ଦେଖୁ ନାହାନ୍ତି ସପ୍ତାହରେ ଥରେ ଗୋଟେ ସାହିର ଭାଗ ପଡ଼ିଲେ କ’ଣ ହେବ, ଅନ୍ୟ ସାହିର ପିଲା ଭିଡ଼ କରିବେ, କହିଲେ ଶୁଣିବେନି ! ଦେଖୁ ନାହାଁନ୍ତି, ଏଇ ମେଞ୍ଚଡ଼ ଟୋକାକୁ...ରୋଜ୍‌ ରୋଜ୍‌ ଆସିବ, କହିଲେ ପୁଣି ଯୁକ୍ତି କରିବ ।’’

 

ମୁଣ୍ଡରେ ଟୋପି, ଦେହରେ ସଫା ଲୁଗା-ସାର୍ଟ୍, ହାତରେ ନାଲି ନେଳି ପଥରବସା ମୁଦି-। ଆଉ ତାଙ୍କ ସାଙ୍ଗରେ କାଳିଆ ପେଟୁଆ ଫଟୋ ଉଠାଳୀ ଲୋକଟା । ନରି କିଛି ନ କହି ମୁହଁପୋତି ଛିଡ଼ା ହୋଇଥାଏ । ଆଉ କ୍ଷୀର ପିଇବାକୁ ମନ ନାହିଁ, ଖାଲି ଦୌଡ଼ି ପଳେଇବ କେମିତି ବୁଦ୍ଧି ଦିଶୁନି ତାକୁ ।

 

ସେହି ସଫା ଲୁଗାପିନ୍ଧା ବାବୁ ଜଣକ ଫୁସ୍‌ଫାସ୍‌ ହୋଇ କ’ଣ କଥା ହେଲେ, ଆଉ ସମସ୍ତିଙ୍କି ଶୁଣେଇଲା ପରି କହିଲେ–

 

‘‘ଗରିବ ପିଲା ଦି’ଟାଙ୍କ ଆଶା ଅଛି ମନରେ ! ଡଙ୍କିଏ ତାଙ୍କୁ ଦେଇଦିଅହୋ ! କାହିଁକି ଧନ୍ଦା ବଢ଼ଉଛ ? ସବୁ ତ ଏଇ ପିଲାଙ୍କପାଇଁ, ଦେଶ ଆଉ ଜାତି ଏଇମାନଙ୍କ ପାଇଁ ଯୋଜନା କରୁଛି, ଏମାନଙ୍କ ଉନ୍ନତିରେ ଆମର ଉନ୍ନତି । ହେଲେ, ଏ ଦେଶରେ ଜାତୀୟଚରିତ୍ରଟା ତ ଦିନକୁଦିନ ନିମ୍ନକୁ ଯାଉଛି । ଛାଡ଼, ଆଗ ପିଲାଏ ସୁସ୍ଥ ହୁଅନ୍ତୁ, ତା’ପରେ ଯେଉଁ କଥା । ଲୋଭଟା ତ ଏ ଦେକୁ ଖାଇଗଲା ! ଯେତେ ଦେଲେବି ଅଣ୍ଟୁନାହିଁ !’’

 

ସିଏ ଏଇକଥା କହିଲାବେଳେ ଫଟୋ ଉଠୁଥିଲା । ଧାଡ଼ି ଲଗେଇ ଛିଡ଼ା ହୋଇଥିବା ପିଲାଗୁଡ଼ାକ ପାଖକୁ ଯାଇ ମୁଣ୍ଡ ସାଉଁଲେଇ ଫଟୋ ଉଠେଇନେଲେ । ନରିର ଆଖିରେ ସେତେବେଳକୁ ଲୁହ ଶୁଖିଯାଇଥିଲା, ପେଟରୁ ଯନ୍ତ୍ରଣା ଚାଲିଯାଇଥିଲା, ଆଉ କ୍ଷୀର ପିଇବାକୁ ଟିକିଏ ବୋଲି ଆଗ୍ରହ ନଥିଲା ! ଲଜ୍ଜା ଅପମାନରେ ଶିହରି ଯାଇ ସେ ବଧିର-ଜଡ଼ ହୋଇଯାଇଥିଲା !

 

ବାବୁ ଜଣକ ଲାଇନ ତଦାରଖ କରି ଫେରି ଆସିଲେ ପୁଣି ଦୁଧହାଣ୍ଡି ପାଖକୁ । ନିଶୁଆବାବୁକୁ କ’ଣ କହିଦେଇ ଫେରି ଯାଉ ଯାଉ ନରି ଉପରେ ତାଙ୍କର ଆଖି ପଡ଼ିଗଲାକ୍ଷଣି ସେ କହିଲେ–‘‘ଆରେ ପିଲା ! ଏଣିକି ଭଲ ବୁଦ୍ଧି କରିବୁ । ଚୋରୀ କରିବୁନି କି ମିଛ କହିବୁନି ବୁଝିଲୁ ? ସତ୍‌ପଥରେ ରହିଲେ ସିନା ବଡ଼ମଣିଷ ହୁଅନ୍ତୁ । ଆଚ୍ଛା ! ମୁଁ କହି ଦେଉଛି, ତତେ ସେମାନେ ଆଜି କ୍ଷୀର ଦେବେ । ପୁଣି ଯାଇଁ ସାତ ଦିନ ପରେ ଆସିବୁ ! ଆଉ ମିଛ କହିବୁନି, ଏଁ ?’’

 

ନରି ଉତ୍ତର ଦେଲାନି । ହଠାତ୍‌ ଭିଡ଼ ଠେଲି କେଉଁଠି ଥିଲା କେତକୀ ବାଘୁଣୀ ପରି ମାଡ଼ି ଆସି ଗର୍ଜନ କରି ଉଠିଲା...’ ‘କ’ଣ କହିଲ ବାବୁ ? ମୋ ଛୁଆ ମିଛ କହୁଛି ? ମିଛ କହୁଛ ତମେ, ମିଛ କହୁଛନ୍ତି ତୁମର ସବୁ ବାବୁମାନେ । ଆଉ ଏଠି ଲାଇନ ନଗେଇ ଯେତେ ଲୋକ ଠିଆ ହୋଇଛନ୍ତି, ସଭିଏଁ ଡରିଯାଇଁ ଡଙ୍କିଏ କ୍ଷୀରପାଇଁ ଚୁପ୍‌ ରହିଛନ୍ତି । କ’ଣ ନା ସାତ ଦିନରେ ଡଙ୍କିଏ କ୍ଷୀର ପାଇବେ । ଆମ ଛୁଆଙ୍କୁ କ୍ଷୀରଦେଲେ ତୁମରି ନାଁ ପଡ଼ିବ, ଖବରକାଗଜରେ ନାଁ ବାହାରିବ, ହେଲେ ଛୁଆଙ୍କର ମାନ ଯିବ ସିନା, ପେଟ ପୂରିବନି । ଖାଲି ଗୋଟାଏ ଲୋଭରେ ଧାଇଁଛନ୍ତି ! ଏଇ ଲୋଭ ଯୋଗୁଁ ତ କମଳପାଇଁ, ଔଷଧ ବଟିକାପାଇଁ, ଚାଉଳପାଇଁ ଆଉ ଲୁଗାପାଇଁ ଆମେ ଧାଉଁଛୁ-। ଏମିତି ଲୋଭ ଦେଖେଇ ଛୁଆଙ୍କୁ ଅମଣିଷ କରନି । ତୁମକୁ ଧର୍ମ ସହିବନି ।’’

 

କେତକୀ ଏପରି ଭାବରେ କଥା କହି ବେଦମ୍‌ ହୋଇ ପଡ଼ିଲା ଯେ ସେ ତଳେ ବସି ପଡ଼ିଲା । ଚାରିଆଡ଼େ ଗୋଟାଏ ନିସ୍ତବ୍ଧତା ଖେଳିଗଲା ତା’ କଥାରେ । ଲାଇନ ଲଗେଇ ଛିଡ଼ା ହୋଇଥିବା ଲୋକଗୁଡ଼ାକ ମୂକ ହୋଇଯାଇଥିଲେ ।

 

ନରି ଦେଖିଲା ସେହି ଟୋପିପିନ୍ଧା ବାବୁ ତା’ ମା’ ପାଖକୁ ଯାଇଁ ଟିକେ ଛିଡ଼ା ହେଲା ଓ ଏଣିକି ତେଣିକି ଅନାଇ ଖୁବ୍‌ ନରମ କଣ୍ଠରେ କହିଲା, ‘‘ଆଲୋ ମାଉସୀ ! ଛୁଆଙ୍କ ଭଲପାଇଁ ଆମେ ଏମିତି ବ୍ୟବସ୍ଥା କରୁଛୁ । ଭୁଲ୍ କଲେ ପିଲାଙ୍କୁ ଆମେ ଶାସନ କରିବୁନି ।’’

 

କେତକୀ ଉଠିପଡ଼ିଲା ‘‘କିଏ ମନା କରୁଛି ? କରୁନା । ହେଲେ, କାଲି ମୋ ପିଲା କ୍ଷୀର ନେଇ ନାହାନ୍ତି, ମୁଁ କୋଉଦିନ ଆସେନି । ତମର ସେଇ ନିଶୁଆବାବୁ ସବୁ ଦୁଧ ଚୋରୀ କରିନେଇ ହୋଟେଲରେ ଦିଏ, କାହିଁ ତାକୁ ତ କିଛି କହୁନା । ଆମେ ଗରିବ ବୋଲି ତମେ ମିଛସତ କହି ଗାଳି କରିବ । କାହିଁକି, ମୁଁ କ’ଣ ଜାଣିନି ଯିଏ ଚୋରୀ କରେ, ସିଏ ଫୁଲମାଳ ପିନ୍ଧି ବୁଲେ ବୋଲି ? ଏଇ ଲୁଗା ଖଣ୍ଡେ, ଚାଉଳ କିଲେ କି ଡଙ୍କିଏ କ୍ଷୀରରେ ଆମ ଛୁଆ ମଣିଷ ହେବେନି ବୋଲି...ତମେ କ’ଣ ଜାଣିନ ? କାଲି ଦେଖିବ ସେଇ କୋଇଲା ଗୋଟେଇବେ, କାଠ କାଟିବେ କି ଇଟା ବୋହିବେ ! ନହେଲେ ଉପାସରେ ମରିବେ ।’’

 

ବାବୁ ଜଣକ ହାତଯୋଡ଼ି ସମବେତ ଜନତାକୁ ଚାହିଁ କହିଲେ, ‘‘ମୁଁ ଜାଣିଛି ଆଣ୍ଟି ପାର୍ଟି ମୋ ପିଛା ଧରିଛି । ଯେତେ ଭଲ କାମ କଲି ସେଥିରେ ନିନ୍ଦା ! ଦେଖନ୍ତୁ ଆପଣମାନେ... ।’’

 

‘‘ହଅ, ଥାଉ ! ମୁଁ ସେ ପାର୍ଟି ଜାଣେନି । ସବୁ ସେଇଆ, ଗୋଟିଏ ନାଉର ମଞ୍ଜି । ମୁଁ ସେ ଟୋକାକୁ କହୁଛି, ଯାଅନାରେ, ସେ କି ଶୁଣୁଛି ମୋ କଥା । ହେଲା, ଏବେ ? ହେଲା ତ ? ଖାଇବା ଲୋକେ ଖାଇବେ ନାଁ କମେଇବା ଲୋକ ନାଁ କମେଇବେ, ଆମର ଯେଉଁ ଉପାସକୁ ସେଇ ଉପାସ...ପେଟ କେବେ ପୂରିବନି !’’

 

ନରି ମୁହଁଟେକି ମାଆକୁ ଚାହିଁ ପାରୁ ନଥିଲା । ଘଣ୍ଟାଏ କାଳ ତା’ର ଛିଡ଼ା ହୋଇ ଖରାରେ ତା’ ଗୋଡ଼ ସିଝିଯାଇଥିଲା, ଆଉ କାନ ମୁଣ୍ଡ ଭାଁଭାଁ କରୁଥିଲା ।

 

ନିଶୁଆବାବୁ ଜଣକ ପାଟି କରି ଉଠିଲା... ‘‘ଏଃ ମାଇକିନା ! ମୁହଁ ସମ୍ଭାଳି କଥା କହ ! ଜାଣୁଛୁ ତ କାହା ସାଙ୍ଗେ କଥା କହୁଛୁ ? ଜିନିଷ ବଣ୍ଟା ହେଲାବେଳକୁ ଆଗ ଧାଡ଼ିରେ ଛିଡ଼ା ହେବ, ଆଜି ପୁଅକୁ ପଠେଇବ ତ, କାଲି ଝିଅକୁ, ନହେଲେ ସେଇ ଅନ୍ଧ ବୁଢ଼ାକୁ । ସାହସ ଦେଖ, ଲେକ୍‌ଚର ଦେଉଛି...ତୋର ସାହସ ତ କମ୍‌ ନୁହେଁ !’’

 

ନିଶୁଆବାବୁର ଉହୁଁକି ଯିବା ଢଙ୍ଗ ଦେଖି ନରିର ଦେହରେ ଯେମିତି ବାଘର ବଳ ଆସିଗଲା ! ହଠାତ୍‌ ସେ ପାଚେରୀ ପାଖକୁ ଦୌଡ଼ିଯାଇ ଗୋଟାଏ ଢେଲା ଉଠାଇ ଲକ୍ଷ୍ୟ କରି ନିମିଷକରେ ପକାଇଲା । ବାଜିଲା କାନ୍ଧରେ ସେ ବାବୁର । ଓଃ ବୋଲି କହି ସେ ବସିପଡ଼ିଲା । କେହି ବୁଝିବା ଆଗରୁ ଘଟଣାଟା ଘଟିଗଲା ଆଖି ପିଛୁଳାକେ ।

 

ନା ! ନରି ଛାଡ଼ିବନି । ଦୁଇ ହାତରେ ଯେତେ ଢେଲା ପଡ଼ିଥିଲା ସେଠି, ତାକୁ ଗୋଟାକ ପରେ ଗୋଟାଏ ଉଠେଇ ସେ କ୍ଷୀରହାଣ୍ଡି ପାଖର ନାଲି ପ୍ୟାଣ୍ଟପିନ୍ଧା ବାବୁ ଆଡ଼କୁ ପକେଇ ଚାଲିଲା । ସତେ ଯେମିତି ତାକୁ ନିଶା ଲାଗିଯାଇଛି, ଆଉ ସେ କୋଳି କି ଆମ୍ବ ତୋଳି ଚାଲିଛି ।

 

ଚାରିଆଡ଼ ହଇଚଇ । ବଡ଼ମଣିଷ ଛିନ୍‌ଛତର ହୋଇ ଚାଲିଗଲେ । ମାତ୍ର କ୍ଷୀରନେବାକୁ ଆସିଥିବା ପିଲାଗୁଡ଼ାକ ଲାଇନ୍‌ରୁ ବିଜୁଳି ସକ୍‌ ମାରିଲା ପରି ଛିଟିକି ଆସି ନରି ପାଖରେ ଜମିଗଲେ ସଙ୍ଗେ ସଙ୍ଗେ । ନରି ସାଙ୍ଗରେ ମିଶି ମାଙ୍କଡ଼ା ପଥର ଖଣ୍ଡ, ଟେକା ପକେଇ ଚାଲିଲେ ସେଇ ବାବୁମାନଙ୍କ ଆଡ଼କୁ ! ଖାଲି ଗୋଟାଏ ଶବ୍ଦ ଶୁଭୁଥିଲା ‘ମାର’ ‘ମାର’ ! ଦୁଧ ହାଣ୍ଡିଟା ତଳେ ପଡ଼ିଯାଇ ଦୁଧଗୁଡ଼ାକ ଢାଳି ହୋଇଯାଇଥିଲା । ଦଉଡ଼ି ଯାଉ ଯାଉ ନଳୀ ପ୍ୟାଣ୍ଟପିନ୍ଧା ବାବୁଟି ଚିତ୍‌ପଟାଙ୍ଗ୍‌ ହୋଇ ପଡ଼ିଗଲା ।

 

ତା’ ପଛକୁ ପଛ ପଡ଼ିଗଲେ ଆହୁରି ତିନି ଚାରି । ଟୋପିଟା ଉଡ଼ିଯାଇ ଚନ୍ଦା ମୁଣ୍ଡଟା ଭିଡ଼ ଭିତରେ ଏପଟ ସେପଟ ହେଉଥିଲା କେବଳ !

 

ସ୍ତୂପୀକୃତ ହୋଇଥିବା ପାଚେରୀ ଉଚ୍ଚା ଗେଙ୍ଗୁଟି ପଥର ତଥାପି ସରୁ ନ ଥାଏ, କି ରୋଗିଣା, ଦୁର୍ବଳିଆ ହାଡ଼ଗିଳା ଅଶିକ୍ଷିତ ଅସଭ୍ୟ ପିଲାମାନଙ୍କର ‘ମାର’ ‘ମାର’, ଚିତ୍କାର ବନ୍ଦ ହେଉ ନ ଥାଏ !

 

କେତକୀ ପୁଅ ଆଡ଼କୁ ଥରେ ଚାହିଁଲା ଆଉଥରେ ଛିନ୍‍ଛତର ହୋଇ ଧାଉଁଥିବା ଲୋକମାନଙ୍କ ଆଡ଼କୁ । ଭୟରେ ଆଖି ବୁଜିହୋଇଗଲା ତା’ର । ହେ ଭଗବାନ ! ଇଏ ସେ କ’ଣ ଦେଖୁଛି ? ନରି ଦେହରେ ଅସଂଖ୍ୟ ମୁଣ୍ଡ ଆଉ ଦୁଇ ବାହାର ଦୁଇପଟରୁ ଲମ୍ବି ଯାଇଛି କାହିଁ ଯେ କେତେ ହାତ, ତା’ର କଳନା ନାହିଁ ! ଏତେ ଟିକିଏ ଚେମଡ଼ ହାଡ଼ୁଆ ଦେହରେ ଏ କି ସର୍ବଗିଳା ରାକ୍ଷାସିଆ ରୂପ ସେ ଦେଖୁଛିଲୋ ମା’ ? କାହିଁଗଲା ତା’ ପୁଅର ନହନହକା ପତରବଙ୍କା ଚେହେରା ?

 

‘ମା’ଲୋ’ ! ଚିତ୍କାର କରି କେତକୀ ତଳେ କଚାଡ଼ି ହୋଇ ପଡ଼ିଲା !!!

✽✽✽

 

Unknown

ଅନାଗତ !

 

ବାଁ ହାତର ଦୁଇ ଆଙ୍ଗୁଠି ଭିତରେ ସିଗାରେଟଟା ଜଳିଯାଉଛି ! ଡାହାଣ ହାତଟାବି ଥକିଗଲାଣି । କୁଆଡ଼େ ଗଲା ସାର୍ଟିଫିକେଟ୍‌ଟା କେଜାଣି ? ବିରକ୍ତରେ ଯତୀନ୍‌ ସୁଟ୍‌କେଶଟା ତଳେ କଚାଡ଼ି ଦେଲା । କାଗଜପତ୍ର, ଫଟୋ ଓ କେତେଟା ଡଟ୍‌ପେନ୍‌ ଘରସାରା ଖେଳେଇ ହୋଇ ପଡ଼ିଥିଲା । ସାରା ଜୀବନର ସବୁ ସମ୍ପତ୍ତି ଅଳିଆଝଳିଆ ଗୋଟାଏ ସୁଟ୍‌କେଶର ଅଧାବି ନୁହେଁ । ଏତିକି ମାତ୍ର ସମ୍ପତ୍ତି, ଅଥଚ ଏତିକି ସଜାଡ଼ିଦେବାକୁ କେବେ ତାକୁ ସମୟ ହୁଏନା । କାଲିଠାରୁ ଆଜିଯାଏଁ ତଳ-ଉପର ଘାଣ୍ଟି ଘାଣ୍ଟି ସେ ବେଦମ୍‌ ହେଲାଣି, କିନ୍ତୁ ସାର୍ଟିଫିକେଟ୍ ନାହିଁ । ଗଲା ତେବେ କୁଆଡ଼େ ?

 

ବାସନମଜା କଳା ସାଲୁବାଲୁ ହାତରେ ସାନ ଭଉଣୀ ମିନତି ଆସି ଛିଡ଼ା ହେଲା ପ୍ରଶ୍ନବାଚକ ଭଙ୍ଗୀରେ । ମିନତିର ଲଙ୍ଗଳା ହାତ, ସାଦା ଶାଢ଼ି ଓ ଫିକାଳିଆ ଆଖି ଦେଖିବାକୁ ମୋଟେ ଭଲ ଲାଗେନା ଯତୀନକୁ । କାହିଁକି କେଜାଣି ସବୁବେଳେ ସେ ଆସିଯାଏ, ବୁଝିପାରେନା ଯତୀନ । ଗମ୍ଭୀର ହୋଇ ସେ ପଚାରିଲା...

 

‘‘ମୋ ସୁଟ୍‌କେଶରୁ ସାର୍ଟିଫିକେଟ୍ ନେଲା କିଏ ?’’

 

ମିନତି ଜବାବ ଦେଲାନି ।

 

‘‘ତୋର ଧାରଣା କ’ଣ ? ମାନେ, ତୁ କ’ଣ ଭାବୁଛୁ ?’’

 

‘‘ଭାଇ !’’ ମିନତି ଯେପରି ଭାଇକୁ ଚୁପ୍‌ ରହିବାକୁ ନୀରବରେ କହୁଛି ।

 

ଯତୀନ ପଚାରିଲା–‘‘ବିପିନ କାହିଁ ? ଖାଇ ଶୋଇଛି ତ ?’’ କଣ୍ଠରେ ତା’ର କ୍ରୋଧ । ମିନତି ମୁଣ୍ଡ ନୁଆଁଇ ଚୁପ୍‌ ରହିଲା ।

 

‘‘ସତୀ ଆଉ ରତି କାହାନ୍ତି ? ସେମାନେ ଚବିଶିଘଣ୍ଟା ବୁଲୁଛନ୍ତି, ଡ୍ରାମା କରୁଛନ୍ତି, ୟା, ତା’ ସାଙ୍ଗରେ ସିନେମା ଦେଖୁଛନ୍ତି । ଘରଟାଯାକର କାମ ତୋରି ଉପରେ ଏକା ପଡ଼ୁଛି ବୋଲି ବୋଉ ଜାଣେ ତ ?’’

 

ଅସହାୟ ଆଖିରେ ମିନତି ପୁଣି ଭାଇ ମୁହଁକୁ ଚାହିଁଲା । କାରଣ ଭାଇ ମଝିରେ ବୋଉକୁ ଆଣି, ଦାୟିତ୍ୱଟାକୁ ଏଡ଼େଇ ଦେବାର ଛଳନା କରୁଛି ! ଭାଇ କା’ଠାରୁ ଦୁଇବର୍ଷ ବଡ଼, କିନ୍ତୁ ବୁଦ୍ଧିରେ ତା’ଠାରୁ ଦଶବର୍ଷ ଛୋଟ ।

 

ଆଉ କିଛି ଉଚ୍ଚବାଚ ନ କରି ଯତୀନ ପଦାକୁ ବାହାରି ଚାଲିଯାଉଥିବାର ଦେଖି, ମିନତି କହିଲା, ‘‘ଭାଇ ! ରାତିକୁ ଅଟା ନାହିଁ କି ସକାଳପାଇଁ ଚାଉଳ ନାହିଁ ।’’ ଦଣ୍ତେ ଅଟକିଯାଇ ଯତୀନ ପଚାରିଲା, ‘‘ପରିବା ଅଛି ତ ? ଦିନେ କ’ଣ ପରିବା ଖାଇ ରହିପାରିବନି ? ଭାତ ରୁଟି ଖାଇବା ଗୋଟାଏ ତୁମମାନଙ୍କର ବଦଭ୍ୟାସ... !’’

 

ଯତୀନ ମିନତିର ଭାବାନ୍ତର ଲକ୍ଷ୍ୟ କରିବାକୁ ଆଉ ଚାହିଁ ନଥିଲା । ଏକଦମ୍‌ ଦଉଡ଼ିଗଲା ପରି ଘରୁ ବାହାରିଯାଇ, ରାସ୍ତାଏ ରାସ୍ତାଏ ସେ ଚାଲିଗଲା ଘରୁଠାରୁ, ମିନତିର ଆଖିଠାରୁ ଅଦୃଶ୍ୟ ହୋଇ । ‘‘ଯାଃ ଭଲ ହେଲା, ସାର୍ଟିଫିକେଟ୍‌ଟା ହଜିଗଲା । ଗୋଟାଏ ଦୃଷ୍ଟିରୁ ଭଲ ହୋଇଛି । ସେଇଟା ପାଖରେ ଥିଲାରୁ ସବୁ କାମପାଇଁ ନିଜକୁ ଶ୍ରେଷ୍ଠ, ଯୋଗ୍ୟ ବୋଲି ମନେହୋଇଥାଏ । ମନ ଭିତରେ ଆଶାର ଗୋଟିଏ ନିରୋଳା କୂଜନ ଶୁଣି ସେ ପ୍ରତିଦିନ ଆଣ୍ଠୁଗଣ୍ଠି ଛିଣ୍ଡେଇ ଧାଇଁଥାଏ । ଏଣିକି ସେଇ ତୃଷ୍ଣା ତାକୁ ସକାଳ ହେଲେ ଅଧୀର କରିବ ନାହିଁ । ମାତ୍ର, ମାତ୍ର ଅଟା, ଚାଉଳ, କାଠର ତାଗିଦରୁ ସେ କେମିତି ଆପଣାକୁ ମୁକ୍ତ କରିବ ?’’

 

ହଠାତ୍‌ ହସର ଶବ୍ଦ ଶୁଣି ସେ ବାଁ ପଟ ଗଳିକୁ ଚାହିଁଲା । ଆସୁଛି କାନରେ ଦୁଇଟା ବଡ଼ ଇଅରିଙ୍ଗ୍ ଝୁଲାଇ ଦୋଳାୟିତ ଭଙ୍ଗୀରେ ତା’ର ସାନ ଭଉଣୀ ସତୀ । ସାଙ୍ଗରେ ତା’ର ଦାସବାବୁଙ୍କର ଚଗଲା ପୁଅ ବରୁଣ । ବେକାର ରହି ଗୋଟାଏ ଥିଏଟର ପାର୍ଟି କରିଛି... । ତା’ ବୋଲି କ’ଣ ? ନା ! ସତୀ ଉପରେ ରାଗିଲେ ମଧ୍ୟ ସେ କିଛି କରି ପାରିବନି । ପନ୍ଦର ଦିନ ତଳେ ବୋଉ ଯେତେବେଳେ କୂଅ ମୂଳଟାରେ ପଡ଼ିଯାଇ ବେହୋସ ହୋଇଗଲା, ସତୀ ୧୦୦ ଟଙ୍କା ଥିଏଟର ପାର୍ଟିରୁ ଧାର କରି ଆଣି ବୋଉକୁ ସୁସ୍ଥ କରେଇଥିଲା ଯେ ! ସେତେବେଳେବି ଯତୀନ୍‌ ମନରେ ଆଶାର ଦୀପଟି ଜଳୁଥିଲା କିଛି ନା କିଛି ହେବ, ତା’ର ଯୋଗ୍ୟତାର ସାର୍ଟିଫିକେଟ୍ ଭଙ୍ଗା ସୁଟ୍‌କେଶ୍‌ରେ ଉଦ୍ଧତ ଭଙ୍ଗୀରେ ତାକୁ ଚାହିଁ ରହିଥିଲା । ଆଜି ତ ସେ ନିଃସ୍ୱ, ସତୀ ଉପରେ ବୃଥା ବିରକ୍ତ ହେଲେ ଲାଭ କ’ଣ ମିଳିବ ? ଏଣିକି ଜୀବନ ବଞ୍ଚାଇବା ପାଇଁ ଯେଉଁଠି ହେଲେବି ମୁଣ୍ତ ନୁଆଁଇ ଦେବାକୁ କଷ୍ଟ ହେବନି ।

 

ଯତୀନ୍‌ ଘଣ୍ଟାକୁ ଚାହିଁଲା । ଟିଉସନ୍‌ ଯିବାର ସମୟ ହେଲାଣି । କିନ୍ତୁ ସିପ୍ରାକୁ ଯାଇଁ ପଢ଼ାଇଦେବାକୁ ତା’ର ଇଚ୍ଛା ହେଉନାହିଁ । ଯେଉଁ ଝିଅଟା ପନ୍ଦର ଦିନ ତଳେ ମୁହଁକୁ ଚାହୁଁ ନଥିଲା, ସଙ୍କୋଚରେ ଭାଙ୍ଗିପଡ଼ୁଥିଲା, ସେ ପୁଣି ଏବେ କଥା କଥାକେ ସିନେମାର ହିରୋଇନ୍‌ ପରି ମୁହଁ ଫୁଲେଇ ଦେଉଛି, ହାଇମାରି ନିଦର ଛଳନା କରି ଯତୀନ୍‌ର କାନ୍ଧ ଉପରେ ମୁଣ୍ଡ ରଖି ଆଖି ବୁଜିଦେଉଛି । କ’ଣ ସେ ବୁଝିଛି ପ୍ରେମ ଆଉ ଜୀବନର ମାନେ ? ମାଟ୍ରିକ୍‌ ପରୀକ୍ଷାରେ ଯେ ନିଶ୍ଚୟ ଫେଲ୍‌ କରିବ, ଏଥିରେ କ’ଣ ଆଉ ସନ୍ଦେହ ଅଛି ? ତଥାପି ଯିବ । ନ ଗଲେ.... ।

 

ଯତୀନ୍‌ ହଠାତ୍‌ ଚମକି ପଡ଼ିଲା । ବିକଳାଙ୍ଗ କୁଷ୍ଠରୋଗୀଟିଏ କେମ୍ପା ହାତରେ ଟିଣଟିଏ ବଢ଼ାଇଦେଇ ସାମ୍ନାରେ ରାସ୍ତା ଅବରୁଦ୍ଧ କରିଛି । ତାକୁ ହାତ ହଲେଇ ବାଟକାଟି ଚାଲିଯିବାକୁ ବସିଲାବେଳେ, ସେ ମିନତି କରି କହିଲା ।

 

‘‘ବାବୁ ! କିଛି ଦିଅ ବାବୁ !’’

 

ବିରକ୍ତ ହୋଇ ଯତୀନ୍‌ କହିଲା, ‘‘ନା, କିଛି ନାହିଁ । ଯା’ ଏଠୁ ! ଯୁଆଡ଼େ ଯିବ, ଖାଲି ଦିଅ । ଦବା କଥା ଆଉ କାହାର ନାହିଁ !’’

 

ଭିକାରୁଣୀଟି ହସିଦେଇ କହିଲା, ‘‘ଆହା’ କେଡ଼େ କଥାଟିଏ କହିଲ ବାବୁ ! ଠାକୁରେ ଆମକୁ ଶାଇପ ଦେଲେ, ହେଲେ ତମକୁ କ’ଣ ନ ଦେଇଛନ୍ତି ପ୍ରଭୁ ! ମୁଁ କଇଲାଣ କରୁଛି, ତମର ବଡ଼ତିରୁ ବଡ଼ତି ହେଉ ।’’

 

ପକେଟରେ ହାତ ପୂରାଇ ନିଷ୍ଫଳ ଆକ୍ରୋଶରେ ଯତୀନ୍‌ ଗର୍ଜିଉଠିଲା–‘‘ମତେ ଠାକୁରେ ଦେଇଛନ୍ତି ? ତୁ ଦେଖିଥିଲୁ ? କୋଢ଼ି ନିଷ୍କର୍ମାଗୁଡ଼ାଏ ଠାକୁରଙ୍କୁ ଯାବୁଡ଼ି ଧରି ପର ଉପରେ ଫାଇଦା ନେଉଛ । ତୁମକୁ ସବୁ ଗୁଳି କରିଦେବା ଉଚିତ ।’’

 

ଇଲେକ୍‌ଟ୍ରିକ୍‌ ସକ୍‌ ଲାଗିଲା ଭଳି ଭିକାରୁଣୀଟି ପଛକୁ ଘୁଞ୍ଚିଯାଇ ରାସ୍ତାରେ ଚାଲି ଯାଉ ଯାଉ ବୁଲିପଡ଼ି କହିଲା, ‘‘ଏତେବଡ଼ ପାପ କଥା ତୁଣ୍ଡରେ ଧର ନାହିଁ ବାବୁ ! ମୋ ମନରେ କଷ୍ଟ ହେବ ଯେ ! ଅନ୍ୟର ମନରେ କଷ୍ଟଦେବା ଭଲ ନୁହେଁ । ପାପ କଥା ଆଉ ଧରନ୍ତୁ ନାହିଁ ବାବୁ !’’

 

ଭିକାରୁଣୀଟି ଯେମିତି ତାକୁ ଉପହାସ କରି ଚାଲିଗଲା । ନାହିଁ, ଛାଡ଼ିବନି ଯତୀନ୍‌ । ସାମାନ୍ୟ ଭିକାରୁଣୀଟା । ଯତୀନ୍‌ ପାଟିକରି ଉଠିଲା–‘‘ଏ ବୁଢ଼ୀ ! ଭାବିଛୁ ତୋ ମନକଷ୍ଟ ହେଲେ ମୋର କ’ଣ ହୋଇଯିବ ? ବିଲ୍‍କୁଲ୍‌ ନୁହେଁ । ଭୋକ ଉପାସରେ ତୁ କେମିତି ମରିବୁ ମୁଁ ଦେଖିବି ଯେ ! ଭାବିଛୁ ମୋର ସାର୍ଟିଫିକେଟ୍‌ ପରି ତୋର ରୋଗ ତତେ ଭରସା ହେବ ? ଚୁପ୍‌ ବୁଢ଼ୀ, କାଲି ତତେ ମୁଁ ଠିକ୍ କରିଦେବି ।....ଆରେ ତୁ ପୁଣି ମତେ ଅପମାନ ଦେବୁ ବିଚ୍‌ ବଜାର ଉପରେ ?

 

ଯତୀନ୍‌ ସେଇପରି ରାସ୍ତାରେ ଅଟକିଯାଇ ମନକୁ ମନ ନିରବ କ୍ରୋଧରେ, ଯନ୍ତ୍ରଣାରେ ଭାଙ୍ଗିପଡ଼ୁଥିଲାବେଳେ କାନ୍ଧ ଉପରେ କାହାର ହାତ ସ୍ପର୍ଶ ଜାଣିପାରିଲା । ପଛକୁ ଚାହିଁ ଦେଖିଲା ତା’ର କ୍ଲାସ୍-ମେଟ୍‌ ଅମର । ହସିଦେଇ ଅମର କହିଲା–‘‘ମୁଁ ତତେ ଘରେ ଖୋଜୁଛି, ଅଥଚ ତୁ ରୋମାଣ୍ଟିକ୍‌ ହିରୋ ପରି ମଝି ରାସ୍ତାରେ ଛିଡ଼ା ହୋଇ କବିତା ଆବୃତ୍ତି କରଛୁ । ଏଁ...ତୋ ଆଖିରେ ଲୁହ ? ଛି ଛି, ସେଇ ସାର୍ଟିଫିକେଟ୍‌ ହଜିଗଲା ବୋଲି ତୁ ଏମିତି ବ୍ୟସ୍ତ ହେଉଛୁ ? ଗୋଟାଏ ଡୁପ୍ଲିକେଟ୍‌ ଅକ୍ଳେଶରେ ମିଳିଯିବ ।’’

 

ଯତୀନ୍‌ କହିଲା–‘‘ଧେତ୍‌ ! ତୋର ସବୁବେଳେ ଫାଜିଲାମି । କହ ତୋର ରିଟିନ୍‌ ଟେଷ୍ଟ ଆଜି କେମିତି ହେଲା ?’’

 

ହୋହୋ କରି ହସି ଉଠିଲା ଅମର–‘‘ବେକାର ସବୁ । ସେ ପ୍ରଶ୍ନର ଉତ୍ତର କେହିବି ଦେଇପାରିବନି । ଅଜବ ପ୍ରଶ୍ନ । ଛାଡ଼, ଯିଏ ତ ସିଲେକ୍ଟ ହେବ, ସିଏ ଆଗରୁ ଜାଣିଛି । ଆମ ଭଳି ବେକାରଙ୍କ ପାଇଁ ପାଠପଢ଼ା, ସାର୍ଟିଫିକେଟ୍‌, ଟେଷ୍ଟିମୋନିଆଲ, ସାକ୍ଷାତ ଆଉ ବିଚାର ସବୁ ଖାଲି ପ୍ରହସନ । ଧୁତ୍‌ ! ମୁଁ ଖାତା, ଆଉ ପ୍ରଶ୍ନ ସବୁ ଚିରି ଫୋପାଡ଼ି ଦେଇ ଉଠି ଆସିଲି । ବାପାଙ୍କ କଥା ମାନି ଦରଖାସ୍ତ ଦଉଛି; ପରୀକ୍ଷା ଦଉଛି, ଯେ ପର୍ଯ୍ୟନ୍ତ କିଛି ସୁବିଧା ନିଜେ ନ କରି ପାରିଛି.... ।’’

 

ଯତୀନ୍‌ ହଠାତ୍‌ ଅଡ଼ୁଆ ପ୍ରଶ୍ନଟାଏ କରିପକାଇଲା–

 

‘‘ଆରେ, ତୁ କ’ଣ ଭାବୁଛୁ, କିଛି ଗୋଟାଏ ହେବ ?’’

 

ଯତୀନ୍‌ର କାର୍ଯ୍ୟ ଉପରେ ଅନ୍ୟମନସ୍କ ଭାବରେ ବିଧାଟାଏ ବସେଇ ଅମର କହିଲା, ‘‘ହବ ! ଅଲବତ୍ ହବ । ଆମଠାରୁ ସବୁ ତଳିଆ ଲୋକ ପାଇଗଲେ, ଆମେ ପାଇଲେନି ? କଥାହେଲା ଅସଲ ବାଟରେ ଚେଷ୍ଟା ଆମେ କରି ନାହେଁ ।

 

‘‘ସେ ଚେଷ୍ଟା କ୍ଲାସ୍‌ ପାଠ କି ସାର୍ଟିଫିକେଟ୍‍ରେ ହେବନି । ବ୍ୟବସ୍ଥା ବଦଳାଇବାକୁ ହେବ-।’’

 

ଆକାଶକୁ ଅନେଇ ଫାଙ୍କା କଣ୍ଠରେ ଯତୀନ୍‌ କହିଲା–‘‘କିନ୍ତୁ ଅଭିଶାପ !’’

 

‘‘ଧେତ୍‌ତେରି ଅଭିଶାପ ! ହେଲା ଏବେ ତୋରି କଥା । ଶାପମୁକ୍ତ ହେବାକୁ ହେବ ।’’ ଅମର ଜୋର ଦେଇ କହିଲା–ସତେକି ଯାହା ଚାହିଁବ ଯତୀନ୍‌, ତାକୁ ସେ ଆଣି ଦେଇପାରିବ । ମାତ୍ର ଆହୁରି ନିସ୍ପୃହ କଣ୍ଠରେ ଯତୀନ୍‌ କହିଲା, ‘‘କିନ୍ତୁ କିଏ ତପସ୍ୟା କରିବ ? ଗଙ୍ଗା ତ ଆଉ ମନକୁ ଆସିବେ ନାହିଁ ? ଖାଲି ସେତିକି ନୁହେଁ, ତାକୁ ଧାରଣ କରି ଆଣିବାପାଇଁ କିଏ ମୁଣ୍ଡପାତି ଭାରା ସହିବ ?’’ କୃତ୍ରିମ ବିରକ୍ତିରେ ଅମର ଯତୀନ୍‌ର କାନମୋଡ଼ି ଦେଇ କହିଲା, ‘‘ହେ ଇଡ଼ିଅଟ୍‌ ! ସେ ଘୋଷାପାଠ କଥା ମୋର ମନେପକାନା । ଢେର୍ ପଢ଼ିଲିଣି, ଶୁଣିଲିଣି । ତୋର ଧାରଣା ଗଙ୍ଗା ଖାଲି ସ୍ୱର୍ଗରେ ଥାନ୍ତି, ନାହିଁ ? ତାହାହେଲେ ତ ସଂସାରର ନିତ୍ୟନୈମିତ୍ତିକ କାର୍ଯ୍ୟ ସମ୍ପାଦନ କରି ସୁନା ପିଲା ପରି ଆମେ ଉପରକୁ ଚାଲିଯିବା ।’’

 

ଅମର ନିଜ ବକ୍ତବ୍ୟରେ ସନ୍ତୋଷ ଭାବ ଦେଖେଇ ଗୋଟାଏ ସିଗାରେଟକୁ ଡିଆସିଲି ଧରାଇଲାବେଳେ ଯତୀନ୍‌ କହିଲା, ‘‘ତାହାହେଲେ, ତାହାହେଲେ କହୁନୁ କ’ଣ କରିବା ?’’

 

ବୁଢ଼ା ଆଙ୍ଗୁଠିଟିପରେ ରାସ୍ତାକୁ ଚାପ ଦେଇ ଅମର କହିଲା–‘‘ତଳକୁ ଚାହାଁ ! ଏଇଠି ଅଛି ସେ ! ମାଟିକୁ ଫଟେଇ ଆଣିବାକୁ ହେବ ଗଙ୍ଗା, ଆଉ ତା’ରି ପ୍ଳାବନରେ ହୁଏତ ଆମେ ଭାସିଯିବା....କିନ୍ତୁ ଆସନ୍ତା କାଲିର ମଣିଷ ତ ବଞ୍ଚିବ ! ଆଉ ସେଇ ସ୍ରୋତରେ ଭାସିଯାଇଥିବ, ଅଦରକାରୀ ଯେତେ ପ୍ରଶ୍ନ ଆଉ ମଣିଷର ଅଭିଶାପ ।’’

 

ହସି ଆସୁ ଆସୁ ଯତୀନ୍‌ର ଛାତିଫଟାଇ ଗୋଟାଏ ଲମ୍ୱା ଦୀର୍ଘଶ୍ୱାସ ବାହାରି ଆସିଲାବେଳେ ଅମର ଟାଣୁଥିବା ସିଗାରେଟରୁ ଧୂଆଁ ଦୁଇଜଣଙ୍କର ମୁହଁକୁ ଏକ ଗଭୀର ଆତ୍ମୀୟତାରେ ଆଚ୍ଛନ୍ନ କରି ରଖିଥିଲା !!

 

(ଆକାଶବାଣୀ ସୌଜନ୍ୟରୁ)

✽✽✽

 

ଖେଳଘର

(ଏକ)

 

ପୁଣି ସେଇ ନଈବଢ଼ି ! ପୁଣି ସେଇ ଚିରାଚରିତ ଆଶଙ୍କା ନେଇ ପ୍ରତିଟି ମୁହୂର୍ତ୍ତ କଟେଇବାକୁ ପଡ଼ିବ ? ଗଲା ବର୍ଷ ବଢ଼ି ପରେ ଆଉ ଯେପରି ବଞ୍ଚିବାକୁ ଇଚ୍ଛା ନଥିଲା ! ବର୍ଷାସାରା ସବୁ ସଞ୍ଚିତ ଜିନିଷକୁ ବଢ଼ିପାଣି ଚାଟିଚୁଟି ସଫା କରିଦେଲା । ଯେତେ ସତର୍କ ସାବଧାନ ହେଲେବି କ’ଣ ହେବ ? ବିଧାତାର ବିଧାନ ତ ଅନ୍ୟ ପ୍ରକାର । ବିଧାତାପୁରୁଷ ସହ ଲଢ଼ି ହେଉଛି ନା ତାକୁ ସ୍ୱୀକାର କରି ବଞ୍ଚି ହେଉଛି !

 

ମଣିବୋଉ ହାଉଳି ଖାଇ ପାଟିକରି ଉଠିଲା–‘‘ମିଣିପିଟା ଘରେ ଶୋଇବ ଯଦି, ମୁଁ କ’ଣ କରିବି କହିଲ ? ଗାଁସାରା ସମସ୍ତେ ଯେଝା ବନ୍ଧୁ-ବାନ୍ଧବ ଘରକୁ ବାହାରି ଗଲେଣି । ତମର ସିନା କେହି ନାହିଁ, ହେଲେ ମୋର ପିଉସୀପୁଅ ଭାଇ ନିଧିଟା ତ ଅଛି ! ଯେତେ ଦୂରସମ୍ପର୍କ ହେଲେବି ଦିନେ ଦି’ଦିନ ତ ତମକୁ ଚଳେଇ ନେବ ସେ । ତମେ ଏମିତି ଶୋଇ ରହିଲେ ମୁଁ ମାଇପିଟା କ’ଣ କରିବି ଯେ ?’’ ବୀର ଜେନା ଶୋଇ ନଥିଲା । ପାଣି ଆସି ନଈରେ ଅକାତ-କାତ ହେଲାଣି । କୋଉ ମୁହୂର୍ତ୍ତରେ ଜୀବନ ଯିବ କିଏ ଜାଣେ ? ମଣିବୋଉ ସିନା ବୁଝୁନି, ହେଲେ ଗାଁବାଲା ଯିବେ କୁଆଡ଼େ ? ଗାଡ଼ି, ମଟର, ଡଙ୍ଗା ସବୁ ବନ୍ଦ । ବାଟ ଚାଲୁ ଚାଲୁ ବନ୍ଧ ଉପରେ ଚହଲାପାଣି ମନ୍ଦାକରବି ବେଗ ସମ୍ଭାଳି ପାରିବେନି । ଗଲା ବର୍ଷ ସେମିତି ଯାଉ ଯାଉ ବାଟରେ ଥୋକେ ଭାସିଗଲେ । ଆଉ କୋଉ ବନ୍ଧୁବାନ୍ଧବ ଭଲା ପାଞ୍ଚ ପ୍ରାଣୀଙ୍କୁ ଏ ଅସମୟରେ ଥାନ ଦେବ ? ମଣିବୋଉ ଜାଣିପାରୁନି ଯେ ଯେତେ ଜାଗାରେ ତା’ ପିଉସୀ-ପୁଅ ଭାଇର ଘର ହେଲେବି ନଈର ଜିଭ ତା’ଠୁ ଉଞ୍ଚା, ତା’ଠୁ ଖର ! ବିରକ୍ତିରେ ସେ ମଣିବୋଉ କଥାର ଜବାବ ଦେଲା, ‘‘ଆପଣା ଭିଟାମାଟି ଛାଡ଼ି ମୁଁ କୁଆଡ଼େ ଯିବିନି ! ତୋର ଇଚ୍ଛା ହଉଛି ତ ତୁ ଚାଲିଯାଲୋ ମଣିବୋଉ; ମୁଁ ଯିବି ନାହିଁ !’’

 

ମଣିବୋଉ ସଞ୍ଜସଳିତା ବଳୁ ବଳୁ କହିଲା ‘‘ମଲା ! ମୋରି ଜୀବନଟା ତ ସବୁଠୁ ଦାମିକା ! ଛୁଆ ତିନିଟାଙ୍କ ପାଇଁ କହୁଥିଲିନା ! ଜାଣୁଛେ, ଯେତେବେଳେ ଗୋଟେ କଥା, କିଆଁ ଏଠି ରହିବ ଯେ ? ଭିଟାମାଟିର ଚିହ୍ନ ତ ରହୁନି କୋଉ ବର୍ଷ । ହଉ–ତମ ଇଚ୍ଛା ! ତେଣିକି ଠାକୁରେ ଭରସା !’’

 

ମଣିବୋଉ ସଞ୍ଜ ଦେବାକୁ ଚାଲିଗଲା । ନଈରେ ବଢ଼ି ହୁଏ, ଆଉ ସେଇଥିରୁ ନିଜକୁ ବଞ୍ଚେଇ ରଖିବା ତ ଏଇ ଆଖପାଖ ଗାଁର ସବୁବେଳେ ଚିନ୍ତା । ମଣିବୋଉ କଥା ଏକା ନୁହ, ବୀର ଜେନାବି ସବୁବେଳେ ଏଇ କଥା ଭାବି ଆସିଛି । ମନରେ କେତେ ଆଶା ତା’ର ଥିଲା...ନଈରେ ବଢ଼ି ହେବ ନାହିଁ । ପାଣି ଆସିଲେବି ବନ୍ଧ ବାନ୍ଧି ଦିଆଯିବ । ଢେଉ ସବୁ ଉବୁକା ମାରି ଫେରିଯିବେ-। ପଟୁମାଟିରେ ଜମି ତା’ର ଉର୍ବର ହୋଇ ରହିଲେ, ସେ ପାଞ୍ଚ ଫସଲ ଉଠାଇବ, ହାଟରେ ବିକ୍ରି କରି ମୁଠା ମୁଠା ଟଙ୍କା ଆଣିବ । ପିଲାମାନେ ତା’ର କେବଳ ସହରରେ ରହି ପାଠ ପଢ଼ିବେ, ଓକିଲ ମାଜିଷ୍ଟର ହେବେ । କିନ୍ତୁ...ଗଲା ବର୍ଷ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇ ଗାଁରେ ବନ୍ଧ ପଡ଼ିବ ବୋଲି ସୁର ସାହାଣୀ କହୁଥିଲା, ଠିକ୍‌ ତା’ର ମନେ ପଡ଼ୁନାହିଁ । କିନ୍ତୁ ସେଇଥିପାଇଁ ତ ସେ ନରି ମିଶ୍ରଙ୍କୁ ଭୋଟ ନ ଦେଇ ସୁର ସାହାଣୀକୁ ଭୋଟ ଦେଇଥିଲା । ହେଲେ ଫଳ କ’ଣ ହେଲା ଯେ-?

 

ସତରେ ସୁର ସାହାଣୀ ଭାରି ବଡ଼ବଡ଼ କଥା କହିଥାଏ । ଏତେ ବଡ଼ ସଭାଟାରେ ଲୋକଙ୍କୁ ଯାହା ବୁଝାଇଲା ତ ବୁଝାଗଲା, ତା’ ଘରକୁ ଡାକି ନେଇ ବୀର ଜେନାକୁ ଗୋଟାଏ ବଡ଼ ମାନଚିତ୍ର ଦେଖାଇଲା । ନଈଟାବି କୋଉ କୋଉ ବାଟେ ଯାଇଛି ତା’ର ନକ୍ସା ବୁଝେଇଦେଲା ଏବଂ ରୋକ୍‍ଠୋକ୍‌ ଶୁଣେଇ ଦେଇଥିଲା ସେହି କେବଳ ଗାଦିକୁ ନଈବଢ଼ି ବନ୍ଦ ହେବ.....

 

କାହିଁ, ସୁର ସାହାଣୀ ତ କେତେଦିନ ହେଲା ଭୋଟ ପାଇଲାଣି, ଚାରିଆଡ଼େ ତା’ର ଫଟୋ ଛାପା ହେଲାଣି, କିଏ କହୁଥିଲା ରେଡ଼ିଓରେ ତା’ର ନାଁ ବାହାରିଲାଣି, ଅଥଚ ଏଇ ଛାର ବନ୍ଧଟାକୁ ସେ ବାନ୍ଧି ପାରିଲାନି ? କୋହ ଉଠି ଛାତିଟା ଯେମିତି ଫାଟିଯିବ ବୀର ଜେନାର ! ଦୁନିଆରେ ଆଉ କାହାକୁ ବିଶ୍ୱାସ ତା’ର ପାଉନାହିଁ । ଈଶ୍ୱର ଏବଂ ମଣିଷ ଉପରେ ବିଶ୍ୱାସ କରି ଲାଭ ନାହିଁ । ଦୁହିଁଙ୍କର ମତିଗତି ଓ ଖିଆଲ ତା’ ପାଖରେ ସମାନ । କିନ୍ତୁ କାହିଁକି ?

 

ବୀର ଜେନା ବିଛଣାରୁ ଉଠି ବସିଲା । ନାହିଁ ହେବ ନାହିଁ, ତାକୁଇ ନଈ ପାରି ହୋଇ ସୁର ସାହାଣୀ ପାଖକୁ ଯିବାକୁ ହେବ । ପଦୁଟିଏ ପଚାରି ଆସିବାକୁ ହେବ–ଏମିତି କେତେ ଦିନ ମିଛ କଥା ଉପରେ ବିଶ୍ୱାସ କରି ସେ ଚାଲିବ ! ନ ହେଲା ନାହିଁ, ଢିଅ ଭାସିଯାଉ, ଭାସି ଯାଉ ସଂସାର ଆଉ ପିଲାଛୁଆ । କେତେଦିନ ସେ ଆଶଙ୍କା ନେଇ ବଞ୍ଚିବ ? ପଳେଇଗଲେ ତ ରକ୍ଷା ନାହିଁ–ଯୋଉ ବଢ଼ିପାଣି ସେ ତ ଯୋଜନ ଆକ୍ରାନ୍ତରେ ଚଳୁ କରି ଶୋଷିନେବ । ଏ ବର୍ଷ ନହେଲେ ଆର ବର୍ଷ ନହେଲେ ତା’ ଆର ବର୍ଷ । ଏମିତି ବଞ୍ଚିବାଠାରୁ ମରିଯିବାହିଁ ଭଲ ।

 

ମଣିବୋଉ ଏତିକିବେଳେ ତରତର ହୋଇ ପଶି ଆସି କହିଲା, ହେ, ମିଣିପଟା, ଶୋଇଛ କ’ଣମ ! ତେଣେ ପରା ବଢ଼ିପାଣି ତୋଟାରେ ପଶିଲାଣି । ଗାଁଟାସାରା ଯିଏ ଯୁଆଡ଼େ ଛିନ୍‌ଛତର ହୋଇ ଚାଲିଗଲେଣି । ଡାକିଲେବି ପିଠିରେ ପଡ଼ିବାକୁ କେହି ନାହିଁ । ନ ହେଲା ଏବେ ମୋ ଭାଇଘର, ଚାଲୁନା ଏବେ ତମର ସେଇ ସୁରବାବୁ ଘରଙ୍କୁ ତାଙ୍କର ତ କେଡ଼େ ବଡ଼ କୋଠା ଅଛି, କହୁଥିଲେ ।’

 

ବିରକ୍ତିରେ ବୀର ଜେନା କହିଲା, ତୋର ଖାଲି ପଳାଇବା ଛଡ଼ା କିଛି କଥା ନାହିଁ । ସୁର ସାହାଣୀ ତୋତେ କାହିଁକି ତା’ ଘରେ ଜାଗା ଦେବ ? ଏଇ ଅବେଳାରେ କିଏ କାହା ପିଠିରେ ପଡ଼ିବ କାହିଁକି ?’

 

‘‘ମଲା, ତୁମେ ପରା କହୁଥିଲ–ଭୋଟ ଦେଲେ ତାକୁ ଆମର ଚିନ୍ତା ରହିବନି କିଛି–ମୁଁ ତ ନାକରା କଥା କହୁନି । ମଣିବୋଉ ଝରକାଟାକୁ ଧଡ଼୍‍କରି ବନ୍ଦ କରିଦେଲା । ଛିଞ୍ଚଡ଼ା ବର୍ଷାରେ ଘରଟା ଭିଜିଗଲାଣି ।

 

‘‘ହେଲା ଯେ ମଣିବୋଉ ହେଲା ! ତୁ ଚାଲିଯା ଛୁଆଙ୍କୁ ନେଇ, କିନ୍ତୁ ମୁଁ ଏ ଭିଟାମାଟି ଛାଡ଼ି ଉଠୁନି ଆଉ । ବଢ଼ିପାଣି ମୋର ଲାସ୍‌କୁ ନେବ ସିନା !’’

 

‘‘କି କଥା କହୁଛ ତମେ ! ମୁଁ ମାଇପିଟା ବଞ୍ଚିବି କେମିତି ସେ କଥା ଭାବୁନାତ ? ତିନି ତିନିଟା ଛୁଆ–ତାଙ୍କର ଦୋଷ କ’ଣ ? କିଆଁ ସେମାନେ ତମର ଏ ଅଭିମାନିଆ କଥା ଯୋଗୁଁ ମରିଯିବେମ ?’’

 

ଏଣିକି ମଣିବୋଉ ପିନ୍ଧାଲୁଗା କାନି ମୁହଁରେ ଗୁଞ୍ଜି କଇଁକଇଁ କରି କାନ୍ଦି ଉଠିଲା । ଅସହାୟ ବିକଳ ସେହି ସ୍ୱର ଯେମିତି ବୀର ଜେନାର ସବୁ ସଂକଳ୍ପ ବୀରତ୍ୱକୁ ପାଣି ଫଟାଇଦେବ । ରାହା ଧରି ଚିରଚିରେଇ ପିଲା ତିନିଟା ଏତିକିବେଳେ ଘର ଭିତରକୁ ପଶିଆସିଲେ । ବଡ଼ପୁଅ କହିଲା–‘‘ମା’ଲୋ ! କୋଉଠି ଅଛୁ ? କେତେବେଳେ ମାମୁଘରକୁ ଯିବା ? ପାଣି ଯେ ମାଡ଼ି ଆସିଲାଣି !’’ ମଝିଆ ପୁଅ ପାଟି କରି ଉଠିଲା କାନ୍ଦୁ କାନ୍ଦୁ–‘‘ମୋତେ ଡର ମାଡ଼ୁଛି ମା’ ! ତୁ କୋଳରେ ମୋତେ କାଖେଇନେ ।’’

 

ସାନ ପୁଅ କିଛି କହିପାରୁ ନାହିଁ, ଖାଲି ଗୁମୁରି ଗୁମୁରି କାନ୍ଦୁଛି । ଭୟ, ଆଶଙ୍କାରେ ତା’ କଥା କିଛି ବୁଝିହେଉନି ।

 

ନା, ହେବ ନାହିଁ । ଆଉ ନିରାପଦରେ ବଢ଼ିର ଦାନ୍ତକୁ ସେ ଅପେକ୍ଷା କରିପାରିବ ନାହିଁ । କିଛି ଗୋଟାଏ କରିବାକୁ ହେବ ତାକୁ । ଅନ୍ତତଃ ପିଲାଙ୍କୁ କୌଣସି ଉପାୟରେ ବୁଝାଇବାକୁ ହେବ ଯେ ମୃତ୍ୟୁଟା ଏତେ ସହଜ ନୁହେଁ ।

 

ବୀର ଜେନା ଉଠୁ ଉଠୁ କଚାଡ଼ିହୋଇ ପଡ଼ିଲା । ଏତେ ବଡ଼ ମଜବୁତ୍ ଦେହଟା ତା’ର ଟିକିଏ କଥାରେ ଏମିତି ଭାଙ୍ଗିପଡ଼ିବା ଦେଖି ନିଜ ଭିତରେ ନିଜେ ଚମକି ପଡ଼ିଲା ସେ । ବାପାର ପଡ଼ିଯିବା ଦେଖି ପିଲାଗୁଡ଼ାକ ଏତେ ଦୁଃଖରେବି ହୋହୋ କରି ହସି ଉଠିଲେ ।

 

ଏତିକିବେଳେ ଚଡ଼ଚଡ଼ି ଶବ୍ଦରେ ସବୁକଥା, ସବୁ ହସ ଚପିଗଲା । ଘରସାରା ଆଲୁଅ ଖେଳିଗଲାବେଳେ ବୀର ଜେନା ଦେଖିଲା, ତା’ ଝର୍କା ପାଖକୁ ଲାଗି ବାଉଁଶ ବୁଦାରେ ବେକେ ଉଚ୍ଚା ପାଣି ଉପରେ ସମୁଦ୍ରର ଲହଡ଼ି ପରି ଢେଉ । ନିମିଷକରେ ସେ ସବୁ ଚାଟିଚୁଟି ସଫା କରିଦେବ । ଯିବାକୁ ଆଉ ବଳ ନାହିଁ କି ଉପାୟ ନାହିଁ ।

 

ଧଡ଼ାସ୍‌ କରି ଶବ୍ଦ ହେଲା । ଗୁହାଳ ଘର ବୋଧେ ଭୁଶୁଡ଼ି ପଡ଼ିଲା । ତା’ ସାଙ୍ଗକୁ ମଣିବୋଉ ଆଉ ତିନିଟା ଛୁଆ ଏକ-ରାହା ଧରି ହାଉଳି ଖାଇ ଆସି ତାକୁ କୁଣ୍ଢାଇ ପକାଇଲେ । ବୀର ଜେନା ଚେଷ୍ଟା କରୁଥିଲା କିଛି କହିବାକୁ ଘରର ମୁରବି ହିସାବରେ, ହେଲେ ତା’ର ପାଟି ଫିଟୁ ନଥିଲା ।

 

ଚାରିପାଖରେ ଅକାତକାତ ପାଣି । ସେଥିରେ ଲଗାଣ ବର୍ଷା, ବିଜୁଳି ଓ ଘଡ଼ଘଡ଼ି । ଗାଁ ଭିତରେ କିଏ ଅଛନ୍ତି କି ନାହିଁ ଜାଣିବା ଦରକାର ନାହିଁ । ଈଶ୍ୱରଙ୍କୁ ପ୍ରାର୍ଥନା କରି ମଧ୍ୟ ମୁକ୍ତି ନାହିଁ–ମଣିବୋଉର ଗୌରାଙ୍ଗ ମୂର୍ତ୍ତିଟି ପାଣିରେ ନିଶ୍ଚୟ ବୁଡ଼ିଯିବ । କେହି କାହାକୁ ରକ୍ଷାକରିବା ଆଉ ସମ୍ଭବ ନୁହେଁ ।

 

ଏତେବେଳେ ସୁର ସାହାଣୀ ବିଛଣାରେ ଶୋଇଥିବ, ପରେ କହିବ, ବୀର ଜେନାଟା ମଣିଷ ପରି ମଣିଷଟାଏ ଥିଲା, କାହା ଦୁଆରେ ଦିନେ ହାତ ପତାଇ ଯାଇନାହିଁ । ବୀର ନାମକୁ ସାର୍ଥକ କରି ସେ ମୃତ୍ୟୁବରଣ କରିଛି, ସେଇହିଁ ଜାତିର, ଦେଶର ଆଦର୍ଶ !

 

କୌଣସିମତେ ଦୁଇ ହାତ ମଣିବୋଉ ଓ ପିଲାଙ୍କ ଉପରେ ଘୂରାଇ ଆଣି ଖନଖନ ସ୍ୱରରେ ବୀର ଜେନା କହିଲା, ‘‘ମୁଁ ତମ ପାଖରେ ଅଛି । ଡରିବ ନାହିଁଟି କେହି...ମଣିବୋଉ । ଦଉଡ଼ି କି ଲୁଗା ଥିଲେ ସମସ୍ତଙ୍କ ହାତଗୋଡ଼ ଛନ୍ଦି କରି ବାନ୍ଧି ପକାଲୋ ! ବଢ଼ି ବତାସ ଆଉ ଆମକୁ ନେଇ ପାରିବନି !’’

 

ବୀର ଜେନାର କଥା ଅଧା ରହିବାକୁ ବାଧ୍ୟ ହେଲା । କାରଣ ଘରର ଡାହାଣ ପଟ କାନ୍ଥରୁ ଫାଳେ ଭୁଶୁଡ଼ି ପଡ଼ିଲା । ଝାଟିମାଟି କାନ୍ଥ, କେତେ ଟେକିବ ?

 

ଅଥଚ ଏଇ କାନ୍ଥ ଖଣ୍ଡକୁ ଟେକିଦେବା ପାଇଁ କେତେ ଲୋକଙ୍କ ପାଖରେ ସେ ନେହୁରା ହୋଇ ହାତ ଯୋଡ଼ିଥିବ । ଛୁଆ ଦି’ଟା ନଥିଲେ ବୀର ଜେନା କାହାକୁ ଡରି ନ ଥାନ୍ତା । ସେଇ କଥା ତ ସୁର ସାହାଣୀ ଆଗରେ ସେ କହିଥିଲା, ଦି’ ମୁଠା ଟଙ୍କା ଫୋପାଡ଼ି ଦେଇ ଭୋଟରମାନଙ୍କୁ ହାତକୁ ଆଣିପାରିଲେ ସେ ବୀର ଜେନାର ଘରକୁ ପକ୍କା କରିଦେବ ବୋଲି ଜବାବ ଦେଇଥିଲା । ହେଲେ କାହିଁ ? ଭୋଟ ପାଇ ତ ଦିନେ ସେ ଆସିନାହିଁ ଆଉ ଗାଁ ଦାଣ୍ଡକୁ ଦଶ ଥର ଧାରକରଜ କରି ବୀର ଜେନା ଯାଇଥିବ ସୁର ସାହାଣୀକୁ ଦେଖାକରିବାକୁ । ସବୁଦିନ ତ ସେ ବ୍ୟସ୍ତ ଥାଏ, କେଉଁ ଦିନବି ଦେଖା ହୋଇପାରେନା ! ଚାଲିଗଲାବେଳେ ମଟର ଗାଡ଼ିରେ ବଙ୍କେଇ କରି ନମସ୍କାର କରିଦିଏ...ମୁରୁକି ହସି କହେ, ସବୁ ଠିକ୍‌ ହୋଇଯିବ । ବଢ଼ି ବତାସ ଆସିଲା ପୂର୍ବରୁ ସବୁ ସେ ସମ୍ଭାଳିନେବ ! ହେଲେ କାହିଁ ?

 

ଅନ୍ଧାର ଘର ଭିତରେ ବୀର ଜେନାର ଦେହ ଠକ୍‌ ଠକ୍‌ କମ୍ପୁଥିଲା ଆସନ୍ନ ମୃତ୍ୟୁର ଆଶଙ୍କାରେ । ମଣି ବୋଉ ଓ ପିଲାଦି’ଟା ଭୟରେ କିଛି କହି ପାରୁ ନଥିଲେ । ଗୋଡ଼ ବନ୍ଧା ନହେଲେବି ଦେହକୁ ଦେହ ଲଗାଲଗି ହୋଇ ସେମାନେ ଥରୁଥିଲେ । ସବୁବେଳେ ବକର ବକର ହେଉଥିବା ମଣିବୋଉର ପାଟିରେ ଯେମିତି କିଏ ଜଉମୁଦ ଦେଇ ଦେଇଛି !

 

ବାହାରେ ସେତେବେଳେ ପ୍ରଚଣ୍ଡ ବର୍ଷା ଘଡ଼ଘଡ଼ି ସହ ବିଜୁଳି ! ଗୁହାଳରେ ଗାଈଗୁଡ଼ାକ ଭୟରେ ରଡ଼ି ଛାଡ଼ିଥାନ୍ତି । ଭଙ୍ଗା କାନ୍ଥରୁ ଫାଳେ ରହି ବିଜୁଳି ଆଲୁଅରେ ଚମକୁଥାଏ ! ଦାନ୍ତ ନିକୁଟି ମୃତ୍ୟୁ ଯେମିତି ମଇଁଷି ପିଠିରେ ସବାର ହୋଇ ବୀର ଜେନାକୁ ଚାହିଁ ରହିଛି ଆଉ କହୁଛି–ତୋ ଭଳି ବିଶ୍ୱାସୀ ଲୋକଙ୍କୁ କରାୟତ୍ତ କରିବାକୁ ମତେ ମୋଟେ ସମୟ ଲାଗିବନି ! ହେଇ, ସମୟ ହୋଇଗଲା । ଏକ-ଦୁଇ ତିନି ଗଣି ପକା.... !

 

ବୀର ଜେନା ସେତେବେଳକୁ କୌଣସି ଈଶ୍ୱରଙ୍କ ନାମ ସ୍ମରଣ କରିପାରୁ ନଥିଲା ! କାରଣ ଜେଜେବାପା କହୁଥିବାର ସେ ପିଲାଦିନେ ଶୁଣିଥିଲା ଯେ, ଈଶ୍ୱର ସ୍ୱୟଂ ଅସହାୟ ହୋଇ ବଟପତ୍ର ଉପରେ ପ୍ରଳୟ ବେଳାରେ ଭାସିଯାନ୍ତି । ...କୌଣସି ଅସହାୟ ବ୍ୟକ୍ତିର ଦୁର୍ବଳତାକୁ ସେ ଅସମୟ ହେଲେବି ଆକ୍ଷେପ କରିବାକୁ ଚାହେଁ ନାହିଁ ।

 

ତା’ର ସମ୍ୱିତ ଫେରାଇ ବାକି ଫାଳକ କାନ୍ଥ ପଡ଼ିଗଲା ! ବିଜୁଳି ଆଲୁଅରେ ସେ ପିଲାଙ୍କର ଓ ମଣିବୋଉର ମୁହଁକୁ ଚାହିଁ ଜାଣିପାରିଥିଲା, ଯେକୌଣସି ମୁହୂର୍ତ୍ତକୁ ବରଣି କରିନେବାକୁ ସେମାନେ ପ୍ରସ୍ତୁତ ।

 

ବୀର ଜେନା ଉଠିପଡ଼ି, ସେମାନଙ୍କୁ ଆହ୍ଲାଦରେ କୁଣ୍ଢାଇ ନେବ କ’ଣ କୁଣ୍ଢେମୋଟ ପାଣିକୁ କୋଳେଇ ନେଲା, ଯଦିଓ ପୃଥିବୀର କୌଣସି ଜୀବନ୍ତ ଜୀବନ ସେତେବେଳେ ସଚେତ ଅବସ୍ଥାରେ ନଥିଲେ !!

 

ଚତୁର୍ଦ୍ଦିଗର ପୃଥିବୀ ସେତେବେଳକୁ ନିର୍ବେଦ, ନିଷ୍ପନ୍ଦ ହୋଇ ଆସୁଥିଲା ! ବୀର ଜେନା ବହୁ ଚେଷ୍ଟା କରି ମଣିବୋଉ ଓ ପିଲାଙ୍କୁ ସ୍ପର୍ଶ କରିପାରୁ ନଥିଲା ! ଅଥଚ ସୁର ସାହାଣୀର ଭୋଟ ମାଗିବାର ଛବିଟି ଆଖି ଆଗରେ ଜୀବନ୍ତ ହୋଇ ନାଚୁଥିଲା... !!!

 

(ଦୁଇ)

 

ଫୋନ୍‌ ଉପରେ ଫୋନ୍‌ । କୈଫିୟତ୍‌ ଉପରେ କୈଫିୟତ୍‌ । ଚନ୍ଦ୍ରମଣିବାବୁ ଟର୍କିସ ଟାଓ୍ୱେଲଟା ଧରି ବେକମୂଳଟା ପରସ୍ତେ ପୋଛିଗଲେ । ଆଶ୍ଚର୍ଯ୍ୟ,ଏ ମନ୍ତ୍ରୀ ଆଉ ସେକ୍ରେଟେରୀ, ଅଣ୍ଡରସେକ୍ରେଟେରୀଗୁଡ଼ା ତାଙ୍କୁ ବସେଇ ଉଠେଇ ଦଉ ନାହାନ୍ତି । ସତେ ଯେପରି ନଈବଢ଼ିକୁ ସେ ନିମନ୍ତ୍ରଣ କରି ଆଣିଛନ୍ତି । ଚାଉଳ କେତେ ଗଲା, ଗହମ, କିରାସିନିର ତାଲିକା ବିଭିନ୍ନ ଜାଗାକୁ ପଠାଇ ହିସାବ ରଖିବାରେ ତ ତାଙ୍କର ଖାଇବାକୁବି ବେଳ ନାହିଁ । ସେଥିରେ ପୁଣି ହଜାରେ ଚିଠିର ଉତ୍ତର ଦିଅ । ଟିକିଏ କୋଉଠି ଭୁଲ୍‍ଭଟକା ହେଲେ କୈଫିୟତ ଦିଅ । ହେଲା, ସେତ କେତେଥର କହିଲେଣି ତାଙ୍କୁ ଆଉ ରିଲିଫ୍‌ କାମରେ ପଠାଅନା ।

 

ଦେଶରେ କ’ଣ କେହି ଆଉ ଅଫିସର ନାହାନ୍ତି, ଖାଲି ଚନ୍ଦ୍ରମଣି ମିଶ୍ର ଅଛନ୍ତି ? ନାହିଁ ବାବା, ସେ କଥା ନୁହ, ଅସଲ ଗୁମରଟି, ମଞ୍ଜିଟି ଚନ୍ଦ୍ରମଣିଙ୍କ ପରି, କିଏ ଆଉ ଗୁପତ ରଖିପାରିବ-? ଚନ୍ଦ୍ରମଣି ଯେ ତାକୁ ଲୁଚେଇ ପାଲିସ୍ କରି ବର୍ଷ ବର୍ଷ ରଖିଛି...ହାଁ...ଅସଲ ମୂଳ ତ ସେଇଠି-

 

ଚନ୍ଦ୍ରମଣିବାବୁ ଫାଇଲ୍‌-ଶୂନ୍ୟ ଫାଙ୍କା ଟେବୁଲ ଉପରେ ବିଧାଟାଏ ବସାଇଲେ । ସେହି ଶବ୍ଦରେ ହାତରେ ଚଟୁ କାଠି ଧରି ରୋଷେଇଘରୁ ଧାଇଁ ଆସିଲା ଘନ–ବିଶ୍ୱସ୍ତ ପୂଝାରୀ, ଅର୍ଦ୍ଦଳି, ପିଅନ, ସଖା-ସହୋଦର ଆବଶ୍ୟକ ମତେ ସବୁକିଛି । ତାକୁ ଦେଖି ମୁହଁରେ ହସଟିଏ ବୋଳି ଚନ୍ଦ୍ରମଣିବାବୁ କହିଲେ–‘‘କ’ଣ ରନ୍ଧା ସରିଲା ? ଦେଖ, ପରଟା ଦି’ଖଣ୍ଡ କର !’’

 

‘‘ହଁ ଆଜ୍ଞା ! ମୁଁ ବି ସେଇଆ ଭାବୁଥିଲି ! କୁକୁଡ଼ା ରୋଷ୍ଟ୍ ସାରିଲେ କରିଦେବି । ମିଠା ଅଛି, ସାଲାଡ଼୍‌ କରିଛି ଆଜ୍ଞା...ଆଜ୍ଞା...ସେଥିରୁ ମୁନ୍ଦେ ଦେବି କି ? ଦେହଟା ତାଜା ହୋଇଯିବ । ଦିନସାରା କାଦୁଅପାଣିରେ ବୁଲି ମଜୁରା ହୋଇଯାଇଥିବ ।’’

 

ଚନ୍ଦ୍ରମଣିବାବୁ କୃତ୍ରିମ ବିରକ୍ତିରେ କହିଲେ–‘‘ଚୋପ୍ ! କେତେଥର ମନା କରିଛି ପାଟି କରିବୁନି । ଲୋକେ ଏଠି ମଣିଷକୁ କଞ୍ଚା ଖାଇଯିବେ.... ।’’

 

‘‘ନାହିଁମ ଆଜ୍ଞା ! ମୁଁ ପରା ଦଶ ଘେର ବୁଲି ଆଇଲିଣି । କେହି କୁଆଡ଼େ ନାହିଁ । ବେଙ୍ଗ ରଡ଼ିରେ କାନ ଫାଟୁଛି...ଯିଏ ଯୁଆଡ଼େ ପଡ଼ିଗଲେଣି ! ଆପଣଙ୍କୁ କିଏ ଚାହିଁ ବସିଛିମ !’’ ଘରକଥା କହୁ କହୁ ଆଲମାରି ଖୋଲି କିଛି ପାନୀୟ ଚନ୍ଦ୍ରମଣିବାବୁଙ୍କ ଟେବୁଲ ଉପରେ ଥୋଇଦେଲା, ଆଉ କବାଟଟା କିଳି ଦେଇ ଚାଲିଗଲା ।

 

ଚନ୍ଦ୍ରମଣିବାବୁ ଢୋକେ ପିଇ ଘନଟାର ଯିବା ବାଟକୁ ଅନେଇ ମନେମନେ ଭାବୁଥିଲେ, ସତରେ ଘନଟା ନଥିଲେ ରିଲିଫ୍‌ ଭଳି ହରକତିଆ କାମରେ କିଛି ମଉଜ ରହନ୍ତାନି । କେମିତି କ’ଣ କରି ବସ୍ତା ବସ୍ତା ଚାଉଳ, ଚିନି, ଗହମ ଆଉ ବାକ୍‌ସ ବାକ୍‌ସ ଔଷଧ ଚନ୍ଦ୍ରମଣିବାବୁଙ୍କ ଘରେ ସେ ପହଞ୍ଚେଇ ଦିଏ, ତାହା କେବଳ ସେଇ ଜାଣେ । ପୁଣି ଗଲା ବର୍ଷ କମ୍ୱଳଗୁଡ଼ାର କୋଉ ଦୋକାନରେ ବିକି ଦେଇ ଦି’ହଜାରେ ଟଙ୍କା ରୋକ୍‌ଠୋକ୍‌ ଗଣିଦେଲା ! ଲୋକଟାର ବୁଦ୍ଧି ଅଛି ଏକା । ଚନ୍ଦ୍ରମଣିବାବୁ ଦିନ ଦିପହରରେ ଖାଇ ଘରେ ଘୁଙ୍ଗୁଡ଼ି ମାରୁଥିବାବେଳେ ଘନ ନିର୍ଭୟରେ ମନ୍ତ୍ରୀ ଆଉ ଉପର ଅଫିସରଙ୍କୁ ଫୋନ୍‍ରେ କହେ–ବାବୁ ଅମୁକ ଗାଁକୁ ରିଲିଫ୍‌ କାମରେ ଯାଇଛନ୍ତି, ସମୁକ ଗାଁରେ ରୋଗୀ ଦେଖୁଛନ୍ତି, ଢମୁକ ଜାଗାରେ ଲୋକଙ୍କୁ ବୁଝଉଛନ୍ତି, ରାତିଅନିନ୍ଦ୍ରା...ଅଖିଆ ଅପିଆ ଘୁରୁଛନ୍ତି । ସେତେବେଳେ ଚନ୍ଦ୍ରମଣିବାବୁ ଖଟ ଉପରେ ବରଡ଼ାପତ୍ର ପରି ଥରୁଥାଆନ୍ତି । ଘନଟା ଯଦି ପାଠଶାଠ ପଢ଼ିଥାନ୍ତା, ତାହାହେଲେ ବୁଦ୍ଧିରେ ତା’ର ସମକକ୍ଷ କେହି ହୁଅନ୍ତେନି ।

 

ଚନ୍ଦ୍ରମଣିବାବୁ ଗୋଟିଏ ଗ୍ଲାସ୍ ପାନୀୟ ଉଦରସ୍ଥ କରିସାରିଲା ପରେ ବେଶ୍‌ ସୁସ୍ଥ ଓ ସତେଜ ମନେକଲେ ନିଜକୁ । ଟିକିଏ ଗରମ ଲାଗୁଛି ଦେହ । ବାଁ ପଟର ଝର୍କା ଖୋଲିଦେଲେ ସେ-। ନଈକୂଳିଆ ଶୀତଳ ପବନ ଛୁଇଁଗଲା ତାଙ୍କ ଦେହ ମୁହଁ । ସୁ, ସୁ, ଶବ୍ଦ ଶୁଭୁଛି–ଟିକିଏ ଦୂରରେ ନଈର ସେଇ ବେକଫୁଲା ଉଦ୍ଧତ ଭଙ୍ଗୀ ଛପିଲା ଜହ୍ନ ଆଲୁଅରେ ପରିଷ୍କାର ବାରି ହେଉଛି-। ମୁରୁକି ହସଟି ଦେଇ ଚନ୍ଦ୍ରମଣିବାବୁ ମନେମନେ କହିଲେ–‘ବଢ଼, ଆହୁରି ବଢ଼, ଯେତେ ତୋର ଶକ୍ତି ଅଛି-। ଖାଇ ଯା’ ଜିଭ ବୁଲେଇ ଯେତେ ପାରୁଛୁ ସେତେ । ପାରିବୁ ଯଦି ଅମୁହାଁ ବନ୍ଧଟାକୁ ଡୁବେଇ ଦେ, ଆଉ ଦଶ-ବାରଖଣ୍ଡ ଗାଁକୁ କବଳେଇ ରଖ । ତୁ ବଢ଼ିଲେ ମୁଁ ବଢ଼ିବି, ତୁ ଛିଡ଼ିଲେ ମୁଁ ଛିଡ଼ିବି-। ହାତଯୋଡ଼ି ନଈକୁ ତା’ପରେ ନମସ୍କାର କଲେ ଚନ୍ଦ୍ରମଣିବାବୁ; ଆଉ ଝର୍କା ବନ୍ଦ କରିଦେଇ ଆଲମାରି ଖୋଲି ଫାଇଲ୍‍ଗୁଡ଼ା ଆଣି ଲଣ୍ଠନଟା ତେଜିଦେଲେ ।

 

ନାହିଁ, ହିସାବ ଠିକ୍‌ ଅଛି । ସବୁ ଜାଗାକୁ ଜିନିଷ ପଠାହୋଇଛି ଡଙ୍ଗାରେ, ଲଞ୍ଚ୍‍ରେ, ମଟର ଗାଡ଼ିରେ ଆଉ ମଣିଷ କାନ୍ଧରେ । ସବୁର ଦସ୍ତଖତ ରହିଛି । ତଥାପି ପାଞ୍ଚବର୍ଷ ତଳର ସେଇ ହୁଣ୍ଡାଳିଆ ଲୋକଗୁଡ଼ାକ ଏବେ ଚାଲାଖ୍ ହୋଇଗଲେଣି ବୋଲି ଜଣାପଡ଼ୁଛି । ଚାଉଳ, ଚିନିରେ ଗୋଡ଼ି ଆଉ କିରାସିନିରେ ପାଣି ମିଶିଲାକ୍ଷଣି ଚଟ୍ କରି ଧରି ପାରୁଛନ୍ତି ସେମାନେ । ବଡ଼ ଅଫିସର ଆଉ ମନ୍ତ୍ରୀ, ଏମ୍‌.ଏଲ୍‌.ଏ.ଙ୍କୁ ନ ଡର କହି ଦେଉଛନ୍ତି, ଔଷଧର ନାଁ ପଚାରୁଛନ୍ତି, ବଟିକାଗୁଡ଼ାକ ଚିହ୍ନିବି ପାରୁଛନ୍ତି । ଏମିତି ହୋଇ ନ ଥାନ୍ତା ଯେ, କେବଳ ସେଇ ଖବରକାଗଜବାଲାଙ୍କ ଯୋଗୁଁ ଗଣ୍ଡଗୋଳ–ମିଛସତ ଲଗାଇ ଲେଖିବେ, ନଥିଲା କଥା ଲୋକଙ୍କ ମୁଣ୍ଡରେ ପୂରାଇବେ । ତା’ ସାଙ୍ଗକୁ ବଜ୍ଜାତ ହେଲେ ଏଇ ପଲିଟିକାଲ୍‌ ପାର୍ଟିସବୁ । ମଣିଷକୁ ଶାନ୍ତିରେ ବସେଇ ଉଠେଇ ଦଉନାହାନ୍ତି । ସତେ ଯେପରି ସେମାନେ ଗାଦିରେ ବସିଥିଲେ ଦି’ ହାତରେ ନଈର ମୁହଁଟାକୁ ବନ୍ଦ କରି ଦେଇଥାଆନ୍ତେ, ଜମିରେ ଫସଲ ନୁହେଁ ତ ସୁନା ଫଳେଇଥାନ୍ତେ ! ଚନ୍ଦ୍ରମଣି ମିଶ୍ର ପଚାଶବର୍ଷ ମଧ୍ୟରେ ଢେର୍‌ ଢେର୍‌ ମନ୍ତ୍ରୀ, ଏମ୍‌.ଏଲ୍‌.ଏ. ଆଉ ଅଫିସର ଦେଖିଛନ୍ତି । ଖାଲି କଥାର ହଟଚମଟ କ’ଣ ମିଳିବ ସେଥିରୁ ? ଅସଲ କଥା ଫାଇଲ୍‍ରେ, କାଗଜପତ୍ର ସଜାଡ଼ି ରଖିଥିବ । ସେ କାମଟି ଠିକ୍‌ ଭାବରେ କରିବ କିଏ ? ଏଇ କାଲିକା ଟୋକା, ନଣ୍ଡି ଆଇ.ଏ.ଏସ୍‌. ଅଫିସର ? କ’ଣ ପରୀକ୍ଷାରେ ବୃହତ୍ତମ ନଦୀ କିଏ ଆଉ ତା’ର ଲମ୍ୱ ଓସାର ମୁଖସ୍ଥ କରି ଡଗଡ଼ଗ କହିଦେଲେ ବୋଲି ? ନା ସେଇ ଇଞ୍ଜିନିୟର୍, କଣ୍ଟ୍ରାକ୍ଟରଗୁଡ଼ାକ ଇଟା, ସିମେଣ୍ଟ, ଗୋଡ଼ିର ଭାଗମାପ ବହିରୁ ପଢ଼ି ମୁଖସ୍ଥ କରି ଦେଇଛନ୍ତି ବୋଲି ? ନା ସେଇ ମନ୍ତ୍ରୀ, ଏମ.ଏଲ. ଏଗୁଡ଼ାକ ଯେଉଁମାନେ ଗାଦିରେ ବସିବେ ବୋଲି ବୁଢ଼ିମା କାହାଣୀ ପରି କଥାଗୁଡ଼ିଏ ଚମକ ଲଗାଇ ଭୋଟବେଳେ ଲୋକଙ୍କୁ କହିଥାନ୍ତି ? କେହି ନୁହେଁ ବାବା, କେହି ନୁହେଁ ! ସିଏ ଆଉ ତାଙ୍କ ଫାଇଲ୍‍, ତାଙ୍କ ନୋଟ୍‌ସ ସବୁ ତ ସମସ୍ତଙ୍କର ମୁଣ୍ଡ ଖରାପ କରିଦେଉଛି । ଯେତେ ବୁଦ୍ଧି ଲଗା, ଯେତେ ଇଞ୍ଜିନ୍ ମୋଡ଼, କେହି ତାକୁ ଧରି ପାରିନି କି ଧରି ପାରିବନି । ସେ ନଥିଲେ କାହା ମୁଣ୍ଡରେ କିଛି ବୁଦ୍ଧି ପଶିବନି କି କେହି କିଛି ଜାଣି ପାରିବେନି–ବଢ଼ି ଆସି ଚାଟିଚୁଟି ନେଇଯିବ ଲୋକଙ୍କୁ, ତେବେ ଯାଇ ଚେତା ଫେରିବ । ହୁଁ.... !

 

କବାଟରେ ଠକ୍‌ ଠକ୍‌ ଶବ୍ଦ ହେଲା । ଚନ୍ଦ୍ରମଣିବାବୁ ଚମକି ପଡ଼ି ପଚାରିଲେ, ‘‘କିଏ ।’’

 

‘‘ମୁଁ ସୁଧା, ସୁଧାକର ?’’

 

‘‘ଓ, ସୁଧାକର ! ଆସ, ଆସ !’’ ସୁଧାକର ଚନ୍ଦ୍ରମଣିବାବୁଙ୍କ ଆସିଷ୍ଟାଣ୍ଟ୍ । ରିଲିଫ୍‌ କାମରେ ସକାଳୁ ଯାଇଥିଲା ।

 

ସୁଧାକର କାଦୁଅ ସରସର ହୋଇ ଘର ଭିତରକୁ ପଶି ଆସିଲା ଏବଂ କବାଟଟା ଆଉଜାଇ ଦେଇ କହିଲା, ‘‘ଆଜ୍ଞା ! ଲୋକେ କେମିତି ଜାଣି ପାରିଛନ୍ତି ଲୁଗା, କମ୍ୱଳ ଆସିଛି ବୋଲି-। ମୋ ସାଙ୍ଗରେ ଜୁଲୁମ । ବାହାରେ ସେଇ ମିଳିତ ଯୁବକସଂଘର ଚାରି ଜଣ ସଭ୍ୟ ଛିଡ଼ା ହୋଇଛନ୍ତି । ଲୁଗା-କମ୍ୱଳ ନେବେ, ତେବେ ଯାଇଁ ଯିବେ ।

 

‘‘କିହୋ ! ତୁମେ ମନା କଲନି...କହିଦେଲନି ବଣ୍ଟାସରିଛି ବୋଲି ! ବଡ଼ ଅଡ଼ୁଆରେ ତ ପକାଇଲ, ମୁଁ ମନା କରୁଛି, ଏଇ ଘନ ଯୋଗୁଁ ତ ସବୁ ଗଣ୍ଡଗୋଳ । ଏବେ–ଏବେ କହୁନ... !’’ ଚନ୍ଦ୍ରମଣିବାବୁଙ୍କ କଣ୍ଠ ଭୟରେ ଖନି ବାଜି ଯାଇଥିଲା ।

 

ସୁଧାକର କହିଲା, ‘‘ମୁଁ ସେମାନଙ୍କୁ ଡାକେ ଘର ଭିତରକୁ । ବୁଝେଇ କହିବା, ଅଳ୍ପ କେତେଖଣ୍ଡ...’’

 

ଘନ ଭିତରକୁ ପଶି ଆସି କହିଲା–‘‘ବସନ୍ତୁ ଆଜ୍ଞା, କିଛି ହେବନି । ମୁଁ ବାବୁମାନଙ୍କୁ ଘର ଭିତରକୁ ଡାକିଆଣେ, ବୋତଲଟାଏ ଗଲେ ଯିବ ପଛେ, ଏମିତି ଡରିଲେ ଚଳିବନା !’’

 

ସୁଧାକର ଓ ଚନ୍ଦ୍ରମଣିବାବୁ ଅନେଇଛନ୍ତି ବୋକା ଭଳି । ଘନ ଯାଇ ସେଇ ଚାରି ଜଣ ଯୁବକଙ୍କୁ ପାଛୋଟି ଆଣି ଟେବୁଲ ଚାରିପାଖରେ ଚାରିଟା ବେତମୋଡ଼ା ପକେଇ ଦେଇ, ବସେଇ ଦେଇ ହସି ହସି କହିଲା, ‘‘ଆଜ୍ଞାମାନେ ! ବସନ୍ତୁ, ଚା’ ମୁନ୍ଦେ ଦେବି ? କେତେ ବାଟରୁ ଧାଇଁ ଆସିଛନ୍ତି । ସବାଖାଈ ନଈ ତ ଭେଣ୍ଡା ଟୋକାଗୁଡ଼ାଙ୍କୁ ଦିନ ଦି’ଟାରେ ଗେଣ୍ଡା କରି ଛାଡ଼ିଦେଉଛି । କେତେବେଳେ ଯାଇ କ’ଣ ଖାଇଥିବ ନା ? ହଉ, ହଉ ମୁଁ ଦେଖେ ଯାଇ କିଛି ଦି’ଟା ପାଟିରେ ଦେବାକୁ ଅଛି କି ନାହିଁ ? ମୂଷା ଜ୍ୱାଳାରେ କ’ଣ ମୁଢ଼ି ଗଣ୍ଡେ ରଖି ହେଉଛି ହେଲେ ? ନୂଆ ଲୁଗାଗୁଡ଼ା ବାବୁ ବୁଦ୍ଧି କରି ସାଙ୍ଗେ ସାଙ୍ଗେ ବାଣ୍ଟି ଦେଲେ ସିନା, ନହେଲେ କାମ ସରିଥାନ୍ତା । ଏ ନଈକୂଳିଆ ମୂଷା ସବୁ କ’ଣ ହେଉଛନ୍ତିଲୋ ମା’, ଏ ମୂଷାଏ, ମଣିଷ ଖାଇଯିବେ କି ଆଉ ?’’ ମାଇଚିଆ ଘନ କଥାରେ ସମସ୍ତେ ହସି ଉଠିଲେ । ଚନ୍ଦ୍ରମଣିବାବୁ ବିନା କାରଣରେ ବେକମୂଳଟା ତଉଲିଆରେ ପୋଛି ଚାଲିଥିଲେ । ନିମିଷକ ମଧ୍ୟରେ ଚାରିଟା ଗ୍ଲାସ୍‌ରେ କିଛି ପାନୀୟ ଆଉ କୁକୁଡ଼ା ରୋଷ୍ଟ୍ ଗୋଟାଏ ଆଣି ଥୋଇ ଦେଇ ହାତ ଯୋଡ଼ି ଘନ କହିଲା, ‘‘ଆଉ କିଛି ନାହିଁ । କାଲି ବଡ଼ବାବୁ ଆସିଥିଲେ ଯେ, ବୋତଲଟା ଛାଡ଼ି ଯାଇଥିଲେ । କୁକୁଡ଼ାଟାଏ ବଳିଗଲା ଯେ ଆମ ବାବୁଙ୍କପାଇଁ ଛାଡ଼ି ଦେଇ ଗଲେ । ବାବୁ ତ ଏସବୁ ଛୁଅନ୍ତି ନାହିଁ, ଦେହ ବାଧିକା ହେଲେବି ନୁହେଁ । କୁକୁଡ଼ାଟା ମରମର ହେଲା ଯେ ମୁଁ ସିଝେଇ ଦେଲି, ମୁଁ କ’ଣ ଏକା ଖାଇବି ? ପିଲାଛୁଆ କଥା ମନେପଡ଼ି ଆଖିରୁ ପାଣି ଗଡ଼ୁଥିଲା । ଭାଗ୍ୟକୁ ଆପଣମାନେ ଆଇଲେ...’’

 

ଘନ ଗାମୁଛା କାନିରେ ଲୁହପୋଛିଲା । ଚନ୍ଦ୍ରମଣିବାବୁ ଅନେଇ ଦେଖିଲେ ଚାରୋଟିଯାକ ଯୁବକଙ୍କ ଆଖି ନିବଦ୍ଧ ରହିଛି ସେହି ପାନୀୟ ଉପରେ । ମୁହଁରେ ପୂର୍ବର ତୀବ୍ରତା ନାହିଁ । ଦୃଷ୍ଟିରେ କିଛିଟା ଲୋଭ !

 

ଥଙ୍ଗେଇ, ଥଙ୍ଗେଇ ଚନ୍ଦ୍ରମଣିବାବୁ କହିଲେ, ‘‘ସକାଳେ ଆସନ୍ତୁ ବାବୁମାନେ । ମୁଁ ଶୁଣିଲି ଯେଉଁଥିପାଇଁ ଆସିଛନ୍ତି, ହେଲେ ପ୍ରଥମ ଥୋକ ତ ବଣ୍ଟା ସରିଛି । ଆଉ ଆସିବ, ଆସିଲାକ୍ଷଣି ମୁଁ ସଙ୍ଗେ ସଙ୍ଗେ ଗାଁ ଗାଁ ବାଣ୍ଟିଦିଏ ।’’

 

ସୁଧାକର କହିଲା–‘‘ଖା’ନ୍ତୁ ! ଥଣ୍ଡା ହୋଇଗଲେ ଭଲ ଲାଗିବନି । ଆରେ, ଏଥିରେ ଲାଜ କରିବାର କ’ଣ ଅଛି ? ଓ, ସାର୍‌ଙ୍କୁ ଲାଜ କରୁଛ ? ସେ କିଛି ନୁହେଁ, ସେ ତ ଛୁଇଁବେନି ଏସବୁ ଜିନିଷ । ଆପଣମାନେ ଆରମ୍ଭ କରନ୍ତୁ ନା ।’’

 

ସୁଧାକର କଥାରେ ସମସ୍ତେ ଖାଇବା ଓ ପିଇବାରେ ମନଦେଲେ । ବହୁ ଦିନ ଧରି ଏପରି ଖାଦ୍ୟ ଯୁଟି ନାହିଁ ଯେପରି ! ତାଙ୍କ ଭିତରୁ ଜଣେ ଯୁବକ କହିଲା, ‘‘ଦେଖନ୍ତୁ ! ଆମ ଗାଁର ଲୋକେ ଖଣ୍ଡେବି ଲୁଗା ପାଇ ନାହାନ୍ତି, ଚାଉଳରେ ଖାଲି ଧାନ, ଗୋଡ଼ି, କିରାସିନିରେ ନିଆଁ ଧରୁନି... !’’

 

ଘନ ବାହାରିପଡ଼ି କହିଲ, ‘‘ମୁଁ କହୁନି ଆଜ୍ଞା ! ହାରାମଜାଦାଏ ବଦନାମ କରିବେ ବୋଲି ସେମିତିଆ ଜିନିଷ ଉପରୁ ପଠାଉଛନ୍ତି, ତେଲ ନୁହେଁ ତ ପାଣି–କମ୍ୱଳର ଦେଖା ନାହିଁ । ଲୋକଙ୍କୁ, ଖବରକାଗଜକୁ, ରେଡ଼ିଓକୁ ବତେଇଦେଲେ କ’ଣ ନା ସବୁ ପଠାହୋଇଛି ।’’

 

ଚନ୍ଦ୍ରମଣିବାବୁ କାନ କୁଣ୍ଡେଇ କହିଲେ, ‘‘କୋଡ଼ିଏବର୍ଷ କାଳ ବଢ଼ି, ମରୁଡ଼ି ଆଉ ବାତ୍ୟାରେ ରିଲିଫ୍‌ କାମ କରୁଛି, ହେଲେ ଏବର୍ଷ ପରି କେବେ ହୋଇନି ! ସବୁ ଠକାମି ମାଲ୍, ଖାଲି ଭାଷଣ ଆଉ ଲୋକଙ୍କୁ ମିଛ କହିବା ଆମ ନେତାଙ୍କ କାମ । ଶେଷରେ ସବୁ ଦୋଷ ନଦି ଦିଆଯିବ ଆମ ଭଳିଆ କିରାଣିଙ୍କ ଉପରେ । ଆପଣମାନେ ଆମକୁ ଭୁଲ୍ ବୁଝିବେ... !’’

 

କୁକୁଡ଼ାର ଗୋଡ଼ ଚୋବଉ ଚୋବଉ ଜଣେ ଯୁବକ କହିଲା ବିନୀତ କଣ୍ଠରେ, ‘‘ନାହିଁ ସାର୍‌ ! ଆପଣଙ୍କୁ କାହିଁକି ଆମେ ଭୁଲ୍ ବୁଝିବୁ ? ଦେଶଟା ଆଉ ସିଷ୍ଟମ୍‌ଟା ତ ସେଇଆ ! ଆମେ ଶୁଣିବାକୁ ପାଇଲୁ ଲୁଗା ବଣ୍ଟା ହେଉଛି, ସେଇଥିପାଇଁ ଆସିଥିଲୁ । କାଲି ଏସବୁ ଆମେ ଖବରକାଗଜକୁ ଦେଉଛୁ ।’’

 

ଘନ ବାହାରି ପଡ଼ି କହିଲା, ‘‘ହେଇଟି ବାବୁମାନେ ! ବଣ୍ଡିଲଟା ଆସି ପହଞ୍ଚି ଯାଉ, ତା’ପରେ ଲେଖିବ । ଦିନେ ଦି’ଦିନ ସବୁର କର । ତମେ ସିନା ଯେମିତି ସେମିତି ଚଳିବ, ଛୁଆପିଲା ମା’ ଭଉଣୀଏ ଦେହ ଢାଙ୍କିବେ ତ ପୁଣି ?’’

 

ସୁଧାକର କହିଲା, ‘‘ହଁ, ଆଠ ଦିନ ଭିତରେ ଆସିଯିବ । ନହେଲେ ମୁଁ ଚିଠି ଦେଇ ତୁମ ଗାଁପାଇଁ ଅର୍ଡ଼ର କରି ଆଣିବି ।’’

ସେତେବେଳକୁ ଚାରିଜଣଯାକ ଯୁବକ ପରସ୍ପର ମୁହଁକୁ ଚାହିଁ କ’ଣ କହିବେ ଜଣା ଯାଉ ନଥିଲା । ସତେ ଯେମିତି ପ୍ରସ୍ତୁତ କରି ଆସିଥିବା ବକ୍ତବ୍ୟଟି ସେମାନେ ଭୁଲି ଯାଉଛନ୍ତି ।

 

ଘନ ବାହାରି ପଡ଼ି କହିଲା, ‘‘ଆଜ୍ଞା, ଜିପ୍‌ର ଡ୍ରାଇଭର ହାଲିଆ ହୋଇ ପଡ଼ିଛି, ତରତର ହେଉଛି ଶୋଇବାକୁ ଯିବ । ସକାଳେ ପୁଣି ତାକୁ ଯିବାକୁ ହେବ । ଆପଣମାନେ ଯଦି ଯିବେ ଏଇଲେ ଛାଡ଼ିଦେବ...କାଦୁଅ ମାଟି, ଜନ୍ତୁଜୁନ୍ତା ଥିବେ, ଚାଲିକରି ଯାଆନ୍ତୁ ନାହିଁ । ଭଲମନ୍ଦ ଚିନ୍ତାରେ ବାବୁଙ୍କୁ ରାତିରେ ନିଦ ହେବନି !’’

 

‘‘ହଉ ଆଜ୍ଞା, ଆସୁଛୁ ! ନମସ୍କାର ।’’ ଯୁବକ ଚାରି ଜଣ ମିଳିତ କଣ୍ଠରେ କହି ଦ୍ୱାରବନ୍ଧ ଆଡ଼କୁ ଆଗେଇଲେ । ଚନ୍ଦ୍ରମଣିବାବୁଙ୍କ ସୂଷ୍ମ ଆଖି ସେମାନଙ୍କ ପାଦର ସ୍ଥିରତା ମାପୁଥିଲେ । କେବଳ ନୀରବରେ ଘନ ଓ ସୁଧାକର ସେମାନଙ୍କୁ ଅନୁସରଣ କରି ବାହାରକୁ ଗଲେ ।

 

ସୁଧାକର ଫେରି ଆସି କହିଲା, ‘‘ବୁଝିଲେ ସାର୍‌ ! ଏକଦମ୍ ପ୍ରତିଜ୍ଞା ନେଇ ଆସିଥିଲେ ଏଠି ଘର ଭିତରେ ପଶି ଫାଇଲ୍‌ କାଗଜପତ୍ର ଦେଖିବେ । ମାତ୍ର ଘନ ତ ସବୁ ବିଗାଡ଼ିଦେଲା !’’

 

ଚନ୍ଦ୍ରମଣିବାବୁ ଆଶ୍ୱସ୍ତ ହୋଇ କହିଲେ, ‘‘ମୁଁ କହୁଛି, ଲୋକଗୁଡ଼ାକ ଏବେ ଚାଲାଖ୍ ହୋଇଗଲେଣି । ସରକାର ଗାଁଗଣ୍ଡାଗୁଡ଼ିକୁ ସଜାଡ଼ି ହାତରେ ରଖିବ କ’ଣ ଖାଲି ବିଗାଡ଼ିବାରେ ଲାଗିଛି । କିହୋ, ତୁମ ଟିପଚିହ୍ନକୁ କିଏ ବିଶ୍ୱାସ କରିବ ? ସମସ୍ତେ ପରା ଏବେ ପଢ଼ିଲେଣି ? ତୁମେମାନେ ମରିବ ଆଉ ମୋତେ ମାରିବ । ମୋର ଏତେ ଦିନର ରେପୁଟେସନ...!’’

 

‘‘କାହିଁକି ଆଜ୍ଞା ବ୍ୟସ୍ତ ହେଉଛନ୍ତି ? ନରି ଡ୍ରାଇଭର ଫେରୁ । ଟ୍ରକ୍‌ରେ ରାତାରାତ ମାଲ୍‌ ନେଇଯିବ । ସକାଳକୁ ସାଫ୍‌ । ପେଟରେ ଦାନା ନାହିଁ, ଦେହ ନଙ୍ଗଳା, ଦସ୍ତଖତ ମିଳାଇ ଦେଖିବେ କୁଆଡ଼େ ଏଇ କାଙ୍ଗାଳିଆ ଦଳ ! ଆପଣ ଆରାମରେ ଖାଇ ଶୁଅନ୍ତୁ ତ ? କୋଉ ପାର୍ଟି, କୋଉ ସରକାର ମନ୍ତ୍ରୀଙ୍କର ଗରଜ ନଥିଲା ଏସବୁ ଦେଖିବାକୁ ଏ ବଣ ଜଙ୍ଗଲକୁ ଧାଇଁ ଆସିବେ ? ତୁଚ୍ଛାକୁ ଡରୁଛନ୍ତି ! ସାହସୀ ନହେଲେ ଏ ଯୁଗରେ କିଏ ଚଳେ ବାବୁ !’’

 

ସାଏଁକିନା ଓସ୍ତ ଗଛର ପବନ ଆସି ଲଣ୍ଠନଟା ଲିଭାଇଦେଲା ସୁଧାକର ଓ ଚନ୍ଦ୍ରମଣିବାବୁ ଉଭୟ ଖସ୍‌ଖସ୍‌ ପବନ ଶବ୍ଦରେ ଚମକି ପଡ଼ିବା ପୂର୍ବରୁ ଅନ୍ଧାର ଭରିଯାଇଥିଲା ଚତୁର୍ଦ୍ଦିଗରେ !!

 

(ତିନି)

 

ଟେବୁଲ୍‌ ଉପରେ ଫୋନ୍‌ଟା କ୍ରିଂ କ୍ରିଂ କରି ବାଜିଉଠିଲା । ରଞ୍ଜନବାବୁ ଫୋନ୍‌ ଧରି ପ୍ରସ୍ତୁତ ହେଲେ । ଜାଣନ୍ତି ଏ ଆସିଛି ଖୋଦ୍‌ ଇଜଲାସରୁ ।

 

ଆସେମ୍ଳିପାଇଁ ଉତ୍ତରଗୁଡ଼ା ରେଡ଼ି ହୋଇଛି କି ନାହିଁ ତା’ର ତଦାରଖ ସରିବା ପରେ ଗୁରୁଗମ୍ଭୀର କଣ୍ଠରେ ପ୍ରଶ୍ନ ହେଲା, ‘ଆପଣ ଠିକ୍‌ ଜାଣନ୍ତି ତ ଲୋକଙ୍କ ପାଖରେ ବେନିଫିଟ୍‌ସ ପହଞ୍ଚୁଛି କି ନାହିଁ ? ଅଫିସରମାନଙ୍କ ରିପୋର୍ଟ କ’ଣ ? ସମ୍ୱାଦପତ୍ର ତ ପ୍ରତ୍ୟହ ଦେଖୁଥିବେ !’

 

ଟାଇଟା ବେକ ପାଖରେ ଭିଡ଼ି ଧରି ରଞ୍ଜନବାବୁ କହିଲେ–‘‘ଇଏସ୍‌ ସାର୍‌ ଆସେମ୍ଳି ପ୍ରଶ୍ନୋତ୍ତର ମୁଁ ଦେଖିଛି କାଗଜରେ । ଆମର ଫାଇଲ୍‍ପତ୍ର କାଗଜ ଠିକ୍‌ ଅଛି । ଅନେଷ୍ଟ ଅଫିସରମାନେ ବଚିଶିଘଣ୍ଟା କାମରେ ଲାଗିଛନ୍ତି । ଅବଶ୍ୟ ବିରୋଧୀଦଳମାନେ... !’’

 

‘‘ସେଇଟାକୁ ଦେଖିବାକୁ ହୁଏ । ଫାଇଲ୍‍ପତ୍ର କିଏ ଦେଖୁଛି ?

 

‘‘ଇଏସ୍‌ ସାର୍‌ ! ଆଇ ସାଲ ଟ୍ରାଇ ମାଇ ବେଷ୍ଟ୍‌... !’’

 

ସେପଟରେ ବିନା ଉପକ୍ରମଣିକାରେ ଫୋନ୍‌ଟା ଥୁଆ ହୋଇଗଲା । ବୁଝା ପଡ଼ିଲାନି ବିରକ୍ତିଭାବ କି ସନ୍ତୋଷଭାବ ।

 

ଗମ୍‌ ଗମ୍‌ ହୋଇ ଅସରାଏ ଝାଳ ବହିଗଲା ରଞ୍ଜନବାବୁଙ୍କ ଦେହରୁ । ଏୟାର କଣ୍ଡିସନ୍‌ଡ଼ ରୁମ୍, ତେବେବି ଗରମ । କଲିଂ ବେଲ୍‌ ଟିପି ସେ ଷ୍ଟେନୋକୁ ଡାକି ପଠାଇଲେ । ଗୁଡ଼ାଏ ନନ୍‍ସେନ୍‌ସ୍ ତାଙ୍କ ଭାଗ୍ୟକୁ ଯୁଟିଛନ୍ତି । କୌଣସି କାମ ଠିକ୍‌ ସମୟରେ ହେଉନି । ନିମିଷକରେ ଷ୍ଟେନୋ ଓ ତା’ପଛକୁ ହେଡ଼୍-ଆସିଷ୍ଟାଣ୍ଟ୍ କୁମୁଦବାବୁ ଆସି ସନ୍ତର୍ପଣରେ ଛିଡ଼ା ହୋଇଗଲେ ।

 

ସିଗାରେଟର ଟୁକୁରାଟା ଟ୍ରେରେ ପକେଇ ରଞ୍ଜନବାବୁ ପଚାରିଲେ, ‘‘ପେପର୍‌ଟା ରେଡ଼ି ହେଲା ?’’

 

‘‘ଆଜ୍ଞା ! ସବୁ ଡାଟା, ରେକର୍ଡ଼୍ ଦେଇଛି । ଖାଲି ଆପଣ ଆଖି ପକେଇ ଦେଲେ ଡିଟୋ କପି ହୋଇଯିବ ।’’

 

‘‘ଠକା କାମ ନୁହେଁ ତ । ଖୋଦ୍ ମନ୍ତ୍ରୀ ଥିବେ ମିଟିଙ୍ଗ୍‍ରେ । ଅନ୍ତତଃ ପଚାଶବର୍ଷର ରିଲିଫ୍‌ ରେକର୍ଡ଼୍... !’’

 

‘‘ସେ କଥା କହିବାକୁ ହେବନି ଆଜ୍ଞା, ଶହେବର୍ଷର ହିସାବପତ୍ର-କିତା କିତା କରି ଦେଇଛି । ତା’ ସାଙ୍ଗକୁ ଏବର୍ଷ କେତେକଅଣ ହୋଇଛି, କେତେ କାମ ଆଗେଇଛି, ସବୁର ହିସାବ ଦେଇଛି ।’’

 

‘‘ମାତ୍ର...ମାତ୍ର ଲୋକଙ୍କ ପାଖରେ ବେନିଫିଟ୍‌ସ କି ସର୍ଭିସ ପହଞ୍ଚିନି ବୋଲି ମନ୍ତ୍ରୀଙ୍କ ପାଖରେ କମ୍‌ପ୍ଲେନ୍‌ ! ଯଦି କାମ ଆଗେଇଛି ତେବେ... ?’’

 

‘‘ଆଜ୍ଞା ! ଏ ଖବରକାଗଜବାଲା ଆଉ ବିରୋଧୀଦଳଙ୍କ କାମ । ତାଙ୍କ କାମ ସେ କରିବେ, ଆମ କାମ ଆମେ କରିବା । ଦେଶସେବାରେ ଆମେ ସରକାରୀ କର୍ମଚାରୀ ଏତେ ଛନ୍ଦକପଟରେ ପଡ଼ିଲେ ଚଳିବ ? ମନ୍ତ୍ରୀଙ୍କ ପାଖକୁ...’’ ।

 

‘‘ଆଚ୍ଛା ! ଏଥର ଆପଣ ଯାଇ ଟାଇପ୍‌ କାମଟା ସାରି ଦିଅନ୍ତୁ । ମୁଁ ଡିକ୍ଟେସନଟା ଦେଇଦିଏ ।’’

 

ହେଡ଼୍‍ ଆସିଷ୍ଟାଣ୍ଟ୍ ଚାଲିଗଲେ । ବୟସ୍କ ଲୋକ, ଦୁଇବର୍ଷ କି ତିନିବର୍ଷ ଅଛି ରିଟାୟାର୍‌ କରିବାକୁ । ବଢ଼ି ମରୁଡ଼ି ବାତ୍ୟାପାଇଁ ନୋଟିସ୍ ଲେଖି, ଡ୍ରାଫ୍‌ଟ୍‍ସ କରି ଆସେମ୍ଳି ଓ ସାମ୍ବାଦିକଙ୍କ ଉତ୍ତର ପ୍ରସ୍ତୁତ କରି ସେ ବୁଢ଼ା ହୋଇଗଲେଣି । ରଞ୍ଜନବାବୁ ତାଙ୍କୁ ଦେଖିଲେ ଟିକିଏ ସଂକୁଚିତ ହୋଇପଡ଼ନ୍ତି । ମାତ୍ର ଯେତେ ଲୋକ ଭରସାଦେଲେବି ମନ ଭିତରେ ଗୋଟାଏ କ’ଣ ଅଭାବ ଯେପରି ଛଟପଟ ହେଉଛି ! ଯେଉଁ ଲୋକମାନଙ୍କ ପାଇଁ ଏ ଯୋଜନା, ସେମାନଙ୍କ ପାଖରେ ବେନିଫିଟ୍‍ସ ପହଞ୍ଚୁଛି ତ ? ଏଇଟା ଗୋଟାଏ କ’ଣ ପ୍ରଶ୍ନ ? ମନେହେଉଛି, ଅଦୃଶ୍ୟରୁ ବୋମାଟାଏ କିଏ ଫିଙ୍ଗିଦେଲା !

 

ଅନ୍ୟମନସ୍କ ଭାବରେ ସେ ଡିକ୍ଟେସନ ଦେବା ଶେଷ କଲେ ଏବଂ ସେମିତି ମଧ୍ୟ ଆଗାମୀ କାଲିର ମିଟିଙ୍ଗ୍‍ପାଇଁ ଦରକାରୀ କାଗଜ, ଭାଷଣର କପି ଇତ୍ୟାଦି ନେଇ ସେ ଆସି ଗାଡ଼ିରେ ବସିଲେ । ଯେତେ ଯାହାହେଉ, ଇଜ୍ଜତଟା ବଡ଼କଥା । ଜାତୀୟସ୍ତରରେ ଏତେ ବଡ଼ ମିଟିଙ୍ଗ୍, ସେଠି ଯେତେବେଳେ ନିଜକୁ ଉପସ୍ଥାପନା କରିବେ ସେତେବେଳେ ଭୟାଳୁ ଭାବଟା ଏକଦମ୍‌ ରହିବା ଉଚିତ ନୁହେଁ ! ଦେଶରେ ପ୍ରତ୍ୟହ ସମସ୍ୟା ଲାଗି ରହିଥିବ, ସମାଧାନର ପନ୍ଥାବି ବାହାରୁଥିବ । ଭଲ ଅଫିସରଙ୍କ କାମ ହେଲା ସମସ୍ୟାର ସମ୍ମୁଖୀନ ହୋଇ ସମାଧାନର ପନ୍ଥା ବାହାର କରିବା । ସେଥିପାଇଁ ତ ଏତେ ମୋଟା ଦରମାରେ, ଏତେ ଥାଟରେ ରହିବାକୁ ସେମାନଙ୍କୁ ପଡ଼ିଥାଏ । ଲୋକଙ୍କ ବେନିଫିଟ୍‍ସ ପାଇଁ... ।

 

ଅଜବ ପ୍ରଶ୍ନ ! ଏମିତି କେହି ତାଙ୍କୁ ପଚାରି ନଥିଲେ । ଲକ୍ଷ ଲକ୍ଷ ଟଙ୍କାର ରିଲିଫ୍‌ ଜିନିଷ ସେ ପଠାଉଛନ୍ତି, ଗାଁ ଗାଁକୁ ଅଫିସର ନେଇ ଯାଉଛନ୍ତି । କ୍ୟାମ୍ପ୍ ପଡ଼ୁଛି, ବଣ୍ଟା ଚାଲିଛି, କାଗଜପତ୍ର ଭାଉଚର ସବୁ ପ୍ରସ୍ତୁତ ଏବଂ ଅପ୍‌ଟୁଡ଼େଟ୍‌ ମଧ୍ୟ । ସେମିନାର, ମିଟିଙ୍ଗ୍ ସବୁର ସେ ମୁକାବିଲା କରିଛନ୍ତି, ଖୁବ୍‌ ସୁନ୍ଦର ତିଥି-ବାର-ନକ୍ଷତ୍ର ଦେଇ ଉପଯୁକ୍ତ ଭାଷାର ଜାଲରେ ବିମର୍ଷ କଣ୍ଠରେ ସେ ଲୋକଙ୍କର ଦୁର୍ଦ୍ଦଶା, ନଈବଡ଼ି, ମରୁଡ଼ି ଓ ବାତ୍ୟାର ବର୍ଣ୍ଣନା ଦେଇ ଚକ୍ଷୁରେ ପାଣି ମଧ୍ୟ ଆଣିଛନ୍ତି ! ତାଙ୍କର କ୍ୟାରେକ୍ଟର୍ ରିପୋର୍ଟ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ଚାଲିଛି । ତଥାପି କାହିଁକି ମନରେ ଆଜି ହଠାତ୍‌ ଗୋଟାଏ ପ୍ରଶ୍ନରେ ଏତେ ବିଷାଦ ! ପ୍ରଶ୍ନଟାର ଉତ୍ତର ଦେଲା ପୂର୍ବରୁ ମନ୍ତ୍ରୀ ଫୋନ୍‌ଟା ଛାଡ଼ିଦେଲେ ବୋଲି ? ସତେ ଯେପରି ସେ ପ୍ରଶ୍ନଟାର ଉତ୍ତର ପ୍ରଶ୍ନକର୍ତ୍ତା ଜାଣନ୍ତି, ଭୁଲ୍‍ବଶତଃ ପୁନରାବୃତ୍ତି କରିପକାଇଥିଲେ ! ନା, ସେ ପ୍ରଶ୍ନଟାର ଉତ୍ତର ରଞ୍ଜନବାବୁ ଯାହା ଦେବେ ଭୁଲ୍ କିମ୍ବା କାଳ୍ପନିକ, ଯାହାକୁ ଶୁଣିବାକୁ କାହାର ଆଉ ଧୈର୍ଯ୍ୟ ନାହିଁ !

 

ଭୀଷଣ ଆଶ୍ୱସ୍ତିରେ ରଞ୍ଜନବାବୁ ଗ୍ୟାରେଜ୍‌ରେ ଗାଡ଼ି ରଖି ନିଜ ଘରର ବାରଣ୍ଡା ଉପରକୁ ଅଳସ ପାଦ ଉଠାଇଲେ । ଶୂନଶାନ୍‌, ପିଲାଗୁଡ଼ାକ ଖେଳିବାକୁ ଯାଇଛନ୍ତି । ସ୍ତ୍ରୀ ସବିତା ମ୍ୟାଟିନୀ ସୋ’ରୁ ଫେରିଛନ୍ତି କି ନାହିଁ ସନ୍ଦେହ ! ସବୁଦିନେ ଅଫିସ୍‍ରୁ ଫେରି ସେ ଚାହାନ୍ତି ଚୁପ୍‌ଚାପ୍‌ ବସିବେ, ଚା’ ପିଇବେ, କାଗଜ ପଢ଼ିବେ, ମନହେଲେ ଟିକେ ଆର୍ମଚେୟାରରେ ଢୁଳେଇ ପଡ଼ିବେ । କାହା ସଙ୍ଗରେ କଥା ନ କହି ନିଜ ସହିତ ଅନ୍ତରଙ୍ଗ ହେବାକୁ ଟିକିଏ ଚାହିଁଲେବି କେବେହେଁ ତାହା ମିଳେନି । କିନ୍ତୁ ଆଜି ଶୂନଶାନ୍‌ ଘର ଦେଖି ବିରକ୍ତ ଲାଗୁଛି, ଗୁଡ଼ାଏ ଆଡ଼ୁସାଡ଼ୁ ବାଜେ କଥା ଗପି ଦେଲେ ଅନ୍ତତଃ ହାଲ୍‌କା... ।

 

ଫୋନ୍‌ଟା କ୍ରିଂ କ୍ରିଂ କରି ବାଜି ଉଠିଲା । ନା, ନିସ୍ତାର ନାହିଁ । କୁଆଡ଼େ ଗଲେ ସବୁ ପିଅନଯାକ ? ଓଃ ! ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ କେହି ଧରି ମନା କରି ଦିଅନ୍ତାନି... ! ନା, ଅଗତ୍ୟା ଫୋନ୍‌ ଉଠାଇ ଚମକିପଡ଼ିଲେ ରଞ୍ଜନବାବୁ !

 

‘‘କହୁଛି ସାର୍‌ ! ନମସ୍କାର !’’

 

‘‘ଅମୁହାଁ ବନ୍ଧ ଭାଙ୍ଗିଥିବାର ଖବର ଆସିଛି, ଇମିଡ଼ିଏଟ୍‌ ଆକସନ୍‌ ନେବାକୁ ହେବ !’’

 

‘‘ଇଏସ୍‌ ସାର୍ !’’

 

‘‘ଗଲାବର୍ଷ ବନ୍ଧ ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ? ସେ କନ୍‌ସିଚ୍ୟୁଏନ୍‌ସିର ଏମ.ଏଲ.ଏ. କମ୍‌ପ୍ଲେନ୍ କରିଛନ୍ତି, କିଛି ରିପେୟାର ହୋଇନି, ଏମିତିକି ବଢ଼ି ପୂର୍ବରୁ କେହି ସୁପରଭାଇଜ୍‌ କରିବାକୁ ଯାଇନାହାନ୍ତି !’’

 

‘‘ଇଏସ୍ ସାର୍‌ ନୋ, ଆମ୍‌ ସରି, ସାର୍‌ ! କୋଡ଼ିଏ ଚାଳିଶ ହଜାର, ମାନେ ସାର୍‌ ଏକ୍‌ଜାକ୍ଟ ତ ମନେପଡ଼ୁନି, ଖର୍ଚ୍ଚ ହୋଇଛି । ଚିଫଇଞ୍ଜିନିୟର୍ ଇତ୍ୟାଦି ଯାଇଛନ୍ତି । ଫାଇଲ୍, କାଗଜପତ୍ର ମାନେ ରେକର୍ଡ଼୍ ସବୁ ଠିକ୍‌ ଅଛି ।’’

 

ଆରପଟରୁ ଗୁରୁଗମ୍ଭୀର କଣ୍ଠରେ ପ୍ରଶ୍ନ ହେଲା ‘‘ଆଇ ମିନ୍‌ ! ରେକର୍ଡ଼୍ ଠିକ୍‌ ଅଛି । ମାତ୍ର ଲୋକଙ୍କ ପାଖରେ ବେନିଫିଟ୍‌ସ ଓ ଗଭର୍ଣ୍ଣମେଣ୍ଟ ସର୍ଭିସେସ୍‌ ପହଞ୍ଚିଛି ତ ? କେତେ ? ତା’ର ପର୍ସେଣ୍ଟେଜ୍‌ର ରେକର୍ଡ଼୍‍ସ କେତେ ?’’

 

ଉତ୍ତରକୁ ଅପେକ୍ଷା ନ ରଖି ସେପଟରେ ଫୋନ୍‌ଟା ଥୁଆ ହୋଇଗଲା !

 

ନନ୍‌ସେନ୍‌ସ ! ଲୋକଙ୍କ ପାଖରେ ବେନିଫିଟ୍‌ସ, ସର୍ଭିସେସ୍‌ ପହଞ୍ଚେଇବା ପାଇଁ କ’ଣ ରଞ୍ଜନ ଦାସ ବ୍ୟତୀତ କେହି ଆଉ ନାହିଁ ? ଦୀର୍ଘ ଏକ ମାସ ଧରି ଏହି ପ୍ରଶ୍ନର ଉତ୍ତର ତାଙ୍କୁହିଁ କେବଳ ସମସ୍ତେ ପଚାରିବେ ଓ ସେ ସବୁର ଉତ୍ତର ଦେବାପାଇଁ ସେଇହିଁ ବାଧ୍ୟ ! କାହିଁକି ? ଦେଶସାରା ଏତେ ଦାୟିତ୍ୱସମ୍ପନ୍ନ ବିଜ୍ଞ ବ୍ୟକ୍ତି ଅଛନ୍ତି, କେହି କ’ଣ ମୁଣ୍ଡ ଘୂରାଇବେନି ?

 

ଡ୍ରଇଂରୁମ୍‍ରେ କ୍ଷୁଧିତ ବ୍ୟାଘ୍ର ପରି ଏପଟ ସେପଟ ଘୂରୁଥିଲେ ରଞ୍ଜନବାବୁ । ମୋଜା, ଟାଇ ଓ ଜୋତା ଛିନ୍‌ଛତର ହୋଇ ପଡ଼ିଥିଲା ଓ ମୁଣ୍ଡ ଉପରେ ବିକଟ ଶବ୍ଦ କରି ଫ୍ୟାନ୍‌ଟା ଘୂରୁଥିଲା !

 

ଏତିକିବେଳେ ସବିତା ଫେରି ଆସି ଚିଲେଇ ଉଠିଲେ, ‘‘ଏ ମା’ ! କ’ଣ ହେଲା ତୁମର ! ଏତେ ଟାୟାର୍ଡ଼ ଦିଶୁଛ କାହିଁକି ?’’ ରଞ୍ଜନବାବୁ ଆଖି ମେଲି ଚାହିଁଲେ । ସବିତାଙ୍କ ଦେହସାରା କାଦୁଅ, ଶାଢ଼ି ଓଦା ଓ ମଇଳା !

 

ହସି ଦେଇ ସବିତା କହିଲେ, ‘‘ଏଇ ଦେଖ, ରାଗିବନି ! ତୁମକୁ ଗଲାବେଳେ କହି ପାରିଲିନି । ପ୍ରାୟ ପଚାଶ ଜଣ ଯାଏଁ ଅଫିସରଙ୍କ ସ୍ତ୍ରୀ ଆସି ପହଞ୍ଚିଲେ–ବାଧ୍ୟ କଲେ ରିଲିଫ୍‌ ବାଣ୍ଟି ଯିବାକୁ । ଯାଇଥିଲୁ । କି ଯେ ଅବସ୍ଥା ଲୋକଙ୍କର, ତୁମେ ଆଖିରେ ନ ଦେଖିଲେ ଜାଣିପାରିବନି । ଏତେ ରିଲିଫ୍‌ କାମ ତୁମର ଚାଲିଛି, କାହିଁ ଲୋକଙ୍କ ପାଖରେ ତ କିଛି ବେନିଫିଟ୍‌ସ ପହଞ୍ଚି ନାହିଁ !’’

 

‘ସବିତା !’

 

ଆଚ୍ଛା କଥା, ରାଗୁଛ କାହିଁକିମ ? ଦେଖିବନି କି ଆଜି ସମ୍ବାଦପତ୍ରରେ ଫଟୋ ବାହାରିବ ଆଉ ସାମ୍ବାଦିକମାନଙ୍କର ଉଚ୍ଛ୍ୱସିତ ଭୂରି ଭୂରି ପ୍ରଶଂସା’ ।

 

‘‘ସେଇଥିପାଇଁ ଯାଇଥିଲ ତାହାହେଲେ ? ମୁଁ ଭାବିଲି... !’’

 

‘‘କ’ଣ ? କ’ଣ ଭାବିଲ ? ଫଟୋ ଉଠେଇବାକୁ । ମନ୍ତ୍ରୀଙ୍କ ସଙ୍ଗରେ ସାକ୍ଷାତ କରି ଡୋନେସନ୍‌ସ ଦେବାକୁ, ନାଆଁ କିଣିବାକୁ ମୋର ଆଉ ଇଚ୍ଛା ନାହିଁ...ଯାଇଥିଲି ।’’

 

‘‘କୁହ ! ଅଟକିଗଲ କାହିଁକି ? ଆମ କାମର ତଦାରଖ କରିବାକୁ ତାହାହେଲେ ? କ’ଣ ଦେଖିଲ, ଲୋକଙ୍କ ପାଖରେ ବେନିଫିଟ୍‌ସ ଓ ସର୍ଭିସେସ୍ ଠିକ୍‌ ଭାବରେ ପହଞ୍ଚିଛି କି ନାହିଁ ?’’

 

‘‘ମ...ସେଗୁଡା କ’ଣ ମୁଁ ଦେଖିନି ଯେ, ଦେଖିବାକୁ ଯାଇଥାନ୍ତି ? ତୁମର ସେ କଥାର ଅର୍ଥ ମୁଁ ବୁଝୁଛି । ଯାଇଥିଲି ତୁମର ଭଲପାଇଁ... ।’’

 

ଫୋନ୍‌ଟା ପୁଣି କ୍ରିଂ କ୍ରିଂ କରି ବାଜି ଉଠିଲା ! ସବିତା କହିଲେ, ‘‘ରୁହ ! ମୁଁ ଧରୁଛି ଫୋନ୍‌ ।’’

 

ସବିତା ଫୋନ୍‌ ଉଠାଇ ନିର୍ଭୀକ କଣ୍ଠରେ କହିଲେ–‘‘ଆଜ୍ଞା ! ସେ ଆସିଥିଲେ ଯେ ପୁଣି କ’ଣ କାମରେ ଚାଲିଗଲେ ! ନଦୀ ବଢ଼ି ଦିନୁ ସେ ତ ପ୍ରାୟ ରାତିରେ କେବେ ଆସୁଛନ୍ତି କି ନାହିଁ ଠିକ୍‌ ନାହିଁ ସେଇ ରିଲିଫ୍‌ କାମରେ ବ୍ୟସ୍ତ । ଏଇ ପନ୍ଦର ମିନିଟ୍‌ ତଳେ କହୁଥିଲେ ନିଜେ ସୁପରଭିଜନ୍‌ରେ ଯିବେ କାଲିର ମିଟିଙ୍ଗ୍‍ପାଇଁ... ।’’

 

କଥା ଶୁଣୁ ଶୁଣୁ ନିଜ ଭିତରେ ବରଡ଼ାପତ୍ର ପରି ରଞ୍ଜନବାବୁ କମ୍ପି ଉଠୁଥିଲେ । ଗଳାଟାକୁ ଦୁଇ ହାତରେ ଚାପି ଧରି ହଠାତ୍‌ ଉଠି ଆସୁଥିବା କାଶଟାକୁ ବନ୍ଦ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ତାଙ୍କ ପାଖରେ !!

✽✽✽

 

କଳାପାହାଡ଼

 

ବସ୍ତି ଭିତରୁ ବାହାରି ଆସି ପୋଲଟା ଉପରେ ବସିପଡ଼ିଲା ରଘୁ । ପୋଲ ତଳେ ନର୍ଦ୍ଦମାର ନଈ । ବର୍ଷା ପାଣିଯୋଗୁଁ କୁଳୁକୁଳୁ ଶବ୍ଦବି କରୁଛି ମଝିରେ ମଝିରେ । ପବନ ନାହିଁ, ସାମାନ୍ୟ କେତେବେଳେ ଗଛପତ୍ର ହଲିଗଲେ ଗନ୍ଧ ଆସି ନାକରେ ବାଜୁଛି । ତେବେ ଆଗପରି ଆଉ ନାକ ବନ୍ଦକରି ନିଃଶ୍ୱାସ ନେବା ଦରକାର ହେଉନି, ନାକସୁହା, ଦେହସୁହା ହୋଇଗଲାଣି ଏସବୁ ।

 

ରଘୁ ଖଣ୍ଡିଆ ବିଡ଼ିଟାଏ ପକେଟରୁ ବାହାର କରି ନିଆଁ ଧରେଇଲା । ଦେଖିଥିବା କୌଣସି ହିନ୍ଦୀ ସିନେମାରେ କୌଣସି ଜଣେ ହିରୋଙ୍କ କଥା ମନେପକାଇ ଗୁଣୁଗୁଣୁ ହୋଇ ଗୀତ ଗାଇଲା ।

 

ଧେତ୍‌ ! ଖାଲିପେଟରେ ଏ ବିଡ଼ିଧୂଆଁ ମୋଟେ ସହି ହେଉନି । କୋଉ ସକାଳେ ପଟେ ରୁଟି ଖାଇଥିଲା, ସେ କି ଆଉ ପେଟରେ ଅଛି ? ଭାବିଥିଲା ମା’ର ଟିଣ ବାକ୍‌ସଟା ଭାଙ୍ଗି କିଛି ସଞ୍ଚିତ ପଇସା ନେଇ ବଜାରରୁ ବରା କି ପୁରି କିଣି ଖାଇବ । ସେ ବି ହେଲାନି । ବାକ୍‌ସଟା ମା’ ଖୋଲା ରଖି ଯାଇଛି । ଛୋଟିଆ ଏକ ଏକ ପଇସା ଛଡ଼ା ଘରେ କିଛି ନାହିଁ । ବାପା ଆଠ ଦିନ ହେଲା କୁଆଡ଼େ ଚାକିରିପାଇଁ ଯାଇଛି । ମାସେ ଗଲେ ଦରମା ମିଳିବ, ତା’ପରେ ଏଠିକି ପଠେଇବ-। ସେଯାଏଁ ଏମିତି ଭୋକ ଉପାସରେ କାଳ କାଟିବ । ମା’ କି କାମ କରୁଛି କେଜାଣି, ସନ୍ଧ୍ୟାକୁ ଫେରିବ । କୋଉଦିନ ଚାଉଳ ଆଣି ଭାତ ରାନ୍ଧିବ, କୋଉଦିନ ରୁଟି ଦି’ପଟ ନେଇ ଆସି ଖାଇ କରି ଶୋଇପଡ଼ିବ । ଖରାବେଳେ ପ୍ରାୟ ଅଧିକାଂଶ ଦିନ ରଘୁପାଇଁ ଖାଁ ଖାଁ । ଦିନେ ମା’ ତା’ ହାତରେ କଦଳୀ ବିକିବାକୁ ବଜାର ପଠେଇଥିଲା । ଅନେଇ ଅନେଇ ସଞ୍ଜ ହେଲା; ଅଥଚ କଦଳୀ ଦି’ ଡଜନ୍ ବିକ୍ରି ହେଲା ନାହିଁ । ପାଛିଆରେ ପାଛିଆଏ କଦଳୀ ଜଳଜଳ ଅନେଇଛନ୍ତି । ଏଣେ ପେଟରେ ଭୋକ କୁହାଟ ମାରୁଥାଏ ରଘୁର । ଶେଷକୁ ଅନ୍ଧାର ହେଲାକ୍ଷଣି ସେ ଗୋଟାକ ପରେ ଗୋଟାଏ କଦଳୀ ଛଡ଼ାଇ ଖାଇଗଲା । ଏତେ ଭୋକ ତା’ର କେଉଁଠି ଥିଲା କେଜାଣି ? ଏତିକିବେଳେ ତା’ ପିଠିରେ ପଛଆଡ଼ୁ ଦୁମ୍‌ଦୁମ୍‌ ବିଧା ବର୍ଷିଗଲା । ଶେଷକୁ ଠିଆଗୋଇଠାସହ ଗାଳି–‘ମରୁନୁରେ, ଗାତପଶା ! କଦଳୀ ବିକି ଆଇଛୁ ନା ଖାଇବାକୁ ଆଇଛୁ ବା ?’

ପାଟି ଭିତରେ କଦଳୀ ଥିବା ଯୋଗୁଁ ତା’ର ବିକଳ ଚିତ୍କାର ଶୁଣା ଯାଇ ନଥିଲା । ସେ ଭୂଇଁରେ ପଡ଼ି ମାଟି କାମୁଡ଼ି ପକେଇଲା । ମା’କୁ ତା’ର ଭାରି ଡର, ମା’ର ପାଟି ଶୁଣିଦେଲେ ଛାତି ଥରିଯାଏ । ମାତ୍ର ଗୁଡ଼ାଏ ଲୋକ ଜମିଯାଇ ସେତେବେଳେ ତା’ ପ୍ରତି ଆଶ୍ୱାସନା ଦେଉଥିବାରୁ ରଘୁର ଭୟଟା କମି ଯାଇଥିଲା ।

ସେହିଦିନଠାରୁ ମା’ ତାକୁ ବଜାରକୁ ପଇସା ନେଇ ସଉଦା ଆଣିବାକୁ ପଠାଏନା । ମା’ର ବିଶ୍ୱାସ ତୁଟିଯାଇଛି । ସ୍କୁଲ୍‍ରେ ଦରମା ନାହିଁ, କାରଣ ସେ ଗରିବ ଘରର ପୁଅ । କୋଉ ବାବୁଘରୁ ସବୁ ତା’ପାଇଁ ବାପା ଓ ମା’ ପୁରୁଣା ବହି ମାଗି ଆଣନ୍ତି । ଏମିତିକି ପୁରୁଣା ଛିଣ୍ଡା ପ୍ୟାଣ୍ଟ ଜାମା ମଧ୍ୟ, ଭାରି ଅସନା ଲାଗୁଥିଲା ରଘୁକୁ । କିନ୍ତୁ ଏବେ ଦେହସୁହା ହୋଇଗଲାଣି ଠିକ୍‌ ନର୍ଦ୍ଦମା ନଈର ସୁଗନ୍ଧ ପରି ।

ଆଉ ଖଣ୍ଡେ ଖଣ୍ଡିଆ ବିଡ଼ି ବାହାର କଲା ରଘୁ ! ଧୁତ୍‌ ! ଦି’କଳ ଟାଣିଲା ବେଳକୁ ସରିଯାଉଛି । ଦିନସାରା ଏଣେତେଣେ ବୁଲି ମେଞ୍ଚାଏ ବିଡ଼ି ସେ ବସ୍ତି ଭିତରୁ ସଂଗ୍ରହ କରିଥାଏ । ସନ୍ଧ୍ୟାରେ ବସି ପୋଲ ଉପରେ ଗୋଟାକୁ ଗୋଟା ଟାଣିଚାଲିଥାଏ ।

ହଠାତ୍‌ କିଏ ଜଣେ ପଛରୁ ଡାକିଲା–‘‘ରଘୁ ! ରଘୁ କିରେ ? ଟିକେ ଶୁଣିବୁ !’’

ସେ ବୁଲିପଡ଼ି ଅନେଇଲା । ନର୍ଦ୍ଦମା ସେପଟରେ ନୁଆଁଣିଆ ତାଟି କୁଡ଼ିଆରୁ ସେବ ମାଉସୀ ତାକୁ ଡାକୁଛି । ମୁହଁରେ ଗୋଟେ ଆଗ୍ରହ ଭାବ ରହିଛି ।

ରଘୁ ସେବ ମାଉସୀ ପାଖରେ ପହଞ୍ଚି ଅବାକ୍‌ ହେଲା । ସେ ଗୋଟାଏ କଟ୍‌କଟ୍‌ ହଳଦୀ ରଙ୍ଗର ଶାଢ଼ି ପିନ୍ଧିଛି, ନାଲିଆ ବ୍ଲାଉଜ୍‍ଟାରେ ଜରି ମଡ଼େଇ ପିନ୍ଧିଛି । ମୁଣ୍ଡରେ ଖୋସା, ଦେହରେ କେତେ ରଙ୍ଗର ଫୁଲ । ତା’ ଦେହବି ଟିକେ ବାସ୍ନା କରୁଛି ।

ରଘୁର ହାତକୁ ମୁଠାଇ ଧରି ସେବ ମାଉସୀ କହିଲା–‘‘ଗଲୁ, ଗଳି ମୁଣ୍ଡରେ ଦେଖିଆସିବୁ ଏଇ ନମ୍ବରର ଗାଡ଼ିଟାଏ ଅଛି କି ନାହିଁ ? ଯଦି ନ ପଢ଼ିପାରିବୁ, କାହାକୁ ପଚାରିଦେବୁ-! ଦେଖ । ସାବଧାନ ! କାହାକୁ କହିବୁନିଟି ? ଗୁପତରେ ଯିବୁ, ଗୁପତରେ ଆସିବୁ-। ନେ, ଏ ପାଉଁରୁଟି ଦି’ ଖଣ୍ଡ ଖାଇ ଖାଇ, ଯା ।’’

ରଘୁ ପାଉଁରୁଟି ଦି’ ଖଣ୍ଡରେ ଏତେ ଖୁସି ହୋଇଯାଇଥିଲା ଯେ ସେ ବିନା ବାକ୍ୟବ୍ୟୟରେ ମୁଣ୍ଡ ଟୁଙ୍ଗାରିଦେଇ ଚାଲିଯାଇଥିଲା ।

ଓଡ଼ିଆ ଶିଖିବା ସଙ୍ଗେ ସଙ୍ଗେ ଇଂରାଜୀ ସଂଖ୍ୟା ଓ ପ୍ରାୟ ଅକ୍ଷରଗୁଡ଼ାକ ସେ ଶିଖିଯାଇଛି ନଟବାବୁଙ୍କ ପୁଅ ପାଖରେ ସନ୍ଧ୍ୟାବେଳେ ବସି ବସି । ଏବେ ସିନା ନଟବାବୁ ଚିଡ଼ିଲାରୁ ସେ ଆଉ ସେଠିକି ଯାଉନି । ଯଦି ଛୁଟି ମାସଟା ସେଠି ବସି ଯାଇଥାନ୍ତା, ତାହାହେଲେ ନଟବାବୁଙ୍କ ପୁଅ ତାକୁ ଇଂରେଜୀ ବହି ପଢ଼େଇବା ଶିଖେଇ ଦେଇଥାନ୍ତା !

 

ସତ ତା’ କାଗଜରେ ଲେଖାଥିବା ନମ୍ବରର ଗାଡ଼ିଟାଏ ଗୋଟିଏ ଦୋକାନଠାରୁ ଟିକେ ଛାଡ଼ି ଅନ୍ଧାରୁଆ ହୋଇ ରହିଛି । କେହି ଲୋକ ଦେଖାଯାଉନି । ରଘୁ ପାଖକୁ ଗଲା । ନମ୍ବରକୁ ଦି’ ଥର ପଢ଼ିଲା । ଗାଡ଼ିଟା ଦେହରେ ହାତ ବୁଲାଇଦେଲାକ୍ଷଣି କିଏ ଗୋଟାଏ କେଉଁଠୁ ପାଟିକରି ଉଠିଲା–

 

‘ଏ ଟୋକା ! କ’ଣ କରୁଛୁ ? ଦେଖିବୁ ଏଥର... ।’ ଚିରଚିରେଇ ରଘୁ ଦଉଡ଼ି ପଳେଇ ଆସିଲାବେଳେ ଦେଖିଲା ସେବ ମାଉସୀ ଆସୁଛି । ସେ ଦମ୍‌ ନେଇ କହିଲା–‘‘ଚୁପ୍‌ ଚୁପ୍‌ ତୁ ଘରକୁ ଯା ! କାହାକୁ କିଛି କହିବୁନି । ମଉସାଙ୍କୁ ମୋଟେ କହିବୁନିଟି ?’’

 

ସେବ ମାଉସୀ ଡଗଡ଼ଗ ହୋଇ ଚାଲିଗଲାକ୍ଷଣି ରଘୁ ମନରେ ଗୋଟାଏ କୌତୂହଳ ଆସିଗଲା । ସେ ପାଦ ଚିପି ଚିପି ଯାଇ ଦେଖିଲା, ସେବ ମାଉସୀ ଗାଡ଼ି ଭିତରେ ପଛରେ ଯାଇଁ ଓଢ଼ଣା ଟାଣି ବସିଗଲାକ୍ଷଣି କୋଉଠୁ ଗୋଟେ ମୋଟାସୋଟା ମଣିଷ ଆଗ ସିଟ୍‌ରେ ବସିପଡ଼ି ଭଁ ଭଁ କରି ନିମିଷକରେ ଗାଡ଼ିଟା ଛୁଟେଇ ନେଲା ।

 

ଶୁଖିଲା ପାଉଁରୁଟି ଖାଇ ଭିତରୁ ଆମ୍ବିଳା ହାକୁଟି ଉଠୁଛି, ତା’ର ମନ ହେଉଛି କେଉଁଠି ଟିକେ ବସି ଟିକେ ଚା’ ପିଅନ୍ତା, ଚା’ କପ୍‌ଟା ପଚିଶ ପଇସା । ପଇସା କଥା ମନେପଡ଼ିଗଲେ ମୁହଁଟା ଶୁଖିଯାଏ । ଏଡ଼େ ସୁନ୍ଦର ଦୁନିଆରେ ପଇସା ନଥିଲେ ସବୁ ବୃଥା ! ତା’ ପାଖରେ ପଇସା ନାହିଁ । ମା’ ବାକ୍‌ସରେ ପଇସା ନାହିଁ । ବାପା ଯୋଉ ପଇସା ରୋଜଗାର କରୁଛି ତାକୁ କୁଆଡ଼େ ଜେଜେମା ମରିଥିଲାବେଳେ ଯେଉଁ ଟଙ୍କା ଧାର କରିଥିଲେ, ତାକୁ ଶୁଝିବ । ନହେଲେ ଘରଟା କୁଆଡ଼େ ସେ ଲୋକଟା ନେଇଯିବ !

 

ରଘୁ ପକେଟରେ ହାତ ପୂରାଇ ଭାବିଲା, ଘରଟା ଚାଲିଗଲେ ବେଶି କ’ଣ କ୍ଷତି ହେବ-? ଦି’ ଚାଖଣ୍ଡ ଘର, ସେଥିରେ ଫେର୍‌ ବର୍ଷା ହେଲେ ଶୋଇ ହବନି । ଖରାବେଳେ ଖରା ପଡ଼େ ଯେ ଛୁଟିଦିନରେ ସେ ଯାଇ ସେବ ମାଉସୀ ବାରଣ୍ଡାରେ ବସେ । ଏମିତି ଘରଥିବା ଯାହା ନ ଥିବା ସେଇଆ ।

 

ଲାଇଟ୍‌ ଖୁଣ୍ଟ ପାଖରେ ପକେଟ୍‌ ଭିତରେ ଲାଖି ରହିଥିବା ଛୋଟ ଖଣ୍ଡିଆ ବିଡ଼ିଟା ସେ ଟାଣିଆଣି ବାହାର କଲାବେଳେ ଶୁଣିପାରିଲା ମା’ର କଣ୍ଠ । ମା’ ସଙ୍ଗରେ ବେଶ୍‌ ହୃଷ୍ଟପୁଷ୍ଟ ମଣିଷଟିଏ ସଫା ପ୍ୟାଣ୍ଟ ପିନ୍ଧି ମୁହଁରେ ନାକରେ ରୁମାଲ ଚାପି ଆସୁଛି । କେମିତି ଯେପରି ଲୋକଟା ବିରକ୍ତ ହୋଇ ଉଠିଛି । ମା’ର କିନ୍ତୁ ଖାତିର ନାହିଁ । ବଜର୍ ବଜର୍ ହୋଇ କ’ଣ କହୁଛି ଆଉ ଡାହାଣ ହାତଟା ହଲେଇ ଚାଲିଛି । ବାଁ ହାତରେ ସଜନା ଡାଙ୍ଗରୁ ଗୋଛାଏ ।

 

ପକେଟରେ ବିଡ଼ିଟା ତରତର କରି ପୂରେଇ ଦେଇ ରଘୁ ମୁହଁପୋତି ଆଗେଇଗଲା କିଛି ନ ଜାଣିଲା ପରି । ଆଖି ପଲକରେ ମା’ ତା’ର ଡାହାଣ ହାତଟା ଆସି ଧରି ପକେଇଲା, ଆଉ ସେ ଲୋକକୁ ଦେଖେଇ କହିଲା–

 

‘‘ଦେଖନ୍ତୁ ବାବୁ ! ଏତେ ବଡ଼ ଟୋକାଟା, ଖାଲି ବୁଲୁଛି । ତା’ରି ବୟସର ପିଲା ରିକ୍ସା ଟାଣୁଛନ୍ତି, ରାତିରେ ସକାଳେ ପାଠ ମଡ଼ଉଛନ୍ତି, ୟାକୁ ଖାଲି ଭୋକ କରିବ ଦିନରାତି । ଏ କି କାମ କରିବ । କଦଳୀ ବିକିବାକୁ ଦିନେ... ।’’

 

‘‘ମା’ଲୋ ! ଛାଡ଼ ଛାଡ଼ !’’

 

ଲଜ୍ଜା ଅପମାନରେ ରଘୁ ଶିହରି ଉଠିଲା । ମା’ ଯଦି କଦଳୀ ଖାଇବା କଥା ପକେଇ ଦିଏନା ଦାଣ୍ଡରେ, ତାହାହେଲେ... !

 

ବାବୁ ଜଣକ ହସିଦେଇ ପୁଣି ଗମ୍ଭୀର ହୋଇ କହିଲେ–

 

‘‘ସକାଳେ ଯଦି ସ୍କୁଲ୍‍କୁ ଯାଉଛି ତେବେ ସନ୍ଧ୍ୟାବେଳେ ଆସି କାମକରୁ ରାତି ଦଶଟା ଯାଏଁ, ପଇସା କିନ୍ତୁ କମ୍ ହେବ, ହେଲେ ତା’ ପଢ଼ାଖର୍ଚ୍ଚ ସେ ତୁଲେଇବ, କିନ୍ତୁ ଗୋଟାଏ କଥା... ?

 

ବାବୁ ପୁଣି ରଘୁ ମା’ର ହାତ ଟାଣିନେଇ ଟିକିଏ ଦୂରକୁ ଯାଇ କ’ଣ ଫୁସ୍‌ଫୁସ୍‌ କରି କହିଲେ, ମା’ ପାଟିକରି କହିଲା–‘‘କ’ଣ କହିଲ ବାବୁ, ଏ ରକତରୁ ତାକୁ ଜନମ ଦେଇଛିଟି ? ନିମକହାରାମି କରିବନି । ଆଉ ଯଦି କରେନା, ତା’ କଲିଜା ମୁଁ ଖାଇଦେବିନି ।’’

 

ବାବୁ ଆଉ କିଛି ନ କହି ପକେଟରୁ କେତେ ଖଣ୍ଡ ନୋଟ୍‌ ରଘୁ ମା’ ହାତରେ ଗୁଞ୍ଜିଦେଇ କହିଲେ–

 

‘‘ହଉ, ହଉ, ତୋ ଉପରେ ମୋର ବିଶ୍ୱାସ ଅଛି, କାମ କିଛି ନୁହେଁ, ଖାଲି ସଚ୍ଚା ରହିବା ଦରକାର ।’’

 

ମା’ ଲେଉଟି ଆସି ରଘୁ କାନ୍ଧରେ ନରମ କରି ହାତ ଥୋଇ କହିଲା–‘‘ନେ, ଏ ଶାଗ ନେଇ ଘରକୁ ଯା’ ! ମୁଁ ବାବୁଙ୍କୁ ଗଳି ଟପେଇଦେଇ ଚାଉଳ ପାଏ ନେଇଯାଉଛି । ଘରେ ବଇଥିବୁ, କୁଆଡ଼େ ଯିବୁନି ।’’

 

ମା’ ଚାଲିଗଲା । ରଘୁ ବିସ୍ମୟରେ ସେ ଆଡ଼କୁ ଅନେଇ କିଛି ବୁଝିପାରୁ ନଥିଲା । କିଏ ଏ ବାବୁ ! କେବେ ତ ତାଙ୍କୁ ଦେଖିଲା ପରି ମନେପଡ଼ୁ ନାହିଁ ।

 

ରଘୁ ଅନ୍ୟମନସ୍କ ଭାବରେ ଘରଆଡ଼କୁ ମୁହାଁଇଲା ।

 

ଘର ଭିତରେ ଜମାଟ ଅନ୍ଧାର । ଡର ମାଡ଼ୁଛି ତାକୁ । ସେଇଥିପାଇଁ ପୁଣି ଶାଗ ଡାଙ୍ଗଗୁଡ଼ିକ ଘର ଭିତରକୁ ପକେଇଦେଇ ରଘୁ ରାସ୍ତା ଆଲୁଅରେ ଝାପ୍‌ସିଆ ଦେଖାଯାଉଥିବା ଖଣ୍ଡିଆ ପୋଲ ପାଖକୁ ଆସି ମା’ର ଫେରନ୍ତି ରାସ୍ତାକୁ ଚାହିଁ ବସିଲା ।

 

କେହି କୁଆଡ଼େ ନାହିଁ । ପାଖରେ ଥିବା ଛୋଟ ଛୋଟ କୁଡ଼ିଆ ଘରୁ ଛୋଟପିଲାଙ୍କର ପାଟି ଶୁଭୁଛି । କାହା ଘରେ କିଏ ମାଛ ରାନ୍ଧୁଛି–ପବନରେ ତା’ର ବାସ୍ନା ଆସି ନାକରେ ବାଜୁଛି । ରଘୁର ପାଟିଟା ଲାଳେଇ ଉଠିଲା । ହାତ ଚାଲିଗଲା ପକେଟକୁ–ଛୋଟ ବିଡ଼ିଟା ଆଣି ସେ ଘରକୁ ଦୌଡ଼ିଲା ।

 

ମା’ ଘର ଭିତରେ ନ ପଶି ବାରଣ୍ଡା ଉପରେ ବସିପଡ଼ି ଲୁଗାକାନିରେ ବିଞ୍ଚି ହେଲା । ଆଉ ରଘୁକୁ ଡାକି ମୁଣ୍ଡ ସାଉଁଳେଇ କହିଲା–

 

‘‘ଦେଖ ବାପା ! ପେଟରେ ଭୋକ, ମୁହଁରେ ଲାଜ କରିବାଟା ଭଲ ନୁହେଁ । ଏତେ ତ କଲି ପେଟଟା ପୂରିଲା ନାହିଁ । ବାପର ରୋଜଗାର ତ ତାକୁ ନିଅଣ୍ଟ । ସେଥିରେ ପୁଣି ଧାର କରଜ-। ଭାବିଥିଲି ତତେ ଦୀନବାବୁ ପାଖକୁ ପଠେଇବି । ହେଲେ ମନ ବଳିଲାନି । ପାଠ ଦି’ଅକ୍ଷର ପେଟରେ ଥିଲେ, ଠାକୁରେ ଚାହିଁଲେ ଭାଗ୍ୟ ବଦଳିଯିବ । ହେଲେ...ସଞ୍ଜବୁଡ଼େ ଦି’ ଘଡ଼ି ଯିବୁ-! ଖାଲି ବାବୁ ଯେଉଁଠିକି ମାଲପତ୍ର ପଠେଇବେ ତୁ ନେଇଯିବୁ । ସଙ୍ଗରେ କିଏ ଗଲା, କ’ଣ ଜିନିଷ ଗଲା ତୁ ସେକଥା ଭାବିବୁନି କି କାହାକୁ କିଛି କହିବୁନି । କୋଉଦିନ ଗାଡ଼ିରେ ଯିବୁ କୋଉଦିନ ରିକ୍ସାରେ କି ଅଳପ ବାଟକୁ ଚାଲିଯିବୁ । ଯିବୁ ଆଉ ଆସିବୁ, କେହି ପଚାରିଲେ ଏମିତିକି ପୁଲିସ ଯଦି ପଚାରେ ତେବେବି କହିବୁ ମୁଁ କିଛି ଜାଣିନି । କାମ ସରିଲେ ବାବୁ ଖାଇବାକୁ ଦେବେ, ତୁ ଖାଇକରି ଚାଲିଆସିବୁ ଘରକୁ ।’’

 

ରଘୁ ଟିକେ ଖୁଜୁବୁଜୁ ହେଲା ! ଠିକ୍‌ ଭାବରେ କ’ଣଟା ପଚାରିବ ବୁଝିପାରିଲାନି, କିଛି ତାକୁ କହିବାକୁ ହେବ ଭାବି ସେ କହିଲା...‘‘ସେ ବାବୁଙ୍କ ନାଁ କ’ଣ ମା’ ? ମୁଁ ସେଠି କି କାମ କରିବି-?

 

‘‘ଚୋପ୍‌ ! ତତେ ପରା କହିଲି ମୁଁ ଘର ଦେଖେଇଦେବି, ତୁ କାମ କରିବୁ, ବାବୁ ଯାହା କହିବେ । ଖାଇବୁ, ଘରକୁ ଆସିବୁ, ତୋର ଏତେ ନାଁ ଗାଁରୁ କ’ଣ ମିଳିବ କିରେ ? ପେଟ ପୋଷ ନାହିଁ ଦୋଷ ।’’

 

ରଘୁ କ’ଣ ଉତ୍ତରରେ କହିବ କିଛି ବୁଝିପାରିଲାନି । ଏଣେ ପେଟରେ ନିଆଁ ଜଳୁଛି । ମା’ର ଗୋଡ଼ ପାଖରେ ଥୁଆ ହୋଇଛି ପୁଟୁଳାଟାଏ ।

 

ମା’ ଏଥର କହିଲା–‘‘ନେ ୟାକୁ ଖାଇଦେ, ବାବୁ ଦେଇଛନ୍ତି । ମୁଁ ଖାଇ ଆସିଛି । ଭାରି ଥକ୍କା ଲାଗୁଛି । କାଲିକି ଭାତ ରାନ୍ଧିବି ।’’

 

ରଘୁ ବିନା ବାକ୍ୟବ୍ୟୟରେ ପୁଡ଼ିଆକୁ ଖୋଲିଲା, ଗୋଟାଏ ସୁବାସ ଆସୁଛି ସେଥିରୁ, ପୁରି ଆଉ ମାଂସ ତରକାରୀ, ତହିଁକି ଫେର୍‌ ଗୋଟାଏ ମିଠାବି ଅଛି ।

 

ତଳେ ବସିପଡ଼ି ଖୁବ୍‌ ଆଗ୍ରହରେ ଖାଇଚାଲିଲା ରଘୁ, ଖାଉଥିଲା କି ଗିଳିଦେଉଥିଲା ସେ ବୁଝିପାରୁ ନଥିଲା ।

 

ଆଠ ଦିନ ଭିତରେ ରଘୁ କାମ ବିଷୟରେ କୌଣସି ଧାରଣା କରି ପାରିଲାନି । କୋଉଦିନ ବାବୁ ଲେଖି ଦେଇଥିବା ଠିକଣାରେ ରିକ୍ସାରେ ବସି ସେ ଜିନିଷଟା ବନ୍ଧାବନ୍ଧି ଅବସ୍ଥାରେ କୋଉ ଅଜଣା ବାବୁ ପାଖରେ ପହଞ୍ଚେଇ ଦେଇ ଆସିଛି ତ, କୋଉ ଦିନ ଗାଡ଼ିରେ ବସି ଯାଇଛି । ଗାଡ଼ିରେ ଗଲାଦିନ ଖୁସିଲାଗେ । ସେ ଯା’ହେଉ, ଚାଲିଚାଲି ଆଜିଯାଏଁ କେଉଁଠିକି ଯାଇନି । ପୁଣି ଫେରିଆସି ଦେଖିଛି ବାବୁଙ୍କ ଘରକୁ ଲାଗି ଗୋଟିଏ ଛୋଟିଆ ଘରେ ନାଚଗୀତ ଜମିଛି । କେତେ କେତେ ବାବୁମାନେ ମଟର ଗାଡ଼ିରେ ଆସୁଛନ୍ତି । ଗିଲାସରେ ମଦ ପିଉଛନ୍ତି । ତା’ ବାପପରି ଟିଣ ଗିଲାସ ନୁହେଁ । ଗିଲାସ ଦେଖିଲେ ଆଖି ଝଲସିଯିବ । କେତେ ସୁନ୍ଦର ସୁନ୍ଦର ଝିଅପିଲା ନାଚୁଛନ୍ତି ଗୀତ ଗାଉଛନ୍ତି ପୁଣି ରାତି ବେଶୀ ହେଲେ ଗୋଟିଏ ଗୋଟିଏ ବାବୁ ସଙ୍ଗରେ ଚାଲିଯାଉଛନ୍ତି । ମାତ୍ର ରଘୁକୁ ସେଠି ବସି ଦେଖିବାର ସୁବିଧା ନାହିଁ । ଖାଲି ଭିତର ପଟ ଝରକାର କଣା ଦେଇ ସେ ଯେତିକି ଦେଖିପାରେ ।

 

ହଠାତ୍‌ ରଘୁ କୂଟସ୍ଥ ହୋଇ ଚାହିଁ ରହିଲା । ସେବ ମାଉସୀ ଆସିଛି ଆଜି । ଗୋଟାଏ ବାବୁ ଉପରେ ସେ ଢଳିପଡ଼ୁଛି । ତା’ଠୁ ଛଡ଼େଇ ନେଇ ମଦ ପିଉଛି, ଛିଃ, ଛିଃ, ସେବ ମାଉସୀଟା ସତରେ ବଡ଼ ଖରାପ ।

 

ଏତିକିବେଳେ କିଏ ଜଣେ ବାବୁ ଆସି ସେବମାଉସୀଙ୍କୁ ଡାକି ନେଇଗଲେ ।

 

ରଘୁର ଘରକୁ ଯିବାର ସମୟ ହୋଇଯାଇଥିଲା । କିଏ ଜଣେ ଧାଇଁ ଆସି କହିଲା–

 

‘‘ଏ ରଘୁ ! ବାବୁ କହିଲେ, ତୁ ଏ ବାକ୍‌ସଟା ଆଜି ଅନ୍ୟ କୁଆଡ଼େ ନ ନେଇ ତୋ ମା’ପାଖକୁ ନେଇଯିବୁ ।

 

କାଲି ବାବୁ ଅଡ଼ର୍ ଦେଲେ ସେ ଜିନିଷ ଯୁଆଡ଼େ ଯିବ !’’

 

ରଘୁ ଅବାକ୍‌ ହୋଇ କହିଲା–‘‘ଆମ ଘରେ ତ କବାଟ ନାହିଁ, ବନ୍ଦ କେମିତି ହେବ ? ଯଦି ଚୋରି ହୋଇଯାଏ !’’

 

‘‘ତୁ ତ ନେଇଯିବୁ । ତେଣିକି ତୋ ମା’ ବୁଝିବ ।’’

 

ମା’ କୋଉଦିନ କେତେବେଳେ ଫେରେ ଠିକ୍‌ ନାହିଁ । ଦିନେ ଦିନେ ଭୋର୍‌ ବେଳକୁ ଆସେ । ବସ୍ତିରେ ଯଦି କିଏ ଜବରଦସ୍ତ ନେଇଯାଏ, ପୁଣି ରଘୁକୁ ବାପାପରି ଜିନିଷକୁ ଶୁଖିବାକୁ ପଡ଼ିବ । ରଘୁ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଗଲା । ସେ କହିଲା–‘‘ସେବମାଉସୀକୁ ଦେଇଦିଅ ବାବୁ-। ତା’ର ବଡ଼ଘର । ମୋଟା କବାଟ ଅଛି...’’ ‘‘ସେବମାଉସୀ କିଏ ?’’

 

‘‘ସେ ପରା ଏବେ ଏଇଠି ନାଚୁଥିଲା । ରୋଜ୍‌ ଏଠିକି ଆସୁଛି । ମୁଁ କେତେଥର ଦେଖିଲିଣି ।’’

 

‘‘ଚୋପ୍‌ ! ସେ କେଉଁ ମାଉସୀରେ ତୋର ? ସେ ତ ଏଠିକାର କୁଇନ୍‌ । ଦେଖ, ଭଲ ଦଶା ଅଛିତ ଶୀଘ୍ର ନେଇ ଚାଲିଯା ଏ ରିକ୍ସାରେ, ନହେଲେ ଚାକିରି ଯିବ ବାବୁ କହିଛି । ଖବରଦାର ବାଟରେ, ପାଟି ଖୋଲିବୁନି ।’’

ସେଇ ଗୁଣ୍ଡା ପରି ଲୋକଟା ତାକୁ ଏକଦମ୍‌ ଟେକି ନେଇ ରିକ୍ସାରେ ବସେଇଦେଇ ରିକ୍ସାବାଲା କାନରେ କ’ଣ ଧୀରେ ଧୀରେ କହିଲା । ଆଖିପିଛୁଳାକେ ପବନ ବେଗରେ ରିକ୍ସା ଦଉଡ଼ି ଚାଲିଲା ।

ଖୋଲା ପବନରେବି ରଘୁର ଦେହଟା ଶିରିଶିରେଇ ଉଠୁଥିଲା । କଳା ଟ୍ରଙ୍କଟା ଭିତରେ କ’ଣ ଆଉ ଭୂତ-ପ୍ରେତ ଅଛି କି ?

ଆଶ୍ଚର୍ଯ୍ୟ ! ରଘୁକୁ ଘର ଦ୍ୱାରମୁହଁରେ ଦେଖି ମା’ ଆଗେଇ ଆସିଲା ଏବଂ ରିକ୍ସାବାଲା ସାଙ୍ଗରେ ମିଶି ଗୋଟାଏ କଡ଼ାଧରି ଟ୍ରଙ୍କଟାକୁ ଘର ଭିତରକୁ ଉଠେଇ ନେଲା, ଟିକିଏବି ପଚାରିଲାନି ସେ କ’ଣ କି ଜିନିଷ ଅଛି ତା’ଭିତରେ ? ରିକ୍ସାବାଲା ଘର ଭିତରେ ମା’କୁ କ’ଣ କହିଦେଇ ଦଉଡ଼ି ଚାଲିଗଲା ରିକ୍ସା ନେଇ ।

ଅନ୍ଧାରରେ ମା’ର ମୁହଁ ଦେଖାଯାଉନି । ଛୋଟ ଲଣ୍ଠନରେ ତେଲ ଥିଲା । ଅଥଚ ମା’ ସଙ୍ଗେ ସଙ୍ଗେ ତାକୁ ଲିଭେଇଦେଲା, ଏବଂ ରଘୁକୁ ଗୋଟାଏ କଣକୁ ଟାଣି ନେଇ କହିଲା–

‘‘ତୁ ଆସିଲାବେଳେ ତତେ କେହି ଦେଖିନି ତ ?’’ ରଘୁ କହିଲା–‘‘କିଏ ଦେଖିନି ! ଅନ୍ଧାରରେ ମତେ କିଏ ଚିହ୍ନିବ ଯେ...ହଁ...ହଁ ମା’, ସେବ ମାଉସୀ ଘର ମଉସା ମତେ ଗଳି ମୁଣ୍ଡରେ ଦେଖିଲେ ଯେ, ହେଲେ କିଛି କହି ନାହାନ୍ତି ।’’

 

‘‘କ’ଣ କହିଲୁ ସାଧୁ ତୋତେ ଦେଖିଲା ? ହଇରେ ସାଇଲୁ ତୁ ମୋତେ... ?

 

‘‘ନାହିଁ ମା’ ! ମୁଁ ତ କିଛି କହିନି । ଯଦି କହିବ ତାକୁ ସେବ ମାଉସୀ କହିବ । ସେ ମୋତେ ଖାଇଲାବେଳେ ବାବୁଘରେ ଦେଖିଥିବ ।’’

 

ମା’ ଆଉ କିଛି କହିଲାନି । ଗୁମ୍‌ମାରି ସେ ଟ୍ରଙ୍କଟା ଉପରେ ବସି ପଡ଼ିଲା । କୋଉଠି ଯେମିତି କ’ଣ ଗୋଟାଏ ଭୁଲ୍ କରି ପକେଇଛି ଭାବି ରଘୁ ଭୟପାଇ କିଛି ଆଉ ପ୍ରଶ୍ନକଲା ନାହିଁ । ଅନ୍ଧାର ଭିତରେ ସେ ଏଣିକିତେଣିକି ଅନେଇ ଖୋଜୁଥିଲା ଖାଇବା ଜିନିଷ । କୋଉଠି ନିଜ ନଜରକୁ ଆସୁନି । ପଚାରିଲେ ମା’ ଚିଡ଼ିବ !

 

ରଘୁ ଆସ୍ତେ ଆସ୍ତେ କହିଲା–

 

‘‘ମା’ ! କିଛି ଖାଇବାକୁ ଅଛି ? ଭୋକ ହଉଛି !’’ ମା’ ରାଗିଯାଇ ଉତ୍ତର ଦେଲା–

 

‘‘ନେ, ମତେ ଖାଇଯା । ମୁଁ ନ ମରି ବଞ୍ଚିଛି ଯାହା... ।’’

 

ରଘୁ ଆଉ କିଛି ନ କହି ତଳେ ଶୋଇପଡ଼ିଲା । ଏମିତି ତ ଅନେକ ରାତି ଭୋକରେ କଟିଛି ! ଆଖି ବୁଜି ଆସୁ ଆସୁ ସେ ଜାଣିଲା ମା’ ବାହାରକୁ ଉଠିଗଲା । ଟିଣ ଖଣ୍ଡକ ଦୁଆରମୁହଁରେ ରଖିଦେଇ ଇଟା ଦି’ଚଣ୍ଡ ଢିରା ଦେଇ ସେ ଚାଲିଗଲା । ଏମିତି ଅନେକ ରାତିରେ ସେ ଯାଏଁ...ଯାଉ । ରଘୁ ତ ଏକୁଟିଆ ଶୋଇବାରେ ଅଭ୍ୟସ୍ତ । ଭଲ ହେଲା, ଟିକିଏ ଗଲେ ଉଠି ସେ ଦେଖିବ କୋଉଠି କ’ଣ ଖାଇବା ଜିନିଷ ଅଛି ।

 

କେତେ ରାତି ହେଲାଣି କେଜାଣି । ଯେମିତି ମନେହେଉଛି ସେ ଏଇକ୍ଷଣି ଶୋଇଥିଲା । ଟିଣତାଟିଟା ଉପରେ ଦୁମ୍‌ଦୁମ୍‌ ପାହାର ପଡ଼ୁଛି । କିଏ ? ରଘୁ ପାଟି କରି ଉଠିଲା । ସେପଟରୁ ଜବାବ ଦେଲା–

 

‘‘ଶୀଘ୍ର ଏ ଟିଣ ଖୋଲି ପଦାକୁ ଆ । ନହେଲେ ଠେଙ୍ଗୁଣିରେ ତୋ ପ୍ରାଣ ଯିବ ଟୋକା-!’’

 

ଛାନିଆରେ ରଘୁ ପଦାକୁ ଉଠି ଆସି ଆଖିମଳି ଚାହିଁଲା । ଗୋଟାଏ ନୁହେଁ, ଦୁଇଟା ନୁହେଁ, କୋଡ଼ିଏ ତିରିଶ ନାଲିପଗଡ଼ି ଠେଙ୍ଗାଧାରୀ ପୁଲିସ । ଟିକିଏ ଦୂରରେ ପୋଲ ପାଖକୁ ଲାଗି ଜିପ୍‌ ଓ ଅଧା ବସ୍‍ପରି ଗାଡ଼ିଟାଏ ଠିଆ ହୋଇଛି । ରଘୁର ଭୟରେ ଜିଭ ତାଳୁ ଭିତରକୁ ପଶିଗଲା-। ସେ ଖାଲି ଏଣିକିତେଣିକି ଅନେଇ ତା’ ମା’କୁ ଖୋଜିଚାଲିଥିଲା । ବାଡ଼ିଟାରେ ରଘୁର ପେଟକୁ ଭୁସାଏ ମାରି କିଏ ଜଣେ କହିଲା–

 

‘‘ହଇରେ, ତୋ ମା’ ଗଲା କୁଆଡ଼େ ? ଏ ଟ୍ରଙ୍କ ତୋ ମା’ ଖୋଜିଥିଲାଟି ? କ’ଣ କାଢ଼ିଦେଇଛି ? କହ, ନହେଲେ ପେଟ ଫୁଟେଇଦେବି !’’

 

ରଘୁ ଦି’ ଆଖିରେ ପାପୁଲି ମାଡ଼ି କାନ୍ଦି ଉଠିଲା । ସାଇସାରା ଲୋକ ଭର୍ତ୍ତି ହୋଇଗଲେଣି ଆସି । ସମସ୍ତଙ୍କ ଆଖିରେ ବିସ୍ମୟ ! କିଏ କହୁଛି ରଘୁଆ ମା’ ସବୁ ଜାଣି ଘରଛାଡ଼ି ପଳେଇଛି, କିଏ କହୁଛି ଟୋକାଟା ମଉନମୁହାଁ ଚୋରୀମାଲ୍ ବିଜୁଥିଲା । ଆଉ କିଏ କହୁଛନ୍ତି ମା’ ପୁଅ ଦୁହିଁଙ୍କି ଦିହେଁ ବଜ୍ଜାତ୍‌...ତାଙ୍କ ଯୋଗୁଁ ସାଇ ବଦନାମ । ହାୟ ଭଗବାନ ! ଏତିକିବେଳେ କିଏ ଜଣେ ଧାଇଁ ଆସି କହିଲା–

 

‘‘ଆଜ୍ଞା ! ଘର-ବାରି, ବଗିଚା ସବୁ ଖୋଜିଲୁ । ସେଠି କେହି ନାହିଁ କୋଉ ଦିନରୁ ଭଙ୍ଗା କପ୍‌ ଆଉ ବୋତଲ ପଡ଼ିଛି, ସେ ରିକ୍ସାବାଲା ଠକି ଦେଇଛି... । ତା’ ନମ୍ବର ରଖିଛନ୍ତିଟି ?’’

 

‘‘ଓଃ କେଶବ ! ତୁମେ ଆଉ ହେବନି । କିହୋ, ନମ୍ବର ଚେଞ୍ଜ କରିବାକୁ କ’ଣ ସମୟ ଲାଗିବ ?’’

 

ସାଧୁ ମଉସା ବାହାରିପଡ଼ି କହିଲା–‘‘ଛାଡ଼ ଛାଡ଼ ବାବୁ । ଛୁଆଟାର କିଛି ଦୋଷ ନାହିଁ ! ତା’ ମା’ ଆସିଲେ ଯାହାହେବ । ଥାନାକୁ ଗଲେ ତା’ ମା’ ବଳେ ଯିବ ନାହିଁ ?’’

 

ରଘୁ କେମିତି ଘୋଷଡ଼ା ହୋଇ ଗାଡ଼ିରେ ବସିଲା । କେତେ ସମୟ ବସିଲା, ଆଉ ବିଧାଚାପଡ଼ା ଖାଇଲା ତା’ର କିଛି ମନେ ରହିଲା ନାହିଁ । ଯନ୍ତ୍ରପରି ସେ ଥାନାରେ ପହଞ୍ଚିଲା । ଯେତେ ପ୍ରଶ୍ନ ପଚରାଗଲା ତା’ପାଟିରୁ କିଛି କଥା ବାହାରିଲା ନାହିଁ । ନିଜ ଦେହକୁ ଅନାଇ ନୋଳା ବସିଯାଇ ଲମ୍ବଗାର ପଡ଼ିଥିବା ଚମଡ଼ାକୁ ଅନେଇ ସେ ବୋକା ପାଲଟି ବୋଧଶକ୍ତି ହରେଇଥିଲା । ମନେମନେ କେବଳ ବ୍ୟାକୁଳ ହୋଇ ସେ ମା’କୁ ଖୋଜିଚାଲିଥିଲା ।

 

ଏତିକିବେଳେ ଟେବୁଲ ଉପରେ ଥୁଆହୋଇଥିବା ଫୋନ୍‌ଟା ବାଜିଉଠିଲା । ଆଉ ଜଣେ ପୋଲିସ୍‌ ଅଫିସର ଫୋନ୍‌ ଉଠାଇ କ’ଣ ଶୁଣିଲା କେଜାଣି ମୁହଁ ଆମ୍ବିଳା କରି କହିଲେ–

 

‘‘ଭଲକରି ଦେଖିଛ ତ ? ସେବତୀ ମରିବାର ଲୋକ ନୁହେଁ ।’’

 

‘‘........’’

 

‘‘ମୁଣ୍ଡ-ଗଣ୍ଡି ଦି’ ଗଡ଼ ହୋଇଛି । ଆଁ, ରେଳଲାଇନ୍‌ ତଳେ ! ଆଚ୍ଛା, ଆଚ୍ଛା ଲାସ୍ ନେଇଆସ, ଆଉ ସେ ବୁଢ଼ୀ ?’’

 

‘‘.......’’

 

‘‘ସେ ମରିବନି ସେମିତି । ଚାରିଆଡ଼େ ରୋକି ନିଅ, ଖବରଦାର, ଯେମିତି ଚାଲି ନଯାଏଁ...ଆଚ୍ଛା, ମୁଁ ଯାଉଛି ।’’

 

ମୁଣ୍ଡରେ ଟୋପିଟା ଦେଇ ବାବୁ କହିଲେ–‘‘ଟୋକାକୁ ସେ ଘରେ ରଖିଦିଅ । କାଲି ଦେଖିବା !’’

 

‘‘ନିସ୍ତବ୍ଧ ଅନ୍ଧାର ରାତିରେ ଅନ୍ଧାର ଘର ଭିତରେ ରଘୁ ସମ୍ମୋହିତ ହେଲାପରି ନିଦ୍ରାଚ୍ଛନ୍ନ ଅବସ୍ଥାରେ ପଡ଼ିରହି ସ୍ୱପ୍ନ ଦେଖିଲା ସେ ଖୁବ୍‌ ଡେଙ୍ଗା, ମୋଟା ହୋଇଯାଉଛି । ତା’ର ନାକ ତଳେ ବଡ଼ବଡ଼ ନିଶ ଫୁଲି ରହିଛି । ଏବଂ ତା’ ଅଣ୍ଟାରେ ବନ୍ଧାହୋଇଛି ଦି’ଟା ଛୁରି । ସେ ବସିଛି ଘୋଡ଼ାରେ । ହାତରେ ତା’ର ପିସ୍ତଲ...ଏକ, ଦୁଇ, ତିନି, ଏମିତି ହଜାର ହଜାର ନିୟୁତ, କୋଟି...ଆରେ ଆରେ କ’ଣ ହେଲା ? ସବୁ କୋଠାଘର, ସ୍କୁଲ୍, ମନ୍ଦିର, ମସଜିଦ, କଲେଜ, ହୋଟେଲ ବଜାରରେ ବସିଥିବା ଲୋକଗୁଡ଼ାକ, ଏମିତିକି ତା’ର ମା’ ଟଳିପଡ଼ିଛନ୍ତି ତଳେ ଲମ୍ବ ଲମ୍ବ ଅଧିଆ ପଡ଼ିଲାପରି । ପୋଲିସ୍‌ଗାଡ଼ି ଜମା ହୋଇଯାଇଛି । ଶବ ରଖିବାକୁ ଜାଗା ନାହିଁ...ସମସ୍ତେ ତଟସ୍ଥ ହୋଇ ହାତଯୋଡ଼ି ତାକୁ ପ୍ରାର୍ଥନା କରୁଛନ୍ତି ! ସତେ ବା ସେ ଈଶ୍ୱର ! ନା, ସେ ଛାଡ଼ିବନି । ସମସ୍ତଙ୍କୁ ଗୁଳି କରିଦେବ ! ରଘୁରବି ମନେହେଲା ସେ ଈଶ୍ୱର । ତା’ର ଛାତି ଫୁଲିଉଠିଲା, ଚଉଡ଼ା ହେଲା । ସେ ସବୁ ମଣିଷ, କୋଠାବାଡ଼ି, ସ୍କୁଲ୍ କଲେଜ, ମନ୍ଦିର, ମସଜିଦ, ଗିର୍ଜା ଆଡ଼କୁ ଆଖି ବୁଲେଇ ନେଇ ଗମ୍ଭୀର କଣ୍ଠରେ ଅଡ଼ର୍ ଦେଲା–

 

‘‘ସାବଧାନ ! ଆଉ ଟିକେ ଆଗେଇଲେ, କି ହଲଚଲ ହେଲେ ଗୁଳିକରି ଉଡ଼େଇଦେବି-। ମୋ ରକ୍ତରୁ ଜନ୍ମ ହୋଇ ନିମକହାରାମି କଲେ ମୁଁ ତୁମ ସମସ୍ତଙ୍କର କଲିଜା ଖାଇଦେବି ! ସାବଧାନ !’’

✽✽✽

 

ପରିଚୟ

 

ସୁଖଲତା କଲେଜ ଫେରନ୍ତି ଚଣ୍ଡୀଛକରେ ଆବାକାବା ହୋଇ ଛିଡ଼ାହୋଇ ରହିଲା । ଟୁପୁରୁ ଟୁପୁରୁ ମେଘ ବର୍ଷୁଛି । ତିନ୍ତିଯିବା ଭୟରେ ଛତାଟା ସେ ଖୋଲିଦେବାକୁ ଯାଇ ଦେଖିଲା, ତା’ର ଦୁଇ କଡ଼ରେ ଦୁଇଟି ସାଇକଲ୍ ଅଟକି ରହିଛି । ଛତା ଜୋରରେ ଖୋଲିଦେଲେ ସେମାନଙ୍କ ଦେହରେ ବାଜିବ । ବାଁପଟରେ ଛିଡ଼ା ହୋଇଥିବା ଯୁବକ ସାଇକଲ୍ ଘଣ୍ଟି ଟିଂ ଟିଂ କରି କହିଲା–

 

‘ଏମିତି ରାସ୍ତାରେ ଛତା ଖୋଲିଲେ, ଆଖି ଫାଟିଯିବ ! କୋଉ ଜଙ୍ଗଲରୁ ତମେ ଆସିଛ କି ?

 

ଡାହାଣପଟ ଯୁବକ ଜଣକ କହିଲା–

 

‘ଭାଇ ! ମୋ ଆଖିରେ ତ ଏଇନେ ବାଜିଥାନ୍ତା ! ଭଦ୍ରମହିଳାଙ୍କୁ ମ୍ୟାନର୍ସ ଜଣା ନାହିଁ, କ’ଣ କଲେଜରେ ପଢ଼ୁଛନ୍ତି ? କୋଉ ବର୍ଷର ଛାତ୍ରୀ ? ବିଜ୍ଞାନ ନା କଳା ?

 

ସୁଖଲତାର ଛାତି ଭିତରଟା ଏପରି ଧଡ଼୍‌ଧଡ଼୍‌ ହୋଇଥିଲା ଯେ, ସେ କିଛି ଉତ୍ତର ଦେଇପାରି ନଥିଲା । ଏ କ’ଣ ? ଏମାନଙ୍କୁ ତ କେବେ ସେ ଆଗରୁ ଦେଖିନାହିଁ କି ଚିହ୍ନିନାହିଁ ! ଏମାନେ ଏମିତି ଲୋଭିଲା ଆଖିରେ ତାକୁ ଚାହିଁଛନ୍ତି କାହିଁକି ? କିଛି ଉତ୍ତର ଦେବ ବୋଲି ଚେଷ୍ଟାକରି ମଧ୍ୟ ଦେଇପାରିଲାନି ସୁଖଲତା ! ମେଘର ପ୍ରାଦୁର୍ଭାବ ବଢ଼ିବାକୁ ଆରମ୍ଭ କରିଥିବା ସତ୍ତ୍ୱେ ଅଧାଖୋଲା ହୋଇ ଛତାଟି ରହିଥାଏ ସୁଖଲତା ହାତରେ । ବାଁପଟରେ ଛିଡ଼ା ହୋଇଥିବା ଯୁବକଟି ଏଥର ହସିଦେଇ କହିଲା–

 

‘ଓ ପ୍ରଥମ କରି ନାମ ଲେଖାଇଛ ବୋଧେ ! ତୁମର ଯଦି ଆପତ୍ତି ନ ଥାଏ, ଆସ, ମୁଁ ତୁମକୁ ଘରେ ଛାଡ଼ିଦେଇ ଆସିବି !’

 

ସୁଖଲତା ବ୍ୟସ୍ତହୋଇ କହିଲା ‘ନା, ନା, ମୁଁ ବଡ଼ ଦୁଃଖିତ । ମୁଁ ଚାଲିଯାଇ ପାରିବି । ଧନ୍ୟବାଦ !’

 

ଖେଁ, ଖେଁ ହସି ଆର ଜଣକ କହିଲା–

 

‘ଓଃ କଲେଜରେ ପଢ଼ିଲେ ଏମିତି କଥା କହିବାକୁ ହୁଏ ବୋଧେ ! ଖୁବ୍‌ ଶୀଘ୍ର ଶିଖିଯାଇଛ ତ ? ଏତେ ଡରୁଛ କାହିଁକି ଯେ ? ଆମେ କ’ଣ ବାଘ ନା ଭାଲୁ ? ଆମଆଡ଼େ ଅନେଇ କଥା କହିଲେ କ’ଣ ପୁରାଣ ଅଶୁଦ୍ଧ ହେବ ?’

 

ସୁଖଲତା ସେମାନଙ୍କ ଆଡ଼କୁ ଅନେଇଲା । । ବାଁପଟର ଯୁବକଟିର ଚେହେରାରେ ବିଶେଷ କିଛି ବିଶେଷତ୍ୱ ନାହିଁ, ଏମିତିକି ଚାହାଣିରେ ମଧ୍ୟ ! ଡାହାଣ ପଟର ପିଲାଟା ରୀତିମତ ଗୁଣ୍ଡାଟାଏ । ଅଣ୍ଟାରେ ଝୁଲୁଛି ଛୁରିଟାଏ, ମୁହଁରେ ବଡ଼ବଡ଼ ବାଘ ନିଶ, ଆଖିରେ ସିନେମାର ବିକୃତ-ରୁଚି ପୁରୁଷର କ୍ରୁଦ୍ଧିତ ଚାହାଣି । ସୁଖଲତା ଆଖି ତଳକୁ କରିନେଲା ! ଏତିକିବେଳେ କିଏ କାହାକୁ କହିଲା କେଜାଣି–

 

‘‘ଚାଲ ଭାଇ ! ଅକାରଣ ମେଘରେ ତିନ୍ତି ଲାଭ ନାହିଁ । ଆମ କଥାକୁ ଭଦ୍ରମହିଳା ବୋଧହୁଏ ଭୁଲ୍‍ବୁଝିଛନ୍ତି...ନଚେତ୍‌ ଆମେ ଲିଫ୍‌ଟ୍‍ ଦେବାକୁ ଚାହିଁଲେବି ଏ ମେଘପାଗରେ ସେ ମନାକରନ୍ତେ କାହିଁକି ? ତାଙ୍କର ହୁଏତ କେହି ଅଛି, ଆମେ ରଙ୍ଗ ନମ୍ବରରେ ଡାକିଦେଇଛୁ ବୋଲି ନିଜକୁ ସାନ୍ତ୍ୱନାଦେବା ବ୍ୟତୀତ ଆମର ଆଉ କ’ଣ ଅଛି ଯେ ! ଆଚ୍ଛା ଯାଇଛୁ । କାଲି ଦେଖାହେଲେ ମତ ପରିବର୍ତ୍ତନ କରିବ ବୋଲି ଆଶା ।’’

 

ସୁଖଲତା କଥାଟିର ମର୍ମ ନ ବୁଝୁଣୁ ଦୁଇକଡ଼ରେ ଅବରୁଦ୍ଧ ରାସ୍ତା ପରିଷ୍କାର ହୋଇ ଯାଇଥିଲା; କିନ୍ତୁ ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ । ଛତାଟି ଖୋଲି ସେ ଧୀରେ ଧୀରେ ଆଗେଇଯାଉଥିଲା । ଭୟରେ କିନ୍ତୁ ପାଦ ଦିଓଟି ଥରୁଥିଲା ।

 

ଘରେ ପହଞ୍ଚି ଆସନ୍ନସନ୍ଧ୍ୟାରେ ସେ ଅବଶ ହୋଇ ବସିପଡ଼ିଲା । ଖାଇବାକୁ କିଛି ଇଚ୍ଛା ହେଉନି । ବାପା ଅଫିସ୍‌ରୁ ଫେରି ନାହାନ୍ତି । ବୋଉର ଦେହ ଭଲ ନାହିଁ–ଜ୍ୱର ତିନି ଦିନ ହେଲା । ସାନ ଭଉଣୀ ପାଞ୍ଚଟା ତାକୁହିଁ ଅପେକ୍ଷା କରି ବସି ରହିଛନ୍ତି । ଘରଯାକର କାମ ସାରି ରାତିପାଇଁ ରୋଷେଇ କରିବାକୁ ହେବ । ବୋଉକୁ ଯଦି ବାଟର ଘଟଣା କୁହେ, ତେବେ କାଲିଠାରୁ ତା’ର ପାଠପଢ଼ା ବନ୍ଦ ହୋଇଯିବ ।

 

ରାତିରେ ସମସ୍ତେ ବିଛଣାକୁ ଗଲା ପରେ ଲାଇଟ୍‌ ଲିଭାଇ ଦେଇ ସୁଖଲତା କଲେଜଫେରନ୍ତି ଘଟଣାଟିର ବ୍ୟାଖ୍ୟା କରିଥିଲା ବୋଉ ଆଗରେ । ବୋଉ କର ଲେଉଟାଇ କହିଲା–

 

‘‘ବାପା ତୋର ସେଇଥିପାଇଁ ମନାକରୁଥିଲେ କଲେଜରେ ପାଠ ପଢ଼େଇବାକୁ । ରିକ୍ସା ପଇସାଦେବାକୁ ଆମର ତ ବଳ ନାହିଁ । ରାସ୍ତାରେ ଚାଲି ପାଠ ପଢ଼ିଲେ ଏଇ ହୀନ ଅବସ୍ଥା ଗରିବ ଝିଅକୁ ସହିବାକୁ ପଡ଼ିବ । ନାହିଁଲୋ ମା’, ମୋର ପାଠ ଦରକାର ନାହିଁ । ମାନ-ଇଜ୍ଜତ ମାଇକିନା ଝିଅର ଥରେ ଗଲେ ଆଉ କ’ଣ ଫେରିବ ? ବଡ଼ଲୋକଙ୍କ କଥା ଦୋସରା, ଏ ଯେ ଗରିବ ଝିଅର ମହତ ।’’

 

ସୁଖଲତା ବୋଉ କଥାରେ ପ୍ରତିବାଦ କଲାନି । ସତେ ତ ? ବାଟଚାଲି ଦୁଇ ମାଇଲ ଯାଉଛି ଆସୁଛି ବୋଲି କେତେ କଥା ସେ ଆଜି ନ ଶୁଣିଲା ? ଯୋଉ ଝିଅମାନେ ରିକ୍ସା ଆଉ ମଟର ଗାଡ଼ିରେ ଯାଉଛନ୍ତି ସେମାନେ ନିରାପଦ । କେଜାଣି ମଟର ଗାଡ଼ି କଥା ଠିକ୍‌ ଭାବରେ ଜାଣିନି, ହେଲେ ରିକ୍ସାରେ ଯେଉଁମାନେ ଆସୁଛନ୍ତି ସେମାନେବି କେତେଥର କହିବାର ଶୁଣିଛି ଯେ, କିଏ ପଛଆଡ଼ୁ ଆସି ବେଣୀ ଟାଣିନେଇଛି ତ, କିଏ ବେକରୁ ସୁନାହାର କି କାନରୁ କାନଫୁଲ ଟାଣିନେଉଛି, କିଛି ନହେଲେ ଦି’ଚାରିପଦ ଅଶ୍ଳୀଳ କଥା କହିପକାଉଛି ।

 

ସୁଖଲତାର ମନେହେଉଥିଲା ଏମାନେ ବେଶପରିପାଟୀ ହୋଇ ଦୃଷ୍ଟି ଆକର୍ଷଣକାରୀ ପୋଷାକରେ ଦୁଷ୍ଟ, ବେକାର ପିଲାଗୁଡ଼ାକ ଜାଣି ଜାଣି ହଇରାଣ କରୁଛନ୍ତି । ହେଲେ ସେ ତ ସାଦାସିଧା ଶାଢ଼ି ଗୁଡ଼େଇହେଇ ଯାଉଛି, ମୁହଁରେ ପାଉଡ଼ର ଲଗେଇ ଯିବାକୁ ତା’ର ସାହସ ତ ନାହିଁ, ତାକତବି ନାହିଁ । ତାକୁ କେହି କେବେ ଘରେ କି ସାଇପଡ଼ିଶା କିମ୍ବା ବନ୍ଧୁ-ବାନ୍ଧବରେ ‘ସୁନ୍ଦରୀ’ ବୋଲି କହିବାର ତା’ର ମନେ ପଡ଼ୁ ନାହିଁ । ତଥାପି ତା’ ଉପରେବି ଜୁଲମ ଆରମ୍ଭ କରିଦେଲେଣି । ସୁଖଲତା ନାଚ ଜାଣେ ନାହିଁ, ଗୀତ ଗାଇ ଶିଖିନି, ସଭା-ସମିତିରେ ମିଶିନି କି ସିନେମା, ଥିଏଟର ଦେଖୁନି । ଘର ଆଉ କଲେଜ ବ୍ୟତୀତ ତା’ର କ’ଣ ଥିଲା ଯେ ! ଏବେ ଯଦି ବୋଉ କଲେଜ ବନ୍ଦ କରିଦିଏ ତା’ର ସବୁ ସ୍ୱପ୍ନ ବୃଥା ହୋଇଯିବ । କୂପ-ମଣ୍ଡୁକ ହୋଇ କୋଉ ରସାତଳରେ ସୁଖଲତାର ଜୀବନ ସରିବ ।

 

ବୋଉ ତା’ର ଭାବନାରେ ଭାବାନ୍ତର ସୃଷ୍ଟି କରି କହିଲା–

 

‘‘ମନଦୁଃଖ କଲେ କ’ଣ ଦୁଃଖ ଯିବ ? କେତେ କଷ୍ଟକରି ବାଟଚାଲି ପାଠ ପଢ଼ୁଛୁ, ଘରକାମ ତୁ କରୁଛୁ, ତୋ ବାପର କାହିଁରେ କ’ଣ କେତେ ଆଶା ତୋ ଉପରେ; ହେଲେ ଯୁଗ କୋଉ ବଦଳିଲା ? ସମସ୍ତେ ବଡ଼ବଡ଼ କଥା କହୁଛନ୍ତି, ଝିଅମାନଙ୍କ ଦାୟିତ୍ୱ ନେଉଛି କିଏ ? ବଡ଼ଘର ଝିଅଙ୍କର ବାପଭାଇ ସମ୍ଭାଳିନେବେ । ଆମକୁ ଭଗବାନବି ଆଡ଼ଆଖିରେ ଚାହିଁବେ ନାହିଁ । ସବୁ ଜଗି ଚଳୁ ଚଳୁ ତ ଆମେ ମରିଯିବା, ହେଲେ ମାନ, ମହତ, ଇଜ୍ଜତପଣିଆ ହରେଇଦେଲେ ଆମର ଆଉ ସମ୍ପତ୍ତି କ’ଣ ରହିବ ? ତୁ ପଢ଼ା ଛାଡ଼ିଦେ, ଇଚ୍ଛା ହେଉଛି ଯଦି ଘଡ଼ିଏ ବସି ଘରେ ପଢ଼...କ’ଣ ମିଳିବ ଆମକୁ ସେଥିରୁ !’’

 

ରୁଟିଥାକେ ବେଲିସାରି ସୁଖଲତା ଉଠିଗଲା । ବୋଉ କଥାର ପ୍ରତିବାଦ ଜଣାଇବାକୁ ତା’ର ଶକ୍ତି କାହିଁ ? କାଗଜରେ ପଢ଼ିଲା, ଝିଅମାନଙ୍କର ପୁଅମାନଙ୍କ ପରି ସମାନ ଅଧିକାର ଅଛି ସବୁ କଥାରେ । ସରକାର, ପୁଲିସ୍‌ ଏବଂ ଆଇନ-କାନୁନ ସେମାନଙ୍କୁ ସହାୟ ହେବ ସବୁ କାମରେ-। କିନ୍ତୁ କାହିଁ ? ଆଜି ରାସ୍ତାରେ ତ ଅତି ନିକଟରେ ପୁଲିସ୍‌ ଥିଲା, କେତେ ଲୋକ ତ ଯିବା-ଆସିବା କରୁଥିଲେ । କେହି ତ ତା’ର ଅସହାୟ ଅବସ୍ଥା ଦେଖି ଧାଇଁଆସିଲେନି ! ସେ ନିଜେବି ପାଟି କରିପାରିଥା’ନ୍ତା, ମାତ୍ର କାହିଁକି କଲାନି ? ସବୁକଥା ବୁଝିଲାସତ୍ତ୍ୱେ ନିଜର ଏଇ ଭୟରୁ ସେ ମୁକ୍ତି ପାଉନି କାହିଁକି ?

 

ବୋଉ ତାକୁ କୁଆଡ଼େ ପଠାଇବାକୁ ରାଜି ନୁହେଁ, ଖାଲି ବୃତ୍ତିପାଉଛି ବୋଲି ତା’ର ପଢ଼ାଖର୍ଚ୍ଚଟା ଚଳିଯାଉଛି । ବାପାଙ୍କର କିରାଣି ଦରମା ଘରଖର୍ଚ୍ଚକୁ ନିଅଣ୍ଟ । କିଏ ତା’ର କଥା ବୁଝିବ ଯେ ! ସୁଖଲତାର ମନେହେଉଛି କିଏ କେଉଁଠି ଅଛନ୍ତି, ମାତ୍ର ତା’ର ହେପାଜତ କରିବାପାଇଁ କେହି ନାହିଁ ।

 

ଏଥର ବୋଉ, ବାପା ମନା କରିଦେଲେ–ବାଲିଯାତ୍ରା ସେ ଦେଖିପାରିଲା ନାହିଁ । କୋଉ ଦୂର ମଫସଲରୁ ଲୋକ ଆସି ବୁଲି ଦେଖୁଛନ୍ତି, ସିନେମା ଥିଏଟର ଦେଖି ମଉଜ-ମଜଲିସ୍‌ କରୁଛନ୍ତି-। ହେଲେ ଟିକେ ପାଠପଢ଼ିବାକୁ ମଧ୍ୟ କଷ୍ଟ ସହି ସେ ପାରୁନି । ସର୍କସ୍ ଆସିଲା, ଫୁଟବଲ, କ୍ରିକେଟ୍ ଖେଳ ହେଲା, ପ୍ରଧାନମନ୍ତ୍ରୀ ଆସିଲେ, ହେଲେ କେଉଁଠିକି ସେ ଯାଏନି ।

 

ହଅ, କ’ଣ ସେ କରିଥାନ୍ତା ! ପାଟିକରି ଲୋକଙ୍କୁ ଡାକିଥିଲେ ଆଜି ବଡ଼ବଡ଼ କାଗଜରେ ଘଟଣାଟା ପ୍ରକାଶ ପାଇଥାନ୍ତା । ସେ ସବୁ ବିପଦରୁ ସୁଖଲତା ବରଂ ରକ୍ଷାପାଇଯାଇଛି । ଦେଖାଯାଉ, ଆସନ୍ତା କାଲି କ’ଣ ହେଉଛି । ବୋଉ ଆଜି ଯେଉଁ କଥା କହେ, ତା’ ପରଦିନ ସକାଳୁ ଭୁଲିଯାଇଥାଏ ।

 

ସୁଖଲତା ପଢ଼ାବହି ଖୋଲି ବସିପଡ଼ିଲା । କଥାଟାକୁ ମାଜିବସିଲେ ମୋଟ ହେବ ସିନା କେବଳ !

 

ତା’ ପରଦିନ ଗତାନୁଗତିକ ଭାବରେ ସୁଖଲତା କଲେଜ ଯିବାକୁ ପ୍ରସ୍ତୁତ ହେଲାବେଳେ ବୋଉ ଆସି କହିଲା, ଆଲୋ ଏକା ଯିବୁନା, ଟିମାକୁ ସଙ୍ଗରେ ପଠେଇବି ?

 

ଲୁଗା କୁଞ୍ଚ କରୁ କରୁ ସୁଖଲତା ଉତ୍ତର ଦେଲା–

 

ନାହିଁମ–ଦିନଟାରେ କ’ଣ ଡର, ସବୁଦିନେ ଟିମା ତ ସଙ୍ଗରେ ଯିବନି ବୋଉ, ସେ ବି ପିଲାଟା କ’ଣ ମତେ ସବୁଦିନେ ନବ ? ମୋର ସାହସ କରି ଏକା ଯିବା ଦରକାର ବୋଉ !

 

ବୋଉ ବିଡ଼୍‌ବିଡ଼୍‌ ହୋଇ ଚାଲିଗଲା । ସୁଖଲତା ଚିନ୍ତିତ ମନରେ ରାସ୍ତାକୁ ବାହାରିଲା ।

 

ପିଲାଦିନରୁ ପଢ଼ିଆସିଛି, ଶୁଣିଛି ମଧ୍ୟ ବଡ଼ବଡ଼ ଲୋକଙ୍କଠାରୁ ଯେ, ଏ ଦେଶରେ ସବୁ ମଣିଷ ସମାନ । ନାରୀମାନଙ୍କୁ ଯେ ଅସମ୍ମାନ କରିବ ସେ କଠୋର ଦଣ୍ଡ ପାଇବ...କିନ୍ତୁ ? ସେଦିନ ମୀନା କହିଥିଲା, ତା’ର ସମ୍ପର୍କୀୟ ଭାଉଜ ଜଣେ ରାସ୍ତାରେ ଅନ୍ଧାରରେ ଆସୁଥିଲାବେଳେ କେମିତି ଗୁଣ୍ଡାପରି ପାଞ୍ଚ-ଛ’ଟା ଲୋକ ତାଙ୍କୁ ଟେକି ନେଇ ଚାଲିଗଲେ । କେଉଁଠିକି ନେଲେ ଖୋଜି ଖୋଜି କେହି ପାଇଲେନି, ପୁଲିସ୍‌କୁ ଖବର ଦିଆଗଲା ଫଳ ହେଲା ନାହିଁ କିଛି । ଖବରକାଗଜରେ ବାହାରିଲା ସମ୍ବାଦ । ହେଲେ ? ଚାରିଆଡ଼େ କୁତ୍ସା ରଟନା । ଆଠ ଦିନ ପରେ କୋଉଠୁ କେମିତି ଭାଉଜ ଆସି ପହଞ୍ଚିଗଲେ, ହେଲେ କେହି ତାଙ୍କୁ ଘରେ ରଖିଲେନି । ମୀନା କହୁଥିଲା, ଭାଉଜ କାନ୍ଦିକାନ୍ଦି ଚାଲିଗଲେ ! କୁଆଡ଼େ ଗଲେ ଯେ ଗଲେ ଆଉ ଫେରିଲେ ନାହିଁ !

 

ରାସ୍ତାରେ ଲୋକ ଭିଡ଼ । ଖରା ଯେ ଚାହିଁ ହେଉନି । ହଠାତ୍‌ ମନେହଲା କିଏ ତା’ର ବେଣୀ ଟାଣିଦେଲା ପଛରୁ । କିଏ ? ଚମକିପଡ଼ିଲା ସୁଖଲତା ! ଓଃ ! ବେକରେ ତା’ର ହାର ନାହିଁ, ନହେଲେ... !

 

ସୁଖଲତା ପଛବୁ ଘୂରି ଚାହିଁଲା । କେହି ନାହିଁ । କେତେ ପଛରେ ଲୋକ, ସାଇକଲ୍ ଓ ରିକ୍ସା ଚାଲିଛନ୍ତି । ନିଜକୁ ବୁଝାଇ ସୁଖଲତା ଛକ ଉପରୁ ଡାହାଣପଟ ରାସ୍ତାକୁ ଗଡ଼ିଲା । ହଉପଛେ ଗଳି, ନର୍ଦ୍ଦମା ଓ କାନ୍ଦୁଅ-ପଙ୍କର ରାସ୍ତା, ତେବେ ଶୀଘ୍ର କଲେଜରେ ପହଞ୍ଚିଯିବ ସେ ହଠାତ୍‌ କ’ଣ ହେଲା କେଜାଣି, ପାଟି ଫିଟେଇ ଅଚାନକ ଏକ ଚିତ୍କାର ବାହାରିଲା ସୁଖଲତାର କଣ୍ଠରୁ–

 

‘‘ଓଃ ! ମରିଗଲି, ମରିଗଲି ଛାଡ଼, ଛାଡ଼ !’’ କାନଟା ତା’ର ଅସହ୍ୟ ଯନ୍ତ୍ରଣାରେ ଜଳି-ପୋଡ଼ିଉଠୁଛି । କାନରେ ଝୁଲୁଥିବା ଇମିଟେସନ୍‌ ରିଙ୍ଗ୍‌ଟାକୁ କିଏ ଘୋଷାଡ଼ି ନେଇଗଲା ନିମିଷକେ । କାହିଁ ? କିଏ କେଉଁଠି ? ଛତାଟା ହାତରୁ ଛିଟିକିପଡ଼ିଛି ଦଶ ହାତ ଦୂରରେ; ବହି ଖାତା ରାସ୍ତା-ପାଣିରେ ଜୁଡ଼ୁବୁଡ଼ୁ ! ଡାହାଣ ହାତ କହୁଣିଟା ଛିଣ୍ଡିଯାଇ ରକ୍ତବୋହୁଛି । ସୁଖଲତା ଉଠିପଡ଼ି ବହିଖାତା ଗୋଟେଇ ନ ନେଉଣୁ ଦେଖିଲା କୋଉଠୁ ଦୁଷ୍ଟ ପିଲାଟାଏ ଧାଇଁ ଆସି ଛତାଟା ନେଇ ଚିଲପରି ଚାଲିଗଲା । ବୋକା ଭଳି ସୁଖଲତା ଅନେଇଥିଲା ତାକୁ । ଏତିକିବେଳେ କିଏ ଦି’-ତିନି ଜଣ ଘେରି ଛିଡ଼ା ହୋଇଗଲେ ସୁଖଲତା ଯିବାକୁ ପାଦ ନ ଦେଉଣୁ, ତା’ ଭିତରୁ ଜଣେ ହସିଦେଇ କହିଲା–

 

‘‘ରାଜପଥ ଛାଡ଼ି ଗଳିରାସ୍ତାକୁ ଆସିଲେ ତୁମେ ଭାବିଲ ଯେ, ତୁମେ ଆମ କବଳରୁ ଖସିଯିବ ? ବରଂ ଆମ ସହିତ ସାଲିସ୍‌ କଲେ ତୁମେ ଖୁସିରେ ରହିବ, ଆମେବି ଖୁସି ହେବୁ । ନଚେତ୍‌... !’’ ଧମକଉଛନ୍ତି ଏମାନେ ତାକୁ ଏକୁଟିଆ ପାଇ ? ନିଜ ବାହୁବଳ ବ୍ୟତୀତ ୟାଙ୍କର ବା କ’ଣ ଅଛି ସମ୍ପତ୍ତି ? ଅଭଦ୍ର, ବର୍ବର ପିଶାଚଗୁଡ଼ାକ, ନିଜର କରାମତି ଦେଖେଇବା ପାଇଁ ତାକୁହିଁ ନିରୀହ, ଦୁର୍ବଳ ଗରିବ ଦେଖି ସୁବିଧା ପାଇଛନ୍ତି ? ରାଗରେ ଓଠ ଉପରେ ଓଠ ଚାପି ସୁଖଲତା କହିଲା–

 

‘‘ବାଟ ଛାଡ଼, ମୋର ଡେରି ହୋଇଯାଉଛି । ନଚେତ୍‌ ଭଲ ହେବ ନାହିଁ ?’’

 

ହସି ହସି ଜଣେ କହିଲା–

 

‘‘କ’ଣ କରିବ ? ପୋଲିସ୍‌କୁ ଡାକିବ ? ସାଇବାଲାଙ୍କୁ ? ସାଙ୍ଗ-ସାଥୀଙ୍କୁ ? ସେ ତ ଆହୁରି ମଜା ହେବ ।’’

 

ସୁଖଲତା ରାଗିଯାଇ କାନ୍ଦିଉଠିଲା ! ଇସ୍‌ ! କି ଅପମାନ ! ଏମାନେ କି ପିଶାଚ ! କ’ଣ ତା’ର ଅଛି, ଏମିତିକି ଇମିଟେସନ୍‌ ରିଙ୍ଗ୍‍ଟାବି ଛଡ଼େଇନେଲେ...କାନଟା ଜଳୁଛି, ରକ୍ତଝରୁଛି । ସାଇସାରା ଲୋକମାନେ ବାରଣ୍ଡାରେ, ଝର୍କା ପାଖରେ ଚାହୁଁଛନ୍ତି, ଆଉ ଯେଉଁ କେତେଜଣ ଆଗେଇ ଆସିଛନ୍ତି ତାକୁ ସାହାଯ୍ୟ ନକରି ତାମସା ଦେଖିଲା ପରି ଚାହିଁବସିଛନ୍ତି ! କ’ଣ କରିବ ସୁଖଲତା ! ଟିମାଟି ଯଦି ସଙ୍ଗରେ ଆସିଥାନ୍ତା... !

 

ଏତିକିବେଳେ କ’ଣ ହେଲା କେଜାଣି କିଏ କେଉଁଠୁ ସାଇକଲ୍‍ରେ ଆସି ଦି’ଜଣଙ୍କ କାନରେ ଫୁସ୍‌ଫୁସ୍‌ କରି କିଛି କଥା କହିଲାକ୍ଷଣି ଯେ ଯୁଆଡ଼େ ଆଖିପିଛୁଳାକେ ଚାଲିଗଲେ । ଘରଗୁଡ଼ିକରେ ଦରଜା ଓ କବାଟ ମନକୁ ମନ ବନ୍ଦ ହୋଇଗଲା । କିଛି ନ ବୁଝିଲେବି ଛତାର ଆଶା ଛାଡ଼ିଦେଇ ଦଉଡ଼ିଲା ପରି ସୁଖଲତା ଚାଲିଗଲା । କାନଟା ଟାଣିହେଇ ରକ୍ତ ଝରୁଥିଲା । ଫୁଲିଯାଇଛି, ମାତ୍ର ଯଦି ମାଂସ ଛିଣ୍ଡି ଯାଇଥାନ୍ତା, ତାହାହେଲେ ତ ରକ୍ଷା ଆଉ ନ ଥାନ୍ତା ! ମୋଡ଼ ଉପରେ ଦେଖିଲା ପୁଲିସ୍‌ ଭ୍ୟାନ୍...ଓ...ତେବେ ଏଇଥିପାଇଁ ସେମାନେ ଚାଲିଗଲେ ! ଆଚ୍ଛା, ଦେଖିବ ପରେ ସେମାନଙ୍କୁ ।

 

ସୁଖଲତା କ୍ଲାସ୍ କରି କେମିତି ଘରକୁ ଫେରିଲା ଯନ୍ତ୍ରପରି ସେଇ କେବଳ ଜାଣେ । ଅଗଣାରେ ଗୋଡ଼ ଥୋଉ ଥୋଉ ବୋଉ କହିଲା–

 

‘ଆଲୋ ସୁଖ ! ଛତାଟା କଲେଜରେ ଛାଡ଼ିଆଇଥିଲୁ, ତୋର କୋଉ ସାଙ୍ଗର ଭାଇ ଆଣି ଦେଇଯାଇଛି ଘରେ । କ’ଣ ନାଁଟା କିଟିମିଟିଆ କରି କହିଲା, ମୋର ମନେପଡ଼ୁନି !’’

 

ସୁଖଲତା ଜବାବ ଦେଲାନି । ତା’ର ଘରର ଖବର ସୁଦ୍ଧା ସେମାନେ ସଂଗ୍ରହ କରିନେଲେଣି । ବୋଉ କି ବାପା ଜାଣିଲେ ଘଟଣାଟା ଅଧିକ ଲାଭ ହେବନି, ଓଲଟା ତା’ର ପଢ଼ା ବନ୍ଦ ହୋଇଯିବ । ଘରେ ବାହାରେ କେହି ଜଣେ ନାହିଁ ଯେ ଯିଏ ତାକୁ ଏ ବିପଦରେ ସାହା ହେବ, ସାଙ୍ଗ-ସାଥୀ ଶୁଣିଲାକ୍ଷଣି ଥଟ୍ଟା କରିବେ, ବାପା ବୋଉ ଭୟରେ ପାଠପଢ଼ା ବନ୍ଦ କରିଦେବେ ଓ ଚାରିଆଡ଼େ ତା’ର ଦୁର୍ନାମ ରଟିବ । ସବୁଠାରୁ ଅଧିକ, ଏପରିକି ଜୀବନଠାରୁବି ଏଇ ଦୁର୍ନାମ ଭୟ ବେଶୀ । କାହିଁକି ? କାହିଁକି ଏତେ ଡରୁଛି ସୁଖଲତା ? ତା’ର କି ହସଖୁସି, ନିରାପଦରେ, ଆନନ୍ଦରେ ବସିବାର ଅଧିକାର ନାହିଁ ?

 

ଠକ୍‌ ଠକ୍‌ କରି ଦାଣ୍ଡରେ କିଏ ଡାକୁଛି । କିଏ ? ଟିମା ତ ଘରେ ବସି ପଢ଼ୁଛି । ବୋଉ ରୋଷେଇଘରେ ବାପାଙ୍କର ଏବେ ଫେରିବାର ବେଳ ଆଦୌ ହୋଇନି । ଭିତରେ ସୁଖଲତା ଭୟ ପାଇଗଲା । ଯେତେ ଚେଷ୍ଟାକଲେବି ଭୟ ଜିନିଷଟାକୁ ସେ ମୋଟେ ଦୂରେଇ ଦେଇପାରୁନି, କିନ୍ତୁ ଆୱାଜ୍‌ରେ ଅସ୍ଥିରତା ଅଧିକ ବଢ଼ୁଛି ଯେ !

 

ଦାଣ୍ଡଘର ଝରକାବାଟେ ମୁହଁଗଳେଇ ଚାହିଁଲା ସୁଖଲତା ! ସେ ଦୁଷ୍ଟ ଲୋକଙ୍କ ଭିତରୁ କେହି ତାକୁ ଭୟଭୀତ କରିବାକୁ ଏଠିକି ଆସିନି ତ ? ନା ! ଜଣେ କିଏ ଭଦ୍ରଭାବରେ ଛିଡ଼ାହୋଇଛି, ଆଖିରେ ଗୋଟାଏ ବଡ଼ କାଚର ଚଷମା ପିନ୍ଧି । ଗଲା କାଲିକି ଆଜି କିମ୍ବା ଅତୀତରେ ଏପରି ଲୋକ କୋଉଠି ଭେଟିଛି ବୋଲି ମନେହେଉନି ତ ! ପୁଣି ଥରେ କବାଟରେ ଠକ୍‌ ଠକ୍‌ ଶବ୍ଦ ହେବାକ୍ଷଣି ସୁଖଲତା କବାଟ ଖୋଲି ପ୍ରଶ୍ନବାଚୀ ଆଖିରେ ଚାହିଁଲା । ଭଦ୍ରଲୋକ ହଠାତ୍‌ ଗମ୍ଭୀର କଣ୍ଠରେ ପଚାରିଲେ–

 

‘‘ଏଇଟା ଅନାଦିବାବୁଙ୍କ ଘର ତ ? ଆପଣ ତାଙ୍କ ଝିଅ ସୁଖଲତା ?’’

 

‘‘ହଁ, କ’ଣ ହେଲା ? ବାପା କିଛି ଖବର ଦେଇଛନ୍ତି ?’’

 

ଭଦ୍ରଲୋକ ମୁହଁଶୁଖାଇ କହିଲେ–

 

‘‘ମୁଁ ତାଙ୍କ ଅଫିସ୍‍ରେ କାମ କରେ । ଆଜି ଅଫିସ୍‍ରେ କାମ କରୁ କରୁ ହଠାତ୍‌ ଅନାଦିବାବୁଙ୍କ ମୁଣ୍ଡରେ ଯନ୍ତ୍ରଣା ହେଲା । ତା’ପରେ ବେହୋସ, ଆମ୍ବୁଲାନ୍‍ସ୍‌ ଡାକି ହସ୍‍ପିଟାଲ ନେଇ ଆଡ଼୍‍ମିସନ୍‌ କରିଛୁ । ତାଙ୍କର ଚେତା ଆସୁଛି ପୁଣି ଚାଲିଯାଉଛି । ଆପଣଙ୍କୁ ବହୁତ ଖୋଜୁଛନ୍ତି । କିନ୍ତୁ ଆପଣଙ୍କ ମା’ଙ୍କ ଦେହ ଭଲ ନଥିଲା, ଜାଣିଲେ ବ୍ୟସ୍ତ ହେବେ ବୋଲି ସମସ୍ତେ କହିବାକୁ ମନାକରିଛନ୍ତି ।’’

 

ସୁଖଲତାର ଆଖିକୁ ସବୁ ଅନ୍ଧାର ଦିଶୁଥିଲା । ବୋଉ ଏବେ ଆଠମାସ ପରେ ଟିକେ ଚଲାବୁଲା କରୁଛି, ହାଇବ୍ଲଡ୍‍ପ୍ରେସର୍, କେତେବେଳେ କ’ଣ ହେବ ଜାଣି ହେଉନି । ବାପା ଯଦି ପଡ଼ିଯାନ୍ତି, ତେବେ ଏ ଘରର ଅବସ୍ଥା ଆଉ ଭବିଷ୍ୟତ କ’ଣ ହେବ ! କିନ୍ତୁ ବୋଉକୁ ନ କହି ସେ ଯିବ କିପରି ? ମିଛ କହିବ...ଆଉ ବା ଉପାୟ କ’ଣ ?

 

ଭଦ୍ରଲୋକ ଫେରି ଯାଉ ଯାଉ କହିଲେ, ମୁଁ ଅଫିସ୍‌ ଗାଡ଼ି ମାଗିଆଣିଥିଲି ଆପଣଙ୍କର ଯାଇ ଫେରିଆସିବାକୁ ସୁବିଧା ହେବ !

 

ସୁଖଲତା ଘର ଭିତରକୁ ପଶିଯାଇ ଯଥାସମ୍ଭବ କଣ୍ଠରେ ସ୍ଥିରତା ଆଣି ବୋଉକୁ କହିଲା–

 

‘‘ବାପା ଲୋକ ନେଇ ଅଫିସ୍‌ରୁ ଗାଡ଼ି ପଠେଇଛନ୍ତି । ସେଇ ଯେଉଁ ପୋଷ୍ଟ୍‍ଟା ଖାଲିଥିଲା, ସେଇ ବିଷୟରେ କ’ଣ ଜରୁରୀ କଥା ଅଛି ! ମ୍ୟାନେଜରଙ୍କ ମାନ୍ଦ୍ରାଜରୁ ଆସିବାର ଥିଲା ବୋଲି ତତେ ପରା କହୁଥିଲେ କାଲି ?’’

 

ବୋଉ ଉଚ୍ଛନ୍ନ ହୋଇ ଉଠିପଡ଼ି କହିଲା–

 

‘‘କାଇଁ ? କିଏ ଆସିଛନ୍ତି କିଲୋ, ଦେଖେ ?’’

 

ସୁଖଲତା ଝର୍କାବାଟେ ଜିପ୍‌ ଗାଡ଼ିଟାଏ ଦେଖେଇଦେଲା ।

 

ବୋଉ ମୁଣ୍ଡରେ ଲୁଗା ଟାଣିଦେଇ କହିଲେ–

 

‘‘ଯା ! ଦେଖ, ଯଦି ଭାଗ୍ୟରେ ଥାଏ, ତାହାହେଲେ ଜୁଟିଯିବ । ଘର ଅବସ୍ଥା ଦିନକୁଦିନ ଅଚଳ ହେଲାଣି । ସେଇ କୁମ୍ଭପକା ସିଲ୍କ ଶାଢ଼ିଟା ପିନ୍ଧି ଯା । ମୁହଁଟା ପୋଛିପକା, କେତେ ଝାଳ ତୋ’ ଦେହରୁ ବହୁଛି ଏ ଶୀତ ଦିନଟାରେ ! ଯା, ଶୀଘ୍ର ଫେରିବୁ !’’

 

ବୋଉ ସଞ୍ଜବତି ନେଇ ଚଉରା ପାଖକୁ ଯାଉଥିବାବେଳେ ଏକଦମ୍‌ ଧାଇଁ ଗଲାପରି ଯାଇ ସୁଖଲତା ଜିପ୍‌ ଉପରେ ବସିପଡ଼ିଲା ! ତା’ ଦେହକୁ ଲାଗି ଲାଗି ସେ ଭଦ୍ରଲୋକ ଜଣକ ବସିଲେ । ଡ୍ରାଇଭର ନିମିଷକରେ ଗାଡ଼ି ଛୁଟେଇନେଲା !

 

ଅନ୍ୟମନସ୍କ ହୋଇ ସୁଖଲତା ବସିଥିଲା ! ବାପାଙ୍କର କ’ଣ ହେଲା ? ଟିମା, ଟିନା, ଟୁକୁ ଓ ବିନୁ, ରିନୁ ଯେ କେହି ମଣିଷ ହବା କଥା ଛାଡ଼, ଭଲ-ମନ୍ଦବି ବୁଝି ନାହାନ୍ତି । ଏଣେ ବୋଉ ଏ କଥା ଶୁଣିଲେ ଜୀବନ ହାରିଦେବ, ବିଷ ଖାଇଦେବକି ଦଉଡ଼ିଦେଇ ମରିବ । ତେବେ ସୁଖଲତା କ’ଣ କରିବ ? ହେ ଭଗବାନ ! ବାପାଙ୍କୁ ବଞ୍ଚେଇଦିଅ ! ଯାହା ମାଗିବ ସବୁ ଦେବି, ଏଇଥରକ ବଞ୍ଚେଇଦିଅ ।

 

ଗାଡ଼ି ଚାଲିଛି । କେତେ ସମୟ ହେଲାଣି କେଜାଣି ! ହସ୍‍ପିଟାଲ ତ ଏତେ ଦୂର ନୁହେଁ-! ସବୁଆଡ଼େ ଏପରିକି ଅନ୍ଧାରିଆ ଦିଶୁଛି କାହିଁକି ? ବାଟବୋଧେ ଡ୍ରାଇଭର ଭୁଲ୍ କରି ସାରିଲାଣି-! ଯେମିତି ମନେହେଉଛି ସହରଠାରୁ ବହୁ ବାଟ ଚାଲି ଆସିଲାଣି ଜିପ୍‌ଟା... ।

 

ସୁଖଲତା ବ୍ୟାକୁଳ କଣ୍ଠରେ ପଚାରିଲା–

 

‘‘ଏ କ’ଣ ? ଆଉ କେତେ ବାଟ ଅଛି ? ଆମ ଘରଠୁ ତ ହସ୍‍ପିଟାଲ ଅଧଘଣ୍ଟାର ରାସ୍ତା !’’

 

କିଏ ଜଣେ ପଛପଟରୁ ଖୁଁ, ଖୁଁ, କାଶି ଜବାବ ଦେଲା–‘‘ଜାଣିପାରୁନ ? ଆଉ ଅଳ୍ପ ବାଟ...ମାନେ ଆମଠାରୁ ତୁମେ ଯେତିକି ଦୂରରେ, ତୁମଠାରୁ ହସ୍‍ପିଟାଲ ସେତିକି ଦୂରରେ... !’’

 

ଏକାଥରେ ଦୁଇ ତିନିଜଣ ହସିଉଠିଲେ । ଚମକିପଡ଼ି ସୁଖଲତା ପଛକୁ ଚାହିଁଲା–ଏ ଯେ ଗତ କାଲି ରାସ୍ତାର, ତାକୁ ଯେଉଁମାନେ ବାଟଓଗାଳି ଛିଡ଼ା ହୋଇଥିଲେ–ସେଇମାନେ, ସେଇ ଚାହାଣି, ଚେହେରା ଆଉ କଣ୍ଠସ୍ୱର । ଶିରିଶିରେଇ ଉଠିଲା ସୁଖଲତାର ଦେହ । ଏ କ’ଣ କଲା ସେ-? ଟିକିଏ ବିଚାର ନ କରି, ବୁଦ୍ଧି ନ ଖଟେଇ ଅନ୍ଧପରି ଉଡ଼ାଖବର ପାଇଁ ସେ ଉଠିଆସିଲା-। ଏବେ କ’ଣ କରିବ ? ଏଇକ୍ଷଣି ତ ଏ ପଞ୍ଝାକ ତାକୁ କଞ୍ଚା ଧରି ଚୋବେଇଯିବେ ?

 

ସୁଖଲତା ପାଟି ମେଲେଇ ଚିତ୍କାର କରି ଉଠିବାକ୍ଷଣି ପାଟି ବନ୍ଦହୋଇଗଲା । ଶକ୍ତ ଗୋଟାଏ ଗାମୁଛା ଦେଇ ତା’ର ମୁହଁ ମୁଣ୍ଡକୁ କିଏ ଜୋରରେ ବାନ୍ଧି ପକାଇଲା । ଛାଟିପିଟି ହେଉଥିବା ଦୁଇ ହାତକୁ ଜବରଦସ୍ତ ପାଖରେ ବସିଥିବା ଲୋକଟି ଧରିଛି । ମନେହେଉଛି ସେ ଚାପରେ ତା’ର ଦେହ କ୍ରମଶଃ ସ୍ପନ୍ଦନ ଶକ୍ତି ହରାଉଛି । ଚିନ୍ତାଶକ୍ତି ଲୋପ ପାଇଯାଉଛି । ନିଃଶ୍ୱାସ ଅବରୁଦ୍ଧ ହୋଇ ଛାତି ଯେପରି ଫାଟିଯିବ... । ଏତେ ବୁଦ୍ଧିମତୀ ସାହସୀ ହୋଇ ଏପରି ଠକିଯିବ ବୋଲି କେବେ ତ ସୁଖଲତା ଭାବି ନଥିଲା । ବାପାଙ୍କର ଅସୁସ୍ଥତା ଖବର ପାଇ ସିନା... । ଏହାପରେ ସୁଖଲତା ଅନ୍ୟ କିଛି ଭାବିପାରି ନଥିଲା, ଭାବିଥିଲେବି ତା’ର ମନେ ନଥିଲା କିଛି ।

 

ପରଦିନ ଅତି ସକାଳୁ ଯେତେବେଳେ ତା’ର ଜ୍ଞାନ ଆସିଲା, ସେ ଦେଖିଲା ତାଙ୍କ ଘର ପଛପଟେଥିବା କୂଅମୂଳ ଚାନ୍ଦିନୀରେ ସେ ଶୋଇଛି । ବୋଉ ବାପା ଓ ଟିମା ଇତ୍ୟାଦି ତାକୁ ଚାହିଁଛନ୍ତି । ସେ ଉଠିପଡ଼ୁ ପଡ଼ୁ, କଚାଡ଼ିହୋଇ ପଡ଼ିଲା । ବୋଉ ଭୋ’ ଭୋ’ ଡକା ପକାଇ କାନ୍ଦ ଆରମ୍ଭ କରିବାକ୍ଷଣି ବାପା ବିରକ୍ତ ହୋଇ କହିଲେ–

 

‘‘ତୁମର କାନ୍ଦ ସେତିକି ଥାଉ । ସାଇପଡ଼ିଶା ଜାଣିବା ପୂର୍ବରୁ ଘରକୁ ଉଠେଇ ନିଅ । ଧର ମୁଣ୍ଡଟା, ଟେକିଲ ?’’

 

ବାପା ତାକୁ କାନ୍ଧରେ ପକେଇ ଆଣୁ ଆଣୁ ବୋଉ ଉଦ୍ଦେଶ୍ୟରେ କହୁଥିଲେ ।

 

‘‘ପାଠ ବହୁତ ହେଲା । ଏଥିରେ କ’ଣ ନା ଝିଅ ଡାକ୍ତର ହେବ, ଇଞ୍ଜିନିୟର୍‌ ହେବ, ହାତୀ-ଘୋଡ଼ା ହେବ । କଥାରେ ନାହିଁ ଦୁହିତା, ଦୁଇକୁଳକୁ ପିତା । ଗରିବ ଘର ଝିଅର ମହତ ଥରେ ଗଲେ ଆଉ ଫେରେନା । ଲୋକଦେଖାଣିଆ କଥାରେ ମା’ ଝିଅ ଭାସିଗଲ, ଏବେ ସମ୍ଭାଳ ପରିସ୍ଥିତି । କଥା କେବେ ଲୁଚି ରହିବନି...ମତେହିଁ ଶେଷରେ ବିଷଖାଇ ମରିବାକୁ ହେବ । ଓଃ !’’

 

ବିଛଣାରେ ପଡ଼ି ପଡ଼ି ଆଖିଖୋଲିବାକୁ ମଧ୍ୟ ଡରୁଥିଲା ସୁଖଲତା ! କାହିଁ ? କେବେତ ଦିନେ ମନଖୁସିରେ ସେ କଥାପଦେ ଶୁଣି ନାହିଁ, ଖୁସି ହୋଇନାହିଁ, ସିନେମା ଯାଇନି, ସଙ୍ଗ-ସାଥୀ ମେଳରେ ବସି ଖୁସିଗପ କରିନାହିଁ, ଦେହରେ ତା’ର ଗହଣା କି ଦାମୀଶାଢ଼ି ନାହିଁ, ଚେହେରାରେ ଏମିତି କାହାକୁ ମାତାଲ କଲାଭଳି ଚାତୁରୀ ନାହିଁ । କେବେ କାହାକୁ ରୁକ୍ଷ କି ଅଭଦ୍ର ବ୍ୟବହାର କରିଛି ବୋଲି ସୁଖଲତାର ତ ଖିଆଲ ନାହିଁ । ତଥାପି କାହିଁକି ଏପରି ହେଲା ? ସୁଖଲତାର ଗତ ରାତ୍ରିର କଥା ଭାବିଲେ ମୁଣ୍ଡ ଘୂରିଯାଉଛି । ଇସ୍‌ । କି ବୀଭତ୍ସ ! ପିଶାଚ, ରକ୍ତମୁଖା ଲୋକଗୁଡ଼ାକ ! ପାଟି ଫିଟେଇ ଏକ ଅସ୍ପଷ୍ଟ ଚିତ୍କାର ତା’ର ବାହାରିପଡ଼ିଲା । ମାତ୍ର ପର ମୁହୂର୍ତ୍ତରେ ସମସ୍ତଙ୍କର ଧାଇଁ ଆସିବାର ପାଦଶବ୍ଦରେ ସୁଖଲତା ଆଖି ବୁଜିଦେଲା । ନା, ନା, ସେ କାହାର ମୁହଁକୁ ଚାହିଁପାରିବନି-। ବାପାଙ୍କର ତୀକ୍ଷ୍ଣ ଆଖି, ବୋଉର କାନ୍ଦୁରା ମୁହଁ, ଭଉଣୀଙ୍କ ନିରୀହ ବୋକା ଚାହାଣି–ତାକୁ ଯେ ବେଳକୁ ବେଳ ବେଶୀ ଅବଶ କରିଦେଉଛି । ତା’ ଉପରେ ଘଟିଯାଇଥିବା ଅତ୍ୟାଚାରର ପ୍ରତିଶୋଧନେବାକୁ ଏମାନେ ବ୍ୟାକୁଳ ନ ହୋଇ ଏପରି ନିର୍ବେଦ କାହିଁକି ହୋଇଯାଉଛନ୍ତି-!

 

ଠିକ୍‌ ଅଛି । ସୁଖଲତା ନିଜେହିଁ ତା’ର ମୁକାବିଲା କରିବ । ଥରେ ଇଜ୍ଜତ ମହତ ଗଲାପରେ ଆଉ ତା’ର ଭୟ କାହାକୁ ? ସମସ୍ତଙ୍କଠାରୁ ନିଜକୁ ସେ ବେଶୀ ଡରୁଥିଲା । ଏବେ ଆଉ ସେ ଭୟବି ନାହିଁ । ସେ ପ୍ରତିଶୋଧ ନେବହିଁ ନେବ । ଦେହକୁ ନେଇ ଯେଉଁମାନେ ତା’ର ଆଜି ଉତ୍ସବ କରିଛନ୍ତି, ସେଇମାନଙ୍କ ଦେହ ଓ ମୁଣ୍ଡକୁ ନେଇ ସେ ଜୁଆ ଖେଳିବ । ଭୀରୁ ! କାପୁରୁଷ !! ଜଣେ ଲୋକର ଦୁର୍ବଳତାକୁ ନେଇ ଥରେ ଜିତିଯାଇଛି ବୋଲି ସବୁଦିନେ ଜିତାପଟ ତୁମର ନୁହେଁ, ଜାଣିରଖ । ଯାହାପାଇଁ ଏତେ ହଟ୍ଟଗୋଳ, ତାକୁହିଁ ବାଜି ରଖି ସେ ଖେଳ ଖେଳିବ । ସବୁଆଡ଼େ ନିଆଁ ସେ ଲଗେଇଦେବ । ମା’ କୋଳରୁ ଛୁଆ, ସ୍ୱାମୀ କୋଳରୁ ସ୍ତ୍ରୀ ଓ ସମ୍ଭ୍ରାନ୍ତ ଧନୀ ପରିବାରରୁ ଟାଣିଆଣିବ ବୋହୂ । ସେ ନିଆଁରେ ସମସ୍ତେ ଜଳିବେ । ହଁ; ହଁ; ସମଗ୍ର ଜଗତ ଜଳିବ । ସେ ନିଆଁ ଲାଗିବାକୁ ଯେ ଆଉ ବେଶୀ ଡେରି ନାହିଁ–ନିଆଁ ନିଶ୍ଚୟ ଲଗେଇବ ।

 

ସୁଖଲତା ଓଠ ଉପରେ ଓଠ ଚାପି କରଲେଉଟାଇ ଶୋଇବାକୁ ଚେଷ୍ଟାକଲା । ଆସନ୍ନ ସୂର୍ଯ୍ୟ ଉଦୟର ଆଲୋକରେ ଘର ଭିତରଟା ପରିଷ୍କାର ହୋଇ ଆସୁଥିଲା । ସୁଖଲତା ଚିତ୍କାର କଲା–

 

‘ବୋଉ, ଝର୍କା କବାଟ ଦେଇଦେ । ମତେ ଆଲୁଅ ଭଲ ଲାଗୁନି । ଅନ୍ଧାର କରିଦିଅ, ଅନ୍ଧାର ।’

 

ସୁଖଲତାର କଣ୍ଠରେ କ’ଣ ଥିଲା କେଜାଣି ସମସ୍ତେ ଏକ ସଙ୍ଗରେ ଧାଇଁ ଆସି କବାଟ, ଝର୍କା ବନ୍ଦ କରିଦେଇ ଚାଲିଗଲେ ବିନା ପ୍ରତିବାଦରେ । ପ୍ରଶ୍ନ କରିବାକୁ କାହାର ଶକ୍ତି ବା ସାହସ ନଥିଲା ଯେପରି ! ବାପା କ’ଣ ଆସ୍ତେ ଆସ୍ତେ ବାରଣ୍ଡାରେ କହୁଥିଲେ; କିନ୍ତୁ ତା’ର ଗୁଞ୍ଜରଣ ଶବ୍ଦ ବ୍ୟତୀତ କୌଣସି ଅର୍ଥ ବୁଝିପାରୁ ନଥିଲା ସୁଖଲତା । ବୁଝିବାକୁ, ଜାଣିବାକୁ ତା’ର କିଛି ଆଗ୍ରହ ନାହିଁ । ଆଜିପର୍ଯ୍ୟନ୍ତ ବୁଝିଥିବା କଥାର ଅର୍ଥ, ଏଇ କେତେ ଘଣ୍ଟା ତଳେ ଯେ ସମ୍ପୂର୍ଣ୍ଣରୂପେ ଓଲଟିଯାଇଛି, ତେଣୁ କାହା ଉପରେ ବିଶ୍ୱାସ ରଖିବ ଓ କାହିଁକି ବା ସେ ମୁଣ୍ଡ ଖର୍ଚ୍ଚ କରିବାକୁ ଯିବ !

 

ଦେହସାରା ଶିରିଶିରେଇ ଉଠୁଛି । ଇସ୍‌ କି ଭୟାନକ ସେ ଲୋକଟା, ବିକଟାଳ ଦାନ୍ତ ମେଲେଇ ଯେତେବେଳେ ହାତଟା ତା’ ଆଡ଼କୁ ବଢ଼େଇଦେଲା ସୁଖଲତା ତା’ର ଦୁଇଟା ଆଙ୍ଗୁଠି ରଟକରି କାମୁଡ଼ିଧରିଥିଲା । ଲୋକଟା ଚିତ୍କାର କରି ଉଠିଥିଲା....ତା’ପରେ କିଏ ଜଣେ ଅନ୍ଧକାର ଭିତରେ ସୁଖଲତାର ତଣ୍ଟି ଚିପିଧରିଥିଲା । ପରବର୍ତ୍ତୀ ଘଟଣା-ଦୁର୍ଘଟଣା କିଛି ତା’ର ଆଉ ମନେ ନାହିଁ । ତା’ର ଅସହାୟତା ଦୁର୍ବଳତାର ସୁଯୋଗ ନେଇ...କିନ୍ତୁ କେହି ତ ତାହା ବୁଝିବେ ନାହିଁ । ଆଉ ଯଦି ତାହାହିଁ ହୁଏ, ତେବେ ପ୍ରତିଶୋଧ ନେବାପାଇଁ ସେ ହେବ ଦଶଭୁଜା, ଧରିବ ଖଡ଼୍‌ଗ, ମୁକୁଳିତ କେଶ ଆଉ ଉଲଗ୍ନ ଶରୀରରେ ସେ ଭ୍ରମଣ କରିବ ସହର-ପ୍ରାନ୍ତର-ଗିରି, କନ୍ଦର, ଆଉ ଶୂନ୍ୟମଣ୍ଡଳ । ତା’ର ଗତିପଥରେ ସୃଷ୍ଟି କରିବ ମାୟା, ପ୍ରହେଳିକା ବିଞ୍ଚି ଦେଇଯିବ କ୍ଷୟ-କ୍ଷତିର ଜୀବାଣୁ...ଉଚ୍ଛନ୍ନ କରିଦେବ ସେ ସମଗ୍ର ପୃଥିବୀ । ଆକାଶ, ପୃଥିବୀକୁ ଏକ ପେଣ୍ଡୁ ପରି ଧରି ସେ ଗଡ଼େଇଦେବ ରସାତଳକୁ...ଯେମିତି ଅତୀତରେ ଥରେ...ନା, ନା ଥରେ କାହିଁକି ଅସଂଖ୍ୟ ଥର ଦୁର୍ଗା, କାଳୀ, ବାସନ୍ତୀ, ଚଣ୍ଡୀ, ବିମଳା, ମଙ୍ଗଳା ଓ ଆହୁରି ଅନେକ ଅନେକ ରୂପରେ–ନାମରେ ଆସି ଧ୍ୱଂସ କରିଛି... । ହେଇତ, ହେଇତ ସେମାନେ କାନ୍ଥକୁ ଲାଗି ଛିଡ଼ା ହୋଇ ଚାହିଁଛନ୍ତି ତାକୁ ହସୁଛନ୍ତି ତା’ର ଦୁର୍ବଳପଣିଆକୁ, ନିର୍ବୋଧତାକୁ ଓ ସମସ୍ତ ଶକ୍ତିର ଆଧାର ହୋଇବି ନିଜକୁ ନ୍ୟୁନ, ଅସହାୟ ମନେକରି ଅପଚୟ କରିବାର ଭଙ୍ଗୀକୁ ।

 

ଅସହ୍ୟ । ସୁଖଲତା କରଲେଉଟାଇ ଆରପଟ କାନ୍ଥକୁ ଅନେଇଲା । ସେଠାରେବି ସେଇ ସଂହାରକାରିଣୀ ମୂର୍ତ୍ତିଗୁଡ଼ାକ ତାକୁ ଚାହିଁଛନ୍ତି ହସୁଛନ୍ତି । ଏଥର ଉଠିବସି ଚଟାଣକୁ ମଧ୍ୟ ଚାହିଁଲା । ସବୁଠି ସେଇ ଶକ୍ତିମୟୀ ସଂହାରିଣୀ । ଚେତନାର ଭିନ୍ନ ଭିନ୍ନ ରୂପ । ସୁଖଲତାର ମନେହେଲା ଯେପରି ଚତୁର୍ଦ୍ଦିଗରେ ଅସୀମ ଶକ୍ତି ଓ ତେଜ ତା’ର ଦେହ ଓ ମନ ଭିତରେ ପ୍ରବେଶ କରି ତାକୁ ସତେଜ କରି ଦେଇ ଯାଉଛି ହଠାତ୍‌ କ’ଣ ଖିଆଲ ହେଲା କେଜାଣି ଘୁଷୁରି ଘୁଷୁରି ଯାଇ କାନ୍ଥରେ ଟଙ୍ଗା ହୋଇଥିବା ଛୋଟ ଦର୍ପଣଟା ଦେହରେ ନିଜ ମୁହଁକୁ ଚାହିଁ ସେ ଚିତ୍କାର କରି ଉଠିଲା ଏକ ବିସ୍ମୟକର ଉଲ୍ଲାସରେ । ବାପା, ବୋଉ, ଭାଇ, ଭଉଣୀ, ଧାଇଁ ଆସିଲାକ୍ଷଣି ସୁଖଲତା ପାଟିକରି ଉଠିଲା–ମୁଁ କିଏ ? ମୁଁ...ମୁଁ... ?’

 

ବାପା ତାକୁ ଟେକିନେଇ ଶୁଆଇଦେଲାବେଳେବି ସେ ଛାଟିପିଟି ହୋଇ ସେଇ ପ୍ରଶ୍ନଟିର ପୁନରାବୃତ୍ତି କରୁଥିଲା । ବୋଉ କାନ୍ଦ, କାନ୍ଦ ହୋଇ କହୁଥିଲା–‘ମୋ ଝିଅକୁ ଡାହାଣୀ କି ପିଶାଚୁଣି ଗ୍ରାସୀଯାଇଛି, ମୁଁ କ’ଣ କରିବି ? ହେ ମା’ କଟକଚଣ୍ଡୀ ! କାଳୀଲୋ ! ଦୁର୍ଗା ମା’ ! ରକ୍ଷା କର ମା’ । ହେଇଟି ଦେଖ, ମୁହଁଟା କେମିତି ବଙ୍କେଇ ଦେଉଛି । ହାତ ମୁଠାମୁଠା କରୁଛି...ମୁଁ କୁଆଡ଼େ ଯିବି ! ହେ ମା’.... ! ମତେ ନେ, ମୋ ଝିଅକୁ ରକ୍ଷା କର ମା ।’

 

ବୋଉର କାନ୍ଦୁରା ମୁହଁଟିକୁ ଚାହିଁ ସୁଖଲତା ଚୁପ୍‌ ହୋଇଗଲା । ନିଜର ଦୁର୍ବଳତାକୁ, ଅସହାୟ ଭାବକୁ, ଅପାରିବାରପଣକୁ କ୍ଷମା କରିଦେବାକୁ ତା’ ନିଜ ପାଖରେ ଆଉ ପୁଞ୍ଜି ନାହିଁ । ସେଥିରେ ସେ ବୋଉକୁ କ’ଣ କହି ସାନ୍ତ୍ୱନା ଦେବ । ବୋଉ ଯାହା ଜାଣେ ନାହିଁ, ସେ ତାହା ଜାଣିଛି, ଯେଉଁ ଜାଲରେ ପଡ଼ି ଏ ଘରେ ସମସ୍ତେ ଶାନ୍ତିପାଉଛନ୍ତି ସେ ଯେ ସେଥିରୁ ମୁକ୍ତି ହୋଇଯିବାକୁ ଚାହେଁ, ମାତ୍ର ଚାରିଆଡ଼କୁ ଚାହିଁ ଦେଖିଲା ସେ କେବଳ ଲୁହ ଜୁଡ଼ୁବୁଡ଼ୁ ଉଦାସ ଆଖିଗୁଡ଼ିଏ ତାକୁ ଅସହାୟ ଭାବରେ ଚାହିଁଛନ୍ତି । ସବୁଠାରେ ଜମାଟବନ୍ଧା ଅନ୍ଧାର, ହତାଶା ।

 

ହଠାତ୍‌ ମନେହେଲା ଯେପରି କେଉଁଠି କ’ଣ ବିଭ୍ରାଟ ହେବାକୁ ବସିଛି । ଉଠି ଆସୁଆସୁ ସେ ପଡ଼ିଯାଉଛି; ନିଜକୁ ଚିହ୍ନୁ ଚିହ୍ନୁ ନିଜର ଅସୀମ ଶକ୍ତିକୁ ଆଧାର କରୁ କରୁ ପୁଣି ସେ ଅବଶ ହୋଇପଡ଼ୁଛି । ନା...ତା’ ହୋଇପାରେନା । ସେ ଉଠିପଡ଼ି ସବୁଆଡ଼କୁ ଆଖି ମେଲେଇ ଚାହିଁଲା, ଆଉ ସ୍ଥିର କଣ୍ଠରେ କହିଲା–‘‘ମତେ ଭୂତ, ଡାହାଣୀ କିଛି ଲାଗି ନାହିଁ, ବରଂ ସେମାନେ ମୋ ଦେହ, ମନରୁ ଏତେଦିନ ପରେ ବିଦାୟ ନେଇ ଯାଇଛନ୍ତି । ସେ ନିଜକୁ ନିଜେ ଏତେଦିନ ପରେ ଯେତେବେଳେ ପାଇଛି...ଦେଖୁନ ମତେ, ଆଖି ମେଲାକରି । ଦେଖ । ମୋ ଭିତରଟାକୁ ଯିଏ ଅନ୍ଧାର କରି ରଖିଥିଲା, ମୁଁ ତାକୁ ମାରିଦେଇଛି ସବୁଦିନ ପାଇଁ । ତୁମେ ସବୁ ଖୁସି ନ ହୋଇ ଏମିତି କାନ୍ଦୁଛ କାହିଁକି ? ’

 

ନୀରବରେ ମୁହଁପୋତି ବାପା କେବଳ ଚାଲିଗଲେ ବାହାରକୁ । ବୋଉ ଆଉ ଭାଇ ଭଉଣୀମାନେ ତାକୁ ବଲବଲ କରି ଚାହିଁଥିଲେ ।

Image